ମୟୂରଭଞ୍ଜରେ ୩.୨୮୫ କିଲୋ ବ୍ରାଉନ ସୁଗାର ଜବତ କଲା STF; ବଜାର ମୂଲ୍ୟ ସାଢ଼େ ୩ କୋଟି ଟଙ୍କା

ବ୍ରାଉନ ସୁଗାର ଡିଲର ସେଖ୍ ଆସିକ ଧରା ପଡ଼ିଛି, ହେଲେ ତା’ ସହଯୋଗୀ ଫେରାର ହୋଇ ଯାଇଛି l STFର ବାରମ୍ବାର ରେଡ଼ ପରେ ଡିଲରମାନେ ବ୍ରାଉନ ସୁଗାର ଚୋରା ଚାଲାଣ ପାଇଁ ଏକ ନୂଆ ସପ୍ଲାଇ ଲାଇନ୍ ବାଛିଥିବା ଜଣାପଡ଼ିଛି l

ମୟୂରଭଞ୍ଜରେ ୩.୨୮୫ କିଲୋ ବ୍ରାଉନ ସୁଗାର ଜବତ କଲା STF; ବଜାର ମୂଲ୍ୟ ସାଢ଼େ ୩ କୋଟି ଟଙ୍କା
ଗିରଫ ହୋଇଥିବା ଡିଲର ସେଖ୍ ଆସିକ ଓ (ଡାହାଣ) ଜବତ ବ୍ରାଉନ୍ ସୁଗାର
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଚାଲିଥିବା ବେଆଇନ ଡ୍ରଗ୍ସ କାରବାର ବିରୋଧରେ ଏକ ବଡ଼ ଧରଣର ଅଭିଯାନ ଚଳାଇ କ୍ରାଇମ ବ୍ରାଞ୍ଚ ଏସ୍‌.ଟି.ଏଫ୍‌. ମୟୂରଭଞ୍ଜ ଜିଲ୍ଲାରେ କୁଳିଅଣା ଜାତୀୟ ରାଜପଥ ୧୬ରୁ ଜଣେ ବ୍ରାଉନ ସୁଗାର ଡିଲରକୁ ଗିରଫ କରିଛି l ତା’ ନିକଟରୁ ୩ କିଲୋ ୨୮୫ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି, ଯାହାର ଆନୁମାନିକ ବଜାର ମୂଲ୍ୟ ସାଢ଼େ ୩ କୋଟି ଟଙ୍କା ହେବ l

ଗିରଫ ହୋଇଥିବା ଡିଲର ସେଖ୍‌ ଆସିକ (୩୨ ବର୍ଷ) ବାରିପଦା ନିକଟସ୍ଥ ଅସ୍ଥିଆର ଚିପଟ ଗ୍ରାମର ବାସିନ୍ଦା l ଏସ୍‌.ଟି.ଏଫ.ର ରେଡ ବେଳେ ସେଖ୍‌ ଆସିକ ଓ ତା’ର ଜଣେ ସହଯୋଗୀ ଏକ ପଲସର ବାଇକରେ ବ୍ରାଉନ ସୁଗାର ନେଇ ଯାଉଥିଲେ l ସେଖ୍‌ ଆସିକର ମୋବାଇଲ ଫୋନକୁ ଲଗାତାର ମାସେ ହେଲା ଟ୍ରାକ କରୁଥିଲା ଏସ.ଟି.ଏଫ. l ରବିବାର ପାହାନ୍ତିଆ ସମୟରେ ସେଖ୍‌ ଆସିକ ଓ ତା’ର ସହଯୋଗୀ ବାଇକରେ ବ୍ରାଉନ୍‌ ସୁଗାର ନେଇ ଯାଉଥିବା ବେଳେ ମାଡ଼ି ବସିଥିଲା ଏସଟିଏଫ । ସେଖ୍‌ ଆସିକ ଧରା ପଡ଼ିଥିଲା, ହେଲେ ତା’ ସହଯୋଗୀ ଫେରାର ହୋଇ ଯାଇଥିଲା l

‘‘ସେଖ୍‌ ଆସିକକୁ ରିମାଣ୍ଡରେ ଅଣାଯିବ l କାହା ପାଖକୁ ଓ କେଉଁ ଅଞ୍ଚଳକୁ ଏହି ବ୍ରାଉନ ସୁଗାର ଚାଲାଣ ହେବାକୁ ଯୋଜନା ହୋଇଥିଲା ସେ ନେଇ ପଚରା ଉଚରା କରାଯିବ । ତା’ ଠାରୁ ଉତ୍ତର ଓଡ଼ିଶାର ବ୍ରାଉନ୍‌ ସୁଗାର୍‌ ସ୍ମଗଲିଂ ନେଟୱର୍କ ବିଷୟରେ ତଥ୍ୟ ମିଳିବା ଆଶାକରାଯାଉଛି,’’ କହିଛନ୍ତି ଏଡିଜି (କ୍ରାଇମ ବ୍ରାଞ୍ଚ) ସୌମେନ୍ଦ୍ର ପ୍ରିୟଦର୍ଶୀ l

ଏସ.ଟି.ଏଫ. ଡିଆଇଜି ଜୟ ନାରାୟଣ ପଙ୍କଜ


ଏସ୍‌.ଟି.ଏଫ.ର ବାରମ୍ବାର ରେଡ଼ ପରେ ଡିଲରମାନେ ବ୍ରାଉନ ସୁଗାର ଚୋରା କାରବାର ପାଇଁ ଏକ ନୂଆ ସପ୍ଲାଇ ଲାଇନ୍‌ ବାଛିଥିବା ଜଣାପଡ଼ିଛି l ପୂର୍ବରୁ ବାଲେଶ୍ଵର ଓ ନୀଳଗିରି ଦେଇ କଟକ, ଭୁବନେଶ୍ୱର, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼କୁ ଡ୍ରଗ୍ସ ସପ୍ଲାଇ ହେଉଥିଲା l କିନ୍ତୁ ସେହି ରୁଟରେ ବ୍ରାଉନ ସୁଗାର ଚାଲାଣ ବନ୍ଦ କରି ଏସଟିଏଫ ଆଖିରେ ଧୂଳି ଦେବା ଚେଷ୍ଟାରେ ମାଫିଆମାନେ ମୟୂରଭଞ୍ଜ ଦେଇ ଡ୍ରଗ୍ସ ସପ୍ଲାଇ କରୁଥିବା ଜଣାପଡ଼ିଛି l

ବିଶେଷ ସୁତ୍ରରୁ ସୂଚନା ମିଳିଛି ଯେ ଡ୍ରଗ୍ସ ମାଫିଆଙ୍କ ନୂଆ ପ୍ଲାନ୍‌ ଅନୁସାରେ ବାଲେଶ୍ଵରରୁ ମୟୂରଭଞ୍ଜ, କେନ୍ଦୁଝର ଓ ଢେଙ୍କାନାଳ ଦେଇ ପୁଣି ଉପକୂଳ ଓଡ଼ିଶାରେ ପ୍ରବେଶ ହେଉଛି ବ୍ରାଉନ ସୁଗାର l ଏହି ରୁଟ ଏବେ ମାଫିଆଙ୍କୁ ବେଶ ସୁହାଇଛି l କାରଣ ହେଲା ମଝିରେ ଅନେକ ଜଙ୍ଗଲ ରାସ୍ତା ଅଛି, ଯେଉଁଠି ପୋଲିସର ଯାଞ୍ଚ ହେଉନି, ଏବଂ ଟଙ୍କା ପାଇଁ ନୂଆ ନୂଆ ଯୁବକ ଡ୍ରଗ୍ସ ଏଜେଣ୍ଟ ହେବାକୁ ଇଚ୍ଛା ପ୍ରକାଶ କରୁଛନ୍ତି l

‘‘ସେଖ୍‌ ଆସିକକୁ ରିମାଣ୍ଡରେ ଅଣାଯିବା ପରେ ଡ୍ରଗ୍ସ କାରବାରର ନୂଆ ରୁଟ ଲାଇନ ସମ୍ପର୍କରେ ଆହୁରି ଅନେକ ତଥ୍ୟ ପଦାକୁ ଆସିବ,’’ କହିଛନ୍ତି ଏସଟିଏଫ ଡିଆଇଜି ଜୟ ନାରାୟଣ ପଙ୍କଜ ।

ଏହା ବି ପଢ଼ନ୍ତୁ: ଡ୍ରୋନ୍ ବୈଜ୍ଞାନିକ ଭାବେ ଅଜସ୍ର ଖ୍ୟାତି ପାଇଥିବା କର୍ଣ୍ଣାଟକ ଯୁବକ ପ୍ରତାପଙ୍କ ମିଛ ଧରାପଡ଼ିଲା

ଏହା ବି ପଢ଼ନ୍ତୁ: ‘କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ଗୋମୂତ୍ର ପିଅନ୍ତୁ’: ପଶ୍ଚିମ ବଙ୍ଗ BJP ସଭାପତି ଦିଲୀପ ଘୋଷ

ବେଆଇନ ବ୍ରାଉନ ସୁଗାର କାରବାର ବିରୋଧରେ ଚଳିତ ବର୍ଷ ଏସଟିଏଫ ୨୦ଟି ମାମଲା ରୁଜୁ କରି ୪୦ ଜଣ ଡିଲର ଓଏଜେଣ୍ଟଙ୍କୁ ଗିରଫ କରିଛି l ଜବତ ହୋଇଛି ୧୫ କେଜି ୬୪୮ ଗ୍ରାମ ବ୍ରାଉନ ସୁଗାର l ଏହା ଓଡ଼ିଶା ପୋଲିସ ଇତିହାସରେ ସର୍ବକାଳୀନ ରେକର୍ଡ଼ ବୋଲି ଟୁଇଟ କରି ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ l ଏସଟିଏଫ ଟିମକୁ ଶୁଭେଛା ଜଣାଇଛନ୍ତି ଡିଜିପି l
Published by: Anand Shankar Thankur Das
First published: July 19, 2020, 5:21 PM IST
corona virus btn
corona virus btn
Loading