ଗୋଟିଏ ବର୍ଷରେ ୨୨କୋଟି ଟଙ୍କାର ବ୍ରାଉନସୁଗର ଜବତ କରିଛି ଏସଟିଏଫ
- News18 Odia
- Last Updated :
- Bhubaneswar, India
News 18 Odia Digital
ଭୁବନେଶ୍ୱର; କ୍ରାଇମବ୍ରାଞ୍ଚ ଏସ.ଟି.ଏଫ୍ ପକ୍ଷରୁ ବାର୍ଷିକ ରିପୋର୍ଟ ଜାରି କରାଯାଇଛି । ୨୦୨୨ ମସିହାରେ ଏସଟିଏଫ୍ ୭୫ଟି କେସ ରୁଜୁ କରିଥିବା ବେଳେ ୧୩୩ ଜଣ ଅଭିଯୁକ୍ତକୁ ଗିରଫ କରି ଜେଲ ପଠାଇଛି । ଯେଉଁଥିରେ ରାଜସ୍ଥାନର ଦୁଇ ଜଣ , ଦିଲ୍ଲୀର ଦୁଇ ଜଣ , ପଶ୍ଚିମବଙ୍ଗର ଦୁଇ ଜଣ , ମଧ୍ୟପ୍ରଦେଶର ଦୁଇ ଜଣ , ମହାରାଷ୍ଟ୍ର ଓ ବିହାରରୁ ଦୁଇ ଜଣ ଲେଖାଏଁ ଗିରଫ ହୋଇଥିଲେ ।
ଚଳିତ ବର୍ଷ ଏସଟିଏଫ ଫୋକସରେ ଥିଲା ନିଶା କାରବାର, ବନ୍ୟପ୍ରାଣୀ ସ୍ମଗଲିଂ ସହ ଜାଲନୋଟ କାରବାର । ଚଳିତ ବର୍ଷ ୨୨ କେଜି ବ୍ରାଉନ ସୁଗାର, ୨୫୨୪ କେଜି ଗଂଜେଇ, ୨୦୨ ଗ୍ରାମ କୋକେନ, ୫୧୭ ଗ୍ରାମ ଅଫିମ, ୬୫ ଲକ୍ଷ ଟଙ୍କା ହୋଇଛି ଜବତ । ସେହିଭଳି ନିଶା ମାଫିଆଙ୍କର ୧୨ କୋଟି ୮୫ ଲକ୍ଷ ଟଙ୍କାର ସମ୍ପତି ଜବତ ବାଜ୍ୟାପ୍ତି କରିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ଏସଟିଏଫ । ଏଥିସହ ୨୨କେଜି ବ୍ରାଉନସୁଗାର, ୩୮ କୁଇଣ୍ଟାଲ ଗଂଜେଇ ନଷ୍ଟ କରିଛି ଏସଟିଏଫ । ବନ୍ୟପ୍ରାଣୀ ସ୍ମଗଲିଂ ବିରୁଦ୍ଧରେ ମଧ୍ୟ ଅପରେସନ ଜୋରଦାର କରିଥିଲା ତଦନ୍ତକାରୀ ଟିମ । ଚଳିତ ବର୍ଷ ସର୍ବାଧିକ ୧୪ କଳରାପତରିଆ ବାଘ ଛାଲ ଜବତ କରିଛି ଏସଟିଏଫ । ସେହିଭଳି ଗୋଟିଏ ମହାବଳ ବାଘ ଛାଲ, ୯ଟି ଜୀବନ୍ତ ବଜ୍ରକାପ୍ତା, ୨୨କେଜି ବଜ୍ରକାପ୍ତା କାତି, ୧୪ ତି ହାତୀ ଦାନ୍ତ, ୨ଟି ବାଘ ଦାନ୍ତ, ୨୯ ବାଘ ନଖ ସହ ୪୬ ଜଙ୍ଗଲୀ ଶୁଆ ମାଫିଆଙ୍କଠାରୁ ଜବତ ହୋଇଛି ।
ସେହିପରି ରାଜ୍ୟରେ ଚୋରା ବନ୍ଧୁକ କାରବାର ବେଳେ ୧୪ ବନ୍ଧୁକ, ୬୦ ଟି ଜୀବନ୍ତ ଗୁଳି ସହ ୮ ମାଗାଜିନ ଜବତ ହୋଇଛି । ୪୭ ଲକ୍ଷ ୪୩ ହଜାର ଟଙ୍କାର ନକଲି ନୋଟ ଜବତ କରିବାରେ ସକ୍ଷମ ହୋଇଛି ଏସଟିଏଫ । ସେହିପରି ବହୁ ଦାମୀ କୋଇଲା ରାକେଟ ଉପରୁ ମଧ୍ୟ ପରଦା ହଟାଇଛି ତଦନ୍ତକାରୀ ଟିମ । ୩୩୮ ଟନ୍ ଶକ୍ତ କୋଇଲା , ୬୨ ଟନ୍ ସାଧାରଣ କୋଇଲା , ୩୧ ଟନ୍ ଅଷ୍ଟ୍ରିଲା କୋଇଲା ଜବତ୍ କରାଯାଇଛି । ଏହା ସହିତ ଦୁଇଟି କେସ ଆଧାରରେ ୧୯୨୦ ବୋତଲ କଫ ଶିରପ ଜବତ ହୋଇଛି ବୋଲି ଏସଟିଏଫ୍ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସଟିଏଫ୍ ଏସପି କିଶୋର କୁମାର ପାଣିଗ୍ରାହୀ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।