News18 Odia Digital
ଭୁବନେଶ୍ବର: ଓଡ଼ିଶାରେ ପ୍ରତି ବର୍ଷ ୨ ହଜାରରୁ ଅଧିକ ଶିଶୁ ମୋଡ଼ି ହୋଇଥିବା ପାଦ (ClubFoot) ସମସ୍ୟା ସହିତ ଜନ୍ମଗ୍ରହଣ କରୁଛନ୍ତି। ତୁରନ୍ତ ଚିକିତ୍ସା ଅଭାବରେ ସେହି ପିଲାମାନେ ଜୀବନବ୍ୟାପୀ ମୋଡ଼ା ପାଦ ସହିତ ବଞ୍ଚିବା ପାଇଁ ବାଧ୍ୟ ହେଉଛନ୍ତି।
ଏହାକୁ ଦୃଷ୍ଟିରେ ରଖି କ୍ଲବ୍ଫୁଟ୍ ରୋଗର ଚିକିତ୍ସାକୁ ଆହୁରି ବ୍ୟାପକ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ଗତକାଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଜାତୀୟ ସ୍ୱାସ୍ଥ୍ୟ ସେବା ପ୍ରତିଷ୍ଠାନ କ୍ୟୁଓର ଇଣ୍ଟରନ୍ୟାସନାଲ ଇଣ୍ଡିଆ ଟ୍ରଷ୍ଟ ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଆଗାମୀ ଦୁଇ ବର୍ଷ ପର୍ଯ୍ୟନ୍ତ ଏହି ପ୍ରତିଷ୍ଠାନ ଓଡ଼ିଶାରେ ମୋଡ଼ା ପାଦ ରୋଗୀଙ୍କ ଚିକିତ୍ସା କରିବ।
ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗ ସହିତ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ (ଏସ୍ଏସ୍ଇପିଡି) ବିଭାଗକୁ ସାମିଲ କରାଯାଇଥିଲା। ୨୦୧୨ରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ଥିବା ବେଳେ ଆଜି ସଂସ୍ଥା ସହିତ ଚୁକ୍ତି ନବୀକରଣ କରାଯାଇଛି। ସ୍ୱାସ୍ଥ୍ୟ ବିଭାଗ ମନ୍ତ୍ରୀ ନବ କିଶୋର ଦାସ ଭର୍ଚୁଆଲ ମାଧ୍ୟମରେ ଏହି ବୁଝାମଣାପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ଶାସନ ସଚିବ ଶାଳିନୀ ପଣ୍ଡିତ ଏବଂ ଅନ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
ସ୍ୱାସ୍ଥ୍ୟ ବିଭାଗ ଦେଇଥିବା ସୂଚନା ଅନୁସାରେ ଅଦ୍ୟାବଧି ରାଜ୍ୟରେ ୫୦୦୦ ଶିଶୁ ଏହି ଚିକିତ୍ସା ଦ୍ୱାରା ଉପକୃତ ହେଲେଣି। ମୋଡ଼ା ପାଦ ରୋଗର ଚିକିତ୍ସା କରିବା ପାଇଁ ୧୧୦ ଜଣ ଡାକ୍ତରଙ୍କୁ ପୋନସେଟି ଟେକନିକ୍ ପଦ୍ଧତିର ପ୍ରଶିକ୍ଷଣ ଦିଆଯାଇ ଥିବା ବେଳେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।
ରୋଗୀଙ୍କ ଅଭିଭାବକଙ୍କୁ ପରାମର୍ଶ ଦେବା, ପ୍ରତ୍ୟେକ ରୋଗୀ ଶିଶୁଙ୍କ ପରିବାର ସହିତ ଟେଲିଫୋନ୍ ଏବଂ ଘରକୁ ଯାଇ ଯୋଗାଯୋଗ କରି ସୂଚନା ସଂଗ୍ରହ, ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ କ୍ଲବ୍ଫୁଟ୍ ରୋଗର ଚିକିତ୍ସା ସମ୍ପର୍କରେ ସଚେତନତା ସୃଷ୍ଟି କରିବା, ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଶିକ୍ଷଣ ପ୍ରଦାନ, ଆରବିଏସ୍କେ ଯୋଜନାରେ ରୋଗୀ ଚିହ୍ନଟ କରିବା ଆଦି ପଦକ୍ଷେପ ନିଆଯାଉଛି।
ସେହିପରି କ୍ଲବ୍ଫୁଟ୍ କ୍ଲିନିକ୍କୁ ରୋଗୀଙ୍କ ସ୍ଥାନାନ୍ତର, ପୀଡିତ ଶିଶୁଙ୍କୁ ବିନା ମୂଲ୍ୟରେ ସ୍ୱତନ୍ତ୍ର ଯୋତା ଯୋଗାଇ ଦେବା ସହିତ ୨୪ ଘଣ୍ଟିଆ ହେଲ୍ପଲାଇନ୍ ନମ୍ବର ୮୮୦୦୦୨୦୫୨୭ କାର୍ଯ୍ୟକାରୀ କରାଯାଇଛି। ସମ୍ପ୍ରତି ଏସ୍ସିବି ମେଡିକାଲ କଲେଜ, ବୁର୍ଲାର ଭିମସାର, ବ୍ରହ୍ମପୁରର ଏମ୍କେସିଜି, ରାଉରକେଲାର ଆରଜିଏଚ୍, କୋରାପୁଟର ଏସ୍ଏଲଏନ୍ ମେଡିକାଲ କଲେଜ, କଟକ ଓଲଟପୁର ସ୍ଥିତ ଏସ୍ଭିନିରତାର୍, କଟକ ଶିଶୁ ଭବନ, କ୍ୟାପିଟାଲ ହସ୍ପିଟାଲର ପିଜି ଇନଷ୍ଟିଚ୍ୟୁଟ୍ରେ ଏହି ରୋଗର ଚିକିତ୍ସା ବ୍ୟବସ୍ଥା ହୋଇଛି।
ଏସ୍ସିବି ମେଡିକାଲ କଲେଜର ଅସ୍ଥିଶଲ୍ୟ ବିଭାଗକୁ କ୍ଲବ୍ଫୁଟ୍ ରୋଗ ନିରାକରଣ କାର୍ଯ୍ୟକ୍ରମର ନୋଡାଲ ଅଫିସ୍ ଭାବେ ଚିହ୍ନିତ କରାଯାଇଛି। ଯୋଜନା ଅନୁସାରେ ୬ ବର୍ଷ ମଧ୍ୟରେ କ୍ଲବ୍ଫୁଟ୍ ଆକ୍ରାନ୍ତ ପିଲାଙ୍କ ଚିହ୍ନଟ ପାଇଁ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ସ୍ୱାସ୍ଥ୍ୟ ବିଭାଗକୁ ସହଯୋଗ କରିବ।
ଆରବିଏସ୍କେ ଟିମ୍ ପିଲାଙ୍କୁ ଚିହ୍ନଟ କରିବେ। ସେହିପରି ଏସ୍ଏସ୍ଇପିଡି ବିଭାଗ ଜିଲ୍ଲା ଭିନ୍ନକ୍ଷମ ପୁର୍ନବାସ କେନ୍ଦ୍ର (ଡିଡିଆରସି) ଏବଂ ଜିଲ୍ଲା ଆଗୁଆ ହସ୍ତକ୍ଷେପ କେନ୍ଦ୍ର (ଡିଇଆଇସି)ର ଭିତ୍ତିଭୂମିକୁ ପୀଡିତ ଶିଶୁଙ୍କ ଥଇଥାନ ପାଇଁ ବ୍ୟବହାର କରିବ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।