ସିଲିଣ୍ଡର ତଳେ ଲୁଚିଥିଲା ନାଗ; ସ୍ନେକ ହେଲ୍ପ ଲାଇନ ଆସିକି କଲା ଉଦ୍ଧାର

ରାତି ପ୍ରାୟ ୧୦.୩୦ ବେଳକୁ ସ୍ନେକ ହେଲ୍ପ ଲାଇନର ସଂଯୋଜକ ଲଳିତ ମୋହନ ପଣ୍ଡା ଓ ସଦସ୍ୟ ଅମିତ ସାହୁ ସେଠାରେ ପହଞ୍ଚିବା ବେଳକୁ ଶତାଧିକ ଲୋକଙ୍କର ଭିଡ଼ ଜମିଥିବା ଦେଖିବାକୁ ପାଇଥିଲେ ।

ସିଲିଣ୍ଡର ତଳେ ଲୁଚିଥିଲା ନାଗ

ସିଲିଣ୍ଡର ତଳେ ଲୁଚିଥିଲା ନାଗ

  • Share this:
News18 Odia Digital

ଭୁବନେଶ୍ବର: କଟକ ଜିଲ୍ଲା ବାଙ୍କୀ ଢ଼ଅଂସର ଗ୍ରାମର ରତ୍ନାକର ସାହୁଙ୍କ ମା' ରାତି ପ୍ରାୟ ୧୦ଟା ବେଳେ ରୋଷେଇ ଘରକୁ ଖାଦ୍ୟ ଆଣିବା ପାଇଁ ଗଲା ବେଳେ, ହଠାତ୍ ଗ୍ୟାସ ସିଲିଣ୍ଡର ଟାଙ୍କି ତଳୁ ଏକ ନାଗ ସାପ ସୁ ସୁ ଶବ୍ଦ କରି ତାଙ୍କ ଉପରେ ଆକ୍ରମଣ କରିବା ପାଇଁ ଚେଷ୍ଟା କରିଥିଲା । ସେ ଜୀବନ ବିକଳରେ ଚିତ୍କାର କରି ରୋଷେଇ ଘରୁ ଦୌଡ଼ି ଆସିଥିଲେ ।

ରତ୍ନାକର ଯାଇ ଘଟଣା କ'ଣ ଦେଖିବା ବେଳକୁ ଏକ ନାଗ ସାପ ଫଣା ଟେକି ଠିଆ ହେଇ ସୁ ସୁ ଗର୍ଜନ କରୁଛି, ଆଉ ତା' ଲାଙ୍ଗୁଳ ଉପରେ ଗ୍ୟାସ ସିଲିଣ୍ଡର ଚାପି ହୋଇ ରହିଯାଇଛି । ଏହି ଘଟଣା ପ୍ରଚାରିତ ହେବା ପରେ ଗାଁ ଏହି ବିରଳ ଘଟଣା ଦେଖିବା ପାଇଁ ରତ୍ନାକରଙ୍କ ଘରକୁ ଲୋକଙ୍କର ସୁଅ ଛୁଟିଥିଲା । ହେଲେ ଅଧିକ ଲୋକଙ୍କର ଉପସ୍ଥିତି ନାଗ ସାପଟିକୁ ଆହୁରି ରଗେଇବାରେ ସାହାଯ୍ୟ କଲା । କୌଣସି ଲୋକ ସାପ ଉପରୁ ଗ୍ୟାସ ସିଲିଣ୍ଡରକୁ ହଟେଇବା ପାଇଁ ଚେଷ୍ଟା ମଧ୍ୟ କରି ପାରିଲେ ନାହଁ । ଏହାପରେ ରତ୍ନାକର ସ୍ନେକ ହେଲ୍ପ ଲାଇନକୁ ଉଦ୍ଧାର ପାଇଁ ଅନୁରୋଧ କରିଥିଲେ ।

ରାତି ପ୍ରାୟ ୧୦.୩୦ ବେଳକୁ ସ୍ନେକ ହେଲ୍ପ ଲାଇନର ସଂଯୋଜକ ଲଳିତ ମୋହନ ପଣ୍ଡା ଓ ସଦସ୍ୟ ଅମିତ ସାହୁ ସେଠାରେ ପହଞ୍ଚିବା ବେଳକୁ ଶତାଧିକ ଲୋକଙ୍କର ଭିଡ଼ ଜମିଥିବା ଦେଖିବାକୁ ପାଇଥିଲେ । ଭିଡ଼ କମେଇବା ପାଇଁ ସ୍ନେକ ହେଲ୍ପ ଲାଇନ ଟିମକୁ ନାକେଦମ ହେବାକୁ ପଡ଼ିଥିଲା । ଅନେକ ବୁଝେଇବା ପରେ ରତ୍ନାକରଙ୍କ ଘରୁ ଦେଖଣାହାରୀମାନେ ବାହାରକୁ ଯାଇଥିଲେ । ତା' ପରେ ସ୍ନେକ ହେଲ୍ପ ଲାଇନ ସାପ ଉଦ୍ଧାର କାମ ଆରମ୍ଭ କରିଥିଲା ।

ତେବେ ସେତେବେଳକୁ ୪ ଫୁଟ ଲମ୍ବର ନାଗ ସାପଟି ଅତ୍ୟଧିକ ରାଗି ଯାଇଥିଲା ଓ ଆଉ ଫଣା ତଳକୁ କରି ନଥିଲା । ସାପର ଲାଞ୍ଜକୁ ଧରିବା ପାଇଁ କୌଣସି ସୁଯୋଗ ନପାଇ ଲଳିତ ବାଧ୍ୟ ହୋଇ ତା' ମୁଣ୍ଡକୁ ସ୍ନେକ ହୁକ୍ ସାହାଯ୍ୟରେ ଚାପି ଧରି ଗ୍ୟାସ ସିଲିଣ୍ଡର ଟିକୁ ଆସ୍ତେ ଆସ୍ତେ ସାପ ଉପରୁ ଟେକି ପାଖକୁ ହଟେଇବା ପରେ ସାପଟି ମୁକ୍ତ ହୋଇଥିଲା ।

ଏହା ପରେ ନାଗଟିର ଲାଙ୍ଗୁଳକୁ ଧରି ରୋଷେଇ ଘରୁ ବାହାରକୁ ନେଇ ଆସିଥିଲେ ଲଳିତ । କାଳେ ସାପଟିର ଲାଞ୍ଜ ପାଖରେ ଯେଉଁ ସ୍ଥାନରେ ସିଲିଣ୍ଡର ଚାପି ହୋଇଥିଲା ସେଇ ଯାଗାରେ କିଛି ଆଘାତ ହୋଇଥିବ ଭାବି ଲଳିତ ସେହି ସ୍ଥାନକୁ ପରୀକ୍ଷା କରିଥିଲେ କିନ୍ତୁ କୌଣସି ବାହ୍ୟ କ୍ଷତର ଚିହ୍ନ ନଥିଲା । ସାପଟି ତଳେ ଠିକ ଠାକ ଚଳ ପ୍ରଚଳ କରିବାରୁ ଭିତରେ ହାଡ଼ରେ କିଛି ଆଘାତ ନଥିବା ମଧ୍ୟ ସ୍ପଷ୍ଟ ହୋଇଥିଲା । ରାତିରେ ହିଁ ନାଗ ସାପ ଟିକୁ ଗାଁ ଠାରୁ ଯଥେଷ୍ଟ ଦୂରରେ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡ଼ି ଦିଆଯାଇଥିଲା ।
Published by:Lipina Das
First published: