୨ ବର୍ଷ ହେଲା ଆଦିବାସୀଙ୍କ କେନ୍ଦ୍ରୀୟ ଅନୁଦାନ ବନ୍ଦ କରିଦେଇଛନ୍ତି ମୋଦି ସରକାର: କଂଗ୍ରେସ

୪ ବର୍ଷ ହେଲା ଆଦିବାସୀ ଉପଦେଷ୍ଟା ସମିତି (ଟ୍ରାଇବ୍ ଆଡଭାଇଜରି କାଉନ୍‌ସିଲ) ଗଠନ କରୁନାହାଁନ୍ତି ନବୀନ। ଦୁଇ ବର୍ଷ ହେଲା ଆଦିବାସୀଙ୍କ କେନ୍ଦ୍ରୀୟ ଅନୁଦାନ ବନ୍ଦ କରିଦେଇଛନ୍ତି ମୋଦି ସରକାର କହିଲା କଂଗ୍ରେସ।

୨ ବର୍ଷ ହେଲା ଆଦିବାସୀଙ୍କ କେନ୍ଦ୍ରୀୟ ଅନୁଦାନ ବନ୍ଦ କରିଦେଇଛନ୍ତି ମୋଦି ସରକାର

୨ ବର୍ଷ ହେଲା ଆଦିବାସୀଙ୍କ କେନ୍ଦ୍ରୀୟ ଅନୁଦାନ ବନ୍ଦ କରିଦେଇଛନ୍ତି ମୋଦି ସରକାର

  • Share this:
News18 Odia Digital

ଭୁବନେଶ୍ବର: ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏର ପ୍ରାର୍ଥୀ ଭାବରେ ବରିଷ୍ଠ ବିଜେପି ନେତ୍ରୀ ତଥା ପୂର୍ବତନ ଝାଡ଼ଖଣ୍ଡ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରାଯିବା ନେଇ କଂଗ୍ରେସ ନାପସନ୍ଦ କରିଛି। ସରଳ ଆଦିବାସୀଙ୍କର ଭାବାବେଗ ସହିତ ନ ଖେଳି ତାଙ୍କର କଲ୍ୟାଣ ନିମନ୍ତେ କାର୍ଯ୍ୟକରିବାକୁ ପରାମର୍ଶ ଦେଇଛି।

ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ନିକଟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ଗଣମାଧ୍ୟମ ଆବାହକ ସତ୍ୟପ୍ରକାଶ ନାୟକ କଡ଼ା ସମାଲୋଚନା କରି କହିଥିଲେ ଯେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଯିଏକି ରାଜ୍ୟରେ ଆଦିବାସୀଙ୍କର ବିକାଶ ପାଇଁ ଗଠିତ ହୋଇଥିବା ଟ୍ରାଇବ୍ ଆଡଭାଇଜରି କାଉନ୍ସିଲ ବା ଆଦିବାସୀ ଉପଦେଷ୍ଟା ସମିତିର ଅଧ୍ୟକ୍ଷ ଥାଇ ମଧ୍ୟ ବିଗତ ୪ ବର୍ଷ ଭିତରେ ଥରୁଟିଏ ହେଲେ ବୈଠକ ଡାକିନାହାଁନ୍ତି ବା ଡାକିବାକୁ ଉପଯୁକ୍ତ ଭାବିନାହାଁନ୍ତି।

ପ୍ରାର୍ଥୀତ୍ୱକୁ ନେଇ କଂଗ୍ରେସକୁ ଅଜାଚିତ ଉପଦେଶ ଦେଉଥିବା ବିଜେପି ରାଜ୍ୟର ଏକ କୋଟିରୁ ଉର୍ଦ୍ଧ୍ୱ ଆଦିବାସୀମାନଙ୍କର କଲ୍ୟାଣ ନିମନ୍ତେ ଟଏସିର ବିନା ଅନୁମତିରେ କୋଟି କୋଟି ଟଙ୍କା ବେଆଇନ ଭାବରେ ଖର୍ଚ୍ଚ କରାଯିବାକୁ ନେଇ କାହିଁକି ପ୍ରଶ୍ନ ଉଠାଇ ନାହିଁ। ବିଗତ ୨୨ ବର୍ଷ ଭିତରେ ଓଡ଼ିଶାରେ ୪୪ ଥର ଟିଏସିର ବୈଠକ ବସିବା କଥା ମାତ୍ର ୧୭ ଥର ବୈଠକ ଅନୁଷ୍ଠିତ ହୋଇଛି। ଅର୍ଥାତ ୨୭ଟି ବୈଠକ ଏପର୍ଯ୍ୟନ୍ତ ବସିନାହିଁ। ରାଜ୍ୟରେ ଆଦିବାସୀଙ୍କ ସଂଖ୍ୟା ୨୨ ପ୍ରତିଶତ ଓ ସର୍ବଭାରତୀୟ ସ୍ତରରେ ତୃତୀୟ ବୃହତମ ହୋଇଥିବା ବେଳେ ବିଗତ ଦୁଇ ବର୍ଷ ଧରି କେନ୍ଦ୍ର ମୋଦି ସରକାରଙ୍କର ଆଦିବାସୀମାନଙ୍କ ନିମନ୍ତେ ଆସୁଥିବା ସ୍ୱତନ୍ତ୍ର ଅନୁଦାନକୁ ବନ୍ଦ କରି ରଖାଯିବା କାହା ସ୍ୱାର୍ଥରେ ବୋଲି ପ୍ରଶ୍ନ କରିଥିଲା କଂଗ୍ରେସ।

ଖୋଦ ଦ୍ରୌପଦୀ ମୁର୍ମୁଙ୍କ ଗାଁକୁ ୨୨ ବର୍ଷ ଧରି ବିଜୁଳି ସଂଯୋଗ ନଥିବା ପ୍ରମାଣିତ କରୁଛି ଯେ ଉଭୟ ବିଜେପି ଓ ବିଜେଡ଼ି ଆଦିବାସୀଙ୍କ ସ୍ୱାର୍ଥକୁ ନେଇ କେତେ ଗମ୍ଭୀର। ନିକଟରେ କେନ୍ଦୁଝର ଜିଲ୍ଲାପାଳଙ୍କୁ ଆଦିବାସୀ ଶୋଷଣ କାର୍ଯ୍ୟ ବିରୋଧରେ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଉପସ୍ଥିତ ହେବା ପାଇଁ ସମନ ଓ ତାକୁ ନେଇ ରାଜ୍ୟ ସରକାର କୋର୍ଟଙ୍କ ଦ୍ୱାରସ୍ଥ ହେବା ଆଦିବାସୀ ଶୋଷଣର ଆଉ ଏକ ନମୁନା। ଆଦିବାସୀଙ୍କ ଦାବି ଓ ଅଧିକାର ପାଇଁ ପ୍ରଦେଶ କଂଗ୍ରେସ ସବୁବେଳେ ଲଢ଼େଇ ପାଇଁ ପ୍ରସ୍ତୁତ ରହିଛି ଓ ଏ କ୍ଷେତ୍ରରେ ହୀନ ରାଜନୀତିକୁ ପ୍ରଶୟ ଦେବା ଉଚିତ୍ ନୁହେଁ ବୋଲି ନାୟକ ମତବ୍ୟକ୍ତ କରିଥିଲେ।
Published by:Lipina Das
First published: