News18 Odia Digital
ଭୁବନେଶ୍ବର: ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟେ କରିଛି ରାଜ୍ୟ କଂଗ୍ରେସ। ମିଛି କହି ରାଜନୀତିରେ ସଫଳ ହୋଇପାର ମାତ୍ର ମିଛ ଗଣିତରେ ଆର୍ଥିକ ସ୍ଥିତି ସୁଧରିବ ନାହିଁ ବୋଲି ଜାତୀୟ ଅଭିବୃଦ୍ଧି ହାର ସମ୍ପର୍କରେ ବିଭ୍ରାନ୍ତିକର ତଥ୍ୟ ଦେଇଥିବା ମୋଦି ସରକାରଙ୍କ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନିଜ ପ୍ରତିକ୍ରିୟା ବ୍ୟକ୍ତ କରି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତ ପଞ୍ଚାନନ କାନୁନଗୋ କହିଛନ୍ତି।
ଶନିବାର କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦେଶର ଆର୍ଥିକ ସ୍ଥିତି ସଙ୍ଗୀନ ଥିବାବେଳେ ଓ ସରକାରଙ୍କ ଆର୍ଥିକ ପରିଚାଳନା ନେଇ ଦେଶ ବିଦେଶରେ ପ୍ରସିଦ୍ଧ ଅର୍ଥଶାସ୍ତ୍ରୀମାନେ ଉଦ୍ବେଗ ପ୍ରକାଶ କରୁଥିବା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ମିଥ୍ୟା ଓ ଆଧାରହୀନ ବୟାନ ଦେଇ ଦେଶବାସୀଙ୍କ ବିଭ୍ରାନ୍ତ କରିବାର ଅପେଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି କାନୁନଗୋ କହିଛନ୍ତି।
କାନୁନଗୋ କହିଛନ୍ତି, ‘‘ପ୍ରଧାନମନ୍ତ୍ରୀ ମୋଦିଙ୍କ ଶାସନର ୮ ବର୍ଷ ଭିତରେ ଦେଶର ଅର୍ଥନୀତି ତଳକୁ ତଳକୁ ଚାଲି ଯାଉଛି। ତଥାପି ବାହାଦୁରିଆଙ୍କ ବାହାଦୁରି ଛାଡ଼ୁ ନାହିଁ। ଏବେ କିଛିଦିନ ତଳେ କେନ୍ଦ୍ର ସରକାର ତାଙ୍କ ମିଛ ହିସାବ ଖାତା ଧରି ଏପ୍ରିଲ-ଜୁନର ଅଭିବୃଦ୍ଧି ହାର ୧୩.୫ ପ୍ରତିଶତ ହୋଇଥିବା କଥା ଘୋଷଣା କରିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ଏପରି ଢ଼ଙ୍ଗରେ ଏହାର ପ୍ରଚାର କଲେ ଯେ ସତେ ଯେପରି ୨୦୨୨-୨୩ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ହାର ଦୁଇ ଅଙ୍କ ବିଶିଷ୍ଟ ହେବ। ସମସ୍ତ ହିସାବ ଦେଖିଲେ ଚଳିତ ବର୍ଷର ଅଭିବୃଦ୍ଧି ହାର ୭.୨ ପ୍ରତିଶତ ପାଖାପାଖି ହିଁ ରହିବ। ଯଦିଓ ଚଳିତ ବର୍ଷର ପ୍ରଥମ ତ୍ରୈମାସିକ ବ୍ୟବସ୍ଥାକୁ ଦେଖି ଆନ୍ତର୍ଜାତିୟ ସଂସ୍ଥା ମୁଡିସ ଭାରତର ଅଭିବୃଦ୍ଧି ହାର ୬.୭ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି। ଦେଶର ଅର୍ଥନୀତି ତଳିତଳାନ୍ତ ହେଉଛି, ଡଲାର ତୁଳନାରେ ଟଙ୍କା ଦୁର୍ବଳ ହୋଇ ଏବେ ପ୍ରାୟ ୮୦ ଟଙ୍କାରେ ପହଞ୍ଚିଲାଣି।’’
ହେଲେ କେନ୍ଦ୍ର ସରକାର ୫ ଟ୍ରିଲିୟନ ଅର୍ଥନୀତିର ସ୍ୱପ୍ନ ଦେଖାଇବାରେ ବ୍ୟସ୍ତ। ବର୍ତ୍ତମାନ ହାରରେ ଯଦି ଅର୍ଥନୀତି ଗତିକରେ ତେବେ ପ୍ରଧାନମନ୍ତ୍ରୀଙ୍କୁ ଶହେ ବର୍ଷ ହେଲାବେଳକୁ ମଧ୍ୟ ୫ ଟ୍ରିଲୟନ ଅର୍ଥନୀତିରେ ପହଞ୍ଚିବା ବି ଅସମ୍ଭବ। କାରଣ ସେତେବେଳକୁ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଆହୁରି ହ୍ରାସ ପାଇଁ ୧୦୦ ଟଙ୍କା ପାଖାପାଖି ପହଞ୍ଚିଯାଇଥିବ। ଭାରତ ଅର୍ଥମନ୍ତ୍ରୀଙ୍କର ବୟାନ ଓ ବିଜେପି ନେତାମାନଙ୍କର ଭାଷଣ ଶୁଣିଲେ ଯେ କୌଣସି ଅର୍ଥଶାସ୍ତ୍ରୀ ହସିବା ସ୍ୱାଭାବିକ ବୋଲି କହିଛନ୍ତି କାନୁନଗୋ।
୨୦୧୧-୧୨ ମୂଲ୍ୟ ଅନୁସାରେ ଦେଶର ମୋଟ ଜିଡିପି ପରିମାଣ ୩୬.୮୫ ଲକ୍ଷ କୋଟି ଟଙ୍କା ହୋଇଛି। ପୂର୍ବ ବର୍ଷ ଏହି ସମୟରେ ଏହାର ପରିମାଣ ୩୨.୪୬ ଲକ୍ଷ କୋଟି ଥିଲା। ଯାହାକୁ ହିସାବ କରି ୧୩.୫ ପ୍ରତିଶତ ଅବିବୃଦ୍ଧି ହୋଇଛି ବୋଲି କୁହାଯାଉଛି। ତେବେ ଦେଖିବାର କଥା ୨୦୧୨ ଠାରୁ ଅଦ୍ୟାବଧି ଡଲାର ଅନୁସାରେ ଟଙ୍କାର ମୂଲ୍ୟ ଯଥେଷ୍ଟ କମିବାରେ ଲାଗିଛି। ଡଲାର ହିସାବକୁ ନେଲେ ଗତ ବର୍ଷ ତୁଳନାରେ ଏ ବର୍ଷର ଅଭିବୃଦ୍ଧି ୭ ପ୍ରତିଶତ ମଧ୍ୟ ଟପିବ ନାହିଁ। ଚଳିତ ଆର୍ଥିକ ବର୍ଷରେ ପ୍ରଥମ ତ୍ରୈମାସିକରେ ଭାରତର ଅଭିବୃଦ୍ଧି ୧୩ ପ୍ରତିଶତ ହେବ ବୋଲି ରେଟିଂ ଏଜେନ୍ସି ଇକ୍ରା କହିଥିଲା।
ଷ୍ଟେଟ ବ୍ୟାଙ୍କର ଆକଳନ ଅନୁସାରେ ୧୫.୭ ପ୍ରତିଶତ, ରଏଟର ଅର୍ଥନୀତିଜ୍ଞଙ୍କ ଆକଳନ ଅନୁସାରେ ୧୫.୨ ପ୍ରତିଶତ, ବ୍ଲୁମବର୍ଗ ସର୍ବେକ୍ଷଣରେ ୧୫.୩ ପ୍ରତିଶତ ଅଭିବୃଦ୍ଧି ହେବ ବୋଲି ଆକଳନ କରାଯାଇଥିଲା। ତେବେ ମୋଟାମୋଟି ଭାବେ ଡଲାର ଅନୁସାରେ ଟଙ୍କାର ମୂଲ୍ୟ ହ୍ରାସକୁ ଦେଖିଲେ ଓ ମୁଦ୍ରାସ୍ପିତ ଅଭିବୃଦ୍ଧି ହାର ବୃଦ୍ଧିକୁ ଦେଖିଲେ ଦେଶର ଅଭିବୃଦ୍ଧି ଆଦୌ ୭.୨ ପ୍ରତିଶତ ଟପି ନାହିଁ କି ଟପିବ ନାହିଁ ବୋଲି କାନୁନଗୋ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ଗୋଟିଏ କଥା ସ୍ପଷ୍ଟ ଯେ ଦେଶରେ ଦରଦାମ ବୃଦ୍ଧି ହୁ ହୁ ବଢ଼ୁଥିବାରୁ ଉତ୍ପାଦ ଗୁଡ଼ିକର ଆକାଶଛୁଆଁ ମୂଲ୍ୟ ବୃଦ୍ଧି ଘଟୁଛି। ବାସ୍ତବ କ୍ଷେତ୍ରରେ ଅଭିବୃଦ୍ଧି ଏବେବି ନକରାତ୍ମକ ରହିଛି। ତ୍ରୈମାସିକ ହିସାବ ଅନୁସାରେ ଘରୋଇ ଉପଯୋଗିତାରେ ୨୫.୯ ପ୍ରତିଶତ, ପ୍ରତିରକ୍ଷା କ୍ଷେତ୍ରରେ ୨୬.୩ ପ୍ରତିଶତ, ଘରୋଇ ନିବେଶ କ୍ଷେତ୍ରରେ ୨୦.୧ ପ୍ରତିଶତ, ଦେଶର ନିଜସ୍ୱ କ୍ଷେତ୍ର କୃଷି ଜଙ୍ଗଲରେ ୪.୫ ପ୍ରତିଶତ, ଖଣି କ୍ଷେତ୍ରରେ ୬.୫ ପ୍ରତିଶତ, ବିଦ୍ୟୁତ, ଗ୍ୟାସ ଓ ଜଳ ଆଦି କ୍ଷେତ୍ରରେ ୧୪.୭ ପ୍ରତିଶତ ଅଭିବୃଦ୍ଧି ଘଟିଥିବା ଦେଖାଯାଇଛି। ଜିଏସଟି ଆୟ ମାସିକ ୧.୪ ଲକ୍ଷ କୋଟି ଟଙ୍କାରୁ ଅଧିକ ବୋଲି ଯାହା କୁହାଯାଉଛି ତାହା କ୍ରୟ ବିକ୍ରୟ ପରିମାଣ ବୃଦ୍ଧି ପାଇଁ ନୁହେଁ ବରଂ ଉତ୍ପାଦ ଗୁଡ଼ିକର ମଲ୍ୟ ବୃଦ୍ଧି ହେତୁ ହୋଇଥାଏ।
ଗତ କିଛି ବର୍ଷ ହେବ ମାସିକ ହାରାହାରି ୫ ପ୍ରତିଶତ ଫାଷ୍ଟମୁଭିଂ କାର୍ଗୋ ଆୟ ବୃଦ୍ଧି ପାଉଥିବା ଦେଖାଯାଉଛି। ଏହା ମଧ୍ୟ ଦରବୃଦ୍ଧି ହାର ତୁଳନାରେ କମ୍। ସେହିପରି ଦେଖାଯାଉଛି କୋର ସେକ୍ଟର ମାନୁଫ୍ୟାକଚରିଂ ମୂଲ୍ୟଯୁକ୍ତ କ୍ରୟ ମୂଲ୍ୟରେ ବେଶୀ କିଛି ତଫାତ ନାହିଁ। ତେଣୁ କେନ୍ଦ୍ର ସରକାରଙ୍କ ଏତେ ସବୁ ଆସ୍ଫାଳନ କେମିତି ସତ୍ୟ ହେବ ବୋଲି କାନୁନଗୋ ପ୍ରଶ୍ନ କରିଛନ୍ତି।
ଗତ ୨୦୧୬ର ବିମୁଦ୍ରାକରଣ ଓ ୨୦୧୭ର ସେବା ଓ ଦ୍ରବ୍ୟ କର (ଜିଏସଟି) ଲାଗୁ କରି କେନ୍ଦ୍ର ସରକାର ଦେଶର ଆର୍ଥିକ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ପଙ୍ଗୁ କରିଦେଇଛନ୍ତି। ଗତ ତିନି ମାସ ତଳେ ଆରବିଆଇର ପ୍ରଚାର ଅନୁସାରେ ଏପ୍ରିଲ- ଜୁନରେ ଅଭିବୃଦ୍ଧି ହାର ୧୬.୨ ପ୍ରତିଶତ ହେବ ବୋଲି ଯାହା କହିଥିଲେ ତାହା ଯଥେଷ୍ଟ ମାତ୍ରାରେ ହ୍ରାସ ପାଇଲା। ଗୋଟିଏ ପକ୍ଷରେ ଅଭିବୃଦ୍ଧିର ସ୍ୱପ୍ନ ଅନ୍ୟପକ୍ଷରେ ଦରଦାମ ବା ମୁଦ୍ରାସ୍ପତିକୁ ନିୟନ୍ତ୍ରଣକୁ ଆଣିବାର ବଜାରକୁ ଅର୍ଥ ଛାଡ଼ିବା ଉପରେ ରୋକ ଲଗାଇବାର କାର୍ଯ୍ୟ ଦେଖିବାକୁ ମିଳୁଛି ଯାହାର ପରିଣାମ ସ୍ୱରୂପ ବେକାରୀ ବଢୁଛି ଲୋକଙ୍କ ରୋଜଗାର ଓ କ୍ରୟଶକ୍ତି ହ୍ରାସ ପାଉଛି। ସର୍ବୋପରି ବଜାର କାରବାର ମଧ୍ୟ ମାନ୍ଦା ହେଉଛି। ଏପରି ଏକ ଅଭାବନୀୟ ସ୍ଥିତି ଉପୁଜିବା ପାଇଁ କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ଅର୍ଥନୀତି ଓ ଅଜ୍ଞତା ଦାୟୀ।
ସମସ୍ତ ବ୍ୟବସ୍ଥାରୁ ନିଜକୁ ନ ମୁକାଳାଇ ପ୍ରତିଦିନ ଅଣ ଆୟକାରୀ କାର୍ଯ୍ୟକ୍ରମ କେନ୍ଦ୍ର ସରକାର ହାତକୁ ନେଇ ଚାଲିଛନ୍ତି। ସେଥିପାଇଁ ବେକାରୀ ବଢୁଛି, ରୋଜଗାର କମୁଛି ଓ ଦେଶର ଆର୍ଥିକ ସ୍ଥିତି ଦୁର୍ବଳ ହେବାରେ ଲାଗିଛି। କେବଳ କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ଅର୍ଥନୀତି ପାଇଁ ଆମ ରାଜ୍ୟ ମଧ୍ୟ ଆର୍ଥିକ ଦୃଷ୍ଟିରୁ ଗୁରୁତ୍ୱର ଭାବରେ କ୍ଷତିଗ୍ରସ୍ତ ହେଉଛି ଓ ଓଡ଼ିଶାର ଜନସାଧାରଣ ଏହାରକୁ ପ୍ରଭାବରେ ହନ୍ତସନ୍ତ ହେଉଛନ୍ତି।
ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ଦୁଇରେ ଦୁଇ ମିଶିଲେ ୨୨ ବୋଲି ମିଛି ହିସାବ ଦେଉଛନ୍ତି। ଲୋକଙ୍କୁ ମିଛ କହି ପ୍ରଧାନମନ୍ତ୍ରୀ କ୍ଷମତାରେ ରୁହନ୍ତୁ ହେଲେ, ମିଛ ହିସାବ ଓ ଭେଳିକି ପୂର୍ଣ୍ଣ ଆର୍ଥିକ ଅଭିବୃଦ୍ଧିର ବିଭ୍ରାନ୍ତିକର ତଥ୍ୟ ଦେଇ ଦେଶର ଅର୍ଥନୀତିକୁ ଏପରି ଦୁର୍ଗତି ଆଡ଼କୁ ଟାଣି ନ ନିଅନ୍ତୁ ବୋଲି କାନୁନଗୋ ମତବ୍ୟକ୍ତ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ତଥା ପିସିସି ମୁଖପାତ୍ର ମନୋରଞ୍ଜନ ଦାଶ ଓ ମୁଖପାତ୍ର ଅମୀୟ ପାଣ୍ଡବ ଉପସ୍ଥିତ ଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।