News18 Odia Digital
ଭୁବନେଶ୍ୱର : କେବଳ ରାଜ୍ୟରେ ନୁହେଁ, ସାରା ଦେଶରେ ପରିବେଶ ପ୍ରଦୂଷଣ ବଡ଼ ସମସ୍ୟା ଭାବେ ଉଭା ହୋଇଛି। କାରଣ ପ୍ରାକୃତିକ ସମ୍ପଦର ସଠିକ ଉପଯୋଗୀ ହେଉନାହିଁ। ପାଣି ପାଇଁ ଲୋକେ ଡହଳ ବିକଳ। ବାରମ୍ବାର କୋର୍ଟ, କଚେରୀର ଦ୍ୱାରସ୍ଥ ହେଉଥିଲେ ମଧ୍ୟ ଫଳ ଶୁନ। ତେଣୁ ଆମକୁ ଆଗ ଯିବାକୁ ହେବ। ଲୋକଙ୍କ ସ୍ବାର୍ଥ ପାଇଁ ଅଧିକ ଉତ୍ସର୍ଗୀକୃତ ମନୋଭାବ ପୋଷଣ କରିବାକୁ ପଡିବ। ଭୁବନେଶ୍ୱର ଲୋହିଆ ଏକାଡେମୀରେ ଆୟୋଜିତ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଏହା କହିଛନ୍ତି ସୁପରିଚିତ ସାମାଜିକ କର୍ମୀ ତଥା ନର୍ମଦା ବଞ୍ଚାଅ ଆନ୍ଦୋଳନ ପୁରୋଧା ମେଧା ପାଟକର।
ସେ କହିଛନ୍ତି ଯେ, ଓଡ଼ିଶାରେ ବି ଅବାଧରେ ପ୍ରାକୃତିକ ସମ୍ପଦର ବେଆଇନ ଉପଯୋଗ ହେଉଛି। ବେଆଇନ ଖଣିଜ ସମ୍ପଦ ଉତ୍ତୋଳନ ଚାଲିଛି। ଜଳ, ଜମି ଓ ଜଙ୍ଗଲର ଅଧିକାରରୁ ବଞ୍ଚିତ ହେଉଛନ୍ତି ଲୋକେ। ପୋଲିସ ସହାୟତାରେ ଲୋକଙ୍କୁ ସେମାନଙ୍କ ମୌଳିକ ଅଧିକାରରୁ ଏ ବଞ୍ଚିତ କରାଯାଉଛି। ନିୟମଗିରିରେ ଏଭଳି ପ୍ରସଙ୍ଗ ମୋ ନଜରକୁ ଆସିଛି। ଯୋଉଠି ଯୋଉଠି ଏହି ପ୍ରସଙ୍ଗ ମୋ ନଜରକୁ ଆସିଛି । ଏହା ଏକ ଲମ୍ଵ ଲଢ଼େଇ। ଆହୁରି ଆଗକୁ ବଢିବ।
ସେ ସ୍ପଷ୍ଟ କରିଛନ୍ତି ଯେ, ଜଗତସିଂହପୁର ଜିଲ୍ଲାର ଢ଼ିଙ୍କିଆ ଗସ୍ତରେ ଯାଇଥିଲି। କିନ୍ତୁ ମୋତେ ସେଠାକୁ ଯିବାକୁ ଦିଆଗଲା ନାହିଁ। ଅବଶ୍ୟ ସେଠାରେ କିଛି ବାସିନ୍ଦାଙ୍କୁ ଭେଟିଲି। ସେମାନଙ୍କ ଭିତରୁ କିଛି ଶିଳ୍ପାୟନ ସପକ୍ଷରେ ଅଛନ୍ତି। ସରକାରଙ୍କ ଉଦ୍ୟମକୁ ଗ୍ରହଣ କରୁଛନ୍ତି। କିନ୍ତୁ ସେଠାରେ ବି ଲୋକଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରାଯାଇଛି। ଆମେ ଶିଳ୍ପାୟନକୁ ବିରୋଧ କରିନାହୁଁ। କିନ୍ତୁ ଉପଯୁକ୍ତ ବିସ୍ଥାପନ ନୀତିକୁ ଗୁରୁତ୍ୱ ଦିଆଯିବ ଦରକାର। ନର୍ମଦା ବଞ୍ଚାଓ ଆନ୍ଦୋଳନ ଏବେବି ସରିନାହଁ । ତେଣୁ ଏ ଲମ୍ବା ପ୍ରତିବାଦ ଆଗକୁ ବି ଜାରି ରହିବ। ଏହା ସମୟର ବଡ଼ ଚ୍ୟାଲେଞ୍ଜ।
ଏହି ଅବସରରେ ଲୋହିଆ ଏକାଡେମୀ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଶିଷ୍ଟ ଜନନେତା ପ୍ରଫୁଲ୍ଲ ସାମନ୍ତରା ଙ୍କ ଲିଖିତ ପୁସ୍ତକ ' ଆମ ଭବିଷ୍ୟତ, କେତେ ସୁରକ୍ଷିତ' ପୁସ୍ତକର ଶୁଭ ଲୋକାର୍ପଣ କରିଥିଲେ ମେଧା ପାଟେକର।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।