ସ୍ତ୍ରୀଙ୍କୁ ନିଜ ଘରକୁ ନେବା ପାଇଁ ଶାଶୂଙ୍କୁ ହତ୍ୟା କରିବା ପରେ ବିଷ ପିଇଲା ଜ୍ବାଇଁ

ମୃତ ଶାଶୂ ହେଲେ ୫୧ ବର୍ଷୀୟା ତିଳୋତ୍ତମା କର। ଆଉ ଏଭଳି କାଣ୍ଡ ଘଟାଇଥିବା ଜ୍ୱାଇଁ ହେଲା ଅନୁଗୋଳର ୩୬ ବର୍ଷୀୟ ଶକ୍ତିଧର ଦାସ।

ସ୍ତ୍ରୀଙ୍କୁ ନିଜ ଘରକୁ ନେବା ପାଇଁ ଶାଶୂଙ୍କୁ ହତ୍ୟା କରିବା ପରେ ବିଷ ପିଇଲା ଜ୍ବାଇଁ

ସ୍ତ୍ରୀଙ୍କୁ ନିଜ ଘରକୁ ନେବା ପାଇଁ ଶାଶୂଙ୍କୁ ହତ୍ୟା କରିବା ପରେ ବିଷ ପିଇଲା ଜ୍ବାଇଁ

  • Share this:
News18 Odia Digital

ପୁରୀ: ଶ୍ୱଶୁର ଘରେ ପଶି ଜ୍ୱାଇଁ ଘଟାଇଲା ନାରକୀୟ କାଣ୍ଡ। ଶାଶୂଙ୍କ ଚାପୁଡ଼ା ବଦଳରେ ଛୁରୀ ଭୁସି ହତ୍ୟା କଲା ଜ୍ୱାଇଁ। ଶାଶୂଙ୍କ ପେଟକୁ ୫ ରୁ ୬ ଥର ଛୁରୀ ଭୁସି ହତ୍ୟା କରିବା ପରେ ଜ୍ୱାଇଁ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲା। ଆଉ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଥିଲା ଜ୍ୱାଇଁକୁ। ବୁଧବାର ଅପରାହ୍ନରେ ବାସେଳି ସାହି ଥାନା ଅଧୀନ ବନମାଳୀ ନଗରରେ ଘଟିଥିଲା ଏହି ଅଭାବନୀୟ କାଣ୍ଡ। ମୃତ ଶାଶୂ ହେଲେ ୫୧ ବର୍ଷୀୟା ତିଳୋତ୍ତମା କର। ଆଉ ଏଭଳି କାଣ୍ଡ ଘଟାଇଥିବା ଜ୍ୱାଇଁ ହେଲା ଅନୁଗୋଳର ୩୬ ବର୍ଷୀୟ ଶକ୍ତିଧର ଦାସ।

ଏହି ମାମଲାରେ ମୃତ ତିଳୋତ୍ତମାଙ୍କ ଆହତ ବଡ଼ ଝିଅ ଗୀତାଞ୍ଜଳି କର କହିଛନ୍ତି, ‘‘ବାସେଳିସାହି ଥାନା ଅଞ୍ଚଳର ବନମାଳୀ ନଗରରେ ମୋ ବାପା କରଣାକର କର ଓ ମୋ ମା ସହ ଆମେ ଦୁଇ ଭଉଣୀ ରହୁଛୁ। ମୋ ସାନ ଭଉଣୀ ପୁଷ୍ପାଞ୍ଜଳୀ ସହ ଅନୁଗୋଳର ୩୬ ବର୍ଷୀୟ ଶକ୍ତିଧର ଦାସର ପ୍ରେମ ବିବାହ ହୋଇଥିଲା। ତେବେ ଶକ୍ତିଧର ପୁଷ୍ପାଞ୍ଚଳୀକୁ ତା ଗାଁକୁ ନେବାକୁ ମା' ତିଳୋତ୍ତମାକୁ ବାରମ୍ବାର କହୁଥିବା ସହ ଝଗଡା କରୁଥିଲା। ହେଲେ ମୋ ବାହାଘର ହୋଇନଥିବାରୁ କିଭଳି ବଡ଼ ଝିଅ ଥାଉ ଥାଉ ସାନ ଝିଅକୁ ଦେବି ସେ ନେଇ ବାରଣ କରିଥିଲେ ମା'। ତେବେ ବୁଧବାର ଦିନ ଅପରାହ୍ନ ୨ଟା ବେଳେ ବାପା ଯାଇଥିବା ବେଳେ ମା' ଓ ସାନ ଭଉଣୀ ଆଉ ମୁଁ ଘରେ ଥିଲେ। ହଠାତ ଶକ୍ତିଧର ଘର ଭିତରକୁ ପ୍ରବେଶ କରି ମା' କିଛି କହିବା ପୂର୍ବରୁ ଛୁରୀରେ ପେଟକୁ ୫ ରୁ ୬ ଥର ଭୁସିବାରେ ଲାଗିଥିଲା। ଆଉ ସେଥିର ମା' ରକ୍ତାକ୍ତ ହେବା ସହ ଅନ୍ତଃନଳୀ ବାହାରିଯାଇଥିବାରୁ ସେହିଠାରେ ମା'ର ମୃତ୍ୟୁ ହୋଇଥିଲା। ଏହି ସମୟରେ ବାଥରୁମର ଥିବା ସାନ ଭଉଣୀ ପୁଷ୍ପାଞ୍ଚଳୀ ଦୌଡି ଆସିବାରୁ ତାକୁ ଏକ ଘରେ ଲକ କରି ଦେଇ ମୋତେ ବି ଛୁରୀରେ ଆକ୍ରମଣ କଲା। ମାତ୍ର ମୋର ପେଟରେ ଅଳ୍ପ ଆଘାତ ଲାଗିଥିବା ବେଳେ ମୁଁ ସୌଭାଗ୍ୟବସତଃ ବଞ୍ଚିଗଲି। ଆଉ ମେଡିକାଲ ନେବା ପରେ ଡାକ୍ତର ମୋ ମା'କୁ ମୃତ ଘୋଷଣା କରିଥିଲେ।’’

ହତ୍ୟାକାରୀ ଜ୍ୱାଇଁ ଶକ୍ତିଧରଙ୍କ କହିବା ଅନୁଯାୟୀ, "ମୋତେ ମୋ ସ୍ତ୍ରୀ ଠାରୁ ଅଲଗା ରଖୁଥିଲେ ଶାଶୂ ତିଳୋତ୍ତମା। ସମ୍ଭାଳି ପାରିଲି ନାହିଁ। ତେଣୁ ମାରିଦେଲି। ଆଉ ଏଥିପାଇଁ ମୁଁ ଅନେକ ଦିନରୁ ଯୋଜନା କରିଥିଲି। ମୁଁ ଏକ ଅଟୋ ଚାଳକ ଓ ଅନ୍ୟତ୍ର ଭଡ଼ା ଘରେ ରହୁଥିବା ବେଳେ ମଙ୍ଗଳବାର ଦିନ ଶାଶୂଙ୍କ ଘରକୁ ଯାଇ କହିଥିଲି ସ୍ତ୍ରୀ ପୁଷ୍ପାଞ୍ଚଳି ମୋ ସହ ଯିବକୁ। ଏ ନେଇ ଶାଶୂଙ୍କ ଘରେ ଉତ୍ପାତ କରିବା ସହ ଗଣ୍ଡଗୋଳ କରିଥିଲି। ଆଉ ଏହି ସମୟରେ ଶାଶୂ ମୋତେ ଏକ ଚାପୁଡା ମାରିଥିଲେ। ଆଉ ଏହା ମୋତେ ବହୁତ ବାଧିଥିଲା। ଖାଲି ସେତିକି ନୁହେଁ ସେମାନେ ମୋ ନାଁରେ ବାସେଳିସାହି ଥାନାରେ ମଧ୍ୟ ଏତେଲା ଦେଇଥିଲେ। ପୋଲିସ ବି ମୋତେ ଖୋଜାଖୋଜି କରୁଥିବାରୁ ମୋ ମୁଣ୍ଡକୁ ପିତ୍ତ ଚଢ଼ିଯାଇଥିଲା। ତେଣୁ ସେହିଦିନ ସନ୍ଧ୍ୟା ବେଳେ କଚେରୀ ଛକରୁ ୧୦୦ଟଙ୍କା ଦେଇ ଏକ ଛୁରୀ କିଣି ଆଣି ବୁଧବାର ଯାଇ ଶାଶୂଙ୍କୁ ହତ୍ୟା କଲି। ଆଉ ବିଭତ୍ସ ଭାବେ ହତ୍ୟା କରିବା ପରେ ବିଷ ପିଇ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲି।’’

ବିଷ ପିଇ ଅସୁସ୍ଥ ହୋଇଥିବା ହତ୍ୟାକାରୀ ଜ୍ୱାଇଁ ଶକ୍ତିଧରକୁ ପ୍ରଥମେ ପୁରୀ ମେଡିକାଲ ତା ପରେ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ଏବେ ସେ ସୁସ୍ଥ ଅଛନ୍ତି। ଆଉ ଗୀତାଞ୍ଜଳିଙ୍କ ଏତଲା କ୍ରମେ ବାସେଳିସାହି ଥାନାରେ ହତ୍ୟା ମାମଲା ରୁଜୁ କରାଯାଇଥିବା ବେଳେ ଶକ୍ତିଧର ସୁସ୍ଥ ହୋଇ ଆସିଲେ ତାକୁ ଗିରଫ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଏସପି ମିହିର ପଣ୍ଡା।

ପ୍ରକାଶ ଥାଉକି ସପ୍ତାହେ ତଳେ ପାରିବାରିକ କଳହକୁ ନେଇ ତାଳବଣିଆ ଥାନା ଅଞ୍ଚଳରେ ପୁଅ ହତ୍ୟା କରିଥିଲା ଜେଜେମାକୁ ଓ ବାପା, ସ୍ତ୍ରୀ ଓ ଭାଇକୁ ହାଣି ଗୁରୁତର କରିଥିଲା। ପୁଣି ଜ୍ୱାଇଁ ପାରିବାରିକ କଳହକୁ ନେଇ ହତ୍ୟା କଲା ଶାଶୂକୁ। ଏଭଳି ପରିବାରରେ ଗଣ୍ଡଗୋଳ ଏଭଳି ହତ୍ୟାକାଣ୍ଡର ରୂପ ନେଉଥିବାକୁ ନେଇ ସହରରେ ବେଶ ଚର୍ଚ୍ଚା ହେଉଛି।
Published by:Lipina Das
First published: