ଜୀବନ ମଞ୍ଚରୁ ଓହ୍ଲେଇଗଲେ ‘ଶାଗୁଣା ବସିଛି ଡେଣା ମେଲାଇ’ ନାଟକର ଭିକୁ ସେଠ୍

୯୦ ଦଶକରେ ଜନତା ଗଣନାଟ୍ୟର ଲୋକପ୍ରିୟ ନାଟକ ‘ଶାଗୁଣା ବସିଛି ଡେଣା ମେଲାଇ’ରେ ଭିକୁ ସେଠ୍ ଭୂମିକା ମହେନ୍ଦ୍ର ଦାସଙ୍କୁ ରାତାରାତି ଷ୍ଟାର କରି ଦେଇଥିଲା । କୋଭିଡ କଟକଣା ଯୋଗୁଁ ୬ ମାସ ହେଲା ଯାତ୍ରା ବନ୍ଦ ଥିବାରୁ ସେ ମାନସିକ କଷ୍ଟରେ ଥିଲେ ।

ଜୀବନ ମଞ୍ଚରୁ ଓହ୍ଲେଇଗଲେ ‘ଶାଗୁଣା ବସିଛି ଡେଣା ମେଲାଇ’ ନାଟକର ଭିକୁ ସେଠ୍
ଭିକୁ ସେଠ୍ ଭୂମିକାରେ ମହେନ୍ଦ୍ର ଦାସ; (ଡାହାଣ) ଭୂମିକା ବାହାରେ ସେ
  • News18 Odia
  • Last Updated: September 12, 2020, 10:58 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଆଉ ଯାତ୍ରା ପେଣ୍ଡାଲରେ ଶୁଣିବାକୁ ମିଳିବ ନାହିଁ ଭିକୁ ସେଠ୍‌ ବା ମହେନ୍ଦ୍ର ଦାସଙ୍କ (Bhiku Seth Mahendra Das) ସେହି ଛାତିଥରା ଅଟ୍ଟହାସ୍ୟ । ମନରେ ଶିହରଣ ସୃଷ୍ଟି କରୁଥିବା ତାଙ୍କର ସେହି ଡାଇଲଗ୍‌ ବି ଦର୍ଶକ ଆଉ ତାଙ୍କ ମୁହଁରୁ ଶୁଣିବାକୁ ପାଇବେ ନାହିଁ । ମାତ୍ର ୫୫ ବର୍ଷ ବୟସରେ ଇହ ଧାମ ତ୍ୟାଗ କରିଛନ୍ତି ୯୦ ଦଶକର ବହୁଚର୍ଚ୍ଚିତ ନାଟକ ‘ଶାଗୁଣା ବସିଛି ଡେଣା ମେଲାଇ’ରେ (Shaguna Basichhi Dena Melai) ମୁଖ୍ୟ ଖଳନାୟକ ଭୂମିକାରୁ କୋଟି ଓଡ଼ିଆଙ୍କ ମନ ଜିଣିଥିବା ଯାତ୍ରା ଜଗତର ଏହି କିମ୍ବଦନ୍ତି ପୁରୁଷ ।

ଆଜି ସକାଳ ପ୍ରାୟ ୧୧ଟା ୪୫ ମିନିଟ ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ମହେନ୍ଦ୍ର ଦାସ । ଏହା ପରେ ତାଙ୍କୁ ଚୌଦ୍ବାର ସ୍ଥିତ ବାସଭବନରୁ ନେଇ ନିକଟସ୍ଥ ଏକ ବେସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତା’ ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ କଟକସ୍ଥ ଏସସିବି ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଉଥିଲା । କିନ୍ତୁ ବଡ଼ ମେଡିକାଲରେ ପହଞ୍ଚିବା ପୂର୍ବରୁ ବାଟରେ ହିଁ ହୃଦଘାତ ଯୋଗୁଁ ଆଖି ବୁଜି ଦେଇଥିଲେ ଏହି ଅଭିନେତା (Bhiku Seth dies)।

ମହେନ୍ଦ୍ର ଦାସଙ୍କ ଅକାଳ ବିୟୋଗର ଖବର ପୂରା ଯାତ୍ରା ଜଗତକୁ ସ୍ତବ୍ଧ କରି ଦେଇଥିଲା ଓ ତାଙ୍କ ପରିବାର ଲୋକଙ୍କୁ ଶୋକ ସାଗରରେ ଭସାଇ ଦେଇଛି । ସେ ପୁରୀ ବାସିନ୍ଦା ହୋଇଥିବାରୁ ସ୍ବର୍ଗଦ୍ବାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି ।

ଲୋକପ୍ରିୟ ନାଟକ ‘ଶାଗୁଣା ବସିଛି ଡେଣା ମେଲାଇ’ରେ ଭିକୁ ସେଠ୍‌ ଚରିତ୍ରରୁ ନୂଆ ପରିଚୟ ପାଇଥିବା ମହେନ୍ଦ୍ର ଦାସ ୧୯୬୫ ମସିହାରେ ଚନ୍ଦନପୁର କୁଶପଦା ଠାରେ ଜନ୍ମ ଗ୍ରହଣ କରିଥିଲେ । ପିଲାଟି ଦିନରୁ ଅଭିନୟ ପ୍ରତି ତାଙ୍କର ରୁଚି ଥିଲା । ଏହି ଚୁଚି ତାଙ୍କୁ ଯାତ୍ରା ଅଭିନୟ ପାଇଁ ପ୍ରେରଣା ଯୋଗାଇଥିଲା ।

‘ଶାଗୁଣା ବସିଛି ଡେଣା ମେଲାଇ’ରେ ଭିକୁ ସେଠ୍ ଭୂମିକାରେ ମହେନ୍ଦ୍ର ଦାସ


୧୯୮୫ ମସିହାରେ ପ୍ରଥମେ ଶାତଶଙ୍ଖ ଯାତ୍ରା ପାଟିରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ ମହେନ୍ଦ୍ର, କିନ୍ତୁ ଜନତା ଗଣନାଟ୍ୟର ‘ଶାଗୁଣା ବସିଛି ଡେଣା ମେଲାଇ’ ନାଟକରେ ଭିକୁ ସେଠ୍‌ ଭୂମିକାରେ ତାଙ୍କ ଅଭିନୟ ତାଙ୍କୁ ରାତାରାତି ଷ୍ଟାର କରି ଦେଇଥିଲା । ମହେନ୍ଦ୍ର ଦାସ ପରିବର୍ତ୍ତେ ଭିକୁ ସେଠ୍‌ ନାଁରେ ସେ ପରିଚିତ ହୋଇଥିଲେ । ଏହି ନାଟକର ସଫଳତା ପରେ ପରେ ସେ ପାଖାପାଖି ୧୫ଟି ଅପେରା ପାର୍ଟିରେ ଶତାଧିକ ନାଟକରେ ଅଭିନୟ କରିଛନ୍ତି । ଏବେ ସେ ପାର୍ବତୀ ଗଣନାଟ୍ୟରେ ମୁଖ୍ୟ ଖଳନାୟକ ଚରିତ୍ରରେ ଅଭିନୟ କରୁଥିଲେ ।

ନିଜର ସ୍ବତନ୍ତ୍ର ଡାଇଲଗ୍ ଡେଲିଭେରି ଓ ଦମଦାର କଣ୍ଠ ସ୍ୱର ଥିଲା ମହେନ୍ଦ୍ରଙ୍କର ସ୍ବତନ୍ତ୍ର ପରିଚୟ । ମୁଖ୍ୟତଃ ଖଳନୟକ ଚରିତ୍ରରେ ଅଭିନୟ କରୁଥିବା ଏହି ଅଭିନେତା ଜଣକ ଅଭିନୟରେ ଏତେ ପ୍ରବୀଣ ଥିଲେ ଯେ ତାଙ୍କର ଜୀବନ୍ତ ଅଭିନୟ ଦର୍ଶକଙ୍କ ମଧ୍ୟରେ ଭୟ ସୃଷ୍ଟି କରୁଥିଲା । ଯାତ୍ରା ପେଣ୍ଡାଲରେ ତାଙ୍କର ଏଣ୍ଟ୍ରି ସମୟରେ କରତାଳି ଦେଇ ସ୍ବାଗତ କରୁଥିଲେ ଦର୍ଶକ ।

‘‘‘ଶାଗୁଣା ବସିଛି ଡ଼େଣା ମେଲାଇ’ ନାଟକ ସେତେବେଳେ ବହୁତ ଚର୍ଚ୍ଚାରେ ଥିଲା । ସେଥିରେ ଅଭିନୟ କରିଥିବା ଭିଲିଆନ୍‌ ଭିକୁ ସେଠଙ୍କ ଡାଇଲଗର ଲୋକପ୍ରିୟତା ତ କାହିଁରେ କଣ ଥିଲା । ପ୍ରଥମ ଥର ଖଣ୍ଡଗିରୀ ମେଳାରେ ସେହି ନାଟକ ଦେଖିବାକୁ ଯାଇଥିଲି । ଭିକୁ ସେଠଙ୍କ ବାବଦରେ ଯାହା ଶୁଣିଥିଲି ସେଇୟା ହିଁ ଅନୁଭବ କଲି । ପ୍ରକୃତରେ ତାଙ୍କ ଭଳି ଅଭିନେତା ଯାତ୍ରାରେ ଆଉ ନାହାଁନ୍ତି । ମହେନ୍ଦ୍ର ଦାସଙ୍କୁ ମିସ୍‌ କରିବି,’’ କହିଛନ୍ତି କଟକ ବାସିନ୍ଦା ଯାତ୍ରା ପ୍ରେମୀ କାଳି ପ୍ରସନ୍ନ ପାଣିଗ୍ରାହୀ ।

ଯାତ୍ରା ପେଣ୍ଡାଲରେ ଭିକୁ ସେଠର ଅଭିନୟକୁ ଦେଖି ଯାତ୍ରା ଦେଖିବାକୁ ଯାଇଥିବା ଅନେକ ମହିଳା ତାଙ୍କୁ ଗାଳି କରୁଥିଲେ । ‘‘ତାହା ଥିଲା ମହେନ୍ଦ୍ର ଦାସଙ୍କ Dଭିନୟର ସଫଳତା । ଅନେକ ମହିଳା ତାଙ୍କୁ ଗାଳି କରୁଥିବା ମୁଁ ଦେଖିଛି । ତାଙ୍କ ଭଏସ... ଆଉ ଯେଉଁ ଭଳି ଭାବେ ସେ ଶବ୍ଦ ଉଚ୍ଚାରଣ କରନ୍ତି… ସାଧାରଣ ଲୋକ ତ ଡରିଯିବ । ତାଙ୍କ ଭଳି ଅଭିନେତା ଆଉ କାହାନ୍ତି?’’ ପଚାରିଛନ୍ତି କଟକର ଆଉ ଜଣେ ଯାତ୍ରା ପ୍ରେମୀ ରଞ୍ଜନ ମଲ୍ଲିକ ।

ଏହା ବି ପଢ଼ନ୍ତୁ | ଏହି ଯୁବକ UPSC ପରୀକ୍ଷାରେ ୫ ଥର ଫେଲ୍ ହେଲେ; ଷଷ୍ଠ ଥରରେ ପାସ୍ କରି IAS ହେଲେ

ଏହା ବି ପଢ଼ନ୍ତୁ | ବାୟୁସେନାରେ ରାଫେଲ ବିମାନର ଗୃହପ୍ରବେଶ: ୧୦ଟି ବିନ୍ଦୁରେ ଜାଣନ୍ତୁ କିଛି ବିଶେଷ ତଥ୍ୟ

କୋଭିଡ କଟକଣା ଯୋଗୁଁ ପ୍ରାୟ ଛଅ ମାସ ହେଲା ରାଜ୍ୟରେ ଯାତ୍ରା ବନ୍ଦ ରହିଛି । ଏହା ମହେନ୍ଦ୍ର ଦାସଙ୍କୁ ଭୀଷଣ ମାନସିକ ଯନ୍ତ୍ରଣା ଦେଉଥିଲା । ବିଶେଷ କରି ଯାତ୍ରା କାଳାକାର ସଙ୍ଘର ଉପସଭାପତି ଥିବାରୁ ଯାତ୍ରା କଳାକାରଙ୍କ ଦୁର୍ଦଶା ସହିତ କଳାକାରମାନଙ୍କ ଭବିଷତକୁ ଦେଖି ସେ ମାନସିକ ରୂପେ ଭାଙ୍ଗି ପଡ଼ିଥିଲେ । ତାଙ୍କର ଯାତ୍ରା ପାର୍ଟିର ମାଲିକ ତାଙ୍କର ପାରିଶ୍ରମିକ ଦେଉ ନ ଥିବାରୁ ବି ସେ ଅନେକ ଦିନ ହେଲା ଦୁଖଃରେ ଥିଲେ ବୋଲି କହିଛନ୍ତି ତାଙ୍କ ନିକଟ ସମ୍ପର୍କୀୟମାନେ ।



‘‘ସେ ସିନା ଖଳନାୟକ ଭୂମିକା କରୁଥିଲେ, କିନ୍ତୁ ଲୋକ ହିସାବରେ ସେ ବହୁତ ସରଳ ଆଉ ନୀରିହ ଥିଲେ । ତାଙ୍କୁ ଯାତ୍ରା ପାର୍ଟି ମାଲିକମାନେ ବହୁତ ହଇରାଣ କରିଛନ୍ତି । ତାଙ୍କର ଟଙ୍କା ପଇସା ବାକି ରଖି ସେ ମାଗିବା ପରେ ବି ଦେଇ ନାହାଁନ୍ତି । କିଛି ଦିନ ହେଲା ସେ ବହୁତ ହଇରାଣ ହେଉଥିଲେ,’’ କହିଛନ୍ତି ମହେନ୍ଦ୍ରଙ୍କ ପଡ଼ୋଶୀ ଶୁଭେନ୍ଦୁ ଭୁୟାଁ ।
Published by: Anand Shankar Thankur Das
First published: September 12, 2020, 10:58 PM IST
corona virus btn
corona virus btn
Loading