News 18 Odia Digital
ଭୁବନେଶ୍ୱର; ବରିଷ୍ଠ ବିଜେପି ନେତା ତଥା ଦେଶର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତ ସରିଛି । ହେଲେ ରାଜ୍ୟ ବିଜେପି ନେତା ଓ ଅଧିକାରୀଙ୍କ ଟେନସନ ସରୁନାହିଁ । ଶାହା ଦେଇଥିବା ଟାସ୍କକୁ କିଭଳି କାର୍ଯ୍ୟକାରୀ କରାଯିବ ତାକୁ ନେଇ ଏବେ ଦଳୀୟ ନେତା ମାନେ ଚିନ୍ତାରେ ପଡିଯାଇଛନ୍ତି ।
ନିକଟରେ ବିଜେପି ରାଜ୍ୟ ମୁଖ୍ୟାଳୟରେ ଦଳର ବରିଷ୍ଠ ଅଧିକାରୀ ତଥା ନେତାଙ୍କୁ ନେଇ ଆୟୋଜିତ ରୁଦ୍ଧ ଦ୍ୱାର ବୈଠକରେ ଉପସ୍ଥିତ ଥିଲେ ଅମିତ ଶାହ । ବ୍ୟକ୍ତିଗତ ଭାବେ ଦଳୀୟ କାର୍ଯ୍ୟକ୍ରମ ଓ କାର୍ଯ୍ୟ କରିବାର ଶୈଳୀକୁ ନେଇ ସେ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଦଳୀୟ ନେତାଙ୍କୁ ଅନେକ ପ୍ରଶ୍ନ ମଧ୍ୟ କରିଥିଲେ । ଏହି ସମୟରେ ଦଳର ବିଭିନ୍ନ ନେତା ଓ କର୍ମକର୍ତ୍ତାଙ୍କୁ ଭେଟିଥିଲେ । ଏଥି ସହିତ ସଙ୍ଗଠନକୁ ସୁଦୃଢ କରିବା ନେଇ ପୁଣିଥରେ ଦେଇଥିଲେ କିଛି ଟାସ୍କ, ଯାହାକୁ କାର୍ଯ୍ୟକାରୀ କରିବାକୁ ଟେନସନରେ ଅଛନ୍ତି ଦଳର ସଂଖ୍ୟାଧିକ ନେତା । ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟକ୍ରମ ବାବଦରେ ଦିଆ ଯାଇଥିବା ଟାକ୍ସକୁ ସଠିକ ଭାବେ ଏବଂ ଶୀଘ୍ର କାର୍ଯ୍ୟ କରାଯାଉନଥିବାରୁ ସେ କ୍ଷୋଭ ପ୍ରକାଶ କରିଥିଲେ । ଏହା ସହିତ ଗାଁ , ୱାର୍ଡ ଓ ବୁଥ ସ୍ତରରେ ଅର୍ଥାତ ତୃଣମୂଳ ସ୍ତରରେ ଦଳର ସଂଗଠନକୁ ମଜଭୁତ କରିବା, ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିଫଳତା ଏବଂ ମୋଦି ସରକାରଙ୍କ ସଫଳ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ ।
ଘରେ ଘରେ ପଦ୍ମ ଫୁଲ ଅଙ୍କିବା ପାଇଁ ଟାକ୍ସ ଦେବା ସହିତ କଠିନ ପରିଶ୍ରମ କରି ଜୋରଦାର ଢଙ୍ଗରେ ଲଢେଇ ଆରମ୍ଭ କଲେ ହିଁ ରାଜ୍ୟରେ ଡବଲ ଇଂଜିନ୍ ସରକାର ଆସିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେପି ନେତା ରବି ନାୟକ କହିଛନ୍ତି, ଏହା ସମ୍ପୂର୍ଣ୍ଣ ଭାବେ ଦଳୀୟ ବିଚାର ବିମର୍ଷ ପ୍ରକ୍ରିୟା । ଦଳୀୟ ନେତା ଓ ଅଧିକାରୀଙ୍କ ମନୋବଳ ବୃଦ୍ଧି କରିବା ଏହି ଆଲୋଚନାର ମୁଖ୍ୟ ଲକ୍ଷ୍ୟ ଥିଲା। ତେବେ ଦଳୀୟ ସଙ୍ଗଠନ ବାବଦରେ ଦେଇଥିବା ଟାସ୍କ ସହଜ ନଥିଲେ ବି ତାକୁ ଆମେ ପୁରା କରିବୁ ।
ସେହିପରି ଦଳର ଅନ୍ୟତମ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ କହିଛନ୍ତି ଯେ, ଏହା ଏକ ଦଳୀୟ ପ୍ରକ୍ରିୟା । କିନ୍ତୁ ଏହାପରେ ଦଳୀୟ ସଂଗଠନକୁ ମଜଭୁତ କରିବା ଉପରେ ଆମର ଫୋକସ ରହିବ । ତେବେ ରାଜନୀତି ସମୀକ୍ଷକ ଅକ୍ଷୟ ସାହୁଙ୍କ ମତରେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶା ଗସ୍ତ ସମୟରେ ଶାହା ଏଭଳି ଟାସ୍କ ଦେଇଥିଲେ । କିନ୍ତୁ ତାହା କେତେଦୂର ସଫଳ ହେଲା ତାହା ସେହି ସାଧାରଣ ନିର୍ବାଚନରେ ପ୍ରତିଫଳିତ ହେଲା । ତେବେ ଏଥର ଶାହା ଦେଇଥିବା ଟାସ୍କକୁ କାର୍ଯ୍ୟକାରୀ କରିବା ପାଇଁ ଦଳୀୟ ନେତା ତଥା ଅଧିକାରୀମାନେ ଚିନ୍ତାରେ ରହିବା ସ୍ୱାଭାବିକ । ଏହାଦ୍ୱାରା ଦଳ ଅଧିକ ଫୋକସରେ ରହିବ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।