News 18 Odia Digital
ବ୍ରହ୍ମପୁର; ସହରର ପ୍ରତିଟି ଘର ବୁଲି ବିଏମସିର ସ୍ୱାସ୍ଥ୍ୟ ଟିମ୍ ଲୋକଙ୍କର ସ୍ୱାସ୍ଥ୍ୟ ଯାଞ୍ଚ କରିବେ । ମଧୁମେହ, ରକ୍ତଚାପ, ମେଦବହୁଳତା, ଅକ୍ସିଜେନ ସ୍ତର ସହ ମୋଟ ୭ଟି ରୋଗକୁ ନେଇ ସ୍ୱାସ୍ଥ୍ୟ ପରିକ୍ଷା କରାଯିବ । ରୋଗ ଚିହ୍ନଟ କରାଯିବା ସହିତ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ କାର୍ଡ କରାଯିବ । ସେହି ସ୍ୱାସ୍ଥ୍ୟକାର୍ଡ଼ରେ ଲୋକଙ୍କ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ସମ୍ପର୍କିତ ସୂଚନା ରହିବ । ଏନେଇ ବର୍ତ୍ତମାନ ସମସ୍ତ ପ୍ରକାରର ପ୍ଲାନିଂ ସରିଛି । ମାନବ ସମ୍ବଳ ଓ ମେସିନର ଆବଶ୍ୟକତାକୁ ନେଇ ପ୍ରସ୍ତୁତ ଜାରୀ ରହିଛି । ଖୁବଶୀଘ୍ର ଏହି ରୋଗ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବ । ଯାହାଫଳରେ ସହରରେ କେଉଁ ବୟସର ଲୋକେ କେଉଁ ସବୁ ରୋଗର ଶୀକାର ହେଉଛନ୍ତି ତାହା ସୁବିଧାରେ ଜଣାପଡ଼ିବ । ବିଏମସିର ଏଭଳି ପଦକ୍ଷେପକୁ ଡ଼ାକ୍ତର ଓ ବ୍ରହ୍ମପୁର ବାସିନ୍ଦା ସ୍ୱାଗତ କରିଥିବା ବେଳେ ଖୁବଶୀଘ୍ର ଏହା ଆରମ୍ଭ ହେବା ଆବଶ୍ୟକତା ରହିଛି ବୋଲି ସେମାନେ କହିଛନ୍ତି ।

ସୂଚନା ମୁତାବକ, ସହରବାସୀଙ୍କ ଅକ୍ସଜେନ ସ୍ତର, ରକ୍ତଚାପ, ମେଦ ବହୁଳତା, ମଧୁମେହ ସହ ମୋଟ ୭ଟି ରୋଗର ଯାଞ୍ଚ କରାଯିବ । ଯେଉଁମାନଙ୍କୁ ଏହି ୭ଟି ମଧ୍ୟରୁ କୌଣସି ରୋଗ ରହିଛି ସେମାନଙ୍କୁ ସେଠାରେ ହିଁ ଚିକିତ୍ସା ସେବା ଯୋଗାଇ ଦିଆଯିବ । ଯଦି ଆବଶ୍ୟକ ପଡ଼େ ତେବେ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ସେମାନଙ୍କୁ ନେଇ ଚିକିତ୍ସିତ କରାଯିବ । କେବଳ ଏତିକି ନୁହେଁ ବରଂ ପ୍ରତ୍ୟେକ ଘରର ସମସ୍ତ ସଦସ୍ୟଙ୍କ ତଥ୍ୟ ସହିତ ସେମାନଙ୍କର ସ୍ୱାସ୍ଥ୍ୟ କିଭଳି ରହିଛି, କୌଣସି ରୋଗ ଅଛି କି ନାହିଁ ଏହି ସମସ୍ତ ତଥ୍ୟକୁ ନେଇ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟକାର୍ଡ଼ ପ୍ରସ୍ତୁତ କରାଯିବ । ସ୍ୱାସ୍ଥ୍ୟକାର୍ଡ଼ ତଥା ରୋଗ ଚିହ୍ନଟ ପ୍ରକ୍ରିୟା ନିମନ୍ତେ ସମସ୍ତ ପ୍ଲାନିଂ ଶେଷ ହୋଇଥିବା ବେଳେ ଖୁବଶୀଘ୍ର ମାନବସମ୍ବଳ ଓ ମେସିନ୍ ପ୍ରସ୍ତୁତ କରାଯାଇ କାମ ଆରମ୍ଭ କରାଯିବ ବୋଲି ସୂଚନା ଦେଇଛନ୍ତି,‘‘ ବିଏମସି କମିଶନର ଜେ.ସୋନାଲ ।
ବିଏମସିର ଏଭଳି ସ୍ୱାସ୍ଥ୍ୟଜନିତ ପଦକ୍ଷେପକୁ ଜନସାଧାରଣ ସ୍ୱାଗତ କରିଛନ୍ତି । କାରଣ ରୋଗ ଗୁଡିକ ଖୁବ ସହଜରେ ଜଣାପଡ଼ିବ । ରୋଗକୁ ଜାଣିବା ପରେ ଉଚିତ ଚିକିତ୍ସା ଦ୍ୱାରା ତାହା ଭଲ ମଧ୍ୟ ହୋଇପାରିବ । ଅନେକ ଦୂରାରୋଗରେ ଆକ୍ରାନ୍ତ ହେବା ପୂର୍ବରୁ ଲକ୍ଷଣ ଜନିତ କିଛି ଛୋଟ ଛୋଟ ରୋଗର ଶୀକାର ହୋଇଥାନ୍ତି । ଅବହେଳା କାରଣରୁ ରୋଗ ଭୟଙ୍କର ରୂପ ନେଇଥାଏ । ଏହି କ୍ଷେତ୍ରରେ ମଧ୍ୟ ବିଏମସିର ରୋଗ ଚିହ୍ନଟ ପ୍ରକ୍ରିୟା ବେଶ ସହାୟକ ହେବ ବୋଲି କହିଛନ୍ତି,‘‘ ଡ଼ାକ୍ତର ସୁନୀଲ କୋଟା ।
ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ ଦେଇ ଏଭଳି ପଦକ୍ଷେପ ଗ୍ରହଣ କରିବା ଦ୍ୱାରା ସହରବାସୀ ନିଜର ସ୍ୱାସ୍ଥ୍ୟ ସମ୍ପର୍କରେ ଅବଗତ ହୋଇପାରିବେ । ବ୍ୟସ୍ତବହୁଳ ଜୀବନରେ ଅନେକ ଲୋକେ ନିଜର ଛୋଟ ଛୋଟ ରୋଗ ସମ୍ପର୍କରେ ଜାଣିନଥାନ୍ତି । କିନ୍ତୁ ତାହା ପରବର୍ତ୍ତୀ ସମୟରେ ସ୍ୱାସ୍ଥ୍ୟପ୍ରତି ହାନିକାରକ ହୋଇଥାଏ । ତେଣୁ ରୋଗ ଚିହ୍ନଟ ପ୍ରକ୍ରିୟା ଦ୍ୱାରା ଲୋକେ ନିଜର ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବା ସହିତ ନିଜକୁ କିଭଳି ନିରୋଗ ରଖିପାରିବେ ସେ ନେଇ ମଧ୍ୟ ଅବଗତ ହୋଇପାରିବେ ବୋଲି କହିଛନ୍ତି,‘‘ ବ୍ରହ୍ମପୁର ବାସିନ୍ଦା ମୋହନ ସିଂହାରୀ ।
ଓଡ଼ିଶାରେ ଏଭଳି ରୋଗ ଚିହ୍ନଟ ପ୍ରକ୍ରିୟା ତଥା ସ୍ୱତନ୍ତ୍ର ସ୍ୱାସ୍ଥ୍ୟ କାର୍ଡ଼ ପ୍ରସ୍ତୁତ କରିବାରେ ବ୍ରହ୍ମପୁର ସହର ପ୍ରଥମ । ତେବେ ଏହା କେବେଠାରୁ ସହରରେ ଆରମ୍ଭ ହେଉଛି ଏବଂ ସହରବାସୀ ଏହାଦ୍ୱାରା କେତେ ଉପକୃତ ହେଉଛନ୍ତି ସେ ଉପରେ ଏବେ ସଭିଙ୍କ ନଜର ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।