ଆଦିତ୍ୟ ଦାଶଙ୍କ ‘ସୁଇସାଇଡ୍ ନୋଟ୍’ରେ ଥିବା ହସ୍ତାକ୍ଷର ତାଙ୍କ ନିଜର; ରେଳବାଇ ପୋଲିସକୁ ଆଶ୍ୱସ୍ତି

CCTV ଫୁଟେଜରୁ ଆଦିତ୍ୟ ଘରୁ ଯାଉଥିବା ବେଳେ ସାଧାରଣ ଭାବେ ଓ ଆତ୍ମବିଶ୍ୱାସର ସହ ଚାଲୁଥିବା ଦେଖାଯାଇଛି । ମୁହଁରେ ମାସ୍କ ପିନ୍ଧିଛନ୍ତି ଓ ପାଦରେ ଚପଲ ବି ଅଛି l ଚାଲି ଚଳଣୀରୁ ସେ ଆତ୍ମହତ୍ୟା କରିବାକୁ ଯାଉଥିବା ପରି ଲାଗୁ ନାହିଁ ବୋଲି ଅନେକ ମତ ଦେଇଛନ୍ତି l

ଆଦିତ୍ୟ ଦାଶଙ୍କ ‘ସୁଇସାଇଡ୍ ନୋଟ୍’ରେ ଥିବା ହସ୍ତାକ୍ଷର ତାଙ୍କ ନିଜର; ରେଳବାଇ ପୋଲିସକୁ ଆଶ୍ୱସ୍ତି
ସମାଜସେବୀ ଆଦିତ୍ୟ ଦାଶ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଯୁବ ସମାଜସେବୀ ଆଦିତ୍ୟ ଦାଶଙ୍କୁ ସନ୍ଦେହଜନକ ମୃତ୍ୟୁ ପରେ ପୋଲିସକୁ ମିଳିଥିବା ‘ସୁଇସାଇଡ୍‌ ନୋଟ’ ତାଙ୍କ ନିଜ ହସ୍ତାକ୍ଷର ବହନ କରୁଛି ବୋଲି ହ୍ୟାଣ୍ଡ ରାଇଟିଂ ବ୍ୟୁରୋ ରେଳବାଇ ପୋଲିସକୁ ଜଣାଇଛି । ଚାରି ପୃଷ୍ଠା ସମ୍ବଳିତ ସେହି ଚିଠି ଆଦିତ୍ୟଙ୍କ ନିଜ ହାତ ଲେଖା ବୋଲି ପ୍ରମାଣିତ ହୋଇଯିବା ପରେ ତାଙ୍କ ମୃତ୍ୟୁ ଉପରୁ ଦୂର ହୋଇଛି ସସପେନ୍ସ  l

‘‘ଜବତ ହୋଇଥିବା ଚାରି ପୃଷ୍ଠାର ଚିଠି ଆଦିତ୍ୟଙ୍କ ନିଜ ହାତ ଲେଖା l ଆଦିତ୍ୟଙ୍କ ସୁଇସାଇଡ ନୋଟ ସାଙ୍ଗକୁ ସେ ଲେଖାଲେଖି କରିଥିବା କିଛି ପୁରୁଣା କାଗଜ ହ୍ୟାଣ୍ଡ ରାଇଟିଂ ବ୍ୟୁରୋକୁ ଦିଆଯାଇଥିଲା l ସେ ସବୁ ମେଳ ଖାଉଛି l ତେଣୁ ଏହା ଏକ ଆତ୍ମହତ୍ୟା ମାମଲା ବୋଲି ଏବେ ପ୍ରମାଣିତ ହୋଇଛି l କିନ୍ତୁ ଆମର ତଦନ୍ତ ଜାରି ରହିବ,’’ କହିଛନ୍ତି ରେଳବାଇ ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟ l

ଆଦିତ୍ୟଙ୍କ ମୃତ୍ୟୁକୁ ନେଇ ଗତ ଦୁଇ ସପ୍ତାହ ହେଲା ଚାଲିଥିବା ଜିଆରପିର ତଦନ୍ତ ପକ୍ରିୟା ଉପରେ ପ୍ରଶ୍ନ ଉଠିଥିଲା l ମାମଲାର ତଦନ୍ତ ଠିକ ଦିଗ ଦେଇ ଯାଉନି, ବରଂ ତଦନ୍ତ ଦିଗହରା ହେଉଛି ବୋଲି ତାଙ୍କ ବନ୍ଧୁ ଓ ପ୍ରଶଂସକମାନେ ଅଭିଯୋଗ କରିଥିଲେ l ଏହା ଏକ କୋଲ୍ଡ ବ୍ଳଡେଡ ମର୍ଡ଼ର ବୋଲି ଲୋକେ କହୁଥିବାରୁ ମାମଲା କମିଶନରେଟ ପୋଲିସକୁ ଦିଆଯାଉ ବୋଲି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିଲେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ l କିନ୍ତୁ ଗୁରୁବାର ହାଣ୍ଡରାଇଟିଂ ବ୍ୟୁରୋ ଦେଇଥିବା ରିପୋର୍ଟ ରେଳବାଇ ପୋଲିସକୁ ଆଶ୍ୱସ୍ତି ଦେଇଛି  l

ଆଦିତ୍ୟ ଦାଶଙ୍କ ସୁଇସାଇଡ୍ ନୋଟର ଏକ ଅଂଶ


ଏହି ମୃତ୍ୟୁ ଏକ ଆତ୍ମହତ୍ୟା ବୋଲି ସ୍ପଷ୍ଟ ହେବା ପରେ ଏବେ ଆତ୍ମହତ୍ୟାର କାରଣ ଖୋଜା ଆରମ୍ଭ ହୋଇଛି l କାହିଁକି ଓ କାହା ପ୍ରରୋଚନାରେ ସେ ଆତ୍ମହତ୍ୟା କରିଛନ୍ତି ତାହା ଉପରେ ତଦନ୍ତ ଚଳାଇଛି ଜିଆରପି l

‘‘ସୁଇସାଇଡ ନୋଟରେ ନିଜ ମୃତ୍ୟୁ ପାଇଁ କାହାରିକୁ ଦାୟୀ କରିନାହାଁନ୍ତି ଆଦିତ୍ୟ l ତା’ ମାନେ ନୁହେଁ ଯେ ତଦନ୍ତ ସରିଗଲା । ତଦନ୍ତ ବେଳେ ଯଦି କିଏ ଆଦିତ୍ୟଙ୍କୁ ଆତ୍ମହତ୍ୟା ପାଇଁ ଉସକାଉଥିବା ପ୍ରମାଣିତ ହୁଏ ତେବେ ସମ୍ପୃକ୍ତ ବ୍ୟକ୍ତି ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ,’’ କହିଛନ୍ତି ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟ l

ଜୁଲାଇ ୬ ତାରିଖ ସନ୍ଧ୍ୟାରେ ପତ୍ନୀ ବିଦ୍ୟାଶ୍ରୀଙ୍କ ସହ ପାଟିତୁଣ୍ଡ ପରେ ଘରୁ ଏକୁଟିଆ ଚାଲି ଚାଲି ଲିଙ୍ଗରାଜ ଷ୍ଟେଷନ ଆଡ଼କୁ ଆସିଥିଲେ ଆଦିତ୍ୟ l ସିସିଟିଭି ଫୁଟେଜରୁ ଆଦିତ୍ୟ ଘରୁ ବାହାରି ଯାଉଥିବା ବେଳେ ସାଧାରଣ ଭାବେ ଓ ଆତ୍ମବିଶ୍ୱାସର ସହ ଚାଲୁଥିବା ଦେଖାଯାଇଛି । ମୁହଁରେ ସେ ମାସ୍କ ପିନ୍ଧିଛନ୍ତି ଓ ପାଦରେ ଚପଲ ବି ଅଛି l ତେଣୁ ତାଙ୍କ ଚାଲି ଚଳଣୀରୁ ସେ ଆଗକୁ ନିଜ ଜୀବନ ଲୀଳା ଶେଷ କରିବାକୁ ଯାଉଥିବା ପରି ଲାଗୁ ନାହିଁ ବୋଲି ଅନେକ ମତ ଦେଇଛନ୍ତି l

‘‘ସାଧାରଣତଃ ଜଣେ ମଣିଷର ଚାଲି ଓ ରଙ୍ଗ ଢଙ୍ଗରୁ ଜଣାପଡ଼େନି ସେ ଆତ୍ମହତ୍ୟା କରିବାକୁ ଯାଉଛନ୍ତି କି ନା l କାରଣ ଆତ୍ମହତ୍ୟା ଏକ କ୍ଷଣିକ ମାନସିକ ସ୍ଥିତିର ପରିଣତି l କେତେବେଳେ କିଛି ବି ହୋଇପାରେ l ସେହି ସମୟରେ ତାଙ୍କୁ କେହି ଯଦି ଅଟକାଇ ଦେଲା ତେବେ ଜୀବନଟା ବଞ୍ଚିଯାଏ,’’ କହିଛନ୍ତି ମନସ୍ତତ୍ତ୍ଵବିତ ମଧୁମିତା ଦାସ ।

ଏହା ବି ପଢ଼ନ୍ତୁ: ଆଦିତ୍ୟ ଦାଶଙ୍କ ସୁଇସାଇଡ୍ ନୋଟ୍: ‘‘ସରକାରଙ୍କ ସହ ପଙ୍ଗା ନେଲେ ସେ ତୁମ ବଞ୍ଚିବା ମୁସ୍କିଲ୍ କରିଦେବେ’’

ଏହା ବି ପଢ଼ନ୍ତୁ: CCTV: ରାସ୍ତା ଉପରେ ଦୁଇ ଝିଅଙ୍କ ସାମନାରେ ସାମ୍ବାଦିକଙ୍କୁ ଗୁଳି କଲେ ଦୁର୍ବୃତ୍ତ; ହସପିଟାଲରେ ମୃତ୍ୟୁ ହେଲା

ବର୍ତ୍ତମାନ କରୋନା ମହାମାରୀ ସମୟରେ ମାସ୍କ ପିନ୍ଧିବାର ଆବଶ୍ୟକତା ଥିବାରୁ ଓ ସେ ଜଣେ ସଚେତନ ନାଗରିକ ହୋଇଥିବାରୁ ସେ ଘରୁ ବାହାରିବା ବେଳେ ମାସ୍କ ପିନ୍ଧି ବାହାରକୁ ବାହାରିଛନ୍ତି ବୋଲି କହିଛନ୍ତି ମଧୁସ୍ମିତା ଦାସ l ‘‘ମାସ୍କ ପିନ୍ଧିବା ନ ପିନ୍ଧିବାର ଜଣେ ଲୋକର ଆତ୍ମହତ୍ୟା ସହ କୈଣସି ସମ୍ପର୍କ ନାହିଁ,’’ ସେ କହିଛନ୍ତି l
Published by: Anand Shankar Thankur Das
First published: July 23, 2020, 7:14 PM IST
corona virus btn
corona virus btn
Loading