ସୋସାଇଟି ଆକ୍ଟରେ ପଞ୍ଜିକୃତ ହେଲା ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ

ସୋସାଇଟି ଆକ୍ଟରେ ପଞ୍ଜିକୃତ ହେଲା ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ। ଅକ୍ଟୋବର ୩୧ରେ ପ୍ରଦର୍ଶିତ ହେବ ଆକର୍ଷଣୀୟ ଡିଜାଇନ।

ସୋସାଇଟି ଆକ୍ଟରେ ପଞ୍ଜିକୃତ ହେଲା ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ

ସୋସାଇଟି ଆକ୍ଟରେ ପଞ୍ଜିକୃତ ହେଲା ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ପୁରୀ: ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ଶେଷରେ ସୋସାଇଟି ଆକ୍ଟରେ ପଞ୍ଜୀକୃତ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପଞ୍ଜିକରଣ ପାଇଁ ହୋଇଥିବା ଆବେଦନକୁ ଗ୍ରହଣ କରାଯାଇଛି। ସେହି ଅନୁଯାୟୀ ପଞ୍ଜିକୃତ ନମ୍ବର ବି ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରାଯାଇଛି।

ଅନ୍ୟପଟେ ଶୁକ୍ରବାର ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଯେଉଁଥିରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନାଙ୍କ ସମେତ ବିର୍ଲା ଫାଉେଣ୍ଡସନ୍‌ ଓ ଆର୍କିଟେକ୍ଟ ସଂସ୍ଥାର ଅଧିକାରୀମାନେ ଉପସ୍ଥିତ ଥିଲେ।

ବୈଠକରେ ଗୁରୁକୁଳ ଡିଜାଇନ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି। ଅଧିକାରୀମାନେ ଡିଜାଇନ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରିଛନ୍ତି। ଅନ୍ୟପଟେ ଆସନ୍ତା ଅକ୍ଟୋବର ୩୧ ତାରିଖରେ ଏ ଉପରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ହେବାକୁ ଯାଉଛି। ଯେଉଁଥିରେ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ, ପରିଚାଳନା କମିଟି ସଦସ୍ୟ, ବିର୍ଲା ଫାଉଣ୍ଡେସନ୍‌ର କର୍ମକର୍ତ୍ତା ଉପସ୍ଥିତ ରହିବେ।
ମିଳିଥିବା ସୂଚନା ମୁତାବକ, ଏହି ବୈଠକରେ ଆର୍କିଟେକ୍ଟ ସଂସ୍ଥା ଏଲସିଡି ଜରିଆରେ ଆଦର୍ଶ ଗୁରୁକୁଳ ଡିଜାଇନ ପ୍ରଦର୍ଶନ କରିବ। ଏହି ଡିଜାଇନ ମନ ପସନ୍ଦ ହେଲେ ଅନୁମୋଦନ ଲାଭ କରିବ। ସେହି ଅନୁଯାୟୀ ବିର୍ଲା ଫାଉଣ୍ଡେସନ୍‌ ସହ ଏମଓୟୁ ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।

ସୂଚନାଯୋଗ୍ୟ, ପୁରୀ ପୌରାଞ୍ଚଳ ଅଧୀନ ମାଟିତୋଟାରେ ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ପାଇଁ ପ୍ରାୟ ୨୨ ଏକର ଜାଗା ଚିହ୍ନଟ ହୋଇଥିବାବେଳେ ପ୍ରାୟ ୨୦ କୋଟି ଟଙ୍କା ବ୍ୟୟରେ ଏହି ସେବାୟତ ଗୁରୁକୁଳ କୋଠା ସହ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ ପୂର୍ଣ୍ଣାଙ୍ଗ ରୂପ ନେବ। ଏହାର ସୁପରିଚାଳନା ପାଇଁ ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ସୋସାଇଟି ଗଠନ ହୋଇଛି। ଯାହାର ସଭାପତି ଗଜପତି ମହାରାଜ ରହିବେ‌ ବୋଲି ନିଷ୍ପତ୍ତି ହୋଇଛି। ସେହିଭଳି ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ, ଚାଟାର୍ଡ ଆକାଉଣ୍ଟାଣ୍ଟ, ସେବାୟତ ପ୍ରତିନିଧି ଭାବେ ମାଧବଚନ୍ଦ୍ର ପୂଜାପଣ୍ଡାଙ୍କ ସହ କିଛି ଶିକ୍ଷାବିତ୍‌ ଏହି ସୋସାଇଟିର ସଦସ୍ୟ ରହିବେ। ଗୁରୁକୁଳର ବିକାଶ ତଥା ଚଳାଇବା ପାଇଁ ସ୍ବତନ୍ତ୍ର ଭାବେ ଶ୍ରୀମନ୍ଦିର ଗୁରୁକୁଳ ପାଣ୍ଠି ଗଠନ ହେବ। ସେବାୟତ ଗୁରୁକୁଳ ପାଇଁ ସୁପ୍ରିମକୋର୍ଟ ଯେଉଁ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ ତାହା ଶ୍ରୀମନ୍ଦିର ଗୁରୁକୁଳ ପାଣ୍ଠିରେ ଜମା ରହିବ।

ଏ ଭିତରେ ୨୦୨୨-୨୩ ଆର୍ଥିକ ବଜେଟ୍‌ରେ ବି ପୁଣି ୫ କୋଟି ଟଙ୍କାର ଅନୁଦାନ ଆଦର୍ଶ ଗୁରୁକୁଳ ପାଇଁ ମଞ୍ଜୁର ହୋଇଛି। ବିର୍ଲା ମେଡିକାଲ୍‌ ରିସର୍ଚ୍ଚ ଆଣ୍ଡ୍‌ ଏଜୁକେସନ୍‌ ଫାଉଣ୍ଡେସନ୍‌ ଏହି ଗୁରୁକୁଳ ଚଳାଇବ ବୋଲି ନିଷ୍ପତ୍ତି ହୋଇଛି। ସିବିଏସଇ ଢ଼ାଞ୍ଚାରେ ବିଦ୍ୟାଳୟ ଚଳାଇବାକୁ ନିଷ୍ପତ୍ତି ହୋଇଥିବାବେଳେ ଖୁବ୍ ଶୀଘ୍ର ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ସୋସାଇଟି ସହ ବିର୍ଲା ଫାଉଣ୍ଡେସନ୍‌ର ଏମଓୟୁ ସ୍ବାକ୍ଷର ହେବ ବୋଲି ଜଣାପଡ଼ିଛି। ଗୁରୁକୁଳ ଚଳାଇବା ପାଇଁ ବିର୍ଲା ମେଡିକାଲ୍‌ ରିସର୍ଚ୍ଚ ଆଣ୍ଡ୍‌ ଏଜୁକେସନ୍‌ ଫାଉଣ୍ଡେସନ୍‌ ୧ କୋଟି ଟଙ୍କାର ଆର୍ଥିକ ସହାୟତା ପର୍ଯ୍ୟାୟକ୍ରମେ ପ୍ରଦାନ କରିବ ବୋଲି ସର୍ତ୍ତ ରଖାଯାଇଛି। ଆହୁରି ସର୍ତ୍ତ ରଖାଯାଇଛି କି ଜାଗା, ଗୁରୁକୁଳର ପାଠ୍ୟ ଉପରକରଣ, ଆସବାବପତ୍ର ଆଦି ସୋସାଇଟି ନାଁରେ ରହିବ। ଯେଉଁ ଏମଓୟୁ ସ୍ବାକ୍ଷର ହେବ, ତାହା ୧୦ ବର୍ଷ ପାଇଁ ବୈଧ ରହିବା ଆଦି ସର୍ତ୍ତ ରହିବ ବୋଲି ଜଣାପଡ଼ିଛି।
Published by:Lipina Das
First published: