News18 Odia Digital
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନଲାଇନ ଜରିଆରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ରାଜ୍ୟସ୍ତରୀୟ ପ୍ରାଣୀସେବା ହେଲ୍ପ ଲାଇନ (State Animal Helpline) ସହିତ ଅନେକ ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି।
ଏହି ଅବସରରେ ଜନସାଧାରଣଙ୍କୁ ନିବେଦନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବୁଲା ଓ ପରିତ୍ୟକ୍ତ ପ୍ରାଣୀମାନଙ୍କ ଆବଶ୍ୟକତା ପ୍ରତି ପ୍ରତ୍ୟେକ ନାଗରିକ ସମ୍ବେଦନଶୀଳ ହୋଇ ସେମାନଙ୍କ ସେବା ଯୋଗାଇଦେବା ଆବଶ୍ୟକ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର ବୁଲା ଓ ଅସହାୟ ପ୍ରାଣୀମାନଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ପ୍ରତିବଦ୍ଧତାର ସହ କାମ କରୁଛନ୍ତି। ସହରାଞ୍ଚଳରେ ହେଲ୍ପ ଲାଇନ ୟୁନିଟ୍ ସହିତ ପ୍ରାଣୀ ଆମ୍ବୁଲାନ୍ସ ଓ ପ୍ରାଣୀ ଜନ୍ମ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଗ୍ରହଣ କରାଯିବା ସହିତ ଏଥିପାଇଁ କାମ କରୁଥିବା ଅଣ-ସରକାରୀ ଅନୁଷ୍ଠାନ ଗୁଡିକୁ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ରାଜ୍ୟସ୍ତରୀୟ ପ୍ରାଣୀ ହେଲ୍ପ ଲାଇନ ଦ୍ବାରା ଏହି ପଶୁମାନଙ୍କ ସେବା ଆହୁରି ତ୍ବରାନ୍ବିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ଓ ପ୍ରାଣୀ ସମ୍ପଦ ବିଭାଗର କର୍ମଚାରୀମାନଙ୍କୁ ଏଥିରେ ତୁରନ୍ତ ସେବା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ଏହି କାର୍ଯ୍ୟକ୍ରମରେ ଟୋଲ୍ ଫ୍ରି ନମ୍ବର ୧୯୬୨ କିମ୍ବା ୧୫୫୩୩୩ ଜରିଆରେ ଫୋନ କରି ତୁରନ୍ତ ସହାୟତା ମିଳିପାରିବ। ରାଜ୍ୟର ୧୧ଟି ସହରରେ ଆନିମଲ୍ ଆମ୍ବୁଲାନ୍ସ ବ୍ୟବସ୍ଥା ରହିଛି ଓ ସବୁ ବ୍ଲକ୍ରେ ପ୍ରାଣୀସେବା କେନ୍ଦ୍ରର ସୁବିଧା ମଧ୍ୟ ରହିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମତ୍ସ୍ୟ ଓ ପ୍ରାଣୀସଂପଦ ମ୍ୟାପିଂ ସିଷ୍ଟମ (Fisheries & Animal Resources Mapping System)ର ଶୁଭାରମ୍ଭ ମଧ୍ୟ କରିଛନ୍ତି। ୫-ଟି ଉପକ୍ରମ ଅନ୍ତର୍ଗତ ଏହି କାର୍ଯ୍ୟକ୍ରମ ଦ୍ବାରା ରାଜ୍ୟର ସବୁ ପ୍ରାଣୀ ଚାଷ ୟୁନିଟ୍ ଗୁଡିକର ଜିଓ ଟ୍ୟାଗିଂ ଓ ମ୍ୟାପିଂ କରାଯିବ ଓ ଏହାକୁ WEB-GIS ପ୍ଲାଟଫର୍ମରେ ଦେଖାଯାଇ ପାରିବ। ଏହାଦ୍ବାରା ସ୍ବଚ୍ଛତା ଓ ଉତ୍ତରଦାୟୀତା ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି।

ବୁଲା ଓ ଅସହାୟ ପ୍ରାଣୀମାନଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ଟ୍ରୋଲ ଫ୍ରି ନମ୍ବର ଜାରି କଲେ ରାଜ୍ୟ ସରକାର
ଏହି ଅବସରରେ BAIF Institute ସହିତ ଏକ ବୂଝାମଣାପତ୍ର ସ୍ବାକ୍ଷର କରାଯାଇଥିଲା। ଏହି ବୁଝାମଣା ଅନୁଯାୟୀ ରାଜ୍ୟରେ ୧୫୦୦ କୃତ୍ରିମ ପ୍ରଜନନ ଟେକ୍ନିସିଆନ ନିୟୋଜିତ ହେବେ। ଏହାସହିତ ଗୋପାଳପୁର ଠାରେ ଭେକ୍ଟି ଯାଆଁଳ ହାଚେରୀ ପ୍ରତିଷ୍ଠା ପାଇଁ ରାଜୀବ ଗାନ୍ଧି ସେଣ୍ଟର ଫର ଆକ୍ବା କଲ୍ଚର ସହିତ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା। ଭେକଟି ମାଛର ଚାହିଦା ବହୁତ ଅଧିକ ଥିବାରୁ ଏହା ମାଛଚାଷୀ ମାନଙ୍କର ରୋଜଗାର ବୃଦ୍ଧିରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଯୋଗଦେଇ କୃଷି, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବିଭାଗ ପକ୍ଷରୁ ରାଜ୍ୟର ପ୍ରାଣୀ ସମ୍ପଦର ବିକାଶ ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ। ଆଜିର କାର୍ଯ୍ୟକ୍ରମ ପ୍ରାଣୀପାଳକ ମାନଙ୍କର ରୋଜଗାର ବୃଦ୍ଧିରେ ସହାୟକ ହେବ ବୋଲି ପ୍ରକାଶ କରି ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିର ଉଚ୍ଚ ପ୍ରଶଂସା କରିଥିଲେ।
ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ପ୍ରମୁଖ ସଚିବ ଆର. ରଘୁପ୍ରସାଦ ସ୍ବାଗତ ଭାଷଣ ଦେଇଥିଲେ ଓ ବିଭାଗର ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ। ବୈଠକରେ ମୁଖ୍ୟଶାସନ ସଚିବ, ଉନ୍ନୟନ କମିଶନର, କୃଷି ଉତ୍ପାଦନ କମିଶନର, ମିଶନ ଶକ୍ତି କମିଶନର-ତଥା-ସଚିବ ଓ ବିଭିନ୍ନ ଜିଲ୍ଲାରେ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।