ଓଡ଼ିଶା ଛୁଇଁଲା ମୌସୁମୀ; ୨୦ରେ ସୃଷ୍ଟି ହୋଇପାରେ ଲଘୁଚାପ

ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାକୁ ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ ଛୁଇଁଥିବା ବେଳେ କିଛି ଜିଲ୍ଲାରେ ଆଂଶିକ ପ୍ରବେଶ କରିଛି। ଆସନ୍ତା ସପ୍ତାହ ସୁଦ୍ଧା ସଂପୂର୍ଣ୍ଣ ଓଡ଼ିଶାକୁ ଛୁଇଁବାର ସମ୍ଭାବନା ରହିଛି।

ଓଡିଶା ଛୁଇଁଲା ମୌସୁମୀ

ଓଡିଶା ଛୁଇଁଲା ମୌସୁମୀ

  • Share this:
News18 Odia Digital

ଭୁବନେଶ୍ୱର: ଓଡ଼ିଶା ଛୁଇଁଲା ମୌସୁମୀ । ଆଜି ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଛୁଇଁଥିବା ବେଳେ କିଛି ଜିଲ୍ଲାକୁ ଆଂଶିକ ଛୁଇଁଛି। କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାକୁ ସଂପୂର୍ଣ୍ଣ ଛୁଇଁଛି ମୌସୁମୀ। ସେହିପରି ନୂଆପଡା, କଳାହାଣ୍ଡି ଏବଂ ରାୟଗଡା ଜିଲ୍ଲାକୁ ଆଂଶିକ ଅଗ୍ରସର ହୋଇଥିବା ବେଳେ ଆସନ୍ତା ସପ୍ତାହ ସୁଦ୍ଧା ସଂପୂର୍ଣ୍ଣ ଓଡ଼ିଶାକୁ ଛୁଇଁବାର ସମ୍ଭାବନା ରହିଛି।

ମୌସୁମୀ ପୁରା ଓଡ଼ିଶାରେ ସକ୍ରିୟ ହେବା ପାଇଁ ଏବେ ପାଗ ଅନୁକୂଳ ରହିଥିବା କହିଛି ଭାରତୀୟ ପଣିପାଗ କେନ୍ଦ୍ର। ମୌସୁମୀର ଆଗମନରେ ତାତିରୁ ମିଳିଛି ତ୍ରାହି । ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା କମିଥିବା ବେଳେ ଉପକୂଳ ଓଡ଼ିଶାରେ ବି ମିଳିଛି ଆଶ୍ବସ୍ତି ।

ଶେଷ ରଜରେ ଚାଷୀଙ୍କ ପାଇଁ ଖୁସି ଖବର। ଓଡ଼ିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ନୂଆପଡା, କଳାହାଣ୍ଡି ଏବଂ ରାୟଗଡା ଜିଲ୍ଲାକୁ ଆଂଶିକ ଛୁଇଁଥିବା ବେଳେ ଆସନ୍ତା ସପ୍ତାହ ସୁଦ୍ଧା ପୁରା ଓଡ଼ିଶାରେ ସକ୍ରିୟ ହେବା ପାଇଁ ପାଗ ଅନୁକୂଳ ରହିଛି। ଆସନ୍ତା ୨୦ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଲଘୁଚାପ ହେଲେ ତା ପ୍ରଭାବରେ ମୌସୁମୀ ସାରା ଓଡ଼ିଶାରେ ସକ୍ରିୟ ହେବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ୨୨ଟି ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ଏହାସହ ୫ଟି ଜିଲ୍ଲା ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, କେନ୍ଦୁଝର ଏବଂ ଯାଜପୁରରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ସତର୍କତା ଜାରି କରାଯାଇଛି ।

ପ୍ରତିବର୍ଷ ଜୁନ୍ ୧୦ ରୁ ୧୪ ତାରିଖ ମଧ୍ୟରେ ଓଡ଼ିଶାରେ ମୌସୁମୀ ସକ୍ରିୟ ହୋଇଥାଏ। ଚଳିତ ବର୍ଷ କେରଳ ଛୁଇଁବା ପରେ ମୌସୁମୀ ଦୁର୍ବଳ ହୋଇଥିଲା। ଜୁନ ୧ ରୁ ୧୬ ତାରିଖ ସୁଦ୍ଧା ରାଜ୍ୟରେ ସ୍ୱାଭାବିକ ଠାରୁ ୬୪ ପ୍ରତିଶତ କମ ବର୍ଷା ରେକର୍ଡ ହୋଇଛି। ୨୧ ଟି ଜିଲ୍ଲାରେ ନିଆଣ୍ଟିଆ ବର୍ଷା ହୋଇଛି। ତେବେ ମୋୖସୁମୀ ସକ୍ରିୟ ହେଲେ ନିଆଣ୍ଟିଆ ବର୍ଷା ସ୍ୱାଭାବିକ ସ୍ଥିତିକୁ ଆସିବ ବୋଲି କହିଛି ପାଣିପାଗ କେନ୍ଦ୍ର। ମୌସୁମୀ ସକ୍ରିୟ ହେବା ସହ ତାତିରୁ ମିଳିଛି ତ୍ରାହି। ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିଥିବା ବେଳେ ଉପକୂଳ ଓଡ଼ିଶାରେ ମଧ୍ୟ ଗୁଳୁଗୁଳି କମିଛି। ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ସମ୍ଭାବନା ଥିବାରୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଓଡ଼ିଶା ସମେତ ଗୁଜୁରାଟ, ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର, ସମ୍ପୂର୍ଣ୍ଣ  ତେଲେଙ୍ଗାନା, ବିଦର୍ଭ, ଦକ୍ଷିଣ ଛତିଶଗଡ଼ର କିଛି ଅଞ୍ଚଳ, ଆନ୍ଧ୍ରପ୍ରଦେଶ ଉପକୂଳ, ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗରକୁ ମୌସୁମୀ ଛୁଇଁଛି ବୋଲି ଭାରତୀୟ ପଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ କୋରେଇରେ ସର୍ବାଧିକ ୧୨୦ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଜେନାପୁରରେ ୧୦୪.୬ ମିଲିମିଟର, ନୟାଗଡରେ ୭୨.୪ ମିଲିମିଟର, କଳହାଣ୍ଡିରେ ୬୯ ମିଲିମିଟର, ଅନୁଗୁଳରେ ୬୧ ମିଲିମିଟର, କନ୍ଧମାଳରେ ୬୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଆସନ୍ତା ୨୨ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି। ତେବେ ପୁରା ଓଡ଼ିଶା ଛୁଇଁବା ପରେ ମୌସୁମୀ ସକ୍ରିୟ ରହୁଛି ନା ଦୁର୍ବଳ ହେଉଛି ତା ଉପରେ ସମସ୍ତଙ୍କ ନଜର ।
Published by:Soumya Das
First published: