ଦିବ୍ୟାଙ୍ଗଙ୍କ ପାଇଁ ହେଉ ସ୍ୱତନ୍ତ୍ର ବ୍ୟବସ୍ଥା; ମୁଖ୍ୟମନ୍ତ୍ରୀ ଓ ଗଜପତିଙ୍କୁ ଚିଠି ଲେଖିଲେ ସମାଜସେବୀ ମୃଣାଳିନୀ
- News18 Odia
- Last Updated :
- Puri, India
News 18 Odia Digital
ପୁରୀ; ଶ୍ରୀମନ୍ଦିରରେ ଭିନ୍ନକ୍ଷମଙ୍କ ପାଇଁ ହ୍ୱିଲଚେୟାର ବ୍ୟବସ୍ଥା କରାଯିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ‘ସହାୟ’ର ସମ୍ପାଦିକା ମୃଣାଳିନୀ ପାଢ଼ୀ । ପୂର୍ବରୁ ନଭେମ୍ବର ୨୦୨୧ରୁ ଉତ୍ତରଦ୍ୱାର ଦେଇ ରାମ୍ପରେ ଯିବା ପାଇଁ ନିଷ୍ପତ୍ତି ହୋଇଥିଲା । ହେଲେ ଆଜି ପର୍ଯ୍ୟନ୍ତ ଲଟକି ରହିଛି ରାମ୍ପ ବ୍ୟବସ୍ଥା । ଦୁରଦୃଷ୍ଟିର ଅଭାବ ଏବଂ ସେବାୟତଙ୍କ ସହ ଆଲୋଚନା ନକରି ରାମ୍ପ କାଯ୍ୟକାରୀ କରିବାର ନିଷ୍ପତ୍ତି ଯୋଗୁଁ ପରେ ଫେଲ ମାରିଥିଲା ରାମ୍ପ ବ୍ୟବସ୍ଥା । ଉତ୍ତରଦ୍ୱାରଠାରୁ ଆନନ୍ଦବଜାର ଦେଇ କିର୍ତ୍ତନ ଚକଡା ଓ ଘଣ୍ଟି ଦ୍ୱାର ପର୍ଯ୍ୟନ୍ତ ରାମ୍ପ ବ୍ୟବସ୍ଥା ପାଇଁ ହୋଇଥିଲା ନିଷ୍ପତ୍ତି। ମାତ୍ର ପୂର୍ଣ୍ଣାଙ୍ଗ ହୋଇପାରିନଥିବା ଏହି ରାମ୍ପ ଦେଇ ହୁଇଲ ଚେୟାରରେ ଯାଇନପାରି ଅସୁବିଧା ଭୋଗୁଛନ୍ତି ଦିବ୍ୟାଙ୍ଗ ଶ୍ରଦ୍ଧାଳୁ । ପାର୍କିଂଠାରୁ ଇ ଅଟୋ ପର୍ଯ୍ୟନ୍ତ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ଥିବାବେଳେ ରାମ୍ପର ସୁବିଧା ନଥିବାରୁ ଦିବ୍ୟାଙ୍ଗ ଭକ୍ତଙ୍କ ଜଗାଦର୍ଶନରେ ବାଧା ଉପୁଜୁଛି । ପୂର୍ଣାଙ୍ଗ ରୂପ ନପାଇ ରାମ୍ପ କେବଳ ନିଷ୍ପତ୍ତିରେ ହିଁ ସୀମିତ ରହିଛି । ଖୁବଶୀଘ୍ର ଦିବ୍ୟାଙ୍ଗଙ୍କ ପାଇଁ ରାମ୍ପ କାର୍ଯ୍ୟକାରୀ କରିବାକୁ ସବୁ ମହଲରେ ଦାବି ହୋଇଛି ।
ସେପଟେ ଭକ୍ତଙ୍କ ବାଧା ମୁକ୍ତ ଦର୍ଶନ ଓ ଶ୍ରୀମନ୍ଦିରରେ ସ୍ଵଛତା ପାଇଁ ଚାଲିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ରୂପରେଖ ।ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ଏହି ପ୍ରକଳ୍ପ ଚାଲିଥିଲେ ମଧ୍ୟ ଦିବ୍ୟାଙ୍ଗଙ୍କ ପାଇଁ ରାମ୍ପ ବ୍ୟବସ୍ଥା ହୋଇନପାରିବା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେପଟେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଭିତରକୁ ଦିବ୍ୟାଙ୍ଗଙ୍କ ପ୍ରବେଶ ପାଇଁ ରାମ୍ପ ନିର୍ମାଣ ପ୍ରସଙ୍ଗ ନେଇ ହାଇକୋର୍ଟରେ ରୁଜୁ ମାମଲାରେ ରାମ୍ପ ବ୍ୟବସ୍ଥା ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ, ଶ୍ରୀମନ୍ଦିର ପରିଚାଳନା କମିଟି ଓ ପୁରୀ ଜିଲ୍ଲାପାଳ ମିଳିତ ଭାବେ ଏକ ଆଇନ ସମ୍ମତ ନିଷ୍ପତ୍ତି ନେବାକୁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ ।ଆବେଦନକାରୀ ଜଣେ ଦିବ୍ୟାଙ୍ଗ ହୋଇଥିବାବେଳେ ସେ ହ୍ୱିଲ ଚେୟାରରେ ଯାତାୟାତ କରୁଛନ୍ତି। ଗତବର୍ଷ ବିଶ୍ୱ ଭିନ୍ନକ୍ଷମ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ଟ୍ୱିଟ ମଧ୍ୟ କରିଥିଲେ ଜଣାଶୁଣା ଦିବ୍ୟାଙ୍ଗ ଅଭିନେତା ତଥା ଫିଲ୍ମ ନିର୍ମାତା ଜିତେନ୍ଦ୍ର ବିଶ୍ୱାଳ। ସେ ନିଜେ ମଧ୍ୟ କ୍ୱାଡ୍ରିପ୍ଲେଜିକ ରୋଗରେ ଆକ୍ରାନ୍ତ । ଅନ୍ୟପଟରେ ଗତବର୍ଷ ଦିବ୍ୟାଙ୍ଗ ଭକ୍ତଙ୍କ ଦାବିକୁ ସମର୍ଥନ ଜଣାଇଥିଲେ ବିଶିଷ୍ଟ ସାମ୍ବାଦିକ ରାଜଦୀପ ସରଦେଶାଇ ଏବଂ ତେହସିନ ପୁନାୱାଲା। କିନ୍ତୁ ସବୁପରେ ମଧ୍ୟ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇପାରିନଥିବା ବେଳେ ପୁନର୍ବାର ନିଜ ପ୍ରତିକ୍ରିୟା ଦୋହରାଇ ସେବାୟତ ଓ ପରିଚାଳନା କମିଟି ସହ ଆଲୋଚନା ପରେ ମଡେଲ ପ୍ରସ୍ତୁତ ହେବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।