News18 Odia Digital
ଭୁବନେଶ୍ବର: ରାଜ୍ୟରେ ମୌସୁମୀ ପହଞ୍ଚିଥିବା ବେଳେ ଆଗକୁ ମୌସୁମୀ ବର୍ଷା। ସମ୍ଭାବ୍ୟ ସ୍ଥିତିକୁ ଦୃଷ୍ଟିରେ ରଖି ସଜାଗ ହୋଇଛନ୍ତି ରାଜ୍ୟ ସରକାର। ସହରାଞ୍ଚଳରେ ସମ୍ଭାବ୍ୟ ଦିଗକୁ ବିଚାର କରି ସମସ୍ତ ପୌରାଞ୍ଚଳର ମୁଖ୍ୟମାନଙ୍କୁ ସଜାଗ ରହିବାକୁ ଚିଠି ଲେଖିଛନ୍ତି ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ।
ବର୍ଷାଋତୁରେ ସହରାଞ୍ଚଳର ସଡ଼କ ଓ ଡ୍ରେନଗୁଡିକୁ ଦୁର୍ଘଟଣା ମୁକ୍ତ କରିବାକୁ ପରାମର୍ଶ ଦେଇଛନ୍ତି। ସହରାଞ୍ଚଳରେ ଥିବା ରାସ୍ତା, ଡ୍ରେନ ଆଦିରେ ଯେଭଳି କୌଣସି ଦୁର୍ଘଟଣା ନହୁଏ ତାହା ସୁନିଶ୍ଚିତ କରିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି ମାଥୀ ଭାଥାନନ୍ ସମସ୍ତ ପୌରାଞ୍ଚଳର ମୁଖ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସମସ୍ତ ମ୍ୟୁନିସିପାଲିଟି କର୍ପୋରେସନର କମିଶନର ଓ ସମସ୍ତ ମ୍ୟୁନିସିପାଲିଟି ଓ ଏନଏସିର କାର୍ଯ୍ୟର୍ନିବାହୀ ଅଧିକାରୀଙ୍କୁ ଏକ ଚିଠି ଲେଖିଛନ୍ତି।
ବର୍ଷା ଋତୁରେ ବର୍ଷାଜଳର ମୁକ୍ତ ପ୍ରବାହକୁ ସୁନିଶ୍ଚିତ କରିବା ପାଇଁ ସେ ସମ୍ପୃକ୍ତ ସଡ଼କ ଓ ଡ୍ରେନ୍ ଏଜେନ୍ସି ଦ୍ୱାରା ନିୟମିତ ଭାବେ ଡ୍ରେନଗୁଡ଼ିକର ନିଷ୍କାସନ ଉପରେ ଗୁରୁତ୍ବ ଦେଇଛନ୍ତି। ପ୍ରମୁଖ ସହରାଞ୍ଚଳ ଡ୍ରେନଗୁଡିକ ବ୍ୟତୀତ ପୌରାଞ୍ଚଳ ଅଧୀନରେ ଥିବା ସମସ୍ତ ଡ୍ରେନ୍ ଗୁଡିକ ସ୍ଲାବରେ ଆବୃତ ହେବା ଉଚିତ୍ ଓ ଉକ୍ତ ପଏଣ୍ଟଣ୍ଟଗୁଡିକ ଉପରେ ଚେତାବନୀ ସହିତ ଅସୁରକ୍ଷିତ ପଏଣ୍ଟଣ୍ଟଗୁଡିକ ଜାଲରେ ଆବୃତ କରିବା ସହ ଲୋକଙ୍କୁ ବିପଦ ବିଷୟରେ ସଚେତନ କରିବାକୁ ପରାମର୍ଶ ଦେଇଛନ୍ତି।।
ଦୁର୍ଘଟଣାକୁ ଏଡ଼ାଇବା ପାଇଁ ରାସ୍ତା, ଡ୍ରେନ୍ ଉପରେ ଡ୍ରେନ୍ କଭର କିମ୍ବା ଯାଞ୍ଚ ପ୍ରକୋଷ୍ଠକୁ ସଠିକ୍ ଭାବରେ ବଦଳାଇବା ଓ ମରାମତି କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ନିଷ୍କାସନ କିମ୍ବା ରକ୍ଷଣାବେକ୍ଷଣ କାର୍ଯ୍ୟ ସମୟରେ କିମ୍ବା ପରେ, ପ୍ରବଳ ବର୍ଷା ସମୟରେ ସ୍ଥାନଟି ଜଳବନ୍ଦୀ ହୋଇ ରହିଲେ ଖୋଲା ସ୍ଥାନଗୁଡିକ ସଠିକ୍ ଭାବରେ ଆବୃତ ହୋଇନଥାଏ। ନିକଟରେ କିଛି ବଡ଼ ଦୁର୍ଘଟଣା ଘଟି ଜନସାଧାରଣଙ୍କ ପ୍ରତିକ୍ରିୟାରେ ଉତ୍ତେଜନା ପ୍ରକାଶ ପାଇଥିଲା।
ବର୍ତ୍ତମାନ ମୌସୁମୀ ରାଜ୍ୟକୁ ଛୁଇଁ ସାରିଥିବାରୁ ନିର୍ଦ୍ଦେଶନାମା ସମ୍ପୂର୍ଣ୍ଣ ରୂପେ କିପରି ପାଳନ କରାଯିବ ସେ ନେଇ ନିର୍ଦ୍ଦେଶ ଦେଇଛନ୍ତି। ଗୃହ ଓ ନଗର ଉନ୍ନୟନ, ପୂର୍ତ୍ତ ବିଭାଗ, ଜଳ ସମ୍ପଦ ବିଭାଗ ଇତ୍ୟାଦି ସଂସ୍ଥାଗୁଡ଼ିକରେ ସେମାନଙ୍କର ରାସ୍ତା ଓ ଡ୍ରେନଗୁଡିକ ସହରାଞ୍ଚଳ ବନ୍ୟା ସମୟରେ ଯେଭଳି ମୃତ୍ୟୁ ଫାଶରେ ପରିଣତ ନହେବ ସେପାଇଁ ନିର୍ଦ୍ଦେଶନାମା ପାଳନ କରିବା ପାଇଁ କୁହାଯାଇଛି।
ଜନସାଧାରଣଙ୍କ ସ୍ୱାର୍ଥରେ ଜାରି କରାଯାଇଥିବା ସରକାରଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ର୍ନିବାଚିତ ମେୟର, ଚେୟାରମ୍ୟାନଙ୍କ ସହ ପୌରାଞ୍ଚଳର ସଡ଼କ ଓ ଡ୍ରେନଗୁଡିକର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ସମସ୍ତ ଅଧିନସ୍ଥ ଏଜେନ୍ସି, ଅଧିକାରୀଙ୍କୁ କ୍ଷେତ୍ର ସ୍ତର ଯାଞ୍ଚ ମାଧ୍ୟମରେ ପୁନଃ ଯାଞ୍ଚ କରାଯିବା ଓ ପରେ ନିୟମିତ ବ୍ୟବଧାନରେ ଯାଞ୍ଚ ପାଇଁ କମିଶନର୍ ଓ କାର୍ଯ୍ୟର୍ନିବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।