ଶ୍ରୀମନ୍ଦିର ଭିତରକୁ ସ୍ମାର୍ଟଫୋନ ସମ୍ପୂର୍ଣ୍ଣ ନିଷେଦ୍ଧ; ସେବାୟତ ଓ କର୍ମଚାରୀ ବାହାରେ ରଖିବେ ଫୋନ

ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ ଓ ସେବାୟତମାନଙ୍କ ପାଇଁ ସ୍ମାର୍ଟ ଫୋନ ରଖିବାକୁ ଦୁଇ ଦ୍ୱାରରେ ମୋବାଇଲ ଡିପୋଜିଟ ପାଇଁ ଷ୍ଟାଣ୍ଡ ରହିବ ।

ଶ୍ରୀମନ୍ଦିର ଭିତରକୁ ସ୍ମାର୍ଟଫୋନ ସମ୍ପୂର୍ଣ୍ଣ ନିଷେଦ୍ଧ; ସେବାୟତ ଓ କର୍ମଚାରୀ ବାହାରେ ରଖିବେ ଫୋନ

ଶ୍ରୀମନ୍ଦିର ଭିତରକୁ ସ୍ମାର୍ଟଫୋନ ସମ୍ପୂର୍ଣ୍ଣ ନିଷେଦ୍ଧ; ସେବାୟତ ଓ କର୍ମଚାରୀ ବାହାରେ ରଖିବେ ଫୋନ

  • News18 Odia
  • Last Updated :
  • Puri, India
  • Share this:
News 18 Odia Digital

ପୁରୀ; ଶ୍ରୀମନ୍ଦିରକୁ ସ୍ମାର୍ଟ ଫୋନ ନେଇ କଡାକଡି ନିୟମ କଲା ଶ୍ରୀମନ୍ଦିର ପ୍ରଶାସନ । ଗତ ଛତିଶା ନିଯୋଗ ବୈଠକର ନିଷ୍ପତି ଅନୁସାରେ ଜାନୁଆରୀ ୧ରୁ ଶ୍ରୀମନ୍ଦିରକୁ ସ୍ମାର୍ଟ ଫୋନ ପ୍ରବେଶ ଉପରେ କଟକଣା ଲାଗିଛି । ମୋବାଇଲ ବାରଣ ନେଇ ଛତିଶା ନିଯୋଗର ନିଷ୍ପତ୍ତି ଉପରେ ପରିଚାଳନା କମିଟି ମୋହର ମାରିଛି । ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ ଓ ସେବାୟତମାନଙ୍କ ପାଇଁ ସ୍ମାର୍ଟ ଫୋନ ରଖିବାକୁ ଦୁଇ ଦ୍ୱାରରେ ମୋବାଇଲ ଡିପୋଜିଟ ପାଇଁ ଷ୍ଟାଣ୍ଡ ରହିବ । ଅଧିକାରୀ ଓ ସେବାୟତମାନେ ସିଂହଦ୍ୱାର ଓ ଦକ୍ଷିଣ ଦ୍ୱାରରେ ମୋବାଇଲ ଡିପୋଜିଟ କରି ଭିତରକୁ ଯାଇପାରିବେ । ସେଵାୟତ ଓ ଅଧିକାରୀ ଚାହିଁଲେ କି ପ୍ୟାଡ ଫୋନ ଶ୍ରୀମନ୍ଦିର ଭିତରକୁ ନେଇପାରିବେ । ତେବେ ନୀତି ସମ୍ବନ୍ଧୀୟ ଅପଡେଟ ପାଇଁ ଶାଖା କାର୍ଯ୍ୟାଳୟ ଓ ଗାରଦରେ ଗୋଟିଏ ମୋବାଇଲ ରହିବ । ଯିଏ ବି ନିୟମର ଉଲଙ୍ଘନ କରିବେ ସେମାନଙ୍କ ଠାରୁ ୧ ହଜାର ଟଙ୍କା ଜରିମାନା ଆଦାୟ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ଏହା ସହ ଏନଜିଟି ନିର୍ଦ୍ଦେଶ ନେଇ ଅପିଲରେ ଯିବ ପରିଚାଳନା କମିଟି । ଏନଜିଟି ଦେଇଥିବା ନିର୍ଦ୍ଦେଶକୁ ଅନୁପାଳନ ପାଇଁ ଆଜିର ବୈଠକରେ ହୋଇଛି ଆଲୋଚନା ହୋଇଛି । ମହାପ୍ରଭୁଙ୍କ ନାମରେ ଥିବା ଖଣିରେ ବେଆଇନ ଖନନକୁ ନେଇ ଏନଜିଟି ଦେଇଥିବା ୧୨ କୋଟି ଟଙ୍କାର କ୍ଷତିପୂରଣ ନିର୍ଦ୍ଦେଶ ଉପରେ ଅପିଲରେ ଯିବ ଶ୍ରୀମନ୍ଦିର ପ୍ରଶାସନ । ଅନ୍ୟପଟରେ ସେବାୟତଙ୍କ ଗୁରୁକୂଳ ପାଇଁ ବିର୍ଲା ଫାଉଣ୍ଡେସନ ସହ MOU ସ୍ୱାକ୍ଷରିତ କରାଯାଇ ୩୨ ଏକର ଜମି ସୋସାଇଟିକୁ ଦିଆଯିବ ।

ସେପଟେ ମହାପ୍ରଭୁଙ୍କ ରଥ କାଠର ଅଭାବ ପୁରଣ ପାଇଁ ହୋଇଥିବା ଶ୍ରୀଜଗନ୍ନାଥ ବନ ପ୍ରକଳ୍ପ ନେଇ ହୋଇଛି ଗୁରୁତ୍ୱପୁର୍ଣ୍ଣ ଆଲୋଚନା । ତେବେ ଏ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକକୁ ପିସିସିଏଫଙ୍କୁ ଡକାଯାଇଥିଲା । ଶ୍ରୀଜଗନ୍ନାଥ ବନ ପ୍ରକଳ୍ପର ୪୦୦୦ ହେକ୍ଟରରୁ ୩୬୦୦ ହେକ୍ଟରରେ ବୃକ୍ଷରୋପଣ ହୋଇଛି । ତେବେ ଏହାର ସ୍ଥିତି କ'ଣ ରହିଛି, ଗଛ କେଉଁ ଅବସ୍ଥାରେ ରହିଛି ତାର ଅନୁଧ୍ୟାନ ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କୁ ନେଇ କମିଟି ଗଠନ କରାଯାଇଥିବା ବେଳେ ସେମାନେ ଅନୁଧ୍ଯାନ କରି ୧୫ ଦିନ ଭିତରେ ଦେବେ ରିପୋର୍ଟ । ଆଉ ଏହି କମିଟିରେ ୨ ଜଣ ପରିଚାଳନା କମିଟି ସଦସ୍ୟ ଯାଇ ସ୍ଥିତି ଅନୁଧ୍ୟାନ କରିବେ । ମହାପ୍ରଭୁଙ୍କ ନାମରେ ଥିବା ୧୬୦୦ ଏକର ଜଙ୍ଗଲ କିସମ ଜମିରେ ରଥ କାଠ ପାଇଁ ବୃକ୍ଷରୋପଣ କରାଯିବ । ତା ସହ ପ୍ରମୋଦ ଉଦ୍ୟାନ ଓ ଗୁଣ୍ଡିଚା ମନ୍ଦିର ଉନ୍ନତିକରଣ ପାଇଁ ପ୍ଲାନ୍ ପ୍ରସ୍ତୁତ । ଟେଣ୍ଡର ପରେ ପ୍ଲାନ୍ କାର୍ଯ୍ୟକାରୀ ହେବ । ଗୁଣ୍ଡିଚା ମନ୍ଦିର ନାଟମଣ୍ଡପ ଵିମ୍ ମରାମତି ଏପ୍ରିଲ ପୂର୍ବରୁ ସରିବ ।

ସେପଟେ ଏଏସଆଇର ୫ ବର୍ଷିୟା ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଓ ସଂରକ୍ଷଣ ଯୋଜନାକୁ ନେଇ ଶ୍ରୀମନ୍ଦିର ପରିଚାଳନା କମିଟିର ଜଣେ ସଦସ୍ୟଙ୍କୁ ତାର ଅନୁଧ୍ୟାନ ପାଇଁ ରଖାଯାଇଥିବା କହିଛନ୍ତି ପରିଚାଳନା କମିଟି ସଦସ୍ୟ । ଆଜିର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି । କିନ୍ତୁ ୫ ଘଣ୍ଟାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରତ୍ନଭଣ୍ଡାରକୁ ନେଇ ପଦଟିଏବି ଆଲୋଚନା ହେଲାନାହିଁ । ସେପଟେ ମହାପ୍ରଭୁଙ୍କ ଜମି ଜମା ପ୍ରସଙ୍ଗ ଓ ପ୍ରଚାର ପ୍ରସାର କମିଟିର ଆଲୋଚନା ହୋଇନଥିବାରୁ ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଜଗନ୍ନାଥପ୍ରେମୀ ।
Published by:Soubhagya Mishra
First published: