News18 Odia Digital
ଭୁବନେଶ୍ୱର: ବନ୍ୟା ପରିଚାଳନା ନେଇ ବିଜେପି ଆଣିଲା ଅଭିଯୋଗ ଫର୍ଦ୍ଦ। ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ଦିଆଗଲା ଅଭିଯୋଗ ଫର୍ଦ୍ଦ। ବନ୍ୟାଞ୍ଚଳ ପରିଦର୍ଶନ ପରେ ଏକ ଚାର୍ଜସିଟ ପ୍ରସ୍ତୁତ କରିଛି ଦଳ।
ବିଜେପିର ଅଭିଯୋଗ, ଏହା ଏକ ମନୁଷ୍ୟକୃତ ବନ୍ୟା। ସରକାରଙ୍କ ଅପାରଗପଣିଆ ପାଇଁ ଏହି ବନ୍ୟା ହେଲା। ସରକାରଙ୍କ ତତ୍ପରତା ଦେଖିବାକୁ ମିଳିନଥିଲା। ଲୋକ ପ୍ରସ୍ତୁତ ନଥିଲେ କି ସରକାର ବି ପ୍ରସ୍ତୁତ ନଥିଲେ। ଚାଷୀଙ୍କ ଫସଲହାନୀ ହୋଇଛି। ରାଜ୍ୟ ସରକାଙ୍କ ବନ୍ୟା ପରିଚାଳନାରେ ବିଫଳତା ଯୋଗୁଁ କ୍ଷତି ସହିଲେ ଓଡ଼ିଶାବାସୀ। ବନ୍ୟା ଅଞ୍ଚଳ ପରିଦର୍ଶନ ପରେ ବିଜେପି ଏକ ଚାର୍ଜସିଟ ପ୍ରସ୍ତୁତ କରିଛି। ଏଭଳି ଅଭିଯୋଗ ଆଣିଛନ୍ତି ରାଜ୍ୟ ବିଜେପିର ଦୁଇ ବରିଷ୍ଠ ନେତା ପୃଥ୍ୱୀରାଜ ହରିଚନ୍ଦନ ଓ ମନମୋହନ ସାମଲ।
ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ‘‘ଅକ୍ଷମଣୀୟ ଅପରାଧ କରିଛନ୍ତି ରାଜ୍ୟ ସରକାର। ଓଡ଼ିଶାବାସୀଙ୍କ ଆଗରେ ହାତ ଯୋଡ଼ି ଭୁଲ ମାଗନ୍ତୁ ମୁଖ୍ୟମନ୍ତ୍ରୀ। ରାଜ୍ୟ ସରକାର ଚାହିଁଥିଲେ ବନ୍ୟାକୁ ରୋକିପାରିଥାନ୍ତେ। ହୀରାକୁଦ ବନ୍ଧ ଜଳ ପରିଚାଳନାରେ ସରକାର ଫେଲ ମାରିଛନ୍ତି।’’
ସେ ଆହୁରି ଅଭିଯୋଗ କରିଛନ୍ତି, ‘‘ମହାନଦୀ ବେସିନରେ ଛତିଶଗଡ଼ ୬ଟି ଗଜ୍ ଷ୍ଟେସନ କରିଛି। ଓଡ଼ିଶା ଅଧିକାରୀମାନେ ଏହି ଗଜ୍ ଷ୍ଟେସନ ଗୁଡ଼ିକ ଉପରେ ନଜର ରଖିବା କଥା ଓ ପରିଚାଳନାର ପ୍ଲାନିଂ କରିବାର ଥିଲା। କିନ୍ତୁ ରାଜ୍ୟ ସରକାର କଲେ ନାହିଁ। ଛତିଶଗଡ଼ ଓ ଓଡ଼ିଶା ସରକାର ପକ୍ଷରୁ ହୀରାକୁଦ ବନ୍ଧ ଜଳ ପରିଚାଳନା ଓ ନିଷ୍କାସନ ସମ୍ପର୍କରେ ଇଆଇସି ସ୍ତରୀୟ ଅଧିକାରୀଙ୍କ ବୈଠକ ହେବା କଥା। କିନ୍ତୁ ୩ରୁ ୪ବର୍ଷ ହେଲା ଏହି ବୈଠକ ହେଉନାହିଁ। ପ୍ରତି ୧୦ ବର୍ଷରେ ଥରେ ରୁଲ୍ କର୍ଭ ସଂଶୋଧନ ହେବା କଥା। କିନ୍ତୁ ୩୮ବର୍ଷ ଭିତରେ ଥରେ ବି ସଂଶୋଧନ କରାଯାଇନାହିଁ। ଏମିତିକି ଚଳିତ ରୁଳ୍ କର୍ଭକୁ ମଧ୍ୟ ପାଳନ କରାଯାଉନାହିଁ।
ସେହିଭଳି ଅନ୍ୟତମ ବରିଷ୍ଠ ବିଜେପି ନେତା ମନମୋହନ ସାମଲ ଅଭିଯୋଗ କରିଛନ୍ତି, ‘‘ନଦୀର ଜଳ ଧାରଣ କ୍ଷମତା ଓ ନଦୀ ବନ୍ଧ ସୁରକ୍ଷାକୁ ନେଇ ୪ ବର୍ଷ ହେଲା କୌଣସି ସମୀକ୍ଷା ବୈଠକ କରାଯାଇନାହିଁ। ୨୦୦୮ରେ ବନ୍ୟା ନିୟନ୍ତ୍ରଣ ପାଇଁ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବା ନିୟମ ପାଳନ କରାଯାଉନାହିଁ। ପୂର୍ବରୁ ସରକାର ୭ଟି ବ୍ୟାରେଜ କରିବେ ବୋଲି ଘୋଷଣା କରିଥିଲେ ସରକାର। କିନ୍ତୁ ଏବେ ଯାଏଁ ଗୋଟିଏ ବି ହୋଇନାହିଁ। ରିଲିଫ କୋଡ଼ ଅନୁଯାୟୀ ବନ୍ୟା ବିପନ୍ନଙ୍କ ପାଖରେ ଖାଦ୍ୟ ପହଞ୍ଚାଇବା ସରକାରଙ୍କ ଦାୟିତ୍ୱ। ୪ ଦିନ ପର୍ଯ୍ୟନ୍ତ ପ୍ରଶାସନ ଓ ରିଲିଫ ଲୋକଙ୍କ ପାଖରେ ପହଞ୍ଚିଲେ ନାହିଁ। କୌଣସି ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟରେ ଚୁଡା, ଚାଉଳ, ଚିନି ଆଦି ରଖିବା ଦରକାର। ହେଲେ କେଉଁଠି କିଛି ନଥିଲା।’’
ତେଣୁ ଉଭୟ ଦାବି କରିଛନ୍ତି ଯେ, ବନ୍ୟା ଜନିତ ଘର ଭଙ୍ଗା ଓ ଫସଲ କ୍ଷତିର ଆକଳନ କରିବାରେ ବିଫଳ ହୋଇଛନ୍ତି ସରକାର। କୃଷି ମନ୍ତ୍ରୀ କହିଲେ ୭ ଦିନରେ ରିପୋର୍ଟ ଆସିବ। ମୁଖ୍ୟମନ୍ତ୍ରୀ କହିଲେ ୧୫ ଦିନରେ କ୍ଷତିପୂରଣ ପ୍ରଦାନ କରାଯିବ। କିନ୍ତୁ ୨ ସପ୍ତାହ ପରେ ବି କ୍ଷୟକ୍ଷତିର ଆକଳନ କରିବାକୁ ପହଞ୍ଚିପାରିନାହିଁ ସରକାରୀ ଟିମ। ତେଣୁ ଏହି ଅଭିଯୋଗ ଆଧାରରେ ବିଜେପି ଲୋକଙ୍କ ପାଖରେ ପହଞ୍ଚିବ ବୋଲି ଅଭିଯୋଗ ଫର୍ଦ୍ଦରେ ଉଭୟ ମତ ରଖିଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।