ସରକାରୀ ସମ୍ପତ୍ତିକୁ ବିକି ପିଇଲେ ମଦ; ପିଅନଙ୍କ ସମେତ ତିନି କବାଡ଼ିବାଲାଙ୍କୁ ଗିରଫ କଲା ପୋଲିସ

ମଦ୍ୟପ ପିଅନଙ୍କ ଅମାନବୀୟ କାଣ୍ଡ । ମଦ ପିଇବା ନିଶାରେ ସରକାରୀ ସମ୍ପତ୍ତି ସବୁ ବିକ୍ରି କରିଦେଲେ । ପିଅନଙ୍କ ସମେତ ତିନି କବାଡ଼ିବାଲା ଗିରଫ ।

ସରକାରୀ ସମ୍ପତ୍ତିକୁ ବିକ୍ରି କରି ମଦ ପିଇଲେ ଏମ ପୀତାମ୍ବର; ପିଅନଙ୍କ ସମେତ ତିନି କବାଡ଼ିବାଲାଙ୍କୁ ଗିରଫ କଲା ପୋଲିସ

ସରକାରୀ ସମ୍ପତ୍ତିକୁ ବିକ୍ରି କରି ମଦ ପିଇଲେ ଏମ ପୀତାମ୍ବର; ପିଅନଙ୍କ ସମେତ ତିନି କବାଡ଼ିବାଲାଙ୍କୁ ଗିରଫ କଲା ପୋଲିସ

  • News18 Odia
  • Last Updated :
  • Odisha (Orissa), India
  • Share this:
News 18 Odia Digital

ବ୍ରହ୍ମପୁର; ସରକାରଙ୍କ ସମ୍ପତ୍ତିକୁ କବାଡ଼ିବାଲାକୁ ବିକ୍ରିକରି ମଦ ପିଇଦେଲେ ପିଅନ । ଏଭଳି ଅଭିଯୋଗ ଆସିଛି ବ୍ରହ୍ମପୁର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଶାଖା କାର୍ଯ୍ୟାଳୟରୁ । ପିଅନ ଏମ. ପିତାମ୍ବର ଗତ ଦୁଇ ବର୍ଷ ଧରି କାର୍ଯ୍ୟାଳୟରେ ଏକାକି ରହି ଆସୁଥିଲେ । ଏଥିମଧ୍ୟରେ ସେ କାର୍ଯ୍ୟାଳୟର ପ୍ରାୟ ୩୦ରୁ ଅଧିକ ଆଲମାରୀ, ୧୦ଟି ଚେୟାର, ଏକାଧିକ ଟେବୁଲ, ଫ୍ୟାନ୍ ସହ ଅନ୍ୟାନ୍ୟ ଅସବାବପତ୍ର ମଧ୍ୟ ବିକ୍ରି କରି ଦେଇଛନ୍ତି । ବିକ୍ରି କରିଥିବା ଟଙ୍କାରେ ସେ ମଦ ପିଇ ଦେଇଥିବା ନେଇ ସୂଚନା ମିଳିଛି ।



ପୋଲିସ ପିତାମ୍ବରଙ୍କ ସମେତ ସେ ସରକାରୀ ସମ୍ପତ୍ତିକୁ ବିକ୍ରି କରିଥିବା ତିନି ଜଣ କବାଡ଼ିବାଲାଙ୍କୁ ମଧ୍ୟ ଗିରଫ କରିଛି । ସେପଟେ ଏନେଇ ତଦନ୍ତ କରିବା ନିମନ୍ତେ ଡ଼ିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଜିଲ୍ଲାପାଳ ।  ପିଅନଙ୍କ ସହ ଏହି କାର୍ଯ୍ୟରେ ଆଉ କିଏ ସମ୍ପୃକ୍ତ ଅଛନ୍ତି ତାକୁନେଇ ଏବେ ତନାଘନା ଚାଲିଛି । ଦାୟିତ୍ୱରେ ରହିଥିବା ଉପରସ୍ଥ ଅଧିକାରୀଙ୍କୁ ମଧ୍ୟ ତଦନ୍ତ ପରିସର ଭୁକ୍ତ ଅଣାଯାଉ ବୋଲି କହିଛନ୍ତି ଶିକ୍ଷକ ସଂଘ ।



କିଛି କାଗଜପତ୍ରର ଆବଶ୍ୟକତା ପଡ଼ିବାରୁ ଜିଲ୍ଲା ଶିକ୍ଷା ବିଭାଗର ସେକ୍ସନ ଅଫିସର ଜୟନ୍ତ କୁମାର ସାହୁ ସମ୍ପୃକ୍ତ କାର୍ଯ୍ୟାଳୟକୁ ଯାଇଥିଲେ । ସେଠାରେ କାଗଜପତ୍ର ମିଳିବା ତ ଦୂରର କଥା ଆଲମିରା ମଧ୍ୟ ଗାଏବ ହୋଇଯାଇଥିବା ଦେଖିବାକୁ ପାଇଥିଲେ । ୩୦ରୁ ଅଧିକ ଆଲମିରା, ଏକାଧିକ ଫୋନ, କବାଟ, ଝରକା, ଟେବୁଲ, ଚେୟାର ଚୋରି ହୋଇଥିବା ନେଇ ଜୟନ୍ତ ଟାଉନ ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ ।



ଅଭିଯୋଗ ପାଇବା ପରେ ସମ୍ପୃକ୍ତ କାର୍ଯ୍ୟାଳୟରେ କାମ କରୁଥିବା ପିଅନ ଏମ. ପୀତାମ୍ବରକୁ ଅଟକ ରଖି ପଚରାଉଚୁରା କରିଥିଲା ପୋଲିସ । ଏମ. ପୀତାମ୍ବର ମଦ ପିଇବା ପାଇଁ ଟଙ୍କା ନଥିବା ଯୋଗୁଁ ଏଭଳି ସରକାରୀ କାର୍ଯ୍ୟାଳୟର ସମ୍ପତ୍ତିକୁ ବିକ୍ରି କରି ଟଙ୍କା ଯୋଗାଡ଼ କରିଥିଲେ । ସରକାରୀ ସମ୍ପତ୍ତିକୁ ବିକ୍ରି କରିଥିବା ଯୋଗୁଁ ପିତାମ୍ବରକୁ ଗିରଫ କରାଯାଇଛି । ଏହା ସହିତ ପିତାମ୍ବର ଯେଉଁ  ତିନି ଜଣ କବାଡ଼ି ବାଲାଙ୍କୁ ଜିନିଷ ବିକ୍ରି କରିଥିଲେ ସେମାନଙ୍କୁ ମଧ୍ୟ ଅଟକ ରଖି ଅଧିକ ପଚାରାଉଚୁରା କରାଯାଉଛି ବୋଲି ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ଶ୍ରବଣା ବିବେକ ଏମ ।



ତଦନ୍ତ ପରେ ଯେଉଁମାନେ ଦୋଷୀ ରହିଛନ୍ତି ସେମାନଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହାସହିତ ଯଦି କିଛି ଅପରାଧ ମୂଳକ କାର୍ଯ୍ୟ କରିଥିବେ ତାହାକୁ ମଧ୍ୟ ତଦନ୍ତ ପରିସରକୁ ଅଣାଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି । ୨୦୧୬ରୁ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଏଠାରେ ହୋଇଥିଲା । ବ୍ରହ୍ମପୁର ସମେତ ୫ଟି ବ୍ଳକର ସମସ୍ତ ଶିକ୍ଷକ ମାନଙ୍କର ସମସ୍ତ କାଗଜପତ୍ର ଏସ. ଆର ବୁକ ଗଚ୍ଛିତ ହୋଇ ରହିଥିଲା । ଏହି କାର୍ଯ୍ୟାଳୟଟି ସ୍କୁଲ ସମୂହ ଜିଲ୍ଲା ନିରୀକ୍ଷକ ତଥା ଡ଼ିଆଇ କାର୍ଯ୍ୟାଳୟ ରହିଥିଲା । ୨୦୧୩ ମସିହାରେ ଡ଼ିଆଇ ପଦବୀ ଉଚ୍ଛେଦ ହୋଇଥିଲା । ଡ଼ିଆଇ ପଦବୀ ଉଚ୍ଛେଦ ହୋଇ ଗୋଷ୍ଠୀ ଶିକ୍ଷାଧିକାରୀ ପଦବୀ ସୃଷ୍ଟି ହୋଇଥିଲା । ଯାହାକି ବ୍ରହ୍ମପୁର ସହରକୁ ମିଳିପାରିନଥିଲା । ତେଣୁ ବ୍ରହ୍ମପୁରର ସମସ୍ତ ବିଦ୍ୟାଳୟ ରଙ୍ଗେଇଲୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଚାଲିଯାଇଥିଲା । ପରବର୍ତ୍ତୀ ସମୟରେ ବ୍ରହ୍ମପୁର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଶାଖା କାର୍ଯ୍ୟାଳୟ ରହିଥିବା କାଗଜପତ୍ର ସହ ଅନ୍ୟାନ୍ୟ ଅସବାବପତ୍ର ସେଭଳି ରହିଥିଲା ।

କୌଣସି କାର୍ଯ୍ୟ ଏଠାରେ ହେଉନଥିବା ଯୋଗୁଁ କାର୍ଯ୍ୟରତ ଥିବା କିଛି କର୍ମଚାରୀଙ୍କୁ ରଙ୍ଗେଇଲୁଣ୍ଡା ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ବଦଳି କରାଯାଇଥିଲା । କେବଳ ଜଣେ ପିଅନ ଏମ. ପୀତାମ୍ବରକୁ ହିଁ ଗତ ଦୁଇ ବର୍ଷ ହେଲା କାର୍ଯ୍ୟାଳୟରେ ଏକୁଟିଆ ରହୁଥିଲେ । ତେବେ ଏଭଳି ଚୋରି ଘଟଣାରେ କେବଳ ଜଣେ ପିଅନ ହିଁ ସମ୍ପୃକ୍ତି ଥିବେ ତାହା ନୁହେଁ ବରଂ କାର୍ଯ୍ୟାଳୟର ଦାୟିତ୍ବରେ ଥିବା ଅଧିକାରୀଙ୍କୁ ମଧ୍ୟ ତଦନ୍ତରେ ସମ୍ପୃକ୍ତି କରାଯାଉ ବୋଲି ଦାବି କରିଛନ୍ତି,‘‘ ମହାନଗର ପ୍ରାଥମିକ ଶିକ୍ଷକ ସଂଘର ସଭାପତି ରାଜେଶ କୁମାର ତାରିଣୀ ।

ଦୀର୍ଘ ବର୍ଷ ଧରି ଶିକ୍ଷକମାନଙ୍କର ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ମଧ୍ୟ ଏହି କାର୍ଯ୍ୟାଳୟରେ ରହିଥିଲା । ଯାହାକି ବର୍ତ୍ତମାନ କବାଡ଼ିବାଲାର ଦୋକାନରେ ପଡ଼ିରହିଛି । ତେଣୁ ଯାହା ସଂଗ୍ରହ କରାଯାଇପାରିବ ତାହାକୁ ତୁରନ୍ତ ସଂଗ୍ରହ କରାଯାଇ ସାଇତି ରଖାଯାଉ ବୋଲି ଦାବି କରିଛନ୍ତି ମହାନଗର ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ଅବନୀ କୁମାର ପାଢ଼ୀ ।

ଏକ ସରକାରୀ କାର୍ଯ୍ୟାଳୟରୁ ବିଭିନ୍ନ ଅସବାବପତ୍ର ବିକ୍ରି କରିବା ଘଟଣା ଜିଲ୍ଲାରେ ପ୍ରଥମ । ତେବେ କେବଳ ପିଅନକୁ ଗିରଫ କରି ପୋଲିସ ଓ ଜିଲ୍ଲା ପ୍ରଶାସନ ଚୁପ ବସୁଛି ନା ବିଭାଗର ଉପରିସ୍ଥ ଅଧିକାରୀଙ୍କ ବିରୁଦ୍ଧରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହାକୁ ଏବେ ଅପେକ୍ଷା ।
Published by:Soubhagya Mishra
First published: