ଚଳିତ ବର୍ଷର ତିନି ରଥକୁ ଜଗନ୍ନାଥ ବଲ୍ଲଭରେ ନିର୍ମାଣାଧୀନ ମ୍ୟୁଜିୟମରେ ସଂରକ୍ଷିତ କରି ରଖାଯାଉଛି

ଚଳିତ ବର୍ଷ ରଥଯାତ୍ରା ଇତିହାସ ସୃଷ୍ଟି କରିଥିବାରୁ ତିନି ରଥକୁ ସଂରକ୍ଷଣ କରି ଭକ୍ତ ଓ ଦର୍ଶନାର୍ଥୀମାନଙ୍କ ପାଇଁ ରଖାଯାଉଛି । ରଥ ସଂରକ୍ଷଣ କମିଟିର ତତ୍ୱାବଧାନରେ ରଥଗୁଡ଼ିକୁ ଭଙ୍ଗା ନ ଯାଇ ଖୋଲା ଯାଇଛି ।

ଚଳିତ ବର୍ଷର ତିନି ରଥକୁ ଜଗନ୍ନାଥ ବଲ୍ଲଭରେ ନିର୍ମାଣାଧୀନ ମ୍ୟୁଜିୟମରେ ସଂରକ୍ଷିତ କରି ରଖାଯାଉଛି
ରଥଗୁଡ଼ିକୁ ଖୋଲି କ୍ରେନ୍ ସାହାଯ୍ୟରେ ସେମାନଙ୍କ ଅଂଶଗୁଡ଼ିକୁ ତଳକୁ ଅଣାଯାଉଛି ।
  • News18 Odia
  • Last Updated: August 9, 2020, 10:04 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ଚଳିତ ବର୍ଷ ପବିତ୍ର ଘୋଷଯାତ୍ରା ଏକ ଐତିହାସିକ ରଥଯାତ୍ରା ହୋଇଥିବା ବେଳେ ତନୋଟି ରଥକୁ ମଧ୍ୟ ସଂରକ୍ଷଣ ରଖି ଆଉ ଏକ ଇତିହାସ କରିବାକୁ ଯାଉଛି ପୁରୀ ଶ୍ରୀମନ୍ଦିର ପ୍ରଶାସନ। ରଥ ସଂରକ୍ଷଣ କମିଟି କରି ତିନି ରଥକୁ ଅତି ଗୁରୁତ୍ୱର ସହ ଖୋଲା ଯାଉଛି । ଚଳିତ ବର୍ଷ ବଦଳିଛି ରଥ ଭାଙ୍ଗିବାର ପରମ୍ପରା । ରଥକୁ ନ ଭାଙ୍ଗି ଖୋଲା ଯାଉଛି । ପ୍ରଥମେ ମା’ ସୁଭଦ୍ରାଙ୍କ ଦେବଦଳନ ରଥକୁ ଖୋଲା ଯାଉଛି । ରଥକୁ ଖୋଲିବା ପାଇଁ ପ୍ରଥମ ଥର କ୍ରେନ ଲଗାଯାଇଥିବା ବେଳେ ଭୋଇ ସେବକଙ୍କ ସହ ବିଶ୍ୱକର୍ମା ମହାରଣା ଓ କମାର ସେବକ ଓ ରଥ ଯାଞ୍ଚର ବୈଷୟିକ କମିଟିଙ୍କୁ ନେଇ ଖୋଲା ଯାଉଛି। ତେବେ 10 ଦିନ ଭିତରେ ଦେବୀଦଳନ ରଥର ଉପର ଅଂଶର ସମସ୍ତ ଅଂଶକୁ ଖୋଲା ଯାଇଥିବା ବେଳେ ସେସବୁ ଟ୍ରକରେ ଲୋଡ଼ କରି ଜଗନ୍ନାଥ ବଲ୍ଲଭରେ ରଖାଯାଉଛି। ପୁଣି ପ୍ରତି ରଥରୁ ବାହାରୁଥିବା ଅଂଶ ବିଶେଷକୁ ସ୍ୱତନ୍ତ୍ର ରଙ୍ଗରେ ଚିହ୍ନ ଦିଆଯାଇ ରଖାଯାଉଛି। ସେପଟେ ତିନି ରଥକୁ ସମ୍ପୁର୍ଣ୍ଣ ଖୋଲା ଯିବା ପରେ ଜଗନ୍ନାଥ ବଲ୍ଲଭର ରଥ ପାର୍କରେ ପୁଣି ରଥକୁ ଯୋଡି ପୂର୍ଣ୍ଣାଙ୍ଗ ରୁପ ଦେଇ ରଖାଯିବ ।

‘‘କୋଭିଡ଼ କଟକଣାକୁ ନେଇ ଚଳିତ ବର୍ଷ ରଥଯାତ୍ରା ଯେଭଳି ବିନା ଭକ୍ତରେ କରାଯାଇଥିଲା। ଏହା ହୋଇଥିଲା ଐତିହାସିକ ରଥଯାତ୍ରା। ସେହି ଅନୁସାରେ ଶ୍ରୀମନ୍ଦିର ପରିଚାଳନା କମିଟି  ଛତିଶା ନିଯୋଗ ବୈଠକରେ ସମସ୍ତ ସଦସ୍ୟ ଚଳିତ ବର୍ଷର ରଥକୁ ସଂରକ୍ଷଣ କରି ରଖିବା ପାଇଁ ପ୍ରସ୍ତାବ ଦେଇଥିଲେ। ସେହି ଅନୁସାରେ ତିନି ରଥକୁ କିଭଳି ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଜଗନ୍ନାଥ ବଲ୍ଲଭରେ ରଥ ପାର୍କରେ ରଖାଯିବ ସେ ନେଇ ଗଠନ କରାଯଇଛି ରଥ ସଂରକ୍ଷଣ କମିଟି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼ କ୍ରୀଷନ କୁମାର ରଥକୁ ନେବା ପାଇଁ  କଣ କଣ ବ୍ୟବସ୍ଥା କରାଯିବ ସେ ନେଇ ମଧ୍ୟ ଆଲୋଚନା କରିଥିଲେ। ରଥ ସଂରକ୍ଷଣ କମିଟି ଓ ବୈଷୟିକ ଟିମ ପକ୍ଷରୁ ଅନେକ ଯାଞ୍ଚ ପରେ ନିଷ୍ପତ୍ତି ହେଲା ଯେ ରଥକୁ ଖୋଲିକି ନିଆଯିବ ଓ ପୁନର୍ବାର ଯୋଡ଼ାଯିବ। ଆଉ ସେହି ଅନୁସାରେ ରଥ ଖୋଲିବା ପ୍ରକ୍ରିୟା କରାଯାଇଛି,’’ କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର ।

ଚଳିତ ବର୍ଷ ରଥ ଭାଙ୍ଗିବା ପରମ୍ପରାରେ ପରିବର୍ତ୍ତନ ହୋଇ ରଥ ଖୋଲା ହୋଇଛି ।


ଜୁଲାଇ 26ରୁ ଆରମ୍ଭ ହୋଇଛି ରଥ ଖୋଲା କାମ । ଚଳିତ ବର୍ଷ ରଥ ଭାଙ୍ଗିବା ପରମ୍ପରାରେ ପରିବର୍ତ୍ତନ ହୋଇ ରଥଖୋଲା କାର୍ଯ୍ୟ ଆରମ୍ଭ ହୋଇଛି। ରଥ ସଂରକ୍ଷଣ କମିଟି, ଭୋଇ ସର୍ଦ୍ଧାର, ତିନି ରଥର ବିଶ୍ୱକର୍ମାଙ୍କ ଉପସ୍ଥିତିରେ ପ୍ରଥମେ ଦେବୀଦଳନ ରଥର ଖୋଲା କାର୍ଯ୍ୟ ପ୍ରାୟ ୯୦ ପ୍ରତିଶତ ସରିଲାଣୀ। ତେବେ କମାର ସେବକମାନେ ପ୍ରଥମ ଥର କରି ରଥ ଭଙ୍ଗା କାର୍ଯ୍ୟରେ ନିୟୋଜିତ ହୋଇ ମେସିନ ଦ୍ୱାରା କଣ୍ଟାକୁ କାଢୁଛନ୍ତି । କମାର ସେବକଙ୍କୁ ରଥ ଉପରକୁ ନେବା ଓ ରଥ ଉପରୁ ଗୋଟି ଗୋଟି କରି ଅଂଶ ବିଶେଷକୁ ତଳକୁ ଆଣିବା ପାଇଁ ବ୍ୟବହାର କରାଯାଉଛି ଗୋଟିଏ କ୍ରେନ। ଯେଉଁ ରଥରୁ ଯାହା କଢାଯିବ ତାକୁ ନମ୍ବରିଂ କରି ରଙ୍ଗରେ ଚିହ୍ନ ଦିଆଯାଇ ରଖାଯାଉଛି। ଦେବୀଦଳନ ରଥ ସରିଲେ ପରେ ତାଳଧ୍ୱଜ ରଥ ଖୋଲାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ପ୍ରଶାସନ ତତ୍ତ୍ୱବଧାରକ ସୁଦର୍ଶନ ମେକାପ।

"ରଥକୁ ଉପର ଅଂଶରୁ ଖୋଲାଯାଉଛି । ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦେବୀଦଳନ ରଥର ଉପର ଅଂଶରୁ ଓଲଟ ଶୁଆ ତାପରେ କଳସ ଖୋଲାଯିବା ପରେ ଅଁଳାବେଢା, ପାରାଭାଡ଼ି, ପୋଟଳ ଆଦି ରଥର ବିଭିନ୍ନ ଅଂଶକୁ ଖୋଲା ଯାଇଛି । ଯାହା ଖୋଲା ଯାଉଛି ତାହା କ୍ରେନ ସାହାଯ୍ୟରେ ଉପର ଅଂଶ ଗୁଡିକୁ ସୁରକ୍ଷିତ ଭାବେ ତଳକୁ ଅଣାଯାଉଛି । ତେବେ ରଥ ଖୋଲିବା କାର୍ଯ୍ୟ ଏକ ମାସ ନୁହେଁ ଅଧିକ ସମୟ ଲାଗିପାରେ,’’ କହିଛନ୍ତି ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ୱକର୍ମା ବିଜୟ ମହାପାତ୍ର।

ରଥଗୁଡ଼ିକୁ ଉପର ଅଂଶରୁ ଖୋଲାଯାଉଛି ।


ରଥକୁ ଖୋଲିବା ପାଇଁ  ପନ୍ଦର ଜଣ ଭୋଇ ସର୍ଦ୍ଦାର, ପାଞ୍ଚଜଣ କମାର ସେବକ, ତିନିରଥର ମୁଖ୍ୟ ମହାରଣା ଏହି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ତା ସହ  ତିନିରଥର ତତ୍ତ୍ୱାବଧାରକ ଓ ରଥ ସଂରକ୍ଷଣ କମିଟିର ସଦସ୍ୟ ମାନେ ଉପସ୍ଥିତ ଅଛନ୍ତି ।

ଏହା ବି ପଢ଼ନ୍ତୁ | ରାଜସ୍ଥାନରେ ଏକ ପାକିସ୍ତାନୀ ଶରଣାର୍ଥୀ ପରିବାରର ୧୧ ଜଣଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହେଲା

ଏହା ବି ପଢ଼ନ୍ତୁ | କେରଳ ବିମାନ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୧୯; ତଦନ୍ତ ଆରମ୍ଭ ହେଲା; ବିମାନ ବନ୍ଦରରେ ସ୍ଥିତି ଥିଲା ବିପଦଜନକ

ରଥର ପ୍ରତି ଅଂଶ କଢାଯିବା ପରେ  ସେଗୁଡିକୁ ନମ୍ବରିଂ କରି ଚିହ୍ନ ଦିଆଯାଇଛି । ଯେଭଳି କୌଣସି ରଥର ଅଂଶ ବିଶେଷ ଅନ୍ୟ କେଉଁଥିରେ ଲାଗିବ ନାହିଁ । ତା' ସହିତ ଗୋଟିଏ ରଥ ଖୋଲା ଗଲେ ତାର ସବୁ ଜିନିଷକୁ ଟ୍ରକ ସାହାର୍ଯ୍ୟରେ ଜଗନ୍ନାଥ ବଲ୍ଲଭ ପ୍ରମୋଦ ଉଦ୍ୟାନରେ ହେଉଥିବା ମ୍ୟୁଜିୟମର ରଥ ପାର୍କରେ ରଖାଯିବ। ସେହିଠାରେ ରଥକୁ ଯୋଡ଼ାଯିବ ଓ ଯେଉଁ  ଅଂଶ ଭାଙ୍ଗିଥିବ ସେହି ଅଂଶକୁ ନୂଆ ତିଆରି ହେବ।



ରଥ ଖୋଲିବା ପରେ ଯୋଡ଼ା ଯିବା ବେଳେ ରଥ ପାଇଁ ଶାଳ ଶାଗୁଆନ କାଠରେ ପାର୍ଶ୍ୱଦେବତା, ଘୋଡ଼ା , ସାରଥୀ, ଓଲଟ ଶୁଆ ଆଦି ନୂଆ ତିଆରି କରାଯାଇ ପୁର୍ଣ୍ଣାଙ୍ଗ ରଥକୁ ଜଗନ୍ନାଥ ବଲ୍ଲଭରେ ରଖାଯିବ। ରଥ ସଂରକ୍ଷଣ କାର୍ଯ୍ୟ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୧ ଲକ୍ଷ ଟଙ୍କାର ଅର୍ଥ ଅନୁମୋଦନ କରାଯାଇଥିବା ବେଳେ ଦୈନିକ ମଜୁରୀ ହିସାବରେ ରଥ ଖୋଲିବା କାର୍ଯ୍ୟରେ ନିୟୋଜିତ ଲୋକଙ୍କୁ ଦିଆଯିବାର ବ୍ୟବସ୍ଥା ହୋଇଛି,’’ କହିଛନ୍ତି  ମୁଖ୍ୟ ଭୋଇ ସର୍ଦ୍ଦାର ରବି ଭୋଇ।
Published by: Jagdish Barik
First published: August 9, 2020, 10:04 PM IST
corona virus btn
corona virus btn
Loading