ପ୍ରଦୂଷଣମୁକ୍ତ ହେବ ରେଶମ ସହର; କାର୍ଯ୍ୟକ୍ଷମ ହେଲା କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ଳାଣ୍ଟ

ବ୍ରହ୍ମପୁରରେ ବହୁ ପ୍ରତୀକ୍ଷିତ କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇଛି । ପ୍ରତିଦିନ ଏହି ପ୍ଳାଣ୍ଟରେ ୧୫୦ ମେଟ୍ରିକ ଟନ ଆବର୍ଜନାକୁ ପ୍ରକ୍ରିୟାକରଣ କରାଯାଇପାରିବ ।

କାର୍ଯ୍ୟକ୍ଷମ ହେଲା କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ଳାଣ୍ଟ (ପ୍ରତୀକାତ୍ମକ ଛବି)

କାର୍ଯ୍ୟକ୍ଷମ ହେଲା କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ଳାଣ୍ଟ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ବ୍ରହ୍ମପୁର: ବହୁ ପ୍ରତୀକ୍ଷିତ କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇଛି । ପ୍ରତିଦିନ ଏହି ପ୍ଳାଣ୍ଟରେ ୧୫୦ ମେଟ୍ରିକ ଟନ ଆବର୍ଜନାକୁ ପ୍ରକ୍ରିୟାକରଣ କରାଯାଇପାରିବ । କିନ୍ତୁ ଏବେ ସମସ୍ତ ସମସ୍ୟାର ସମାଧାନ ହୋଇପାରିଛି । ଯାହାଫଳରେ ସହରବାସୀ ଆବର୍ଜନା ଓ ପ୍ରଦୂଷଣକୁ ନେଇ ସାମାନ୍ୟ ଆଶ୍ବସ୍ତି ଲାଭ କରିଛନ୍ତି ।

କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ଳାଣ୍ଟ  କାର୍ଯ୍ୟକ୍ଷମ ହେବା ପରେ ସହରରୁ ବାହାରୁଥିବା ଆବର୍ଜନାକୁ ପ୍ଲାଣ୍ଟକୁ ଆଣି ପ୍ରକ୍ରିୟାକରଣ ମଧ୍ୟ ଆରମ୍ଭ ହୋଇଛି । ପ୍ଳାଣ୍ଟରେ ରହିଥିବା ତିନୋଟି ମେସିନ୍‌ କାର୍ଯ୍ୟ କରୁଥିବା ବେଳେ ପ୍ରତିଦିନ ୧୫୦ ମେଟ୍ରିକ ଟନ ଆବର୍ଜନାକୁ ପ୍ରକ୍ରିୟାକରଣ କରାଯିବା ନେଇ କ୍ଷମତା ରହିଛି । କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ଟନ ଟନ ଖତ ମଧ୍ୟ ପ୍ରସ୍ତୁତ ହୋଇପାରୁଛି । ୨୦୦୮ ମସିହାରେ ମହୁଡ଼ାରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ଳାଣ୍ଟ ନିମନ୍ତେ ୩୧.୬୨ ଏକ ପରିମିତ ଜମି ଚିହ୍ନଟ କରାଯାଇଥିଲା । ୨୦୧୪ ମସିହାରେ ପ୍ରକଳ୍ପ ନିର୍ମାଣ ପାଇଁ ୪୨କୋଟି ୧୫ ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର ହୋଇଥିଲା । ପରବର୍ତ୍ତୀ ସମୟରେ ୨୨ ଏକର ଜମିରେ ୪୬ କୋଟି ଟଙ୍କା ବ୍ୟୟ ବରାଦକୁ ନେଇ ପ୍ରକଳ୍ପ କାର୍ଯ୍ୟ ଆଗକୁ ବଢ଼ାଇଥିଲା ବିଏମସି । ୨୦୧୪ ଅଗଷ୍ଟ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭ ଦେଇଥିଲେ । ଦୀର୍ଘ ବର୍ଷ ଧରି କାମ ଆଗକୁ ନ ବଢ଼ିବା ପରେ ୨୦୧୭ ମସିହାରେ ପୁନେର ଏକ ଠିକ କମ୍ପାନୀକୁ ଦିଆଯାଇ ୨୦୧୮ ଜାନୁୟାରୀ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ କରିବା ନିମନ୍ତେ ଲକ୍ଷ୍ୟ ରଖାଯାଇଥିଲା ।

‘‘ଗତ ବର୍ଷ ଶେଷ ସମୟରେ ପ୍ଳାଣ୍ଟକୁ ପରୀକ୍ଷା ମୂଳକ ଚାଲୁ କରାଯାଇଥିବା ବେଳେ ବର୍ତ୍ତମାନ ଏହା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିଛି । ଯାହାଫଳରେ ପୂର୍ବ ଅପେକ୍ଷା ବର୍ତ୍ତମାନ ସହର ଆହୁରି ସଫେଇ କ୍ଷେତ୍ରରେ ଆଗକୁ ବଢ଼ିବା ସହିତ ସହର ସମେତ ଏହାର ଆଖପାଖ ଅଞ୍ଚଳ ମଧ୍ୟ ପ୍ରଦୂଷଣରୁ ଦୂରରେ ରହିବ,"କହିଛନ୍ତି ବି.ଏମ.ସି କମିଶନର ସିଦ୍ଧେଶ୍ବର ବଳିରାମ ବୋନ୍ଦର ।

‘‘ବ୍ରହ୍ମପୁର ସହରରୁ ପ୍ରତିଦିନ ଶହ ଶହ ଟନ ଆବର୍ଜନା ବାହାରୁଥିଲା । କେତେବେଳେ ବିଏମସି ପକ୍ଷରୁ ଏହି ଆବର୍ଜନାକୁ ସଂଗ୍ରହ କରାଯାଉଥିଲା ତ ଆଉ କେତେବେଳେ ସହରର ବିଭିନ୍ନ ସ୍ଥାନରେ ଅଳିଆ ଆବର୍ଜନା ପଡ଼ି ରହୁଥିଲା । ଯାହାଫଳରେ ସହରରେ ମଧ୍ୟ ପରିବେଶ ପ୍ରଦୂଷଣ ହେଉଥିଲା । ବିଳମ୍ବରେ ହେଲେ ମଧ୍ୟ ବର୍ତ୍ତମାନ କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ଳାଣ୍ଟ କାର୍ଯ୍ୟକ୍ଷମ ହେବା ପରେ ସହରରେ ଆବର୍ଜନାର ମାତ୍ରା କମିବ,‘‘ କହିଛନ୍ତି ବ୍ରହ୍ମପୁର ବାସିନ୍ଦା ଦୁର୍ଗା ପଣ୍ଡା ।

ବହୁ ବିଳମ୍ବର ହେଲେ ମଧ୍ୟ କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ଳାଣ୍ଟ କାର୍ଯ୍ୟକ୍ଷମ ହୋଇଥିବା ବେଳେ ବର୍ତ୍ତମାନ ୧୫୦ ମେଟ୍ରିକ ଟନ ଆବର୍ଜନାକୁ ପ୍ରକ୍ରିୟାକରଣ କ୍ଷମତା ରହିଥିବା ବେଳେ ଆଗାମୀ ଦିନରେ ଏହାକୁ ବୃଦ୍ଧି କରି ୩୦୦ ମେଟ୍ରିକ ଟନ କରାଯିବା ନେଇ ଲକ୍ଷ୍ୟ ରଖିଛି ବିଏମସି ।
Published by:Soumya Das
First published: