News18 Odia Digital
କେନ୍ଦ୍ରାପଡ଼ା: ଆଜିକାଲି ଜୀବନଶୈଳୀରେ ଲୋକଙ୍କୁ ଚାକିରି ଅପେକ୍ଷା ବିଜନେସ୍ ବେଶ୍ ଭଲ ଲାଗିଲାଣି। ବିଜନେସ (Business) କରିବାକୁ ଅନେକ ଲୋକ ନିଜ ନିଜର ନାମୀଦାମୀ ଚାକିରି ମଧ୍ୟ ଛାଡ଼ି ଦେଉଛନ୍ତି। ଏପରି ଏକ ଘଟଣା ବର୍ତ୍ତମାନ ଦେଖିବାକୁ ମିଳୁଛି।
ସଫ୍ଟୱେର ଡିଜାଇନର (Software Designer) ହୋଇ ମଧ୍ୟ ଠେକୁଆ ଚାଷକୁ କ୍ୟାରିୟର ଭାବେ ବାଛି ନେଇଛନ୍ତି କେନ୍ଦ୍ରାପଡ଼ା ମୀର ପାଟଣା ଗ୍ରାମର ଏଚ.ପି ଧନରାଜ। ପାଞ୍ଚ ଲକ୍ଷ ଟଙ୍କା ବ୍ୟୟରେ ଆରମ୍ଭ ହୋଇଛି ତାଙ୍କ ଠେକୁଆ ଫାର୍ମ। ଏବେ ତାଙ୍କ ଫାର୍ମରେ ପ୍ରାୟ ୪ଟି ପ୍ରଜାତିର ଦେଢ଼ ଶହରୁ ଅଧିକ ଠେକୁଆ ଅଛନ୍ତି। ତାଙ୍କ ଫାର୍ମର ଠେକୁଆ ଦେଶର ବିଭିନ୍ନ ରାଜ୍ୟକୁ ରପ୍ତାନି ହେଉଛି।
ଠେକୁଆ ଚାଷକୁ ନିଜ କ୍ୟାରିୟର ଭାବେ ବାଛି ନେଇଛନ୍ତି କେନ୍ଦ୍ରାପଡାର ଉଚ୍ଚ ଶିକ୍ଷିତ ଯୁବକ ଏଚ.ପି ଧନରାଜ। ପୌରାଞ୍ଚଳ ଅନ୍ତର୍ଗତ ମୀରପାଟଣା ସ୍ଥିତ ନିଜ ଘରେ ଏକ ଠେକୁଆ ଫାର୍ମ କରି ପ୍ରାୟ ଦେଢ଼ ଶହରୁ ଅଧିକ ଠେକୁଆ ରଖିଛନ୍ତି ସେ।
ତାଙ୍କ ଫାର୍ମରେ ନିଉଜଲ୍ୟାଣ୍ଡ ହ୍ୱାଇଟି, ଗ୍ରେଟ୍ ଜିଆତଂ, ସୋଭିଏତ ଚଞ୍ଚିଲା, ରେଡ ଆଏ ଓ ବ୍ଲାକ ଆଏ ପରି ୬ରୁ ଅଧିକ ପ୍ରଜାତିର ଠେକୁଆ ରହିଛନ୍ତି।
୫ ଲକ୍ଷ ଟଙ୍କା ବ୍ୟୟରେ ଗତ ୭ ମାସ ପୂର୍ବେ ସେ ନିଜର ଠେକୁଆ ଫାର୍ମ ଆରମ୍ଭ କରିଥିଲେ। ଏବେ ୧୦୦ଟି ବଡ଼ ଓ ୬୦ରୁ ଅଧିକ ଛୋଟ ଠେକୁଆ ଏଠାରେ ରହିଛନ୍ତି। ଏଠାରେ ଥିବା ସମସ୍ତ ଠେକୁଆ ବ୍ରଏଲର୍ ପ୍ରଜାତିର। ଦୈନିକ ଏକ ବୟସ୍କ ଠେକୁଆ ପ୍ରାୟ ୮୦ ଗ୍ରାମ ଖାଦ୍ୟ ଖାଇବାକୁ ଦିଆଯାଇ ଥାଏ।
କଞ୍ଚା ଘାସ ସହିତ ଚୋକଡ, ଗହମ ଗୁଣ୍ଡ, ବିଭିନ୍ନ ପନିପରିବା ମଧ୍ୟ ଖାଇବାକୁ ଦିଆଯାଇ ଥାଏ। ଜନ୍ମ ହେବାର ୯୦ ଦିନ ମଧ୍ୟରେ ଠେକୁଆ ଛୁଆ ବିକ୍ରି ଯୋଗ୍ୟ ହୋଇ ଥାଏ ବୋଲି କହିଛନ୍ତି।
ଧନରାଜ ଫାର୍ମର ଠେକୁଆ ବାହାର ରାଜ୍ୟକୁ ରପ୍ତାନି ହୋଇଥାଏ। ଠେକୁଆ ମାଂସର ଚାହିଦା ବାହାର ରାଜ୍ୟରେ ବଢୁଥିବା ବେଳେ ଓଡ଼ିଶାରେ ଘରେ ରଖିବା ପାଇଁ ଲୋକେ ଠେକୁଆ କିଣି ନେଇ ଥାଆନ୍ତି। କେବଳ ସେତିକି ନୁହେଁ ବିଭିନ୍ନ କାର୍ଯ୍ୟ ପାଇଁ ମଧ୍ୟ ଏହି ଫାର୍ମର ଠେକୁଆ ବିକ୍ରି କରାଯାଇଥାଏ।
ତେବେ ଦେଢ଼ କିଲୋ ଗ୍ରାମ ଠେକୁଆ ମାଂସର ବଜାର ଦର ଏବେ ୨୫୦ଟଙ୍କା ରହିଥିବା ବେଳେ ମାଇ ଠେକୁଆ ପ୍ରତି ମାସରେ ଛୁଆ ଜନ୍ମ କରିଥାଏ। ଉପଯୁକ୍ତ ଖାଦ୍ୟପେୟ ସହିତ ପ୍ରତିଦିନ ଭିଟାମିନ, କ୍ୟାଲସିୟମ, ଲିଭର ଟନିକ ପ୍ରଭୁତି ଠେକୁଆମାନଙ୍କୁ ଖାଇବାକୁ ଦିଆଯାଇଥାଏ। ତେବେ ସବୁ ଠାରୁ ବଡ଼ କଥା ହେଲା ଠେକୁଆର ମନ ଉନ୍ନତ ମାନର କମ୍ପୋଷ୍ଟ ଭାବେ ବ୍ୟବହାର ହେଉଥିବା ବେଳେ ଠେକୁଆ ମୂତ୍ର ସର୍ବୋତ୍ତମ ଅରଗାନିକ ପେଷ୍ଟିସାଇଡି ଭାବେ ବ୍ୟବହାର କରାଯାଉଥିବା ପରିବାର ଲୋକେ କହିଛନ୍ତି।
ଧନରାଜଙ୍କ ସମସ୍ତ ପରିବାର ଏହି କାର୍ଯ୍ୟରେ ଲାଗି ପଡ଼ିଛନ୍ତି। ରୋଜଗାର ନ ପାଇ ହତାଶ ହେଉଥିବା ଯୁବ ସମାଜ ପାଇଁ ଏହି ପରିବାର ଏକ ଉଦାହରଣ କହିଲେ ଅତ୍ୟୁକ୍ତି ହେବନି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।