News 18 Odia Digital
ଭୁବନେଶ୍ୱର; ୨୦୨୪ ଲଢେଇ ପାଇଁ ପାଗ ଭିଡ଼ିଲେଣି ଓଡ଼ିଶାର ତିନି ରାଜନୀତିକ ଦଳ। ଆଗୁଆ ନିର୍ବାଚନକୁ ନେଇ ବି ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି ନିର୍ବାଚନ ପୂର୍ବରୁ ନୂଆ ସ୍କିମ୍ ଆଣିବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର । ଏ ନେଇ ପ୍ରାରମ୍ଭିକ ପ୍ରକ୍ରିୟା ବି ଆରମ୍ଭ ହୋଇଛି ।
ସାଧାରଣ ଲୋକ ଓ ସରକାରଙ୍କ ମଧ୍ୟରେ ସମନ୍ୱୟ ବୃଦ୍ଧି ଉପରେ ଗୁରୁତ୍ୱ ଦେଇଛନ୍ତି ସରକାର । ୧୪ ମାସର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବାକୁ ସବୁ ବିଭାଗକୁ ଚିଠି ଲେଖିଛି ଯୋଜନା ଓ ସଂଯୋଜନ ବିଭାଗ। କେଉଁ ବିଭାଗ କେଉଁ ଯୋଜନା କାର୍ଯ୍ୟକାରୀ କରିବାକୁ ଚାହୁଁଛନ୍ତି ,ଏହି ଯୋଜନାର ବିଶେଷତ୍ଵ କଣ ରହିଛି ଓ ଲୋକମାନେ କେତେ ଲାଭବାନ ହେବେ ସେ ନେଇ ସବିବେଶ ବିବରଣୀ ପ୍ରଦାନ କରିବେ ବିଭାଗ। କେବଳ ସେତିକି ନୁହେଁ, କେଉଁ ବିଭାଗ ଅଧିନରେ କେଉଁ କାର୍ଯ୍ୟ ଶେଷ ହୋଇଛି, କେତେ ଟଙ୍କା ଖର୍ଚ୍ଚ ହୋଇଛି, ଲୋକାର୍ପିତ ହୋଇଛି ନା ନାହିଁ, ଯଦି ପ୍ରକଳ୍ପ ଅସମ୍ପୂର୍ଣ୍ଣ ଅଛି ଏହାର କାରଣ କଣ ଏଭଳି ସବିଶେଷ ତଥ୍ୟ ରଖିବାକୁ ଚିଠିରେ ଉଲ୍ଲେଖ କରାଯାଇଛି। ଏହି ତଥ୍ୟ ମିଳିବା ପରେ ଏହି ସପ୍ତାହରେ ମୁଖ୍ୟ ଶାସନ ସଚିବ ସମୀକ୍ଷା କରିବେ।
ରାଜନୀତିକ ସମୀକ୍ଷକଙ୍କ ମତରେ ୨୦୧୯ ପରି ଚଳିତ ଥର ବି ଅନେକ ନୂଆ ସ୍କିମ୍ ଆଣିବେ ସରକାର। ବିଦ୍ୟୁତ କ୍ଷେତ୍ରରେ ରିହାତି, ମଧ୍ୟବିତ୍ତଙ୍କୁ ଶିକ୍ଷାକ୍ଷେତ୍ରରେ ପ୍ରୋତ୍ସାହନ, ସହର ବସ୍ତି ବାସିନ୍ଦାଙ୍କ ପାଇଁ ଯୋଜନା, ମହିଳାଙ୍କୁ ଆର୍ଥିକ ସହାୟତା ହେଉ କି ପ୍ରୋତ୍ସାହନ, ଖାଦ୍ୟ ସୁରକ୍ଷା , ସାମାଜିକ ନିରାପତ୍ତା ଓ କୃଷକଙ୍କ ପାଇଁ ଯୋଜନା ଉପରେ ରହିବ ସରକାରଙ୍କ ଫୋକସ। ନିର୍ବାଚନ ପୂର୍ବରୁ ଜାରି ରହିଥିବା ପ୍ରକଳ୍ପ କାର୍ଯ୍ୟକ୍ଷମ ଉପରେ ବି ପ୍ରାଥମିକତା ଦେଇଛନ୍ତି ସରକାର। ବରିଷ୍ଠ ସାମ୍ବାଦିକ ରବି ଦାସ କହିଛନ୍ତି " ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ନୂଆ ସ୍କିମ୍ ଆଣିବେ। ବିଶେଷ କରି ମହିଳାଙ୍କ ପାଇଁ କିଛି ସ୍କିମ୍ ଆଣିପାରନ୍ତି ରାଜ୍ୟ ସରକାର। ଯେଉଁ ଯୋଜନା ସିଧାସଳଖ ଭୋଟରଙ୍କୁ ପ୍ରଭାବିତ କରି ପାରୁଥିବ ସେଭଳି ସ୍କିମ ଆଣିବେ ସରକାର। ବରିଷ୍ଠ ସାମ୍ବାଦିକ ଶୀତଳ ତରଙ୍ଗ ବେଉରିଆ କହିଛନ୍ତି ଯେ, ସରକାରରେ ଥିବା ଦଳ ନିର୍ବାଚନ ଦୃଷ୍ଟିରୁ ନୂଆ ସ୍କିମ୍ ଆଣନ୍ତି। ସେହି କ୍ରମରେ ଆଗକୁ ବି ରାଜ୍ୟ ସରକାର ନୂଆ ସ୍କିମ୍ ଆଣିବେ। ରୋଜଗାର ବୃଦ୍ଧି, ସାମାଜିକ ସେକ୍ଟର ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇପାରନ୍ତି।
ଯୋଜନା ଓ ସଂଯୋଜନ ବିଭାଗର ଏହି ଚିଠିକୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ। ବିରୋଧୀଙ୍କ ମତରେ ଏହା କେବଳ ନିର୍ବାଚନୀ ଲଲିପପ। ପୂର୍ବ ଯୋଜନାର ବାସ୍ତବତାକୁ ନେଇ ବି ବିରୋଧୀ ପ୍ରଶ୍ନ ଉଠାଇଛନ୍ତି । ବିଜେପି କହିଛି ୨୦୧୯ ନିର୍ବାଚନ ପୂର୍ବରୁ ଏଭଳି ଅନେକ ଯୋଜନା କରିଥିଲେ ରାଜ୍ୟ ସରକାର। ନିର୍ବାଚନ ପରେ ଯୋଜନାର ଚିହ୍ନବର୍ଣ୍ଣ ନାହିଁ। କଂଗ୍ରେସ ବି ସମାନ ଢଙ୍ଗରେ ସମାଲୋଚନା କରିଛି। ବିଜେଡି କହିଛି କେବଳ ନିର୍ବାଚନ ନୁହେଁ ରାଜ୍ୟର ବିକାଶ ଦିଗରେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ସରକାର। ତେଣୁ ବାରମ୍ବାର ଲୋକଙ୍କ ଆସ୍ଥାଭାଜନ ହେବାରେ ସକ୍ଷମ ହୋଇଛି ଦଳ। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କାଳିଆ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା , ନିଜସ୍ଵ ଖାଦ୍ୟ ନିରାପତ୍ତା ଯୋଜନା, ମିଶନ ଶକ୍ତି ମହିଳାଙ୍କ ପାଇଁ ଯୋଜନା ବଡ ନିର୍ବାଚନୀ ସଫଳତା ଦେଇଥିବା ବେଳେ କିଛି ଯୋଜନାର ସଫଳତାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।