ମୁଦ୍ରାସ୍ଫୀତି ଓ ବେକାରୀ ସମସ୍ୟାକୁ ଆଧାର କରି ରାଜଭବନ ଘେରାଉ କଲା ରାଜ୍ୟ କଂଗ୍ରେସ

ମୁଦ୍ରାସ୍ଫୀତିକୁ ନେଇ ପୁଣି ରାଗିଲା କଂଗ୍ରେସ। ଦିଲ୍ଲୀରେ ରାଷ୍ଟ୍ରପତି ଭବନ ଓ ପିଏମ ହାଉସ ଘେରାଉ କରିଥିବାବେଳେ ଓଡ଼ିଶାରେ ମଧ୍ୟ ସକ୍ରିୟା ହୋଇ ଉଠିଛି କଂଗ୍ରେସ।

ମୁଦ୍ରାସ୍ଫୀତି ଓ ବେକାରୀ ସମସ୍ୟାକୁ ଆଧାର କରି ରାଜଭବନ ଘେରାଉ କଲା ରାଜ୍ୟ କଂଗ୍ରେସ

ମୁଦ୍ରାସ୍ଫୀତି ଓ ବେକାରୀ ସମସ୍ୟାକୁ ଆଧାର କରି ରାଜଭବନ ଘେରାଉ କଲା ରାଜ୍ୟ କଂଗ୍ରେସ

  • Share this:
News18 Odia Digital

ଭୁବନେଶ୍ବର: ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି, ବେକାରୀ ସମସ୍ୟା, ଅଗ୍ନିପଥ ଯୋଜନା ଓ ମୁଢ଼ି, ଗୁଡ଼, ଖଇ ପ୍ରଭୃତି ଉପରେ ଜିଏସଟି ଲାଗୁ ବିରୁଦ୍ଧରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ କଂଗ୍ରେସ ଦଳ ପକ୍ଷରୁ ଆଜି ସକାଳ ୧୦ଟା ରାଜଭବନ ଘେରାଉ କରାଯାଇଛି।

କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶରତ ପଟ୍ଟନାୟକ ଏହା ବିଷୟରେ ଗୁରୁବାର ସୂଚନା ଦେଇଥିଲେ।

ପଟ୍ଟନାୟକ କହିଥିଲେ, "୨୦୧୪ରେ ନରେନ୍ଦ୍ର ମୋଦି ସରକାର ଭାରତ ବର୍ଷର ଜନସାଧାରଣଙ୍କୁ “ଅଚ୍ଛେ ଦିନ”ର ସ୍ୱପ୍ନ ଦେଖାଇଥିଲେ। କିନ୍ତୁ ଏହି ୮ବର୍ଷ ଭିତରେ “ଅଚ୍ଛେ ଦିନ” ପରିବର୍ତ୍ତେ ଭାରତର ଜନସାଧାରଣର ଦୁର୍ବିସହ ଜୀବନ ବିତାଉଛନ୍ତି। ୨୦୧୪ରେ ୧୫.୨ କେଜି ଘରୋଇ ରନ୍ଧନ ଗ୍ୟାସର ଦାମ ଓଡ଼ିଶାରେ ୪୧୦ ଟଙ୍କା ଥିବାବେଳେ ଆଜି ଏହା ୧୦୮୦ ଟଙ୍କା ପାର ହୋଇ ସାରିଲାଣି। ପେଟ୍ରୋଲ, ଡିଜେଲର ଦାମ ୧୦୦ ଟଙ୍କାକୁ ଅତିକ୍ରମ କରିସାରିଛି। ଲୋକଙ୍କୁ ପେଟକୁ ଲାତମାରି କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲରୁ ୨୫ ଲକ୍ଷ ୫୦ ହଜାର କୋଟିରୁ ଅଧିକ ରାଜସ୍ୱ ଆୟ କରିସାରିଛନ୍ତି। ସେହିଭଳି ଭାବରେ ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ ଲଗାଇ ହଜାର ହଜାର କୋଟି ଟଙ୍କା ରାଜସ୍ୱ ଆୟ କରୁଛନ୍ତି। କିନ୍ତୁ ଜନସାଧାଣରଙ୍କୁ ଏଭଳି ମହଙ୍ଗାମାଡ଼ରୁ ରକ୍ଷା କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୌଣସି ଠୋସ ପଦକ୍ଷେପ ନେଉନାହାଁନ୍ତି। ତରବରିଆ ଭାବରେ କେନ୍ଦ୍ର ସରକାର ଜିଏସଟି ଲାଗୁ କଲେ ଓ ସ୍ୱପ୍ନ ଦେଖାଇଲେ ଜିଏସଟି ଦ୍ୱାରା ଜିନିଷପତ୍ରର ଦରଦାମ ବହୁ ମାତ୍ରାରେ କମିଯିବ, ଖାଉଟିମାନେ ଲାଭ ପାଇବେ। କିନ୍ତୁ ଶେଷରେ ଲୋକଙ୍କର ସର୍ବନିମ୍ନ ଆବଶ୍ୟକତା ଚୁଡ଼ା, ମୁଢ଼ି, ଗୁଡ଼, ଚାଉଳ, ପନିର, ଅଟ୍ଟା, ପେନସିଲ, କଟର ଖାତା ଇତ୍ୟାଦି ଉପରେ ମଧ୍ୟ ୫% ଜିଏସଟି ଲଗାଇବାକୁ ଭୁଲିଲେ ନାହିଁ।’’

ସେ ଆହୁରି କହିଥିଲେ ଯେ ନରେନ୍ଦ୍ର ମୋଦି ମା’ ମାନଙ୍କ ଆଖିରୁ ଲୁହ ପୋଛିବାପାଇଁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଆଜି ଗ୍ୟାସର ଦର ବୃଦ୍ଧି ଓ ନିତ୍ୟବ୍ୟବହାର୍ଯ୍ୟ ଖାଦ୍ୟ ପଦାର୍ଥର ଅହେତୁକ ଦରବୃଦ୍ଧି ଯୋଗୁଁ ମା'ମାନେ ଚୁଲି ମୁଣ୍ଡରେ ଲୁହ ଗଡ଼ାଉଛନ୍ତି। ସବୁଠାରୁ ଦୁଃଖର କଥା ଯେତେବେଳେ ୫% ଜିଏସଟି ସାଧାରଣ ଖାଦ୍ୟ ପଦାର୍ଥ ଉପରେ ଲାଗୁ କରାଗଲା, ହେଲେ ଓଡ଼ିଶାର ଅର୍ଥମନ୍ତ୍ରୀ ଏ ବାବଦରେ ଥରୁଟିଏ ପ୍ରତିବାଦ କଲେ ନାହିଁ। ଓଡ଼ିଶାର ସାଧାରଣ ଲୋକଙ୍କର ମୁଢ଼ି, ଚୁଡ଼ା ନିତିଦିନିଆ ଖାଦ୍ୟ। ଏ ସରକାର କେନ୍ଦ୍ର ସରକାରଙ୍କୁ ଏଥିରେ ମଧ୍ୟ ଜିଏସଟି ଲାଗୁ କରିବାପାଇଁ ସହଯୋଗ କଲେ।

ମୋଦି ସରକାର ପ୍ରତିବର୍ଷ ୨ କୋଟି ଚାକିରି ଦେବାରେ ପ୍ରତିଶ୍ରୁତି ଦେଇଥିଲା ୮ ବର୍ଷରେ ୧୬ କୋଟି ଚାକିରି ଦେବା ପରିବର୍ତ୍ତେ ଆଜି ପାଖାପାଖି ୧୩ କୋଟିରୁ ଅଧିକ ଲୋକ ନିଜର ଚାକିରି ଓ ରୋଜଗାର ହରାଇଛନ୍ତି । ସବୁଠାରୁ ବଡ଼ କଥା ହେଲା ୨୨ କୋଟି ଶିକ୍ଷିତ ଯୁବକଯୁବତୀ ଏହି ୮ବର୍ଷ ମଧ୍ୟରେ ସରକାରୀ ଚାକିରି ପାଇଁ ଆବେଦନ କରିଥିଲା ବେଳେ ମାତ୍ର ୭ ଲକ୍ଷ ୨୨ ହଜାରଙ୍କୁ ନିଯୁକ୍ତି ମିଳିଛି। ଠିକ୍ ସେହିଭଳି ଭାବେ ରାଜ୍ୟ ସରକାର ମଧ୍ୟ ପ୍ରତିବର୍ଷ ୨ ଲକ୍ଷ ରୋଜଗାର ପ୍ରତିଶ୍ରୁତି ଦେଇଥିଲେ।

ହେଲେ ମଞ୍ଜୁରୀପ୍ରାପ୍ତ ମୂଳ ପଦବୀର ୫୦% ହ୍ରାସ କରି କେବଳ ଠିକା ନିଯୁକ୍ତି ଓ ସମ୍ପର୍କୀୟ ମାନଙ୍କ ଦ୍ୱାରା ସୃଷ୍ଟି କରାଯାଇଥିବା କମ୍ପାନୀ ମାଧ୍ୟମରେ ଆଉଟସୋର୍ସିଂ କରି ଏ ରାଜ୍ୟର ଶିକ୍ଷିତ ଯୁବକଯୁବତୀଙ୍କ ସହିତ ପ୍ରତାରଣା କରୁଛି। କେନ୍ଦ୍ର ସରକାରରଙ୍କ ତୃଟିପୂର୍ଣ୍ଣ ଜିଏସଟି ନୀତି ଯୋଗୁ ଭାରତବର୍ଷର ଅଣ ସଙ୍ଗଠିତ କ୍ଷେତ୍ର ଆଜି ସମ୍ପୂର୍ଣ୍ଣ ଉଜୁଡ଼ି ଗଲା। ଯାହା ଦ୍ୱାରା ଭାରତ ବର୍ଷର ୪୨ କୋଟି ଲୋକ ରୋଜଗାର ହରାଇ ଗରିବି ଭିତରକୁ ଠେଲି ହୋଇଗଲେ।

ପ୍ରତିରକ୍ଷାକୁ ଶକ୍ତିଶାଳି କରିବା ପରିବର୍ତ୍ତେ ନରେନ୍ଦ୍ର ମୋଦି ସରକାର ଭାରତ ବର୍ଷ ମିଲିଟାଲିରେ ଅଗ୍ନିପଥ ଯୋଜନା ମାଧ୍ୟମରେ ଠିକା ନିଯୁକ୍ତି କରିବାପାଇଁ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା ବହୁ ଶିକ୍ଷିତ ଯୁବକଯୁବତୀଙ୍କର ଭବିଷ୍ୟତ ଅନ୍ଧକାର ଆଡକୁ ଠେଲି ହୋଇଯିବ।

ସେନାବାହିନୀରେ ସୌନିକ ସଂଖ୍ୟବି ବର୍ଷକୁ ବର୍ଷ ହ୍ରାସ ପାଇବରେ ଲାଗିବ। ଏ ସବୁକୁ ନେଇ ଶୁକ୍ରବାର ରାଜ୍ୟ କଂଗ୍ରେସ ରାଜଭବନ ଘେରାଉ କରାଯିବ। ସେହିଭଳି ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କ ଅଫିସ ବା ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସକୁ ଘେରାଉ କରାଯିବ।

ଏହି ଅବସରରେ ପଟ୍ଟନାୟକ ରାଜଭବନ ଘେରାଉ କାର୍ଯ୍ୟକ୍ରମର ସଫଳତା ପାଇଁ ରାଜ୍ୟବାସୀ ଓ କଂଗ୍ରେସ ନେତୃବର୍ଗଙ୍କ ସାହାଯ୍ୟ ଓ ସହଯୋଗ କାମନା କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରସାଦ ହରିଚନ୍ଦନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ କଟୁ ସମାଲୋଚନା କରିଥିଲେ ।
Published by:Lipina Das
First published: