କାହାର ସର୍ବନାଶ, କାହାର ପୁଷ ମାସ: ବନ୍ୟା ବିପତ୍ତି ରାଜ୍ୟରେ କିଛି ଲୋକଙ୍କ ପାଇଁ ଆଶୀର୍ବାଦ ସାଜିଛି

ରାଜ୍ୟରେ ଆସିଥିବା ଭୟଙ୍କର ବନ୍ୟା ସ୍ଥିତି ଅନେକ ଲୋକଙ୍କ ପାଇଁ ଜୀବନ ଓ ଜୀବିକାର ସଙ୍କଟ ଆଣିଥିବା ବେଳେ ଅନ୍ୟ କିଛି ଲୋକଙ୍କ ପାଇଁ ସାଜିଛି ଭଲ ରୋଜଗାରର ଏକ ସାମୟିକ ମାଧ୍ୟମ ।

(ପ୍ରତୀକାତ୍ମକ ଛବି)

(ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ବର: ବନ୍ୟା ପାଣିରେ ଉବୁଟୁବୁ ହେଉଛି ରଜ୍ୟର ୧୦ରୁ ଅଧିକ ଜିଲ୍ଲା । ସହର ବଜାର ଠାରୁ ଆରମ୍ଭ କରି ଗାଁ ଗଣ୍ଡାରେ ବନ୍ୟାର ତାଣ୍ଡବ ଚାଲିଛି । ବହୁ ଘାଇ ସୃଷ୍ଟି ହୋଇ ଅନେକ ଲୋକଙ୍କ ଜୀବନ ଜୀବିକାକୁ ବେଶ କେଇ ବର୍ଷ ପଛକୁ ଫେରେଇ ନେଇଛି ବନ୍ୟା । କୋଭିଡ ମହାମାରୀ ସମୟରେ ବନ୍ୟାର ତାଣ୍ଡବରେ ଦୋହଲି ଯାଇଛି ଲୋକଙ୍କ ଆର୍ଥିକ ମେରୁଦଣ୍ଡ । ହେଲେ ଏହି ଭୟଙ୍କର ବନ୍ୟା କିଛି ଲୋକଙ୍କ ପାଇଁ ଆଶୀର୍ବାଦ ସାଜିଛି । ବନ୍ୟା ସମୟରେ କିଛି ଲୋକଙ୍କ ବଦଳି ଯାଇଛି ରୋଜଗାରର ମାଧ୍ୟମ ଓ ଆୟ । ତେଣୁ ବନ୍ୟାକୁ ନେଇ ସେମାନେ ବେଶ ଖୁସି।

ନରାଜ ଅଞ୍ଚଳର ବାସିନ୍ଦା ଶ୍ୟାମରଞ୍ଜନ ବେହୁରା ଗତ ଅନେକ ବର୍ଷ ଧରି ବେକାର ବସିଥିଲେ । ସେ ଭୁବନେଶ୍ବରରେ ପାଣି ପାଇପ କାମ କରୁଥିଲେ, ହେଲେ ସବୁ ବେଳେ କାମ ମିଳୁ ନ ଥିଲା । ଏବେ ମାଲଗୋଦାମରେ ଲୋଡ଼ ଓ ଅନଲୋଡ଼ କାମ କରୁଛନ୍ତି । ସେଥିରୁ ତାଙ୍କର ଆୟ ତାଙ୍କୁ ଯଥେଷ୍ଟ ହୁଏନି । ହେଲେ ବନ୍ୟା ତାଙ୍କ ଆୟରେ ଆଣିଛି ସୁଖଦ ପରିବର୍ତ୍ତନ ।

‘‘୧୯୯୯ ମସିହାରେ ମୁଁ ବିଏ ପାସ କରିଛି  । ହେଲେ ଅନେକ ଚେଷ୍ଟା କରି ବି ଚାକିରୀ ମିଳିଲାନି । ସରକାରୀ କିମ୍ବା ବେସରକାରୀ ଅଫିସରେ ପିଅନ ଚାକିରୀ ପାଇଁ ଚେଷ୍ଟା ବି କରିଥିଲି। ହେଲେ କିଛି ଲାଭ ହୋଇ ନ ଥିଲା । କେବେ କେବେ ଛୁଟିରେ ମୁଁ ଘରକୁ ଆସିଲେ ମାଛ ଧରେ ଓ ବିକେ। ୨୦୦ରୁ ୫୦୦ ଟଙ୍କା ରୋଜଗାର ହୁଏ। ଏବେ ବନ୍ୟା ଆସିଥିବାରୁ ମାଛ ଧରୁଛି ଓ ବିକୁଛି। ଗତ ଦୁଇ ଦିନ ମଧ୍ୟରେ ମୁଁ ମାଛ ଧରି ରୋଜଗାର କରିଛି  ୮ ହଜାର ଟଙ୍କା । ବନ୍ୟା ମୋ’ ପାଇଁ ଖୁସି ଆଣିଛି । ଆହୁରି ମାଛ ଧରିବି,’’ କହିଛନ୍ତି ବେହୁରା ।

ଠିକ୍‌ ସେମିତି ନରାଜ ଅଞ୍ଚଳର ସନାତନ ମୁଦୁଲିଙ୍କ ଆୟ ବି ବନ୍ୟା ସମୟରେ ଦିନକୁ ୬ ହଜାର ଛୁଇଁଛି । ତାଙ୍କୁ ଆଉ ଘରେ ନୁହେଁ ରାତି ଦିନ ସବୁବେଳେ କାଠଯୋଡ଼ି କୂଳରେ ଡେରା ପକାଉଥିବା ଦେଖିବାକୁ ମିଳୁଛି । ‘‘ମୁଁ ଉଭୟ ମହାନଦୀ ଓ କାଠଯୋଡ଼ିରେ ମାଛ ଧରେ। କେତେବେଳେ ମେଞ୍ଚାଏ ତ ଆଉ କେତେବେଳେ କେଞ୍ଚାଏ। ଏବେ ବନ୍ୟା ସମୟରେ ମୋ’ର ଭଲ ରୋଜଗାର ହେଉଛି । ଖେପା ଜାଲରେ ଭଲ ମାଛ ପଡ଼ୁଛନ୍ତି । ଏମିତିକା ବନ୍ୟା ଆମ ମାନଙ୍କ ପାଇଁ ଭଲ,’’ କହିଛନ୍ତି ସନାତନ ।

ଏହା ବି ପଢ଼ନ୍ତୁ | ଆସିଗଲା ଅନଲକ୍-୪ ଗାଇଡଲାଇନ୍‌; କଣ୍ଟେନମେଣ୍ଟ ଜୋନ୍ ବାହାରେ ହୋଇପାରିବନି ଲକଡାଉନ୍

ଏହା ବି ପଢ଼ନ୍ତୁ | SSR Case: ହସ୍ପିଟାଲ୍ କର୍ମଚାରୀ କହିଲେ ସୁଶାନ୍ତଙ୍କ ବେକରେ ଛୁଞ୍ଚି ଫୋଡ଼ା ହେବାର ଚିହ୍ନ ଥିଲା ଓ ଗୋଡ଼ ଭାଙ୍ଗି ଯାଇଥିଲା

କେବଳ ନରାଜ ଅଞ୍ଚଳରେ ନୁହେଁ, ମୁଣ୍ଡୁଳିରେ ବି ବେଶ କିଛି ଲୋକଙ୍କ ପାଇଁ ବନ୍ୟା ବିତ୍ପାତ ପାଲଟିଛି ଭଲ ରୋଜଗାରର ମାଧ୍ୟମ । ମାଛ ଧରି ସେମାନେ ବେଶ ଭଲ ଆୟ କରିବା ସହିତ ବନ୍ୟା ସମୟରେ ନଦୀ ଜଳରେ ଭାସି ଯାଉଥିବା ବିଭିନ୍ନ ଡାଳ, ଗଛ ଓ ମୂଲ୍ୟବାନ କାଠ ଆଦି ଉଦ୍ଧାର କରି ତାକୁ ବିକ୍ରୀ କରି ଭଲ ପଇସା ରୋଜଗାର କରିଛନ୍ତି ।



କଟକ ଶେଖ ବଜାର ବାସିନ୍ଦା କାଳୁ ମିଆଁ କହିଛନ୍ତି, ‘‘ମୁଁ କାଠଯୋଡ଼ି ଓ ମହାନଦୀରେ ମାଛ ଧରେ। ଏବେ ମାଛରୁ ଭଲ ଆୟ ହେଉଛି । ଏବେ ତା’ ସହିତ ଭାସି ଯାଉଥିବା ଗଛର ଗଣ୍ଡିରୁ ବି ଭଲ ରୋଜଗାର ମିଳୁଛି ।’’
Published by:Anand Shankar Thankur Das
First published: