ଖେଳାଳିଙ୍କୁ ସ୍ୱାଗତ ପାଇଁ ହୋଟେଲରେ ସ୍ୱତନ୍ତ୍ର ବ୍ୟବସ୍ଥା; ମେନୁରେ ସାମିଲ ହେବ ଓଡ଼ିଆ ଖାଦ୍ୟ

କମିଶନରେଟ ପୋଲିସ ପକ୍ଷରୁ ୮ଟି ବିଭାଗକୁ ନେଇ ଚୂଡାନ୍ତ ବୈଠକ ଅନୁଷ୍ଠିତ ହୋଇଛି। ଖେଳାଳି ବିମାନବନ୍ଦରେ ପହଞ୍ଚିବା, ହୋଟେଲରେ ରହିବା ଓ ରୁଟଲାଇନ୍‌ ଓ ସୁରକ୍ଷା ଭଳି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି।

ଖେଳାଳିଙ୍କୁ ସ୍ୱାଗତ ପାଇଁ ହୋଟେଲରେ ସ୍ୱତନ୍ତ୍ର ବ୍ୟବସ୍ଥା

ଖେଳାଳିଙ୍କୁ ସ୍ୱାଗତ ପାଇଁ ହୋଟେଲରେ ସ୍ୱତନ୍ତ୍ର ବ୍ୟବସ୍ଥା

  • Share this:
News18 Odia Digital

ଭୁବନେଶ୍ବର: କଟକ ବାରବାଟି ମ୍ୟାଚ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଶୁକ୍ରବାର ଦୁଇ ଦେଶର ଖେଳାଳୀ ଭୁବନେଶ୍ୱରରେ ପହଁଞ୍ଚିବେ। ବିମାନବନ୍ଦରରୁ ଖେଳାଳୀମାନେ ହୋଟେଲ ମେ-ଫେୟାର ଆସିବେ।

ଖେଳାଳୀଙ୍କୁ ସ୍ୱାଗତ କରିବା ପାଇଁ ହୋଟେଲ ମେ-ଫେୟାର ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଥିବା ହୋଟେଲ ପକ୍ଷରୁ କୁହାଯାଇଛି। ଵିଶେଷ କରି ହୋଟେଲରେ ପହଞ୍ଚିବା ପରେ ଖେଳାଳୀଙ୍କୁ ଓଡ଼ିଆ ଢାଞ୍ଚାରେ ସ୍ୱାଗତ କରାଯିବ। ଶଙ୍ଖ ନାଦ ସାଙ୍ଗକୁ ଘୋଡା ନାଚରେ ଖେଳାଳୀଙ୍କୁ ହୋଟେଲ ଭିତରକୁ ପାଛୋଟି ଅଣାଯିବ। ସେହିଭଳି ହୋଟେଲରେ ଫୁଲ ଚନ୍ଦନ ଦେଇ ସମସ୍ତ ଖେଳାଳୀଙ୍କୁ ସ୍ୱାଗତ କରାଯିବ ବୋଲି ହୋଟେଲ ମେ-ଫେୟାର ପକ୍ଷରୁ କୁହାଯାଇଛି।

"ହୋଟେଲରେ ଖେଳାଳୀଙ୍କ ପାଇଁ ବିସିସିଆଇର ଫୁଡ ଚାଟ ଅନୁଯାୟୀ ସମସ୍ତ ବ୍ୟଞ୍ଜନ ପ୍ରସ୍ତୁତ କରାଯିବ। ତେବେ ଏଥିରେ ଓଡ଼ିଶା ଖାଦ୍ୟ ମଧ୍ୟ ସାମିଲ କରାଯିବ। ଯେମିତିକି ମାଛର ବିଭିନ୍ନ ପ୍ରକାର ଖାଦ୍ୟ, ଚିଙ୍ଗୁଡ଼ି ସାଙ୍ଗକୁ ଖେଚୁଡ଼ି, ଡାଲମା, ରସଗୋଲା ଆଦି ଖାଦ୍ୟ ମେନୁରେ ରହିବ। ଯଦି ଖେଳାଳିମାନେ ଇଚ୍ଛା କରିବେ ତେବେ ସେ ସବୁ ଖାଦ୍ୟ ଦିଆଯିବ। ସେହିପରି ଦକ୍ଷିଣ ଆଫ୍ରିକା ଖେଳାଳିଙ୍କ ଲାଗି ମଧ୍ୟ ସ୍ବତନ୍ତ୍ର ଖାଦ୍ୟ ପ୍ରସ୍ତୁତ କରାଯିବ। ତେବେ ହୋଟେଲ ପକ୍ଷରୁ ସମସ୍ତ କର୍ମଚାରୀଙ୍କ କୋଭିଡ଼ ଟେଷ୍ଟ କରାଯିବ," କହିଛନ୍ତି ହୋଟେଲ ମେ-ଫେୟାରର ପ୍ରେସିଡେଣ୍ଟ ମନୋଜ କୁମାର ଗୌଡ଼।

ସେପଟେ ଭାରତ ଓ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-୨୦ ମ୍ୟାଚର ସୁରକ୍ଷା ଲାଗି ଆଉ ପାଦେ ଆଗେଇଛି କମିଶନରେଟ ପୋଲିସ। ମ୍ୟାଚ ପୂର୍ବରୁ ବୁଧବାର କମିଶନରେଟ ପୋଲିସ ପକ୍ଷରୁ ୮ଟି ବିଭାଗକୁ ନେଇ ଚୂଡାନ୍ତ ବୈଠକ ଅନୁଷ୍ଠିତ ହୋଇଥିଲା। ଖେଳାଳି ବିମାନବନ୍ଦରେ ପହଞ୍ଚିବା, ହୋଟେଲରେ ରହିବା ଓ ରୁଟଲାଇନ୍‌ ଓ ସୁରକ୍ଷା ଭଳି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି। ଏଥିରେ ଓସିଏ, ସିଆଇଏସ୍ଏଫ୍, ଏୟାରପୋର୍ଟ କର୍ତ୍ତୃପକ୍ଷ, ଅଗ୍ନିଶମ ବିଭାଗ, ହୋଟେଲ କର୍ତ୍ତୃପକ୍ଷ, ଏନ୍ଏଚଆଇ, କ୍ୟାପିଟାଲ ହସ୍ପିଟାଲ ଓ ଟ୍ରାଫିକ ପୋଲିସର ଅଧିକାରୀଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା।

ମିଳିଥିବା ସୂଚନା ଅନୁସାରେ, ଖେଳାଳି ଭୁବନେଶ୍ୱରରେ ପହଞ୍ଚିବା ସହ କଟଳରେ ଖେଳ ସାରି ଫେରିଲା ପର୍ଯ୍ୟନ୍ତ କିଭଳି ଶାନ୍ତିଶୃଙ୍ଖଳାରେ ସରିବ ସେ ନେଇ ଆଲୋଚନା ହୋଇଛି। ସେହିପରି ଖେଳାଳି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ କିଭଳି କଡ଼ା ସୁରକ୍ଷା ଭିତରେ ହୋଟେଲକୁ ଆସିବେ। ପରେ ସେଠାରୁ ବାରବାଟୀ ଷ୍ଟାଡିୟମ ଯିବେ। ଏଥି ପାଇଁ ବିମାନବନ୍ଦରରେ ସୁରକ୍ଷା ଲାଗି ସିଆଇଏସ୍ଏଫ୍ ଯବାନ ଓ ଏୟାରପୋର୍ଟ ଅଧିକାରଙ୍କୁ ଆଲର୍ଟ କରାଯାଇଛି।

ସେପରି ଟ୍ରାଫିକ ବ୍ୟବସ୍ଥା କିଭଳି ରହିବ ଓ ବାରବାଟୀ ଯିବାବେଳେ କୌଣସି ସମସ୍ୟା ନ ଉପୁଜିବ ସେନେଇ ଏନଏଚଆଇ, ପୂର୍ବ ବିଭାଗର ଅଧିକାରଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରାଯାଇଛି।

"ଦୁଇ ଦେଶର ଖେଳାଳିଙ୍କ ସୁରକ୍ଷା ଲାଗି ଭୁବନେଶ୍ୱରରେ କମିଶନରେଟ ପୋଲିସ ପକ୍ଷରୁ ୨୧ ପ୍ଲାଟୁନ ପୋଲିସ ଫୋର୍ସ , ୧୫୦ରୁ ଊର୍ଦ୍ଧ୍ୱ ବରିଷ୍ଠ ଅଧିକାରୀ ଓ ବନ୍ଧୁକଧାରୀ ପୋଲିସଙ୍କୁ ମୁତୟନ କରାଯିବ। ହୋଟେଲ ମେ-ଫେୟାରରେ ଦୁଇ ଦେଶର ଖେଳାଳି ଓ ଅଫିସିଆଲ ଆସି ରହିବେ। ଏଣୁ ହୋଟେଲରେ ୧୦୦ରୁ ଉର୍ଦ୍ଧ୍ବ ରୁମ୍ ବୁକ କରାଯାଇଛି। ବୁଧବାର ସନ୍ଧ୍ୟାରେ ହୋଟେଲର ସୁରକ୍ଷାକୁ ଯାଞ୍ଚ କରାଯାଇଛି। ଶୁକ୍ରବାର ଠାରୁ ପୂରା ହୋଟେଲ ପୋଲିସ ହେପାଜତରେ ରହିବ,’’ କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ।

ଖେଳାଳିମାନେ ରହିଥିବା ହୋଟେଲ ଠାରୁ ଗାଧେଇବା ସ୍ନାନ ସୁଇମିଂ ପୁଲ ପର୍ଯ୍ୟନ୍ତ ଡିସିପି ଓ ବରିଷ୍ଠ ଅଧିକାରୀମାନେ ପୋଲିସ ସୁରକ୍ଷାର ସ୍ଥିତି ଅନୁଧ୍ୟାନ କରିଥିଲେ। ଏଥି ସହିତ ହୋଟେଲ ବାହାରେ ଓ ଭିତରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯିବ। ଏଥି ପାଇଁ ହୋଟେଲର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲା ଡିସିପି ପ୍ରତୀକ ସିଂ।
Published by:Lipina Das
First published: