News18 Odia Digital
ଭୁବନେଶ୍ୱର: ଯୁବ ସ୍ୱେଚ୍ଛାସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ (social worker Aditya Dash death) ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିବା ଯୋଗୁଁ ହୋଇଥିଲା । ପୋଷ୍ଟମର୍ଟମରୁ ମୃତ୍ୟୁର କାରଣ ଏହା ବୋଲି ଜଣାପଡ଼ିଛି । କୌଣସି ଶକ୍ତ ଆଘାତରେ ଆଦିତ୍ୟଙ୍କ ମୁଣ୍ଡ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।
ଜି.ଆର୍.ପି.କୁ ଆଜି ପୋଷ୍ଟମର୍ଟମ ରିପୋର୍ଟ ମିଳିଛି । ଏଥି ସହ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାରେ ଆସିଛି ଏକ ନୂଆ ମୋଡ଼ । ତାଙ୍କ ସଙ୍ଗଠନ ‘ପିପୁଲ୍ ଫର୍ ସେବା’ର ସଦସ୍ୟମାନଙ୍କ ଅଭିଯୋଗ ଭିତ୍ତିରେ ଜି.ଆର୍.ପି. ଥାନାରେ ରୁଜୁ ହୋଇଛି ଏକ ହତ୍ୟା ମାମଲା (murder case) ।
ଆଦିତ୍ୟଙ୍କ ମୃତ୍ୟୁ ଏକ ହତ୍ୟା ବୋଲି କହି ଏହି ମାମଲାର ଉପଯୁକ୍ତ ତଦନ୍ତ କରି ହତ୍ୟାକାରୀକୁ ଧରିବାକୁ ପୋଲିସ ଓ ସରକାରଙ୍କୁ ଅନୁରୋଧ କରିଛନ୍ତି ତାଙ୍କ ପତ୍ନୀ ବିଦ୍ୟାଶ୍ରୀ । ଆଦିତ୍ୟଙ୍କ ସହ ତାଙ୍କର ପ୍ରେମ ବିବାହ (love marriage) ମାତ୍ର ମାସକ ତଳେ ଜୁନ୍ ୯ ତାରିଖରେ ହୋଇଥିଲା ।
‘‘ଏବେ ପୋଷ୍ଟ୍ମର୍ଟମ୍ ରିପୋର୍ଟ ଆସିଗଲାଣି । ତାଙ୍କ ମୁଣ୍ଡକୁ ପାହାର ହୋଇଛି ବୋଲି, ଶକ୍ତ ଆଘାତ ଲାଗିଛି ବୋଲି ବି ଜଣାଯାଉଛି । ଉପଯୁକ୍ତ ଅନୁସନ୍ଧାନ କଲେ ହତ୍ୟାକାରୀ କିଏ ତାହା ନିଶ୍ଟୟ ଜଣାପଡ଼ିବ । ହତ୍ୟାକାରୀକୁ ଉପଯୁକ୍ତ ଶାସ୍ତି ଦେବାକୁ ମୁଁ ପୋଲିସ ଓ ସରକାରଙ୍କ ପାଖରେ ବିନତୀ କରୁଛି,’’ କହିଛନ୍ତି ବିଦ୍ୟାଶ୍ରୀ ।

ପୋଲିସ ଆଦିତ୍ୟଙ୍କ ସାଙ୍ଗସାଥୀ ଓ ସମ୍ପର୍କୀୟଙ୍କ ସହ ପଚରାଉଚରା ଜାରି ରଖିଛି ।
‘‘ସେ (ଆଦିତ୍ୟ) କେବେ ବି ସୁଇସାଇଡ୍ (suicide) କରିପାରିବେନି । ତାଙ୍କୁ ମାରିକି ଟ୍ରେନ୍ ଲାଇନରେ ପକେଇ ଦିଆଯାଇଛି । ଏହାର ତଦନ୍ତ ଏବେ ପୋଲିସ୍ କରୁଛନ୍ତି । ଏହି କେସଟି ଏବେ ଏତେ ସିରିୟସ୍ ସ୍ତରକୁ ପଳେଇଲାଣି ଯେ ନିଶ୍ଚିତ ସଠିକ ତଦନ୍ତ କରି ନ୍ୟାୟ ଦେବେ ବୋଲି ମୁଁ ଓ ଆମ ପରିବାରର ସମସ୍ତେ ଆଶା କରୁଛୁ,’’ ସେ କହିଛନ୍ତି ।
ଆଖ ପାଖ ଅଞ୍ଚଳରେ ଆଦିତ୍ୟଙ୍କ ପ୍ରଶଂସକମାନଙ୍କ ସହ ତାଙ୍କର ଅନେକ ଶତୃ ଥିଲେ ବୋଲି ବି କହିଛନ୍ତି ବିଦ୍ୟାଶ୍ରୀ । ‘‘ତାଙ୍କ କାମ ଲାଗି ତାଙ୍କର ବହୁତ ଶତୃ ଲୋକାଲ୍ ଏରିଆରେ ବି ଅଛନ୍ତି । ତାଙ୍କ ଫ୍ୟାନ୍ ଫଲୋଅରମାନଙ୍କ ସହ ତାଙ୍କ ସାଙ୍ଗରେ ରହି ବି ଫିତା କାଟିଲାବାଲା ବହୁତ ଅଛନ୍ତି,’’ ସେ କହିଛନ୍ତି ।
ଆଦିତ୍ୟ ଜୁଲାଇ ୬ ତାରିଖରେ ଲିଙ୍ଗରାଜ ରେଳ ଶ୍ଟେସନରେ ଅଧ ଘଣ୍ଟା ହେବ ବସିଥିଲେ ବୋଲି ଶୁଣାଯାଉଥିବା କହିଛନ୍ତି ବିଦ୍ୟାଶ୍ରୀ । ‘‘ଗୋଟିଏ ପ୍ଲାଟଫର୍ମରୁ ଆଉ ଗୋଟିଏ ପ୍ଲାଟଫର୍ମକୁ ଯାଇଥିଲେ ବୋଲି ବି ଶୁଣାଯାଉଛି । ସେପଟ ଲାଇନରେ ବି ବସିଥିଲେ ବୋଲି ବି ଶୁଣାଯାଉଛି । କୌଣସି ଲୋକ, ବିଶେଷତଃ ତାଙ୍କ ପରି ଜଣେ ମୋଟିଭେଟର, ଯଦି ବି ସୁଇସାଇଡ୍ କରିବାକୁ ଚାହୁଁଥିବ, ତେବେ କିଛି ସମୟ ବସିଗଲା ପରେ ମୁଣ୍ଡ ଥଣ୍ଡା ହୋଇଯାଏ ଅଟୋମାଟିକାଲି । ମୋତେ ଲାଗୁଛି ମୁଁ ଯେତେବେଳେ ତାଙ୍କୁ ଖୋଜାଖୋଜି କରିବାକୁ କହିଲି ଓ ସବୁ ଲୋକ ଜାଣିଲେ, ଏହି ସୁଯୋଗର କେହି ଫାଇଦା ଉଠେଇଛି,’’ କହିଛନ୍ତି ବିଦ୍ୟାଶ୍ରୀ ।
ଏହା ବି ପଢ଼ନ୍ତୁ:
୮ ଜଣ ପୋଲିସ କର୍ମୀଙ୍କ ହତ୍ୟାକାରୀ UP ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ମଧ୍ୟ ପ୍ରଦେଶରେ ଗିରଫ ହେଲାଗତ କାଲି କଥିତ ରୂପେ ଆଦିତ୍ୟ ଲେଖିଥିବା
ସୁଇସାଇଡ୍ ନୋଟ୍ ପୋଲିସ ଜବତ କରିଥିଲା । ତାହା ତାଙ୍କ ହାତଲେଖା କି ନୁହେଁ ତାହା ଜାଣିବାକୁ ପୋଲିସ ସେହି ନୋଟର ଫରେନସିକ୍ ଯାଞ୍ଚ କରାଉଛି । ତା’ର ରିପୋର୍ଟ ଏ ପର୍ଯ୍ୟନ୍ତ ଆସିନାହିଁ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।