ବ୍ରହ୍ମପୁରରେ ବୋମାଲୁ କୋଲୁଭୁ ପୂଜା: ଦୁର୍ଗାଙ୍କ ମୂର୍ତ୍ତି ପାଖରେ ପୂଜା ପାଏ କଣ୍ଡେଇ

ନିଆରା ଢ଼ଙ୍ଗରେ ଦଶହରା ପୂଜା ପାଳନ କଲେ ବ୍ରହ୍ମପୁରର ତେଲୁଗୁ ସମ୍ପ୍ରଦାୟର ଲୋକେ । ମାଙ୍କୁ ସ୍ଥାପନ କରି ପାର୍ଶ୍ବରେ ୧୨୦୦ କଣ୍ଢେଇ ରଖି ବୋମାଲୁ କୋଲୁଭୁ ପୂଜା କଲେ ମହିଳା ।

ବୋମାଲୁ କୋଲୁଭୁ ପୂଜା (ପ୍ରତୀକାତ୍ମକ ଛବି)

ବୋମାଲୁ କୋଲୁଭୁ ପୂଜା (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ବ୍ରହ୍ମପୁର: ମା' ଦୁର୍ଗାଙ୍କ ନବରାତ୍ର ପୂଜାକୁ ନେଇ ଗାଁ ଠାରୁ ସହର ସବୁଠି ଚଳଚଞ୍ଚଳ । ଆଜି ଦଶମୀ ପୂଜା ହୋଇଥିବା ବେଳେ ଅନ୍ୟ ସ୍ଥାନ ଭଳି ବ୍ରହ୍ମପୁର ସହରରେ ମଧ୍ୟ ଦଶହରା ବେଶ ଧୁମଧାମରେ ପାଳିତ ହେଉଛି । ସେପଟେ କିଛି ନିଆରା ଢ଼ଙ୍ଗରେ ମାଙ୍କ ପୂଜାକୁ ପାଳନ କରିଛନ୍ତି ସହରର ତେଲୁଗୁ ସମ୍ପ୍ରଦାୟର ଲୋକେ ।

ଏହି ସମ୍ପ୍ରଦାୟର ଲୋକମାନେ ମାଙ୍କୁ ନିଜ ଘରେ ସ୍ଥାପନ କରି ସୁନ୍ଦର ଲୁଗାରେ ସଜ୍ଜିତ କରିବା ସହିତ ଅଳଙ୍କାରରେ ମାଙ୍କୁ ଆଭୂଷଣ କରିଥାନ୍ତି । ଏହା ସହିତ ଘରେ ରହିଥିବା ଛୋଟ ବଡ଼ ଠାରୁ ଆରମ୍ଭ କରି ମାଟି ସୁନା ସବୁ ପ୍ରକାରର କଣ୍ଡେଇକୁ ଏକତ୍ରିତ କରି ଏକ କୋଠରୀରେ ରଖିଥାନ୍ତି । ଏହା ପରେ ମାଙ୍କୁ ଆରାଧନା କରିଥାନ୍ତି । ତେଲୁଗୁ ସମ୍ପ୍ରଦାୟର ଏହି ପୂଜାକୁ ବୋମାଲୁ କୋଲୁଭୁ ପୂଜା ବୋଲି କହିଥାନ୍ତି । ଅନ୍ୟ ତେଲୁଗୁ ସମ୍ପ୍ରଦାୟକଙ୍କ ଭଳି ବୋମାଲୁ କୋଲୁଭୁ ପୂଜା ବ୍ରହ୍ମପୁର ସାନ ବଜାର ଛକରେ ରହିଥିବା ଡ଼ା.ଜମୁଲା ନାରାୟଣ ରାଓ ଓ ତାଙ୍କ ପତ୍ନୀ ଜମୁଲା ସାଇଲାଜାଙ୍କ ପକ୍ଷରୁ ମଧ୍ୟ ପାଳିତ ହୋଇଆସୁଛି ।

‘‘ମା ଦୁର୍ଗାଙ୍କ ନବରାତ୍ର ପୂଜା ଅବସରରେ ପ୍ରଥମେ ଘରେ ମାଙ୍କ ମୃଣ୍ମୟୀ ମୃର୍ତ୍ତିକୁ ସ୍ଥାପନ କରାଯାଇଥାଏ । ଏହାପରେ ମାଙ୍କୁ ସାଢ଼ୀରେ ସଜ୍ଜିତ କରାଯିବା ପରେ ବିଭିନ୍ନ ସୁନା ଓ ରୂପା ଅଳଙ୍କାରରେ ମାଙ୍କୁ ଆଭୂଷଣ କରାଯାଏ। ପୂଜା ଦୀର୍ଘ ୪ବର୍ଷ ହେଲା କରି ଆସୁଥିବା ବେଳେ ଆଗାମୀ ପିଢ଼ି କିଭଳି ଭାବେ ଏହି ପୂଜାକୁ ଆଗକୁ ବଢ଼ାଇବା ସହିତ ପ୍ରଚାର ପ୍ରସାର କରିବେ ସେ ନେଇ ସମସ୍ତେ ଆଗେଇ ଆସିବା ଆବଶ୍ୟକ,‘‘ କହିଛନ୍ତି ଜମୁଲା ସାଇଲାଜା ।

‘‘ପ୍ରତି ବର୍ଷ କିଛି ନୂଆ ନୂଆ କଣ୍ଢେଇକୁ ମଧ୍ୟ ମିଶାଯାଇ ମାଙ୍କ ପୂଜାରେ ତାହାକୁ ସାମିଲ କରାଯାଇଥାଏ । ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୨୦୦ କଣ୍ଢେଇକୁ ମାଙ୍କ ନିକଟରେ ରଖାଯାଇଛି । ଏଥିମଧ୍ୟରେ ବିଭିନ୍ନ ଦେବାଦେବୀଙ୍କ ମୃର୍ତ୍ତି, ଗାଁ ଗହଳିର ପରିବେଶକୁ ନେଇ କଣ୍ଢେଇ, ସାମାଜିକ ବାର୍ତ୍ତା ଦେଉଥିବା କଣ୍ଢେଇ ଭଳି ବିଭିନ୍ନ ରକମର କଣ୍ଢେଇକୁ ଏଥିରେ ସ୍ଥାନିତ କରାଯାଇଥାଏ । ଏହି ପୂଜା କରିବା ଦ୍ବାରା ମନରେ ଶାନ୍ତି ଭାବନା ଉଜ୍ଜୀବିତ ହେବା ସହିତ ପରିବାରରରେ ଖୁସୀର ଲହରୀ ଖେଳିଯିବ ବୋଲି ବିଶ୍ବାସ ଥିବା କହିଛନ୍ତି,‘‘ ଡ଼ା.ଜାମୁଲା ନାରାୟଣ ରାଓ ।

‘‘ତେଲୁଗୁ ସମ୍ପ୍ରଦାୟର ଏହା ଏକ ନିଆରା ପୂଜା ହୋଇଥିବା ବେଳେ ଦୀର୍ଘ ୪ ବର୍ଷ ହେଲା ଡ଼ା. ଜାମୁଲା ନାରାୟଣ ରାଓଙ୍କ ପକ୍ଷରୁ ପୂଜା ପାଳିତ ହୋଇ ଆସୁଛି । ଏହି ପୂଜାରେ ସାମିଲ ହେବା ନିମନ୍ତେ ତାଙ୍କ ପରିବାର ପକ୍ଷରୁ ତେଲୁଗୁ ସମ୍ପ୍ରଦାୟର ସାଧବା ମହିଳା ମାନଙ୍କୁ ସେ ନିମନ୍ତ୍ରିତ କରିଥାନ୍ତି । ତେଲୁଗୁ ସମ୍ପ୍ରଦାୟର ମହିଳା ମାନେ ପହଞ୍ଚି ମାଙ୍କ ନବରାତ୍ର ପୂଜାରେ ସାମିଲ ମଧ୍ୟ ହୋଇଥାନ୍ତି । ମାଙ୍କ ନିକଟରେ ଲଲିତା ସହସ୍ର ନାମ ପଠନ ସହ ବିଭିନ୍ନ ରୀତିନୀତି ଅନୁସାରେ ମାଁଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ଏହି ପୂଜାରେ ସାମିଲ ହୋଇ ମାଁଙ୍କୁ ପୂଜାର୍ଚ୍ଚନା କରିବା ସହିତ କଣ୍ଢେଇ ଦେଖି ବେଶ ଖୁସୀ ଲାଗିଥାଏ," କହିଛନ୍ତି ତେଲୁଗୁ ସମ୍ପ୍ରଦାୟର ଭକ୍ତ ପୋଲାକି ସୁଜାତା ।

ମା'ଙ୍କ ନବରାତ୍ର ପୂଜା ଅବସରରେ ତେଲୁଗୁ ସମ୍ପ୍ରଦାୟର ଲୋକଙ୍କ ଦ୍ବାରା ପାଳିତ ହେଉଥିବା ବୋମାଲୁ କୋଲୁଭୁ ପୂଜା ସମ୍ପୂର୍ଣ୍ଣ ରୂପେ ନିଆରା ରହିଥିବା ବେଳେ ବର୍ତ୍ତମାନ ସମୟରେ ଏହାର ପ୍ରଚାର ପ୍ରସାର କରିବା ବର୍ତ୍ତମାନ ଜରୁରୀ ହୋଇପଡ଼ିଛି ।
Published by:Soumya Das
First published: