News 18 Odia Digital
ବ୍ରହ୍ମପୁର; ଦୀର୍ଘ ଦିନର ବ୍ୟବଧାନ ପରେ ଦୀପିକାଙ୍କ ଧାରଣା ସ୍ଥଳରେ ଦେଖିବାକୁ ମିଳିଲା ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କୁ । ପ୍ରାୟ ୧୦ରୁ ଅଧିକ ଦିନ ହେଲା ଦୀପିକାଙ୍କ ଧାରଣାସ୍ଥଳକୁ ପ୍ରମିଳା ତ୍ରିପାଠୀ ଆସୁନଥିଲେ । ଦୀପିକାଙ୍କ ହାତ ଛାଡ଼ିଦେଲେ କି ପ୍ରମିଳା ? ଏଭଳି କିଛି ପ୍ରଶ୍ନ ସହରବାସୀଙ୍କ ମନରେ ଉଙ୍କି ମାରିଥିଲା । ସହରବାସୀଙ୍କ ଏଭଳି ପ୍ରଶ୍ନକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପ୍ରମିଳା ତ୍ରିପାଠୀ ଦୀପିକାଙ୍କ ଧାରଣାସ୍ଥଳକୁ ଆସିଛନ୍ତି ।
କୁମାର ପୂର୍ଣ୍ଣମା ପାଳନ ଅବସରରେ ଦୀପିକାଙ୍କ ଧାରଣାସ୍ଥଳ ନିକଟରେ ପହଞ୍ଚିଥିଲେ ପ୍ରମିଳା । ଦୀପିକାଙ୍କ ପାଇଁ କିଛି ଫଳ ମୂଳ ଆଣିବା ସହ କିଛି ଟଙ୍କା ମଧ୍ୟ ଦେଇଥିଲେ । ଏହା ସହିତ ଦୀପିକା ନିଜର ଧର୍ଯ୍ୟକୁ ଆହୁରି ସୁଦୃଢ଼ କରିବା ନିମନ୍ତେ ସେ ପରାମର୍ଶ ଦେଇଥିଲେ । ନ୍ୟାୟ ପାଇବା ପାଇଁ ବସିଥିବା ବେଳେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ନ ହୋଇ କିଭଳି ଶାନ୍ତି ଶୃଙ୍ଖଳାର ସହିତ ନ୍ୟାୟ ମିଳିବ ସେ ନେଇ ସର୍ବଦା ଚେଷ୍ଟା କରିବା ଆବଶ୍ୟକ । ନ୍ୟାୟ ପାଇବା ପର୍ଯ୍ୟନ୍ତ ତୋ ସହିତ ଅଛି ବୋଲି କହିଥିଲେ ପ୍ରମିଳା । ଦୀର୍ଘ ଦିନ ପରେ ହଠାତ୍ ପ୍ରମିଳା ଧାରଣାସ୍ଥଳକୁ ଆସିବାକୁ ନେଇ ଚକିତ ହୋଇଛନ୍ତି ଦୀପିକା ।
‘‘ଦୀର୍ଘ ଦିନ ଧରି ସେ ଧାରଣାସ୍ଥଳକୁ ଆସୁଥିନଥିବା ବେଳେ ଏହା ପଛରେ ସ୍ୱାସ୍ଥ୍ୟଗତ କାରଣ ବୋଲି ସେ କହୁଥିଲେ । କିନ୍ତୁ ହଠାତ୍ କୌଣସି ଖବର ନ ଦେଇ ଧାରଣାସ୍ଥଳକୁ ଚାଲିଆସିବାକୁ ଏକ ସରପ୍ରାଇଜ ବୋଲି କହିଛନ୍ତି ଦୀପିକା । ପ୍ରମିଳା ପହଞ୍ଚି ଅନେକ କଥା ବୁଝାଇଥିଲେ । ଦୀନେଶଙ୍କ ପରିବାର ଲୋକେ ଧାରଣାସ୍ଥଳରୁ ହଟିବା ନିମନ୍ତେ ବିଭିନ୍ନ ଚେଷ୍ଟା କରୁଥିଲେ ସୁଦ୍ଧା କେବେ ମଧ୍ୟ ଧାରଣାରୁ ହଟିବା ନାହିଁ ବୋଲି ସାହାସ ଦେଇଥିବା କହିଛନ୍ତି । ଏହାଛଡ଼ା ଆସନ୍ତା ୧୩ ତାରିଖରେ ହେବାକୁ ଥିବା ରାଜ୍ୟ ମହିଳା କମିଶନରଙ୍କ ନିକଟରେ ଆଲୋଚନାରେ ମଧ୍ୟ ସହଯୋଗ କରିବି ବୋଲି ପ୍ରମିଳା କହିଥିବା କହିଛନ୍ତି,‘‘ କେ. ଦୀପିକା ।
‘‘ସ୍ୱାସ୍ଥ୍ୟଗତ କାରଣ ଯୋଗୁଁ ଦୀପିକାର ଧାରଣାସ୍ଥଳକୁ ଯାଇପାରୁନାହିଁ । ଧାରଣାକୁ ଯାଇନଥିଲେ ସୁଦ୍ଧା ଘରେ ରହି ଦୀପିକା କିଭଳି ନ୍ୟାୟ ପାଇବ ସେ ନେଇ ପ୍ରଚେଷ୍ଟା କରୁଛି । ଦୀପିକାଙ୍କ ବିଭିନ୍ନ ଆଇନଗତ କାଗଜପତ୍ରକୁ ପ୍ରସ୍ତୁତ କରିବା ନେଇ କାମ ଜାରୀ ରହିଛି । ଏହାସହିତ ପୂର୍ବରୁ ରାଜ୍ୟ ମହିଳା କମିଶନରଙ୍କ ନିକଟକୁ ଏକାଠି ହୋଇ ଯାଇଥିଲୁ । ଚଳିତ ଥର ଆସନ୍ତା ୧୩ ତାରିଖରେ ପୁଣି ଥରେ ରାଜ୍ୟ ମହିଳା କମିଶନରଙ୍କ ନିକଟରେ ଆପୋଷ ଆଲୋଚନା ନିମନ୍ତେ ଦୁଇଟି ପକ୍ଷକୁ କୁହାଯାଇଛି । ତେଣୁ ପୂର୍ବରୁ ଦୀପିକାଙ୍କୁ ନ୍ୟାୟ ପ୍ରଦାନ ପାଇଁ କାମ କରୁଥିଲି ଏବଂ ଆଗାମୀ ଦିନରେ ମଧ୍ୟ ସେଭଳି କାମ କରିବି ବୋଲି କହିଛନ୍ତି,‘‘ ସମାଜସେବୀ ପ୍ରମିଳା ତ୍ରିପାଠୀ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।