ଜନ୍ମାଷ୍ଟମୀ ଅବସରରେ ଶାରଦୀୟ ଦୁର୍ଗା ପୂଜା ପାଇଁ ଆରମ୍ଭ ହେଲା ମାଟି ଅନୁକୂଳ

ଶ୍ରୀକୃଷ୍ଣଙ୍କ ଜନ୍ମ ପୂର୍ବରୁ ବିଜୁଳିକନ୍ୟା ଭାବେ ଧରାପୃଷ୍ଠରେ ଆବିର୍ଭୁତ ହୋଇଥିଲେ ଦେବୀ ଦୁର୍ଗା। ପାପର ବିନାଶ କରି ଶାନ୍ତି ପ୍ରତିଷ୍ଠା ପାଇଁ ଦେବୀ ଆସିଥିଲେ । ତେଣୁ ଆଜିର ଦିନରେ ଦେବୀଙ୍କ ଆବାହନ ସ୍ୱରୂପ ବା ଆଦ୍ୟ ପର୍ବ ଭାବେ ମାଟି ଅନୁକୂଳ କରାଯାଏ।

ଜନ୍ମାଷ୍ଟମୀ ଅବସରରେ ଶାରଦୀୟ ଦୁର୍ଗା ପୂଜା ପାଇଁ ଆରମ୍ଭ ହେଲା ମାଟି ଅନୁକୂଳ
ଭୁବନେଶ୍ୱରରେ କୁଆଖାଇ ନଦୀ ପଠାରେ ଦୁର୍ଗା ପୂଜା ପାଇଁ ଆଦ୍ୟ ପର୍ବ ଭାବେ ମାଟି ସଂଗ୍ରହ କରାଯାଉଛି ।
  • News18 Odia
  • Last Updated: August 11, 2020, 3:18 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ପାଖେଇ ଆସିଲାଣି ଶାରଦୀୟ ଦୁର୍ଗା ପୂଜା । ବର୍ଷକ ବ୍ୟବଧାନରେ ପୁଣି ଥରେ ଧରାଧାମରେ ଆବିର୍ଭୂତ ହେବେ ଜଗତଜନନୀ ଦେବୀ ଦୁର୍ଗା । ଏବେ ଏହାର ଆଦ୍ୟ ପର୍ବ ଭାବେ ଆରମ୍ଭ ହୋଇଛି ମୃତ୍ତିକା ଅନାୟନ କାର୍ଯ୍ୟ। ଜନ୍ମାଷ୍ଟମୀ ଅବସରରେ ବିଭିନ୍ନ ପୂଜା କମିଟି ପକ୍ଷରୁ ମାଟି ଅନୁକୂଳ କରାଯାଇଛି।

ଦୁର୍ଗା ପୂଜାର ଆଦ୍ୟ ପର୍ବ ଭାବେ ଜନ୍ମାଷ୍ଟମୀ ଅବସରରେ ମାଟି ଅନୁକୂଳ କରାଯାଇଛି। ସକାଳୁ ସକାଳୁ ଭୁବନେଶ୍ୱରର ବିଭିନ୍ନ ପୂଜା କମିଟି ସଦସ୍ୟ ପହଞ୍ଚିଥିଲେ କୁଆଖାଇ ନଦୀ ପଠାରେ । ଘଣ୍ଟଘଣ୍ଟା ଓ ଶଙ୍ଖ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ପରିବେଶ। ସ୍ୱତନ୍ତ୍ର  ମନ୍ତ୍ର ଉଚ୍ଚାରଣ ସହ ଆସିଥିଲା ମାଟି। ପୂଜା କମିଟି ସଦସ୍ୟ ନଦୀରୁ ମାଟି ଆଣିବା ପାଇଁ ତାକୁ ପୂଜା କରାଯାଇଥିଲା। ଧୂପ, ଦୀପ ଓ ନୈବେଦ୍ୟ ଦେଇ ପୂଜାର୍ଚ୍ଚନା କରାଯାଇଥିଲା। ପରେ ବିଧି ମୁତାବକ ମାଟିକୁ ଆଣି ପୂଜା ମଣ୍ଡପରେ ରଖାଯାଇଛି।

ଏହି ମାଟିରୁ ହିଁ ଆରମ୍ଭ ହୁଏ ମୃଣ୍ମୟୀ ମୂର୍ତ୍ତି ଗଢ଼ା କାମ । କିନ୍ତୁ ପ୍ରତି ବର୍ଷ ଭଳି ଏ ଥର ନଥିଲା ଜନ ସମୁଦ୍ର। ମାଟି ଅନୁକୂଳ ସମୟରେ ବିଭିନ୍ନ ପୂଜା କମିଟି ପକ୍ଷରୁ ଘଣ୍ଟଘଣ୍ଟା ସହ ଢୋଲବାଜା ଓ ବିରାଟ ପଟୁଆର ନେଇ ନଦୀ ପଠାରେ ପହଞ୍ଚନ୍ତି। ବେଶ କିଛି ସମୟ ପାଇଁ କୁଆଖାଇ ନଦୀ ପଠାରେ ଜନଗହଳି ଲାଗିଯାଏ । ହେଲେ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । କରୋନା ମହାମାରୀ କଟକଣା ପାଇଁ ହାତଗଣତି କିଛି ସଦସ୍ୟଙ୍କୁ ନେଇ ମାଟି ଅନୁକୂଳ କାମ ହୋଇଛି।

ଘଣ୍ଟଘଣ୍ଟା ଓ ଶଙ୍ଖ ଧ୍ୱନି ସହ ମାଟି ଅନୁକୁଳ କରାଯାଇଛି ।


‘‘ପରମ୍ପରା ବଜାୟ ରହିବ ଓ ପୂଜା ହେବ। କିନ୍ତୁ ସରକାରଙ୍କ ନିୟମ ମାନି ସବୁ ହେବ। ଜନଗହଳି ଯେପରି ନ ହେବ, ସେଥି ପାଇଁ ମାତ୍ର କିଛି ସଦସ୍ୟଙ୍କୁ ନେଇ ଏଠିକି ଆସିଛୁ। ପୂଜା ସାରି ମାଆଙ୍କ ଅନୁକୂଳ ମାଟିକୁ ନେଇ ଫେରିବୁ । ଏତିକି ଖାଲି ମାଆଙ୍କୁ ପ୍ରାର୍ଥନା ଯଥା ଶୀଘ୍ର ଏ ମହାମାରୀ କବଳରୁ ସମାଜକୁ ରକ୍ଷା କରନ୍ତୁ,’’ କହିଛନ୍ତି ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ କଲୋନୀ ପୂଜା କମିଟି ସଭାପତି ମଧୁମାଧବ ଜେନା।

ନୟାପଲ୍ଲୀ, ରୁଚିକା ମାର୍କେଟ, ଡୁମୁଡୁମା, ବରମୁଣ୍ଡା ଓ ଚନ୍ଦ୍ରଶେଖରପୁର ଭଳି ବିଭିନ୍ନ ପୂଜା କମିଟି ପକ୍ଷରୁ ଆଜି ମାଟି ଅନୁକୂଳ କରାଯାଇଛି । ଶ୍ରୀକୃଷ୍ଣଙ୍କ ଜନ୍ମ ପୂର୍ବରୁ ବିଜୁଳିକନ୍ୟା ଭାବେ ଧରାପୃଷ୍ଠରେ ଆବିର୍ଭୁତ ହୋଇଥିଲେ ଦେବୀ ଦୁର୍ଗା। ପାପର ବିନାଶ କରି ଶାନ୍ତି ପ୍ରତିଷ୍ଠା ପାଇଁ ଦେବୀଙ୍କ ଆବିର୍ଭାବ ହୋଇଥିଲା । ତେଣୁ ଆଜିର ଦିନରେ ଅର୍ଥାତ ଜନ୍ମାଷ୍ଟମୀରେ ଦେବୀଙ୍କ ଆବାହନ ସ୍ୱରୂପ ବା ଆଦ୍ୟ ପର୍ବ ଭାବେ ମାଟି ଅନୁକୂଳ କରାଯାଏ।

ଏହା ବି ପଢ଼ନ୍ତୁ | ରାଜ୍ୟରେ ଆହୁରି ୧୦ ଜଣଙ୍କ ଜୀବନ ନେଲା କରୋନା; ମୃତ୍ୟୁ ସଂଖ୍ୟା ୨୯୬ ହେଲା; ୧,୩୪୧ ନୂଆ ପଜିଟିଭ୍

ଏହା ବି ପଢ଼ନ୍ତୁ | ପଶ୍ଚିମ ବଙ୍ଗରେ କରୋନା ରୋଗୀଙ୍କୁ ଲୁଟୁଛନ୍ତି ଘରୋଇ ହସପିଟାଲ; ଚିକିତ୍ସା ବିଲ୍ ୧୦.୩୯ ଲକ୍ଷ ଟଙ୍କା!

ବର୍ତ୍ତମାନ ସହରରେ କରୋନା ସ୍ଥିତିକୁ ଦେଖି ଅନେକ କଟକଣା ଜାରି ରହିଛି। ଏବେ ଯାଏ ଧାର୍ମିକ ଅନୁଷ୍ଠାନ ବି ଖୋଲିବାକୁ ଅନୁମତି ମିଳିନି। ଏପରି ସ୍ଥିତିରେ ଦୁର୍ଗା ପୂଜା ଆୟୋଜନ ନେଇ ଚିନ୍ତାରେ ପୂଜା କମିଟି ।



‘‘ସାଧାରଣତଃ ରାଜଧାନୀରେ ମାଆଙ୍କ ପୂଜାର୍ଚ୍ଚନା ସହ ଆଖିଝଲସା ତୋରଣ ସମସ୍ତଙ୍କୁ ଆକର୍ଷିତ କରେ। ଏ ନେଇ ଦୁଇ ମାସ ଆଗରୁ ପ୍ରସ୍ତୁତି ଆରମ୍ଭ ହୋଇଯାଏ। କିନ୍ତୁ ଏଥର କରୋନା ପାଇଁ ଏଥିରେ ବ୍ୟତିକ୍ରମ ଆସିଛି । ବର୍ତ୍ତମାନ ପ୍ରତି ଦିନ ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି । କିନ୍ତୁ ପୂଜା ସମୟରେ ଏପରି ସ୍ଥିତି ଥିବ ନାଁ ସୁଧୁରି ଯାଇଥିବ ତାହା ତ ସମୟ କହିବ। ତେବେ ଆମେ ପ୍ରଶାସନ ସହ ଆଲୋଚନା କରି ଯାହା ନିଷ୍ପତ୍ତି ନେବୁ,’’ କହିଛନ୍ତି ନୟାପଲ୍ଲୀ ପୂଜାକମିଟି ସଭାପତି ପବିତ୍ର ମୋହନ ବେହେରା ।
Published by: Anand Shankar Thankur Das
First published: August 11, 2020, 3:18 PM IST
corona virus btn
corona virus btn
Loading