କରୋନାକୁ ନେଇ ଆଲର୍ଟ ମୋଡରେ ରାଜ୍ୟ ସରକାର; ମାସ୍କ ପିନ୍ଧିବାକୁ ସ୍ବାସ୍ଥ୍ୟ ସଚିବଙ୍କ ଅପିଲ

କରୋନାକୁ ନେଇ ଆଲର୍ଟ ମୋଡରେ କେନ୍ଦ୍ର ଓ ରାଜ୍ୟ ସରକାର। ଆସନ୍ତା ସପ୍ତାହରେ ହେବ ମକ ଡ୍ରିଲ। ସ୍ବାସ୍ଥ୍ୟ ସଚିବ କହିଲେ ନୂଆ ଭାରିଆଣ୍ଟର ଭୟାବହତା ଓମିକ୍ରନ ଭଳି ରହିପାରେ।

ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଅପିଲ

ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଅପିଲ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଭୁବନେଶ୍ବର: କରୋନା ନେଇ ଆଲର୍ଟ ମୋଡରେ ସରକାର। ଆଗାମୀ ସ୍ଥିତିକୁ ଆଖି ଆଗରେ ରଖି ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର। କେନ୍ଦ୍ର ସରକାର ବି ରାଜ୍ୟମାନଙ୍କୁ ଆଲର୍ଟ ରହିବାକୁ ପରାମର୍ଶ ଦେଇଛନ୍ତି।

ଶୁକ୍ରବାର ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଗୁରୁତ୍ତ୍ୱପୂର୍ଣ ବୈଠକ ବସିଥିବା ବେଳେ ସବୁ ରାଜ୍ୟର ସ୍ବାସ୍ଥ୍ୟ ମନ୍ତ୍ରୀ ଓ ସ୍ବାସ୍ଥ୍ୟ ସଚିବଙ୍କ ସହ ଆଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ। ବୈଠକ ପରେ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି କେନ୍ଦ୍ର ସରକାର।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ପରାମର୍ଶରେ ଆବଦ୍ଧ ସ୍ଥାନରେ ମାସ୍କ ପିନ୍ଧିବା ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି। ପର୍ବପର୍ବାଣୀ ବେଳେ ଅଧିକ ଭିଡ଼ ନହେବା ପାଇଁ ପଦକ୍ଷେପ ନେବାକୁ ରାଜ୍ୟ ମାନଙ୍କୁ ପରାମର୍ଶ ଦିଆଯାଇଛି। କୋଭିଡ ନିରୋଧୀ ବ୍ୟବହାର ଦିଗରେ ସଚେତନତା ବଢ଼ାଇବା ସହ ପ୍ରିକସନ ଡୋଜ ଟିକାଦାନ ବଢ଼ାଇବାକୁ ପରାମର୍ଶ ଦେଇଛନ୍ତି।

ନୂଆ ଭାରିଆଣ୍ଟ ଚିହ୍ନଟ ପାଇଁ ଜିନୋମ ସିକ୍ବେନ୍ସିଂ,ସବୁ ଜିଲ୍ଲାରେ ଆଣ୍ଟିଜେନ ଓ RT-PCR ଟେଷ୍ଟ ବଢ଼ାଇବା, ଲକ୍ଷଣ ଥିବା ଲୋକଙ୍କ କୋଭିଡ ଟେଷ୍ଟ କରିବା ସହ ନିୟମିତ ଭାବେ ଜିଲ୍ଲାୱାରି ରିପୋର୍ଟ କେନ୍ଦ୍ରକୁ ପଠାଇବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର। ସେହିପରି ଥଣ୍ଡା ଓ ଶ୍ବାସକ୍ରିୟା ଜନିତ ଅସୁସ୍ଥତା ଉପରେ ନଜର ରଖିବା ସହ ସର୍ଭେଲାନ୍ସ ଗାଇଡଲାଇନ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି।

ରାଜ୍ୟ ସ୍ବାସ୍ଥ୍ୟ ସଚିବ ଶାଲିନୀ ପଣ୍ଡିତ କହିଛନ୍ତି ଟିକା ନେଇନଥିବା ଲୋକଙ୍କୁ ଶୀଘ୍ର ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି। ୨ ମାସ ହେଲା ପ୍ରିକସନ ଡୋଜ ବନ୍ଦ କରିଛି କେନ୍ଦ୍ର।

ପ୍ରିକସନ ଡୋଜ ଟିକାଦାନ ପୁଣି ଆରମ୍ଭ ପାଇଁ କେନ୍ଦ୍ରକୁ ଚିଠି ଲେଖାଯିବ। ଏଥିପାଇଁ କେନ୍ଦ୍ର ସରକାରଙ୍କଠାରୁ ଅନୁମତି ନିଆଯିବ। କଟକ ବଡ଼ ମେଡିକାଲରେ ଜିନୋମ ସିକ୍ବେନ୍ସିଂ ଆରମ୍ଭ ହେବ। ଏବେ ଆରଏମଆର ସି ଓ ଆଇଏଲଏସ ରେ ଜିନୋମ ସିକ୍ବେନ୍ସିଂ ହେଉଛି। ହସ୍ପିଟାଲ ଓ ଅକ୍ସିଜେନ ପ୍ଲାଣ୍ଟ ପ୍ରସ୍ତୁତିର ସମୀକ୍ଷା ହେବ।

ଆସନ୍ତା ସପ୍ତାହରେ ହସ୍ପିଟାଲଗୁଡ଼ିକରେ ମକ୍‌ ଡ୍ରିଲ୍‌ ହେବ। ସବୁ ଜିଲ୍ଲାରେ ଅକ୍ସିଜେନ ଯୋଗାଣ ସ୍ଥିତି ଭଲ ଅଛି। କୋଭିଡ ଟେଷ୍ଟିଂରେ ଜାତୀୟ ହାର ୧୦୯ ରହିଛି ରାଜ୍ୟରେ ପ୍ରତି ୧୦ ଲକ୍ଷରେ ୧୩୪ ଜଣଙ୍କ ଟେଷ୍ଟିଂ ହେଉଛି। କୋଭିଡ ଟେଷ୍ଟିଂ ବଢ଼ାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ସବୁ ପଜିଟିଭ ରୋଗୀଙ୍କ ନମୁନାର ଜିନୋମ ସିକ୍ବେନ୍‌ସିଂ ହେବ। ନଭେମ୍ବରରୁ ରାଜ୍ୟରେ ଦୈନିକ ସଂକ୍ରମଣ ୧୫ରୁ କମ୍ ଥିବା ବେଳେ ଲକ୍ଷଣ ଦେଖାଦେଲେ ପୃଥକବାସରେ ରହିବାକୁ ସ୍ବାସ୍ଥ୍ୟ ସଚିବ ପରାମର୍ଶ ଦେଇଛନ୍ତି। ଗହଳି ଜାଗାରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରଖିବା, ବାରମ୍ବାର ହାତ ଧୋଇବା ଉପରେ ଗୁରୁତ୍ବ ଦିଆଯାଇଛି। ସ୍ବାସ୍ଥ୍ୟ ସଚିବ କହିଛନ୍ତି ନୂଆ ଭାରିଆଣ୍ଟର ଭୟାବହତା ଓମିକ୍ରନ ଭଳି ରହିପାରେ।

ନୂଆ ଭାରିଆଣ୍ଟର ସଂକ୍ରମଣ କ୍ଷମତା ବେଶୀ। ତେଣୁ ମାସ୍କ ପିନ୍ଧିବାକୁ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଅପିଲ କରିଛନ୍ତି। ସ୍ବାସ୍ଥ୍ୟ ବିଶେଷଜ୍ଞ ସିବିକେ ମହାନ୍ତି କହିଛନ୍ତି ଯେ ପୂର୍ବ ଅପେକ୍ଷା ଏହି ଭୂତାଣୁର ସଂକ୍ରମଣ କ୍ଷମତା ଅଧିକ। ରାଜ୍ୟରେ ବର୍ତ୍ତମାନ୍ ହାର୍ଡ ଇମ୍ୟୁନିଟି ଯୋଗୁଁ ସଂକ୍ରମଣ ବଢ଼ିବା ପାଇଁ ଓଡ଼ିଶାରେ ଅନୁକୂଳ ସ୍ଥିତି ନାହି। ୩ ଟି ଲହର ମୁକାବିଲା ପରେ ଏବେ ସରକାରଙ୍କ ନିକଟରେ ଅନୁଭୂତି ସହ ଭିତ୍ତଭୂମି ରହିଛି। ସରକାର ସ୍ଥିତି ଦେଖି କଟକଣା ଜାରି କରିବେ ଓ କଟକଣା କୋହଳ କରିବେ କିନ୍ତୁ ଲୋକେ ନିଜ ଆଡୁ ସତର୍କ ରହିବା ଜରୁରୀ।

ପୂର୍ବ ପରି ଜନସମାଗମରୁ ଦୂରେଇ ରହିବା, ସାମାଜିକ ଦୂରତା, ହାତକୁ ବାରମ୍ବାର ଧୋଇବା ସହ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ସଂକ୍ରମଣ ହାର ମାତ୍ର ୦.୦୫ ପ୍ରତିଶତ ରହିଥିବାରୁ ଆତଙ୍କିତ ସ୍ଥିତି ନାହିଁ। ଲୋକେ ବାହାରକୁ ଗଲେ ସତର୍କତା ରହିବା ଜରୁରୀ।
Published by:Lipina Das
First published: