News18 Odia Digital
କଟକ: ୨୦୨୧ ମସିହାର ନିଜର ଉପଲବ୍ଧିର ଏକ ବିବରଣୀ ପ୍ରକାଶ କରିଛି ରାଜ୍ୟ ଭିଜିଲାନ୍ସ ବିଭାଗ। ଏକ ପ୍ରେସ ବିଜ୍ଞପ୍ତି ଜାରି କରି ବିଭାଗ ୨୦୨୧ ବର୍ଷର ଉପଲବ୍ଧି ବାବଦରେ ଉଲ୍ଲେଖ କରିଛି। ଗତ ବର୍ଷ ଭିଜିଲାନ୍ସ ବିଭାଗ ୪୭୫ ଜଣଙ୍କ ନାଁରେ ମୋଟ ୨୬୭ଟି ଅପରାଧିକ ମାମଲା ରୁଜୁ କରିଥିବା ବିଭାଗ ପକ୍ଷରୁ କୁହାଯାଇଛି।
ରୁଜୁ ହୋଇଥିବା ୨୬୭ଟି ମାମଲା ମଧ୍ୟରୁ ୯୨ଟି ଆୟବର୍ହିଭୂତ ମାମଲା ରହିଛି। ଏହି ୯୨ଟି ମାମଲାରେ ମୋଟ ୧୦୭ କୋଟି 60 ଲକ୍ଷ ଟଙ୍କାର ଆୟବର୍ହିଭୂତ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ପୋଲିସ ହାଉସିଂ ବିଭାଗର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ପାଖରୁ ସର୍ବାଧିକ ୧୪ କୋଟି ୮୮ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ ହୋଇଥିବା ବେଳେ ୬ କୋଟି ୯୭ ଲକ୍ଷ ଟଙ୍କା ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି କମିଶନେଟ ପୋଲିସର କନଷ୍ଟେବଲ ପ୍ରସନ୍ନ ବେହେରା ଓ OSSCଙ୍କ ବ୍ୟକ୍ତିଗତ ସଚିବ ବିରଞ୍ଜି ନାରାୟଣ ସାହୁଙ୍କର ୩ କୋଟି ୫୧ ଲକ୍ଷ ଟଙ୍କାର ଆୟବର୍ହିଭୂତ ସମ୍ପତ୍ତି ଠାବ କରିଥିଲା ବିଭାଗ।
ସେହିପରି ବେଆଇନ ଭାବେ ଓ ଦୁର୍ନୀତି ଅର୍ଜିତ ଟଙ୍କା ନେଇ ଯାଉଥିବା ବେଳେ ୨୦୨୧ ମସିହାରେ ବିଭାଗ ମୋଟ ୧୫ ଜଣ ସରକାରୀ ଅଧିକାରୀଙ୍କୁ ଧରିବାରେ ସଫଳ ହୋଇଥିଲା। ଏହି ୧୫ ଜଣଙ୍କ ଠାରୁ ମୋଟ ୫୮ ଲକ୍ଷ ୮୪ ହଜାର ଟଙ୍କା ଜବତ ମଧ୍ୟ ହୋଇଥିଲା। ସୁନ୍ଦରଗଡ଼ରେ ଥିବା ଜନଜାତି ଉନ୍ନୟନ ସମବାୟ ସମିତିର ଜିଲ୍ଲା ପରିଚାଳକ ଜୟ ପ୍ରକାଶ ମହାନ୍ତିଙ୍କ ଠାରୁ ସର୍ବାଧିକ ୧୮ ଲକ୍ଷ ୮୦ ହଜାର ଟଙ୍କା ଜବତ ହୋଇଥିବା ବେଳେ ୧୦ ଲକ୍ଷ ଟଙ୍କା ସହ ଦ୍ବିତୀୟରେ ଥିଲେ କେନ୍ଦୁଝର ଜିଲ୍ଲାର ବୈତରଣୀ ଜଳସେଚନ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ବିଧାନ ଚରଣଙ୍କ ସାହୁ ଓ ୪ ଲକ୍ଷ ୬୫ ହଜାର ଟଙ୍କା ସହ ଧରା ପଡ଼ିଥିବା ନିମାପଡ଼ା ତହସିଲଦାର ରାମଚନ୍ଦ୍ର ଜେନା ଏହି ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି।

୨୦୨୧ର ଦୁର୍ନୀତି ମାମଲା ନେଇ ରାଜ୍ୟ ଭିଜିଲାନ୍ସ ପକ୍ଷରୁ ବିବରଣୀ ପ୍ରକାଶ କରାଯାଇଛି
୨୦୨୧ରେ ୧୦୭ ଜଣ ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ଲାଞ୍ଚ କାରବାର ନେଇ ମୋଟ୍ ୯୮ଟି ମାମଲା ରୁଜୁ ହୋଇଥିଲା। ଏହି କର୍ମଚାରୀଙ୍କ ମଧ୍ୟରେ ୧୫ ଜଣ ପ୍ରଥମ ଶ୍ରେଣୀ, ୧୩ ଜଣ ଦ୍ବିତୀୟ ଶ୍ରେଣୀ, ୬୮ ଜଣ ତୃତୀୟ ଶ୍ରେଣୀ ଓ ୪ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ରହିଛନ୍ତି । ମୋଟ ୨୦ ଲକ୍ଷ ୧୩ ହଜାର ଟଙ୍କାର ଲାଞ୍ଚ ନେବା ବେଳେ ଏମାନଙ୍କୁ ଧରିଥିଲା ଭିଜିଲାନ୍ସ ।
ଅଭିଯୁକ୍ତମାନଙ୍କ ଘରେ ଚଢ଼ାଉ କରିବା ସହ ସମୟରେ ମଧ୍ୟ ବିପୁଳ ପରିମାଣ ନଗଦ ଅର୍ଥ ଜବତ କରିବାରେ ସଫଳ ହୋଇଥିଲା ଭିଜିଲାନ୍ସ। ଏହି ମାମଲାରେ ମାତ୍ର ସାତ ଜଣ ସରକାରୀ କର୍ମଚାରୀଙ୍କ ପାଖରୁ ମୋଟ ୧ କୋଟି ୪୭ ଲକ୍ଷ ୭୯ ହଜାର ୧୬୫ ଟଙ୍କାର ନଗଦ ଅର୍ଥ ଜବତ କରିବାରେ ସଫଳ ହୋଇଥିଲା ଭିଜିଲାନ୍ସ । ସେହି ଭଳି ୭୭ଟି ଅର୍ଥ ହେରଫେର୍ ମାମଲାରେ ବିଭାଗ ମୋଟ ୨୧୩ ଜଣଙ୍କ ନାଁର ମାମଲା ରୁଜୁ କରିଥିଲା । ଏହି ଅଭିଯୁକ୍ତମାନେ ମୋଟ ୮ କୋଟି ୩୨ ଲକ୍ଷ ଟଙ୍କା ଅର୍ଥ ହେରଫେର୍ ବା ଆତ୍ମସାତ କରିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।
ସେହିପରି ୨୦୨୧ରେ ମୋଟ ୨୫୪ଟି ମାମଲାର ତଦନ୍ତ ଶେଷ କରାଯାଇଥିବା ବେଳେ ସେଗୁଡ଼ିକ ମଧ୍ୟରୁ ୨୪୪ଟି ମାମଲାରେ କୋର୍ଟରେ ଚାର୍ଜସିଟ ଦାଖଲ କରାଯାଇଛି। ଫଳସ୍ବରୂପ ଚାର୍ଜସିଟ ଦାଖଲର ହାର ୯୬% ରହିଥିବା କହିଛି ଭିଜିଲାନ୍ସ। ଏଥି ସହ ରେକର୍ଡ ସଂଖ୍ୟକ ୧୭୭ ଜଣଙ୍କୁ ଗିରଫ କରି କୋର୍ଟ ଚଲାଣ କରାଯାଇଛି । ସେମାନଙ୍କ ମଧ୍ୟରେ ୨୩ ଜଣ ପ୍ରଥମ ଶ୍ରେଣୀ, ୨୮ ଜଣ ଦ୍ବିତୀୟ ଶ୍ରେଣୀ, ୧୦୪ ଜଣ ତୃତୀୟ ଶ୍ରେଣୀ ଓ ଦୁଇ ଜଣ ଚତୁର୍ଥ ଶ୍ରେଣୀର କର୍ମଚାରୀ ରହିଥିବା ଭିଜିଲାନ୍ସ ବିଭାଗ କହିଛି । ଏହା ବ୍ୟତୀତ ଦୁର୍ନୀତି ମାମଲାରେ ଛଅ ଜଣ ତୃତୀୟ ଶ୍ରେଣୀ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ୧୦ ଜଣ ସରକାରୀ ଅଧିକାରୀଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ପ୍ରଦାନ କରିଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।