News18 Odia Digital
ଭୁବନେଶ୍ବର: ରାଜ୍ୟ ରାଜଧାନୀରୁ ୨୦୨ ଗ୍ରାମ କୋକେନ ଜବତ ଘଟଣାରେ ମାଷ୍ଟର ମାଇଣ୍ଡକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ। ମୁଖ୍ୟ ଅଭିଯୁକ୍ତ ଗୁଲବେଶ ଖାନଙ୍କୁ ଗାଜିଆଵାଦରୁ ଉତ୍ତରପ୍ରଦେଶ ପୋଲିସ ସହାୟତାରେ ଗିରଫ କରିଥିବା ଏସଟିଏଫ ପକ୍ଷରୁ କୁହାଯାଇଛି। ଅଭିଯୁକ୍ତ ଗୁଲବେଶର ଘର ଉତ୍ତର ପ୍ରଦେଶ ବେରେଲି ଜିଲ୍ଲା ଧରମପୁର ଅଞ୍ଚଳରେ।
ଅଭିଯୁକ୍ତ ଗୁଲବେଶ ଗିରଫ ପରେ ତାକୁ ରିମାଣ୍ଡରେ ଆଣି ଜେରା କରିବାକୁ ଲକ୍ଷ ରଖିଛି ତଦନ୍ତକାରୀ ଟିମ। ରିମାଣ୍ଡ ବେଳେ ବିଶେଷ କରି କେବେଠାରୁ ଏଭଳି କାରାବର କରୁଥିଲା ଅଭିଯୁକ୍ତ ଓ ଓଡ଼ିଶାରେ ଆଉ କେଉଁମାନଙ୍କୁ ଟାର୍ଗେଟ କରିଥିଲା କି ନେଇ ତଦନ୍ତ ଚାଲିଛି। ସେହିପରି ପୂର୍ବରୁ କେବେ କୋକେନ୍ ଓଡ଼ିଶା ଚୋରା ଚାଲାଣ ହୋଇଛି କି ନାହିଁ ସେ ଦିଗ ନେଇ ମଧ୍ୟ ତଦନ୍ତ ଚାଲିଥିବା ଏସଟିଏଫ ପକ୍ଷରୁ କୁହାଯାଇଛି।
ଏସଟିଏଫ ସୂଚନା ଅନୁସାରେ, ଚଳିତ ବର୍ଷ ଏପ୍ରିଲ ୧୨ ତାରିଖରେ ଭୁବନେଶ୍ବର ଜାଭିଅର ଛକ ନିକଟରୁ କ୍ରାଇମବ୍ରାଞ୍ଚ ଏସଟିଏଫ ଚଢ଼ାଉ କରି ୨୦୨ ଗ୍ରାମ୍ ଓଜନର କୋକେନ୍ ଜବତ କରିଥିଲା। କୋକେନ୍ କାରବାର ସହିତ ଜଡ଼ିତ ଦୁଇ ବେପାରୀ ଗିରଫ କରି ତଦନ୍ତ ଚଳାଇଥିଲ। ଗିରଫ ଦୁଇ ଅଭିଯୁକ୍ତ ହେଲେ ରାଜସ୍ଥାନ ଚୁରୁ ଜିଲ୍ଲାର ରବି ଓ ଭୁବନେଶ୍ୱର ସାଲିଆ ସାହିର ସନ୍ନି କୁମାର।
ତଦନ୍ତ ବେଳେ ଏସଟିଏଫର ସୂଚନା ଅନୁସାରେ, ଦୁଇ ଅଭିଯୁକ୍ତ ୨୦୨୩ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ହକି ବିଶ୍ୱକପକୁ ଆଖି ଆଗରେ ରଖି ମାଷ୍ଟର ପ୍ଲାନ କରୁଥିଲେ। ବିଶେଷ କରି ଭୁବନେଶ୍ୱର ଆସିବାକୁ ଥିବା ବିଦେଶୀ ଦର୍ଶକମାନଙ୍କ ପାଇଁ ଜାଲ ବୁଣିବା ଆରମ୍ଭ କରିଥିଲେ। ଏପରିକି ଅଭିଯୁକ୍ତ ରବି ପୁରୀ ସହରକୁ ମଧ୍ୟ ଯାଇଥିବା ତଦନ୍ତ ବେଳେ ଜାଣିଥିଲା ଏସଟିଏଫ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।