ବଦଳିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ରୂପରେଖା; ୧୦୦ ମିଟର ପରେ ହେବ ଅଭ୍ୟର୍ଥନା କେନ୍ଦ୍ର

ହାଇକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ପ୍ରସଙ୍ଗ ରହିଥିବା ବେଳେ ସେପଟେ ଶ୍ରୀମନ୍ଦିର ସୁରକ୍ଷା ସ୍ଥିତି କଣ ରହିଛି ତା'ର ଅନୁଧ୍ୟାନ କରିଥିଲା ଏଏସଆଇ। ଓଡ଼ିଶା ସର୍କଲର ମୁଖ୍ୟ ଆର୍କିଓଲୋଜିକାଲ ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକଙ୍କ ସହ ୪ ଜଣିଆ ଟିମ।

ବଦଳିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ରୂପରେଖା

ବଦଳିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ରୂପରେଖା

  • Share this:
News18 Odia Digital

ପୁରୀ: ବଦଳିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ରୂପରେଖା। ନିଷିଧାଞ୍ଚଳ ବାହାରେ ଅର୍ଥାତ ୧୦୦ ମିଟର ପରେ ହେବ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର। ନ୍ୟାସନାଲ ମନ୍ୟୁମେଣ୍ଟ ଅଥରିଟିର ଅନୁମୋଦନ ଅନୁଯାୟୀ ନିର୍ମାଣ କାର୍ଯ୍ୟ ହେଉଥିବା ବେଳେ ଜୁନ ୨୨ରେ ରହିଛି ହାଇକୋର୍ଟରେ ଶୁଣାଣି।

ହାଇକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ପ୍ରସଙ୍ଗ ରହିଥିବା ବେଳେ ସେପଟେ ଶ୍ରୀମନ୍ଦିର ସୁରକ୍ଷା ସ୍ଥିତି କଣ ରହିଛି ତା'ର ଅନୁଧ୍ୟାନ କରିଥିଲା ଏଏସଆଇ। ଓଡ଼ିଶା ସର୍କଲର ମୁଖ୍ୟ ଆର୍କିଓଲୋଜିକାଲ ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକଙ୍କ ସହ ୪ ଜଣିଆ ଟିମ ଆସି ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଅନୁଧ୍ୟାନ କରିବା ସହ ନିର୍ମାଣ କାର୍ଯ୍ୟର ଫଟୋଗ୍ରାଫି କରିଛନ୍ତି। ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକଙ୍କ ନେତୃତ୍ୱରେ ଆସିଥିବା ଏହି ଟିମ ନିର୍ମାଣ କାମର ଭିଡ଼ିଓ ଗ୍ରାଫି ଓ ଡକ୍ୟୁମେଣ୍ଟସନ କରି ଥିଲେ। ଏହା ସହ ଭର୍ଚୁଆଲ ବୈଠକରେ ଏଏସଆଇ ଡିଜିଙ୍କ ସହ କରିଥିଲେ ଆଲୋଚନା। ଜୁନ ୨୨ରେ ହାଇକୋର୍ଟରେ ଶୁଣାଣି ଥିବାରୁ ତାହା ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଛି ଏଏସଆଇ। ସେପଟେ ଶୁକ୍ରବାର ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ପ୍ରକଳ୍ପର ସମୀକ୍ଷା କରିଥିଲେ। ତେବେ ଅନୁଧ୍ୟାନ ପାଇଁ ଆସିଥିଲୁ। ଆଉ ରଥଯାତ୍ରା ପାଇଁ ଶ୍ରୀମନ୍ଦିରରେ ସିସିଟିଭି ଲଗାଯିବାକୁ ଥିବାରୁ ତାହାର ଯାଞ୍ଚ ଶ୍ରୀମନ୍ଦିର ପ୍ରଶାସନ ସହ କରାଯାଇଛି ବୋଲି ନିଜେ କହିଛନ୍ତି ଏଏସଆଇ ଓଡ଼ିଶା ସର୍କଲ ମୁଖ୍ୟ ସୁପରିଟେଣ୍ଡିଂ ଆର୍କିଓଲୋଜିଷ୍ଟ ଅରୁଣ ମଲ୍ଲିକ।

ଶ୍ରୀମନ୍ଦିର ପ୍ରଶାସନ ସୁଚନା ଅନୁଯାୟୀ, "ପରିବର୍ତ୍ତିତ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ରୂପରେଖ। ନିଷିଧାଞ୍ଚଳ ବାହାରେ ଅର୍ଥାତ ୧୦୦ ମିଟର ପରେ ହେବ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଗଠିତ ସାଂସ୍କୃତିକ ଉପଦେଷ୍ଟା କମିଟିର ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ନିଆଯାଇଛି ନିଷ୍ପତ୍ତି। ଆଉ ସଂଶୋଧିତ ଡିଜାଇନରେ ଭରି ରହିବ ଆଧ୍ୟାତ୍ମିକତା। ଯେଭଳି ମୁଖ୍ୟ ମନ୍ଦିରର ଦୃଶ୍ୟପଟରେ ଏହା କୌଣସି ପ୍ରଭାବ ବା ବାଧା ସୃଷ୍ଟି କରିବ ନାହିଁ ସେଥିପ୍ରତି ଦୃଷ୍ଟି ଦିଆଯିବ। ପ୍ରତ୍ନତତ୍ତ୍ୱ ବିଭାଗର ଡିଜିଙ୍କ ପରାମର୍ଶ ଅଧୀନରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଆଉଟର ଆକ୍ସେସ ରୋଡ଼ର ନିର୍ମାଣ ନେଇ ମଧ୍ୟ ନିଷ୍ପତ୍ତି ହୋଇଛି। ଆଉ ପ୍ରକଳ୍ପ ବାହାରେ ସାହିବାସିନ୍ଦାଙ୍କ ଗମନାଗମନ ପାଇଁ ଏକ ରାସ୍ତା ନିର୍ମାଣ ଆବଶ୍ୟକ ଜମିରେ କରାଯିବ। ଦରକାର ପଡ଼ିଲେ ଆଉ କିଛି ଜମି ଅଧିଗ୍ରହଣ ହୋଇପାରେ।’’

ଏଏସଆଇ ଓ ଶ୍ରୀମନ୍ଦିର ପ୍ରଶାସନ ଶୁକ୍ରବାର ଭିନ୍ନ ଭିନ୍ନ ଭାବରେ ଯାଇ ପ୍ରକଳ୍ପ ଅନୁଧ୍ୟାନ କରିବା ନେଇ ଚର୍ଚ୍ଚା ଜୋର ଧରିଛି। ସେପଟେ ଏହାକୁ ନେଇ ଏଏସଆଇ ପକ୍ଷରୁ କୌଣସି ସନ୍ତୋଷଜନକ ପ୍ରତିକ୍ରିୟା ମିଳିନାହିଁ। ତେବେ ପ୍ରଶାସନ ତା'ର ଦଖଲ କରିଥିବା ଜାଗାରେ ପ୍ରକଳ୍ପ କାର୍ଯ୍ୟ କରି ଶେଷ କରିବାକୁ ଅନୁରୋଧ କରିଛନ୍ତି ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର।

ଗୋଟିଏ ପଟେ ପ୍ରକଳ୍ପ ନିର୍ମାଣକୁ ନେଇ ବିବାଦ ପିଛା ଛାଡୁନଥିବା ବେଳେ ଏପଟେ କିନ୍ତୁ ପ୍ରଶାସନ ରଥଯାତ୍ରା ପୂର୍ବରୁ ପ୍ରକଳ୍ପର ଅନେକ ଅଂଶକୁ ଶେଷ କରିବାକୁ ଲକ୍ଷ୍ୟ ରଖିଛି। ତେବେ ଚଳିତ ବର୍ଷ ଭକ୍ତମୟ ପରିବେଶରେ ରଥଯାତ୍ରା ହେବାକୁ ଥିବାରୁ ସୁରକ୍ଷା ଓ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ ଦେଇ ଲଗାଯିବ ସିସିଟିଭି। ଶ୍ରୀମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିର ପରିସରରେ ଲଗାଯିବ ୨୩୬ଟି ସିସିଟିଭି। ଆଉ ଏ ନେଇ ଟେଣ୍ଡର ପ୍ରକ୍ରିୟା ହୋଇଥିବା ବେଳେ ଶ୍ରୀମନ୍ଦିର ଭିତରେ ଲଗାଯିବା ନେଇ ଏଏସଆଇ ସହ ଆଲୋଚନା ପରେ କେଉଁଠି ଲଗାଯିବ ସେ ନେଇ ନିଷ୍ପତ୍ତି ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ବୋଲି କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଜଗନ୍ନାଥ କର।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ଶ୍ରୀମନ୍ଦିର ଭିତରେ ଏଏସଆଇ ସହ ଆଲୋଚନା ପରେ ଜିଲ୍ଲାପାଳଙ୍କ ସହ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଆଲୋଚନା କରିଛନ୍ତି। ତେବେ ରଥଯାତ୍ରା କିଭଳି କରାଯିବ ସେ ନେଇ ଜିଲ୍ଲାପାଳ ସମସ୍ତ ବାଡଗ୍ରାହୀଙ୍କ ସହ ବୈଠକ କରିଥିଲେ ।

ସେପଟେ ମେ ୨୦ରେ ଟାଉନହଲରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ବସିବ ରଥଯାତ୍ରା ସମନ୍ୱୟ କମିଟି ବୈଠକ। ସେଥିରେ ରଥଯାତ୍ରାକୁ ନେଇ ପ୍ରସ୍ତୁତି ସହ ୟୁନେସ୍କୋକୁ ପ୍ରସ୍ତାବ ଓ ସହରର ଅନେକ ସମସ୍ୟା ଉପରେ ଆଲୋଚନା କରାଯିବ ବୋଲି କହିଛନ୍ତି
ଜିଲାପାଳ ସମର୍ଥ ବର୍ମା।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ହାଇକୋର୍ଟରେ ମାମଲା ରହିଥିବା ବେଳେ ଏନଏମଏ ଅନୁମତିରେ ଚାଲିଛି ନିର୍ମାଣ କାର୍ଯ୍ୟ। ଆଉ ଶୁକ୍ରବାର ଏଏସଆଇ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କାର୍ଯ୍ୟର ସମୀକ୍ଷା କରିଥିବା ବେଳେ କିଭଳି ଶାନ୍ତିପୁର୍ଣ୍ଣ ଭାବେ ନିର୍ମାଣ କାର୍ଯ୍ୟ ବଢ଼ିବ ତାହାକୁ ନେଇ ଏବେ ଉଠିଛି ପ୍ରଶ୍ନବାଚୀ।
Published by:Lipina Das
First published: