News18 Odia Digital
ବାଲେଶ୍ବର: କଥା ଦେଇ କଥା ରଖିଛନ୍ତି ରାଜ୍ୟ ସରକାର I ମୁଖ୍ୟ ମନ୍ତ୍ରୀଙ୍କୁ ନେଇ ଯେଉଁ ଲୋକ ବାକ୍ୟ ରହିଛି ତାହା ଆଜି ପୁଣି ଥରେ ପ୍ରମାଣିତ ହୋଇଛି ବୋଲି ଆଲୋଚନା ହେଉଛି I ତେବେ ଆଲୋଚନାର କାରଣ ଗତ ୧୮ ତାରିଖରେ ଇଲେକ୍ଟ୍ରୋନିକ୍ସ ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, ପର୍ଯ୍ୟଟନ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଓ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କ ଉପସ୍ଥିତିରେ ବାଲେଶ୍ୱର ଜିଲ୍ଲା ରେମୁଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରୁପାବାଲି ଖେଳ ପଡ଼ିଆର ଉନ୍ନତି କରଣ ପାଇଁ ୪୦ ଲକ୍ଷ ଅନୁଦାନ ସହିତ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା I ଏହି ସମୟରେ ରେମୁଣା ବିଧାୟକ ଏହି ଅଞ୍ଚଳର ଆଉ ଏକ ଠାକୁରାପଦା ଖେଳ ପଡ଼ିଆର ଉନ୍ନତି କରଣ ପାଇଁ ମନ୍ତ୍ରୀ ବେହେରାଙ୍କ ନିକଟରେ ନିବେଦନ କରିଥିଲେI
ବେହେରା କହିଥିଲେ, "ଏନେଇ ଏହି ପଡ଼ିଆର ଉନ୍ନତି କରଣ ପାଇଁ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ୪୦ ଲକ୍ଷ ଟଙ୍କା ଅନୁମୋଦନ କରିଛନ୍ତିI ବାଲେଶ୍ୱର ଜିଲ୍ଲା ତଥା ରେମୁଣା ବ୍ଲକର ଯୁବକମାନଙ୍କ ମଧ୍ୟରେ ଥିବା କ୍ରୀଡ଼ା ପ୍ରତି ଆଗ୍ରହ ଓ ଉତ୍ସାହ ଦେଖି ଖୁବ ଖୁସି ଲଗୁଛିI ମାନ୍ୟବର ମୁଖ୍ୟ ମନ୍ତ୍ରୀ ଯୁବ ବର୍ଗଙ୍କ ଉନ୍ନତି ପାଇଁ ଅନେକ ସ୍ବପ୍ନ ଦେଖିଛନ୍ତି I ଗତ କିଛି ବର୍ଷ ମଧ୍ୟରେ ଓଡ଼ିଶା କ୍ରୀଡା କ୍ଷେତ୍ରରେ ଅନେକ ଉନ୍ନତି କରିଛି I ଆଜି ବିଶ୍ୱକ୍ରୀଡ଼ା ମାନଚିତ୍ରରେ ସମଗ୍ର ଓଡ଼ିଶା ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିପାରିଛି I ତୃଣମୂଳ ସ୍ତରରୁ କ୍ରୀଡ଼ାର ବିକାଶକୁ ରାଜ୍ୟ ସରକାର ପ୍ରାଧାନ୍ୟ ଦେଉଥିବାବେଳେ ଆଗାମୀ ଦିନରେ ଏହା ଅଧିକ ବ୍ୟାପକ ହେବ ।’’
ସେହିପରି ରାଜ୍ୟ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେବା ସହ ଏହି ଖେଳ ପଡ଼ିଆର ଉନ୍ନତି ପାଇଁ ନିଜ ବିଧାୟକ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ଅନୁଦାନ ଦେବାକୁ ଘୋଷଣା କରିଥିଲେ I ରୁପାବାଲି ଖେଳ ପଡ଼ିଆର ଉନ୍ନତି କରଣ ପାଇଁ କ୍ରୀଡ଼ାମନ୍ତ୍ରୀ ଓ ପର୍ଯ୍ୟଟନ ମନ୍ତ୍ରୀଙ୍କ ଘୋଷଣା ନେଇ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଥିଲା।

ବାଲେଶ୍ବରର ରେମୁଣାରେ ଦୁଇଟି ଖେଳ ପଡ଼ିଆ ପାଇଁ ୮୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ ସରକାର
ତେବେ ନିବେଦନ ନେଇ ରାଜ୍ୟ କ୍ରୀଡ଼ାକୁ ନେଇ ମୁଖ୍ୟ ମନ୍ତ୍ରୀଙ୍କ ଯେଉଁ ସ୍ବପ୍ନ ରହିଛି ତାହା ପୂରଣ ଓ ଏହି ଅଞ୍ଚଳର କ୍ରିକେଟ ତଥା ଅନ୍ୟ ଖେଳରେ ଉନ୍ନତି ରାଜ୍ୟ ସରକାର ତଥା କ୍ରୀଡ଼ା ବିଭାଗ ଠାକୁରାପଦା ଖେଳ ପଡ଼ିଆର ଉନ୍ନତିକରଣ ନିମନ୍ତେ ୪୦ ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର କରିଛନ୍ତିI ରେମୁଣା ଅଞ୍ଚଳର କ୍ରୀଡ଼ାର ବିକାଶ ପାଇଁ ରେମୁଣା ଅଞ୍ଚଳର ଦୁଇ ଦୁଇଟି ଖେଳ ପଡ଼ିଆର ଉନ୍ନତି କରଣ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଅର୍ଥ ମଞ୍ଜୁର ହୋଇଥିବାରୁ ସ୍ଥାନୀୟ ଅଞ୍ଚଳ ଖୁସିର ଲହରୀ ଖେଳି ଯାଇଛିI
ଏହାକୁ ନେଇ ବରୁଣ ସିଂର ବିଶିଷ୍ଟ ଶିକ୍ଷାବିତ ତଥା ସମାଜସେବୀ ଶ୍ରୀମତୀ ଶାନ୍ତା ଦାସ କୁହିଥିଲେ, ‘‘ବରୁଣସିଂ ପଞ୍ଚାୟତକୁ ଏକ କ୍ରୀଡ଼ା କମ୍ପ୍ଲେକ୍ସରେ ପରିଣତ କରିବା ପାଇଁ ସରକାର ଯେଉଁ ସହଯୋଗ ପ୍ରଦାନ କରିଛନ୍ତି ସେଥିପାଇଁ କେବଳ ଆମ ପଞ୍ଚାୟତବାସୀ ନୁହେଁ ବରଂ ସମଗ୍ର ରେମୁଣା ବାସିନ୍ଦା ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କ ନିକଟରେ ଚୀର ଋଣୀ ରହିବେI ଏଥିପାଇଁ ଆମ ପଞ୍ଚାୟତବାସୀଙ୍କ ପକ୍ଷରୁ କ୍ରୀଡ଼ା ମନ୍ତ୍ରୀ ଓ ଆମ ରେମୁଣା ବିଧାୟକ ମହୋଦୟଙ୍କୁ ମୁଁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛି I ସରକାରଙ୍କ ଏହି ଅନୁଦାନ ପରେ ଆମ ଅଞ୍ଚଳର କ୍ରୀଡ଼ା ବିକାଶକୁ କେହି ଅଟକାଇ ପାରିବେନି I ଏଥିପାଇଁ ମୁଁ ଏ ଅଞ୍ଚଳର ସବୁ ଯୁବ ଖେଳାଳିଙ୍କୁ ଅନୁରୋଧ କରିବି କି ସେମାନେ ଏହାର ଭରପୁର ସୁଯୋଗ ନେଇ ରାଜ୍ୟକୁ ଗର୍ବିତ କରନ୍ତୁ।"
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।