News18 Odia Digital
ବ୍ରହ୍ମପୁର: ପୁଣି ଆଉ ଜଣେ ନିର୍ଯାତିତ ମହିଳାଙ୍କୁ ସହାୟତାରେ ହାତ ବଢ଼ାଇ ଚର୍ଚ୍ଚାରେ ସମାଜସେବୀ ପ୍ରମିଳା ତ୍ରିପାଠୀ। ଏଥର ପୁଣି ଶାଶୂଘର ଲୋକଙ୍କ ଦ୍ବାରା ନିର୍ଯାତିତା ହୋଇଥିବା ଶିକ୍ଷୟତ୍ରୀ ବୋହୂକୁ ସାହାଯ୍ୟ କରିବା ନିମନ୍ତେ ଆଗେଇ ଆସିଛନ୍ତି ପ୍ରମିଳା।
ସୋମବାର ସମ୍ପୃକ୍ତ ନିର୍ଯାତିତ ଶିକ୍ଷୟତ୍ରୀ ବୋହୂକୁ ଧରି ବ୍ରହ୍ମପୁର ଏସପିଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଛନ୍ତି ପ୍ରମିଳା। ଗୋଳନ୍ଥରା ଥାନା ସୁନାପୁର ଅଞ୍ଚଳର କନକଲତା ବେହେରା ୧୫ ବର୍ଷ ପୂର୍ବରୁ ସୁରଳ ଗ୍ରାମର ବସନ୍ତଙ୍କୁ ବିବାହ କରିଥିଲେ।
ବିବାହ ସମୟରେ ବସନ୍ତ ଦିଲ୍ଲୀରେ ଏକ ଘରୋଇ କମ୍ପାନୀରେ ଚାକିରି କରୁଥିଲେ। କନକଲତା ଜଣେ ସରକାରୀ ଶିକ୍ଷୟତ୍ରୀ ହୋଇଥିବାରୁ ବସନ୍ତଙ୍କୁ ଗାଁକୁ ଆଣି ସରକାରୀ ଚାକିରି ପାଇଁ ପ୍ରସ୍ତୁତ କରାଇବାରେ ସହାୟକ କରିଥିଲେ।
ପରବର୍ତ୍ତୀ ସମୟରେ ବସନ୍ତ ଅବକାରୀ ଏସଆଇ ଭାବେ ନିଯୁକ୍ତି ପାଇଥିଲେ। ଏହାପରେ ସୁନପୁର କରଣ ସାହିରେ କନକଲତାଙ୍କ ଆର୍ଥିକ ସହଯୋଗରେ ବସନ୍ତ ଏକ ଘର କରି ସେଠାରେ ରହୁଥିଲେ। କିଛି ମାସ ପରେ ବସନ୍ତ ଅନ୍ୟ ଜଣ ବିଭାଗୀୟ ମହିଳା ଅଧିକାରୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ।
ଏନେଇ କନକଲତା ଜାଣିବା ପରେ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିଲେ ବସନ୍ତ। କେବଳ ବସନ୍ତ ନୁହେଁ ବରଂ ତାଙ୍କ ଶାଶୁଘରର ଅନ୍ୟ ଲୋକେ ମଧ୍ୟ କନକଲତାଙ୍କୁ ନିର୍ଯାତନା ଦେଉଥିଲେ।
ଗତ ୧୭ ତାରିଖରେ କନକଲତା ନିଜ ଘରକୁ ଯାଇ ପୁଣି ଫେରିବା ପରେ ତାଙ୍କୁ ଶାଶୂଘର ଲୋକେ ଆଉ ଘରେ ପ୍ରବେଶ କରିବାକୁ ଦେଉନାହାଁନ୍ତି। ଯାହାଫଳରେ ଗତ ୭ ଦିନ ହେଲା ଶାଶୁଘର ବାରଣ୍ଡାରେ ପଡ଼ିରହିଛନ୍ତି କନକଲତା।
ଏନେଇ ଗୋଳନ୍ଥରା ଥାନାରେ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିବା ଯୋଗୁଁ ସୋମବାର ଏସପିଙ୍କ କାର୍ଯ୍ୟାଳୟକୁ ଆସି ନ୍ୟାୟ ଭିକ୍ଷା କରିଛନ୍ତି କନକଲତା ବେହେରା।
ସେପଟେ ତାଙ୍କୁ ନ୍ୟାୟ ଦେବା ପାଇଁ ସହାୟତାର ହାତ ବଢ଼ାଇଛନ୍ତି ସମାଜସେବୀ ପ୍ରମିଳା ତ୍ରିପାଠୀ। ପ୍ରମିଳା କନକଲତାଙ୍କ ଶାଶୂଘର ଲୋକଙ୍କୁ ବୁଝାସୁଝା କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରିନାହିଁ। ଏହାପରେ ଗୋଳନ୍ଥରା ଥାନାକୁ ମଧ୍ୟ ଦୁଇ ଦୁଇ ଥର ଗୁହାରି ଜଣାଇଥିଲେ ସୁଦ୍ଧା କେହି ସୁରକ୍ଷା ଦେଇ ପାରିନାହାଁନ୍ତି। ତେଣୁ ବାଧ୍ୟ ହୋଇ ଆଜି ବ୍ରହ୍ମପୁର ଏସପିଙ୍କୁ ସାକ୍ଷାତ କରିଛନ୍ତି ପ୍ରମିଳା ଓ କନକଲତା।
ପଢ଼ନ୍ତୁ ଏହି ଖବର: ୪୦ ଲକ୍ଷ ମହିଳାଙ୍କୁ ମିଳିବ ମାଗଣା ସ୍ମାର୍ଟଫୋନ; ଏହି ଦିନ ବାଣ୍ଟିବେ ସରକାରକନକଲତାଙ୍କ ସ୍ବାମୀ ଓ ଶାଶୁ ଘର ଲୋକଙ୍କୁ ଗିରଫ କରାଯିବା ସହିତ ତାଙ୍କୁ ନ୍ୟାୟ ପ୍ରଦାନ କରାଯାଉ ବୋଲି ଏସପିଙ୍କୁ ଜଣାଇବା ସହିତ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ କନକଲତାଙ୍କୁ ସହାୟତା କରୁଥିବେ ବୋଲି କହିଛନ୍ତି ସମାଜସେବୀ ପ୍ରମିଳା ତ୍ରିପାଠୀ । ସେପଟେ ଘଟଣାକୁ ନେଇ ଅତିରିକ୍ତ ଏସପି ତଦନ୍ତ ଆରମ୍ଭ କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।