News18 Odia Digital
ଭୁବନେଶ୍ୱର: ଖୁବ ଶୀଘ୍ର ପରିବର୍ତ୍ତନ ହୋଇପାରନ୍ତି ରାଜ୍ୟ କଂଗ୍ରେସର ମୁଖିଆ । ନିରଞ୍ଜନ ପଟ୍ଟନାୟକଙ୍କ ସ୍ଥାନରେ ନୂଆ ଚେହେରାକୁ ଖୁବ ଶୀଘ୍ର ଦାୟିତ୍ୱ ମିଳିପାରେ ବୋଲି କଂଗ୍ରେସ କ୍ୟାମ୍ପରେ ଚର୍ଚ୍ଚା ଜୋର ଧରିଛି । ଗୁଜୁରାଟରେ ନୂଆ କାର୍ଯ୍ୟକାରୀ ସଭାପତିଙ୍କୁ ଦାୟିତ୍ୱ ମିଳିବା ପରେ ଏ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଦଳୀୟ ନେତାଙ୍କ ବୟାନ ଏହାକୁ ଅଧିକ ଖୋରାକ ଯୋଗାଇଛି ।
ଓଡ଼ିଶା କଂଗ୍ରେସର ମୁଖିଆ ପଦ ପାଇଁ ଦୌଡ଼ରେ ଦଳର ୧୩ ଜଣ ଆଗ ଧାଡ଼ିର ନେତା ଥିବା ମଧ୍ୟ କଂଗ୍ରେସ ଶିବିରରେ ଆଲୋଚନା ହେଉଛି। ଏହି ପଦ ପାଇଁ ପ୍ରମୁଖ ଦାବିଦାର ଭାବେ ଶରତ ପଟ୍ଟନାୟକ, ଶରତ ରାଉତ, ଭକ୍ତ ଦାସ, ନରସିଂହ ମିଶ୍ର, ଚିରଞ୍ଜୀବୀ ବିଶ୍ୱାଳ, ଜୟଦେବ ଜେନା ଓ ପ୍ରସାଦ ହରିଚନ୍ଦନଙ୍କ ନାଁ ଥିବା କୁହାଯାଉଛି । ୨୦୧୯ ନିର୍ବାଚନରେ କଂଗ୍ରେସର ବଡ଼ ବିପର୍ଯ୍ୟୟ ପରେ ପିସିସି ସଭାପତି ନିଜ ଆଡୁ ଇସ୍ତଫା ଦେଇଥିଲେ ବି ପାର୍ଟି ହାଇକମାଣ୍ଡ ତାହା ଗ୍ରହଣ କରି ନ ଥିଲେ । ତେଣୁ ପୂର୍ବ ପରି ସେ ଦାୟିତ୍ୱରେ ରହିଆସିଛନ୍ତି।
ସେହି ସମୟରେ ଦଳରେ ଅସନ୍ତୋଷ ତେଜିବା ସହ ମୁଖିଆ ପରିବର୍ତ୍ତନ ନେଇ ଦିଲ୍ଲୀରେ ବି କିଛି ଯୁବ ବିଧାୟକ ଲବି କରିଥିଲେ । କିନ୍ତୁ ପିସିସିଙ୍କୁ ପରିବର୍ତ୍ତନ କରାଯାଇ ନ ଥିଲା । ଏବେ ବିଭିନ୍ନ ରାଜ୍ୟରେ ପିସିସି ପରିବର୍ତ୍ତନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଖୁବ ଶୀଘ୍ର ଓଡ଼ିଶାରେ ବି ହୋଇପାରେ ବୋଲି ତୁଙ୍ଗ ନେତାମାନେ ଆଶା ବାନ୍ଧିଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ପିସିସି ପରିବର୍ତ୍ତନର ଆବଶ୍ୟକତା ଅଛି ବୋଲି ମଧ୍ୟ କିଛି ନେତା ଖୋଲା ଖୋଲି ଭାବେ କହିଛନ୍ତି।

ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ
ପିସିସି ପରିବର୍ତ୍ତନ ଚର୍ଚ୍ଚାକୁ ନେଇ ବରିଷ୍ଠ ବିଧାୟକ ସୁର ରାଉତରାୟ କହିଛନ୍ତି, ‘‘ଗୁଜୁରାଟ ରେ ନୂଆ କାର୍ଯ୍ୟକାରୀ ସଭାପତିଙ୍କ ନାଁ ଘୋଷଣା ହେବା ପରେ ଓଡ଼ିଶାରେ ବି ପିସିସି ପରିବର୍ତ୍ତନ ନେଇ ବିଚାର କରୁଛନ୍ତି ହାଇକମାଣ୍ଡ । ରେସରେ ୧୩ ଜଣଙ୍କ ନାଁ ଅଛି । ସବୁ କିଛି ନିଷ୍ପତ୍ତି ହାଇକମାଣ୍ଡଙ୍କ ଉପରେ ନିର୍ଭର କରୁଛି ।’’
ତାଙ୍କ ନାମକୁ ନେଇ ଚାଲିଥିବା ଚର୍ଚ୍ଚା ପ୍ରସଙ୍ଗରେ ସୁର କହିଛନ୍ତି ଯେ ସଭାପତି ପଦ ପାଇଁ ତାଙ୍କର ଇଚ୍ଛା ନାହିଁ । ‘‘ଯିଏ ଦାୟିତ୍ୱ ନେବ ତାଙ୍କ ସହ କାମ କରିବୁ । କିନ୍ତୁ ଯୁବ ଗୋଷ୍ଠୀଙ୍କୁ ଦାୟିତ୍ୱ ଦେବା ଉପରେ ପ୍ରାଧାନ୍ୟ ଦିଆଯିବା ଉଚିତ,’’ ସେ କହିଛନ୍ତି ।
ବରିଷ୍ଠ କଂଗ୍ରେସ ନେତା ତଥା ଏଆଇସିସି ସଦସ୍ୟ ଶରତ ରାଉତ କହିଛନ୍ତି, ‘‘ବିଭିନ୍ନ ସମୟରେ ସ୍ଥିତିକୁ ଦେଖି ପିସିସି ପରିବର୍ତ୍ତନ କରାଯାଇଥାଏ । ଆର୍ଥିକ ସ୍ଥିତି ଓ ସାଙ୍ଗଠନିକ ସ୍ଥିତିକୁ ଦେଖି ନିର୍ବାଚନ ପୂର୍ବରୁ ସଭାପତି ପରିବର୍ତ୍ତନ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ପତିସ୍ଥିତିରେ ପୁନର୍ବାର ପିସିସି ପରିବର୍ତ୍ତନର ଆବଶ୍ୟକତା ରହିଛି । ବିରୋଧୀ ଦଳ ଭାବେ ମୁକାବିଲା କରିବା ପାଇଁ ଜଣେ ଦକ୍ଷ ନେତାଙ୍କର ଆବଶ୍ୟକତା ରହିଛି । ସଙ୍ଗଠନକୁ ଆଗକୁ ନେବା ଭଳି କ୍ଷମତା ଥିବା ଜଣେ ନେତାଙ୍କୁ ଦାୟିତ୍ୱ ଦେବା ଆବଶ୍ୟକ । ସବୁ ନିଷ୍ପତି ହାଇକମାଣ୍ଡଙ୍କ ଉପରେ ରହିଛି ।’’
ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଏ ପ୍ରସଙ୍ଗରେ ମାପିଚୁପି ମତ ରଖିଛନ୍ତି । ‘‘ଏ ସମସ୍ତ ନିଷ୍ପତ୍ତି ଦଳର ହାଇକମାଣ୍ଡଙ୍କ ଉପରେ ନିର୍ଭର କରେ । କିନ୍ତୁ ଯାହା ନିଷ୍ପତ୍ତି ହେବା କଥା ଶୀଘ୍ର ହେବା ଆବଶ୍ୟକ । ନିର୍ବାଚନ ପାଖେଇ ଆସୁଥିବାରୁ ସଙ୍ଗଠନ ଶୀଘ୍ର ପରିବର୍ତ୍ତନ ହେଲେ ସରକାରୀ ଦଳକୁ କାଉଣ୍ଟର କରିବାରେ ସୁବିଧା ହେବ । ତେବେ ବରିଷ୍ଠ ଓ ଯୁବ ନେତାଙ୍କ ମଧ୍ୟରେ ସମନ୍ୱୟ ରଖି କାମ କରିପାରୁଥିବା ଦକ୍ଷ ନେତୃତ୍ୱର ଆବଶ୍ୟକତା ଅଛି,’’ ସେ କହିଛନ୍ତି ।
‘‘କରୋନା ମହାମାରୀ ସମୟରେ ପିସିସି ସଭାପତି ପରିବର୍ତ୍ତନର ପ୍ରଶ୍ନ କାହିଁକି ଉଠୁଛି? ଯେତେବେଳେ ପରିବର୍ତ୍ତନ କରିବା କଥା ହାଇକମାଣ୍ଡ କରିବେ। ଯିଏ ହେବେ ଆମେ ତାଙ୍କୁ ସ୍ବାଗତ କରିବୁ… ମୋ’ ନାଁ ସବୁବେଳେ ପିସିସି ସଭାପତି ଦୌଡ଼ରେ ଥାଏ, କିନ୍ତୁ ମୁଁ ନ ଥାଏ,’’ କହିଛନ୍ତି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ।
ଏହା ବି ପଢ଼ନ୍ତୁ:
ବିକାଶ ଦୁବେର ଦୁଇ ସହଯୋଗୀଙ୍କୁ ମହାରାଷ୍ଟ୍ରରୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ନେଲା ଉତ୍ତର ପ୍ରଦେଶ ପୋଲିସ
ଏହା ବି ପଢ଼ନ୍ତୁ:
ପ୍ରେମରେ ଭଲ ସମ୍ପର୍କ ଓ ଖରାପ ସମ୍ପର୍କ ଭିତରେ କ’ଣ କ’ଣ ପାର୍ଥକ୍ୟ ରହିଛି? ଜାଣନ୍ତୁ
ପିସିସି ସଭାପତି ବଦଳିବା ଚର୍ଚ୍ଚା ପ୍ରସଙ୍ଗରେ ନ୍ୟୁଜ୍୧୮କୁ ଫୋନ ଯୋଗେ ପ୍ରତିକ୍ରିୟା ରଖି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି: ‘‘ଏ ନେଇ ମୋ’ ପାଖରେ କିଛି ଖବର ନାହିଁ । ହୋଇଥାଇପାରେ । କିନ୍ତୁ ଯାହା ହେବ ଆଗକୁ ଭଲ ହେବ ।’’
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।