ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ବାଥରୁମରେ ପଶି ଥିଲା ନାଗ ସାପ; ୨ ଘଣ୍ଟା କସରତ ପରେ ଉଦ୍ଧାର କଲା ସ୍ନେକ ହେଲ୍ଫ ଲାଇନ

ବାଥରୁମରେ ପଶି ଥିଲା ନାଗ ସାପ; ୨ ଘଣ୍ଟା କସରତ ପରେ ଉଦ୍ଧାର କଲା ସ୍ନେକ ହେଲ୍ଫ ଲାଇନ

ଭୁବନେଶ୍ବରର ଜଣେ ବ୍ୟକ୍ତିଙ୍କ ବାଥରୁମରେ ନାଗ ସାପ ପଶି ଯାଇଥିଲା । ସ୍ନେକ ହେଲ୍ଫ ଲାଇନ ଘଟଣାସ୍ଥଳେ ପହଞ୍ଚି ନାଗକୁ ସୁରକ୍ଷିତ ରୂପେ ଉଦ୍ଧାର କରିଥିଲା ।

ବାଥରୁମରେ ପଶି ଥିଲା ନାଗ ସାପ; ୨ ଘଣ୍ଟା କସରତ ପରେ ଉଦ୍ଧାର କଲା ସ୍ନେକ ହେଲ୍ଫ ଲାଇନ
ବାଥରୁମରେ ପଶି ଥିଲା ନାଗ ସାପ
  • News18 Odia
  • Last Updated: November 12, 2021, 2:32 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ରାଜଧାନୀର ପୋଖରୀପୁଟ ପ୍ଲଟ ନଂ 558/Bରେ ରୁହନ୍ତି ଅଜୟ ମୁଖାର୍ଜୀଙ୍କ ପରିବାର । ସକାଳୁ ଉଠି ବାଥରୁମ ଯିବା ପାଇଁ କବାଟ ଖୋଲି ଭିତକୁ ଯିବା ପରେ ଦେଖିଲେ ଏକ ନାଗ ସାପ । ଯାହାକୁ ଦେଖି ଭୟଭୀତ ହୋଇ ବାହାରକୁ ପଳେଇ ଆସିଲେ ସେ । ଅଜୟଙ୍କ ପତ୍ନୀ ଦୀପ୍ତିମୟୀ ମୁଖାର୍ଜୀ କିନ୍ତୁ ସାହାସର ସହିତ ବାଥରୁମକୁ ଯାଇ କେଉଁ ସାପ ବୋଲି ଦେଖିବା ପାଇଁ ଚେଷ୍ଟା କରିଥିଲେ । ଦୀପ୍ତିମୟୀ ଦେଖିବା ବେଳକୁ ଏକ ହଳଦିଆ ରଙ୍ଗର ନାଗ ସାପଟିଏ ବାଥରୁମରେ ଥିବା ଜାଲି ପଟେ ବାହାରକୁ ଯିବା ପାଇଁ ଚେଷ୍ଟା କରି ମୁଣ୍ଡ ପୁରେଇବା ପରେ ଅଧା ବାଟରେ ଅଟକି ଯାଇଥିଲା । ଆଉ ନା ଆଗକୁ ଯାଇ ପାରୁଥିଲା ନା ପଛକୁ ଆସି ପାରୁଥିଲା । ସେଇ ଗୋଟିଏ ସ୍ଥାନରେ ରହି ବାହାରକୁ ଯିବା ପାଇଁ ସଂଘର୍ଷ କରୁଥିଲା ।

ଏହା ପରେ ଦୀପ୍ତିମୟୀ କବାଟକୁ ବନ୍ଦ କରିଦେଇ ସ୍ନେକ ହେଲ୍ଫ ଲାଇନକୁ ଖବର ଦେଇଥିଲେ । ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ସାପଟି କବାଟ ତଳେ ମୁଣ୍ଡ ବାହାର କରିଥିବା ଅଵସ୍ଥାରେ ସାହସୀ ଦୀପ୍ତିମୟୀ ଏକ କାଠ ବଟମ୍ ସାହାଯ୍ୟରେ ସାପର ମୁଣ୍ଡକୁ କାଇଦା କରି ଚାପି ଧରିଥିଲେ । ଦୀପ୍ତିମୟୀ କହିଛନ୍ତି, ‘‘ସାପଟି ସେହି ଜାଲିରୁ ସମ୍ଭବତଃ ମୁକୁଳି ଯିବାକୁ ସକ୍ଷମ ହେଇଗଲା ଓ ବାଥରୁମରୁ ବେଡରୁମକୁ ପଶି ଯିବ ଭାବି ମୁଁ ତାକୁ ଚାପି ଧରିଛି।’’ ତେବେ ଶୁଭେନ୍ଦୁ ସାପଟିକୁ ଉଦ୍ଧାର କରିବା ପାଇଁ ବାଥରୁମ କବାଟ ଖୋଲି ଦେଖିବା ବେଳକୁ ନାଗ ସାପଟି ଦେହରେ ଏକ ଷ୍ଟିଲ ଜାଲି ପଶିଛି ଓ ଡ୍ରେନ ଗାତ ମୁକୁଳା ପଡ଼ିଛି । ଅର୍ଥାତ ଷ୍ଟିଲ ଜାଲି ଭିତର ଦେଇ ସାପଟି ବାହାରିବାକୁ ଚେଷ୍ଟାରେ ସଫଳ ସିନା ହେଲାନାହିଁ, ହେଲେ ଜାଲିଟିକୁ ସମ୍ପୂର୍ଣ୍ଣ ଓପାଡ଼ି ଦେବାରେ ସକ୍ଷମ ହୋଇଥିଲା ।

ଯେହେତୁ ଦେହରେ ଷ୍ଟିଲ ଜାଲିଟି ଫସି ଯାଇଥିଲା, ଦୀପ୍ତିମୟୀ ଯଦି ଏପଟେ ସାପ ମୁଣ୍ଡକୁ ଚାପି ରଖିନଥାନ୍ତେ ତଥାପି ସେ କବାଟ ତଳେ ବାହାରି ପାରି ନଥାନ୍ତା । ଷ୍ଟିଲ ଜାଲି ହୋଇଥିବାରୁ ସେଇ ସ୍ଥାନରେ ଏକୁଟିଆ କାଟି ସାପକୁ ମୁକ୍ତ କରିବା ସମ୍ଭବ ନଥିଲା, ଏଣୁ ପ୍ରାୟ ୪ ଫୁଟ ଲମ୍ବର ସାପଟିକୁ ସେହି ଜାଲି ସୁଦ୍ଧା ବ୍ୟାଗରେ ଭର୍ତ୍ତି କରି ଶୁଭେନ୍ଦୁ ସ୍ନେକ ହେଲ୍ପ ଲାଇନ କାର୍ଯ୍ୟାଳୟକୁ ନେଇଆସିଥିଲେ।

୨ ଘଣ୍ଟା କସରତ ପରେ ନାଗ ସାପକୁ ଉଦ୍ଧାର କଲା ସ୍ନେକ ହେଲ୍ଫ ଲାଇନ


ବିଷଧର ନାଗ ସାପର ମୁଣ୍ଡକୁ ଧରି ଷ୍ଟିଲ ଜାଲିକୁ କାଟି ବାହାର କରିବା କାମ ଜଣଙ୍କ ଦ୍ୱାରା ସମ୍ଭବ ନୁହେଁ, ସେଥିପାଇଁ ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ଆଶିଷ କୁମାର ବେହେରା ଓ ସିଲକା ସେଲୋନୀ ମିଳିତ ଭାବରେ ନାଗକୁ ମୁକ୍ତ କରିବା କାମ ଆରମ୍ଭ କରିଥିଲେ । ଶୁଭେନ୍ଦୁ କହିଛନ୍ତି "ପ୍ରଥମେ ନାଗ ସାପର ମୁଣ୍ଡକୁ ପାରଦର୍ଶି ପ୍ଲାଷ୍ଟିକ ରିଷ୍ଟ୍ରେନିଂ ଟ୍ୟୁବ ଭିତରେ ଜାଲି ପର୍ଯ୍ୟନ୍ତ ଭର୍ତ୍ତି କରି ସିଲକା ସେଲୋନୀ ନାଗ ସାପର ମୁଣ୍ଡକୁ ଅକ୍ତିଆର କରି ରଖିବା ପରେ, ଆଶିଷ ପ୍ଲାୟର୍ସ ଦ୍ୱାରା ଷ୍ଟିଲ ଜାଲିକୁ ଧୀରେ ଧୀରେ କାଟିବାକୁ ଲାଗିଲେ । ୧୦ ମିନିଟରେ ଷ୍ଟିଲ ଜାଲି କଟିଗଲା ଓ ନାଗ ସାପଟି ମୁକ୍ତ ହୋଇଥିଲା।"

ପରୀକ୍ଷା କରିବାରୁ ସାପଟିର ଦେହରେ କୌଣସି କ୍ଷତ ଚିହ୍ନ ପାଇନଥିଲେ ଶୁଭେନ୍ଦୁ । ଏଣୁ ସାପଟିକୁ ସହର ବାହାରେ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡ଼ି ଦିଆଯାଇଥିଲା ।
Published by: Lipina Das
First published: November 12, 2021, 2:31 PM IST