News18 Odia Digital
ପୁରୀ: ପୁରୀ ରେଳଷ୍ଟେସନରେ ପହଞ୍ଚିଲା ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ। ସଫଦରଜଙ୍ଗ ଷ୍ଟେସନରେ ପତାକା ଦେଖାଇ ଗତ ବୁଧବାର ଦିନ ରେଳସେବାର ଶୁଭରାମ୍ଭ କରିଥିଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ।
କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ। ପୂର୍ବରୁ ଓଡ଼ିଶା ଗସ୍ତରେ ଆସି କେନ୍ଦ୍ର ରେଳମନ୍ତ୍ରୀ ଜଗନ୍ନାଥ ଏକ୍ସପ୍ରେସ ସମ୍ପର୍କରେ ଘୋଷଣା କରିଥିବା ବେଳେ ଆଜି ଏହି ଟ୍ରେନ୍ ପୁରୀରେ ପହଞ୍ଚିଛି।
ଦିଲ୍ଲୀରୁ ଏହି ଟ୍ରେନ ଗତ ବୁଧବାର ଦିନ ସଫଦରଜଙ୍ଗ ରେଳ ଷ୍ଟେସନ ଛାଡ଼ି ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ ଦେଇ ଓଡ଼ିଶାରେ ପହଁଞ୍ଚିଛି। ଭାରତର କଳା ସଂସ୍କୃତିକୁ ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଆରମ୍ଭ କରିଥିବା ଭାରତ ଗୌରବ ଟ୍ରେନ୍ସ ଯୋଜନାର ଏହା ଏକ ଅଂଶ।

ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ଯାତ୍ରୀଙ୍କୁ ଭବ୍ୟ ସ୍ବାଗତ
ଏହାଦ୍ବାରା ବିଶ୍ବର ଅନେକ ପର୍ଯ୍ୟଟକ ଜଗନ୍ନାଥ ସଂସ୍କୃତି ଦ୍ବାରା ଆକୃଷ୍ଟ ହେବେ। ଏହି ଟ୍ରେନରେ ଜଗନ୍ନାଥ ସଂସ୍କୃତିର ବିଭିନ୍ନ ବିଷୟବସ୍ତୁକୁ ଚିତ୍ରଣ କରାଯାଇଥିବା ବେଳେ ଏହା ମଧ୍ୟରେ ଜଗନ୍ନାଥଙ୍କ ସହିତ ଜଡ଼ିତ ଅନେକ କଥାବସ୍ତୁ ପ୍ରଦର୍ଶିତ କରାଯାଇଛି। ଫଳରେ ଏଥିରେ ଯାତ୍ରା କରୁଥିବା ଟ୍ରେନଯାତ୍ରୀ ଉକ୍ତ କଥାବସ୍ତୁକୁ ଦେଖି ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ଜାଣିବା ସହିତ ଏଥିପ୍ରତି ଆକୃଷ୍ଟ ହେବେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।