News18 Odia Digital
ଭୁବନେଶ୍ୱର: ଜିଏସଟିକୁ ନେଇ ରାଜ୍ୟ ରାଜନୀତି ତୀବ୍ର ହୋଇଛି । ଜିଏସଟି ଆଇନ ଅନୁଯାୟୀ ସରକାର ବିଭିନ୍ନ ରାଜ୍ୟକୁ କ୍ଷତିପୂରଣ ରାଶି ଭରଣା କରିବାର ବ୍ୟବସ୍ଥା ଥିବାବେଳେ ଏବେ ଓଡିଶା ସରକାର ହଜାର ହଜାର କୋଟି ଟଙ୍କା ଏ ବାବଦକୁ ହରାଉଛନ୍ତି । କିନ୍ତୁ ଏତେ ସବୁ ପରେ ମଧ୍ଯ କାହିଁକି ରାଜ୍ଯ ସରକାର ମୁହଁ ଖୋଲୁ ନାହାନ୍ତି ବୋଲି କଂଗ୍ରେସ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛି । ଏପରିକି କେନ୍ଦ୍ର ସରକାର କରୋନା ମହାମାରୀର ଆଳ ଦେଖାଇ ଜିଏସଟି କ୍ଷତିପୂରଣ ବାବଦ ଟଙ୍କା ବଦଳରେ ଋଣ ବିକଳ୍ପ ଦେଇଥିବାରୁ ଏହାକୁ ନେଇ ରାଜ୍ଯ ସରକାର ସ୍ପଷ୍ଟୀକରଣ ରଖନ୍ତୁ ବୋଲି କଂଗ୍ରେସ ଦାବି କରିଛି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁ ରାଜ୍ଯର ବହୁ କ୍ଷତି ହେଉଥିବାବେଳେ ବିଜେଡି ସରକାର ପାଟି ନ ଖୋଲିବା ଉଭୟ ବିଜେଡି ବିଜେପିର ଘନିଷ୍ଠତାକୁ ପଦାରେ ପକାଇଛି ବୋଲି କଂଗ୍ରେସ କହିଛି । ଅନ୍ଯପକ୍ଷରେ ବିଜେଡି ଏହାକୁ ଖଣ୍ଡନ କରିବା ସହ ରାଜ୍ଯର ସ୍ବାର୍ଥରେ କୌଣସି ହାନି ହେବାକୁ ଦିଆଯିବନି ବୋଲି ଦଳ କହିଛି । ଏ ପ୍ରସଙ୍ଗରେ ରାଜନୀତି ନ କରିବାକୁ କହିଛି ବିଜେପି ।
କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ ନୀତି ବିମୁଦ୍ରୀକରକଣ ଓ ଜିଏସଟି ଲାଗୁ ଯୋଗୁ ଆଜି ଉଭୟ ଦେଶ ଓ ରାଜ୍ଯ ଦୁର୍ଦ୍ଦଶା ଭୋଗୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । କଂଗ୍ରେସ ବରିଷ୍ଠ ନେତା ପଞ୍ଚାନନ କାନୁନଗୋ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି''କରୋନା ଯୋଗୁଁ ରାଜ୍ଯର ଅର୍ଥନୀତି ବ୍ଯାପକ ଭାବେ କ୍ଷତିଗ୍ରସ୍ତ ହୋଇଛି । ଗୋଟିଏ ଟିକସର ଆଖ୍ଯା ଦେଇ କେନ୍ଦ୍ର ସରକାର ଦେଶରେ ଜିଏସଟି ଲାଗୁ କରିଥିବାବେଳେ ଏହା ସଂପୂର୍ଣ ଫେଲ ମାରିଛି । ଏପରିକି ଜିଏସଟି ଲାଗୁ ହେଲେ ଟିକସ ଫାଙ୍କି ହେବ ନାହିଁ ବୋଲି କୁହାଯାଇଥିଲେ ମଧ୍ଯ ଲୋକେ ଟିକସ ଫାଙ୍କୁଛନ୍ତି ବୋଲି ଦଳ ଅଭିଯୋଗ କରିଛି । ଏପରିକି ଜିଏସଟି କ୍ଷତିପୂରଣ ବାବଦରେ ହଜାର ହଜାର କୋଟି ଟଙ୍କା ଓଡିଶାକୁ କେନ୍ଦ୍ର ସରକାର ଦେଉ ନ ଥିବାବେଳେ ରାଜ୍ଯ ସରକାର କାହିଁକି ଚୁପ ରହିଛନ୍ତି ବୋଲି କଂଗ୍ରେସ ପ୍ରଶ୍ନ କରିଛି । ଜିଏସଟି ଆଇନର ତଥ୍ଯ ଦେଖାଇ କଂଗ୍ରେସ କହିଛି ଯେ ଆଇନ ଅନୁଯାୟୀ କେନ୍ଦ୍ର ସରକାର ଜିଏସଟି ବାବଦ କ୍ଷତିପୂରଣ ରାଜ୍ଯକୁ ଦେବାକୁ ବାଧ୍ଯ । ତେଣୁ ବିକଳ୍ପ ବ୍ଯବସ୍ଥାରେ ଋଣ କଥା କହି କେନ୍ଦ୍ର ରାଜ୍ଯକୁ ଭଣ୍ଡାଇବା ଆଦୌ ଗ୍ରହଣୀୟ ନୁହେଁ। ଏଭଳି ସ୍ଥିତିରେ ଏ ସମ୍ପର୍କରେ ରାଜ୍ଯ ସରକାରଙ୍କ ସ୍ବର ଶୁଣିବାକୁ ନ ମିଳିବା ଅର୍ଥ ବିଜେପି ସହ ଓଡିଶା ସରକାର ସମ୍ପୂର୍ଣ୍ଣ ମିଶିକି ଅଛନ୍ତି । ତେଣୁ ରାଜ୍ଯର ବିଜେଡି ସରକାର ରାଜ୍ଯବାସୀଙ୍କ ସ୍ବାର୍ଥ ପାଇଁ କାମ କରୁଛନ୍ତି ନା କେନ୍ଦ୍ର ସରକାରଙ୍କ ଇସାରାରେ କାମ କରୁଛନ୍ତି ।''
"ଜିଡିପି ହ୍ରାସ ପାଇବା ଆଗରୁ ଜଣାଥିଲା । ଲକଡାଉନ କାରଣ ଯୋଗୁଁ ଆର୍ଥିକ କାରବାର ବନ୍ଦ ରହିଲା ତାରି ପ୍ରଭାବରେ ଜିଡିପି କମିଛି । ଜୀବିକା ଅପେକ୍ଷା ଜୀବନ ଗୁରୁତ୍ୱ ଥିବାରୁ ସେ ନିଷ୍ପତ୍ତି ନିଆଯାଇଥିଲା । ଦୁଇ ତିନି ବର୍ଷ ପର୍ୟ୍ଯନ୍ତ ଏହାର ପ୍ରଭାବ ରହିପାରେ । କାରଣ ବଜାର ସ୍ୱଭାବିକ ହେବା ପର୍ୟ୍ଯନ୍ତ ଆହୁରି ବର୍ଷେ ଲାଗିଯିବ। ତେଣୁ ଏହା ଚିନ୍ତା ଜନକ । ରାଜ୍ୟ ମାନଙ୍କୁ ମିଳୁଥିବା ଜିଏସଟି କ୍ଷତିପୂରଣ ଆସିପାରୁନଥିବାରୁ କେନ୍ଦ୍ର ସରକାର କହୁଛନ୍ତି ରାଜ୍ୟମାନେ ଲୋନରେ ଏହାକୁ ନେବାପାଇଁ । ରାଜ୍ୟ ମାନେ କହୁଛନ୍ତି କେନ୍ଦ୍ର ଏହାକୁ ଦେବାପାଇଁ । ଅର୍ଥନୈତିକ କାରବାର ବଢିଲେ ଜିଡିପି ବଢ଼ିବ । ଅଟୋମୋବାଇଲ ସେକ୍ଟର ରେ ସୁଧାର ଆସିଲାଣି । ଟୁରିଜିମ ,ରିଏଲ ଇଷ୍ଟେଟ କାରବାର ବଢିଲେ ଜିଡିପି ରେ ଉନ୍ନତି ଘଟିବ । ଏଥିପାଇଁ ବହୁତ ପରିଶ୍ରମ କରିବା କୁ ପଡ଼ିବ।ସବୁରାଜ୍ୟ ଭଳି ଓଡିଶା ବି କ୍ଷତି ଗ୍ରସ୍ଥ ହେବ। କିନ୍ତୁ ଅନ୍ୟରାଜ୍ଯ ତୁଳନାରେ ଓଡିଶା ଉପରେ କମ ପ୍ରଭାବ ପଡ଼ିବ । ଜିଏସଟି ଆସିବା ପରେ ଟ୍ୟାକ୍ସ ବ୍ୟବସ୍ଥା ରେ ବହୁତ ଉନ୍ନତି କରାଯାଇଛି ଯେମିତି ଟ୍ୟାକ୍ସ ଫାଙ୍କି ପାରିବେ ନାହିଁ ।କର ତଥାପି ଯେଉଁ ମାନେ ଫାଙ୍କୁଛନ୍ତି ସେମାନଙ୍କ ଧରାଯାଉଛି । ରାଜ୍ୟର ଉନ୍ନତି ପାଇଁ କୌଣସି ପ୍ରସଙ୍ଗ ଆସି କାହାସହିତ ଲଢ଼େଇ କରିବା ପାଇଁ ମୁଖ୍ୟମନ୍ତ୍ରୀ ଦ୍ଵିଧା କରନ୍ତି ନାହିଁ। ରାଜ୍ୟସଭା ଲୋକସଭାରେ ରାଜ୍ୟସ୍ୱୀର୍ଥ ପାଇଁ ସବୁବେଳେ ହକ ପାଇଁ ଲଢ଼େଇ କରିଆସୁଛି ବିଜେଡି," କହିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ ।

ବିଜେଡି ସାଂସଦ ଅମର ପଟ୍ଟନାୟକ (ଫାଇଲ ଫଟୋ)
''କରୋନା ଭଳି ମହାମାରୀ ଓ ସଙ୍କଟ ସମୟରେ ସାରା ବିଶ୍ବରେ ଜିଡିପି ଓ ରାଜସ୍ବ ଆଦାୟ ଆଦି କମିଛି । ଏପରିକି ଜିଏସଟି ବାବଦରେ ଯାହା ଆଦାୟ ହେବା କଥା ତାହା ହୋଇପାରି ନାହିଁ । ତେଣୁ ସଙ୍କଟଜଣକ ସ୍ଥିତିକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ଜିଏସଟି କ୍ଷତିପୂରଣ ପ୍ରସଙ୍ଗରେ ବିକଳ୍ପ ବ୍ଯବସ୍ଥା ସଂପର୍କରେ ରାଜ୍ଯମାନଙ୍କୁ ଜଣାଇଛନ୍ତି । ଏପରିକି ଋଣ ବ୍ଯବସ୍ଥା ମଧ୍ଯ କରିଛନ୍ତି । ତେଣୁ ଏହାକୁ ବିରୋଧ କରିବା ଅତ୍ୟନ୍ତ ନିନ୍ଦନୀୟ ଓ ବିପତ୍ତି ସମୟରେ ସଂଘିୟ ବ୍ୟବସ୍ଥାରେ ଉଭୟ କେନ୍ଦ୍ର ଓ ରାଜ୍ଯ ପରସ୍ପରକୁ ସହଯୋଗ କରିବା ଆବଶ୍ଯକ'' କହିଛି ବିଜେପି ।
''ଅନ୍ଯପକ୍ଷରେ କରୋନା ପାଇଁ ଉତ୍ପାଦନ, ଆମଦାନୀ ଓ ଆବଶ୍ଯକତା କମିଛି । ତେଣୁ ଲୋକଙ୍କ ପାଖକୁ କିଭଳି ଅଧିକ ରୋଜଗାର ଆସିବ ଓ ସପ୍ଲାଇ ଚେନ ବଢାଇବାକୁ ପଡିବ। ଅର୍ଥନୀତିକୁ ଚଳଚଞ୍ଚଳ କରିବାକୁ ହେଲେ ଏ ସବୁକୁ ଧ୍ଯାନ ଦେବାକୁ ହେବ ଓ ସରକାରଙ୍କୁ ଅଧିକ ଋଣ କରିବାକୁ ପଡିବ'' କହିଛନ୍ତି ଅର୍ଥନୀତି ସମୀକ୍ଷକ ରାଜୀବ ବିଷୋୟୀ ।
ଜିଏସଟି କ୍ଷତିପୂରଣ ଅର୍ଥକୁ ନେଇ କେନ୍ଦ୍ର ଓ ରାଜ୍ଯ ମଧ୍ଯରେ ଲଢେଇ ତୀବ୍ର ହୋଇଛି । ଏପରିକି ପଶ୍ଚିମ ବଙ୍ଗ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ବିକଳ୍ପ ଋଣ ବ୍ଯବସ୍ଥାକୁ ଗ୍ରହଣ କରିବାକୁ ମନା କରିଦେଇଥିବାବେଳେ ଅନ୍ଯ ରାଜ୍ଯଗୁଡିକ ନିଜର ମତ ସ୍ପଷ୍ଟ କରିନାହାନ୍ତି । ଏଭଳି ସ୍ଥିତିରେ ବିରୋଧୀ ଦଳଗୁଡିକର ଶାଣିତ ଆକ୍ରମଣ ପରେ ଓଡିଶା ସରକାର କିଭଳି ଆଭିମୁଖ୍ଯ ପୋଷଣ କରୁଛନ୍ତି ତା ଉପରେ ସମସ୍ତଙ୍କର ନଜର ରହିଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।