• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ବ୍ରହ୍ମପୁରରେ ମନ୍ଥର ଗତିରେ ଚାଲିଛି ସ୍ମାର୍ଟ ରୋଡ଼ କାର୍ଯ୍ୟ; ବଢୁଥିବା ଟ୍ରାଫିକ ସମସ୍ୟାକୁ ନେଇ ଅସନ୍ତୋଷ ପ୍ରକାଶ

ବ୍ରହ୍ମପୁରରେ ମନ୍ଥର ଗତିରେ ଚାଲିଛି ସ୍ମାର୍ଟ ରୋଡ଼ କାର୍ଯ୍ୟ; ବଢୁଥିବା ଟ୍ରାଫିକ ସମସ୍ୟାକୁ ନେଇ ଅସନ୍ତୋଷ ପ୍ରକାଶ

ବ୍ରହ୍ମପୁରରେ ସ୍ମାର୍ଟ ରୋଡ଼ର କାମ ୩ ମାସ ମଧ୍ୟରେ ଶେଷ କରିବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ତେବେ କାର୍ଯ୍ୟର ଅବଧି ଶେଷ ହୋଇ ଆହୁରି ଅଧିକ ଏକ ମାସ ବିତିଗଲାଣି ତଥାପି କାମ ଅଧା ମଧ୍ୟ ଶେଷ ହୋଇନାହିଁ ।

ବ୍ରହ୍ମପୁରରେ ମନ୍ଥର ଗତିରେ ଚାଲିଛି ସ୍ମାର୍ଟ ରୋଡ଼ କାର୍ଯ୍ୟ (ପ୍ରତୀକାତ୍ମକ ଛବି)

ବ୍ରହ୍ମପୁରରେ ମନ୍ଥର ଗତିରେ ଚାଲିଛି ସ୍ମାର୍ଟ ରୋଡ଼ କାର୍ଯ୍ୟ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ବ୍ରହ୍ମପୁର: ବ୍ରହ୍ମପୁର ସହରକୁ ଟ୍ରାଫିକ ସମସ୍ୟା ମୁକ୍ତ ଓ ଲୋକମାନଙ୍କୁ ଉତ୍ତମ  ରାସ୍ତାଘାଟର ସୁବିଧା ସୁଯୋଗ ଯୋଗାଇ ଦେବା ନିମନ୍ତେ ଆରମ୍ଭ ହୋଇଛି ସ୍ମାର୍ଟ ରୋଡ଼ ପ୍ରକଳ୍ପ । ସହରର ମୋଟ ୧୧ଟି ରୋଡ଼କୁ ସ୍ମାର୍ଟ ରୋଡ଼ରେ ପରିଣତ କରାଯାଉଥିବା ବେଳେ ଏଥିନିମନ୍ତେ ଖର୍ଚ୍ଚ ହେବ ୨୮ କୋଟି ଟଙ୍କା । ଗତ ଡ଼ିସେମ୍ବର ମାସରେ ପ୍ରଥମ ପର୍ଯ୍ୟାୟରେ ୫ଟି ରାସ୍ତାକୁ ସ୍ମାର୍ଟ ରୋଡ଼ କରିବା ନିମନ୍ତେ ଯୋଜନା କରି କାମ ଆରମ୍ଭ କରାଯାଇଥିଲା । ଏହି ସ୍ମାର୍ଟର ରୋଡ଼ର କାମ ୩ ମାସ ମଧ୍ୟରେ ଶେଷ କରିବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ତେବେ କାର୍ଯ୍ୟର ଅବଧି ଶେଷ ହୋଇ ଆହୁରି ଅଧିକ ଏକ ମାସ ବିତିଗଲାଣି ତଥାପି କାମ ଅଧା ମଧ୍ୟ ଶେଷ ହୋଇନାହିଁ । ଯାହାକୁ ନେଇ ସହରବାସୀଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ ।

ସ୍ମାର୍ଟ ସିଟି ଦୌଡ଼ରେ ଲାଗିଛି ରେଶମ ସହର ବ୍ରହ୍ମପୁର । ଏଥିପାଇଁ ସହରକୁ ଆହୁରି ସ୍ମାର୍ଟ କରିବା ନିମନ୍ତେ ସହରର ୧୧ଟି ରାସ୍ତାକୁ ସ୍ମାର୍ଟ ରୋଡ଼ ପ୍ରକଳ୍ପ ଅଧିନରେ ନିଆଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ୫ଟି ରାସ୍ତାକୁ ସ୍ମାର୍ଟ ରୋଡ଼ କରାଯିବ । ଏଥିନିମନ୍ତେ ଗତ ଡ଼ିସେମ୍ବର ୨୦ ତାରିଖରେ ଏହାର କାମ ଆରମ୍ଭ କରାଯାଇଛି । ସହରର ସୁବାରାଓ ଛକ ଠାରୁ ଷ୍ଟେଟବ୍ୟାଙ୍କ ଛକ ଏବଂ ସେଣ୍ଟ ଭିନ୍‌ସେଣ୍ଟ ସ୍କୁଲ ରାସ୍ତାର ୬୬୦ ମିଟର ଦୂରତା ପାଇଁ ୩ କୋଟି ୫୩ ଲକ୍ଷ ୪୩ ହଜାର ୧୩୫ ଟଙ୍କା, ଅର୍ଣ୍ଣପୂର୍ଣ୍ଣା ବଜାର ଠାରୁ ବିଶାଳ ମେଗା ମାର୍ଟ ପର୍ଯ୍ୟନ୍ତ ୭୩୦ ମିଟର ରାସ୍ତା ପାଇଁ ୩ କୋଟି ୮୦ ଲକ୍ଷ ୯୦ହଜାର ୯୦୭ଟଙ୍କା, ୫୯ ନମ୍ବର ଜାତୀୟ ରାଜପଥର ଧାନମେରା ସାହି ଛକରୁ ସାନବଜାର ଛକ ହୋଇ ଭେଙ୍କେଟେଶ୍ବର ମନ୍ଦିର ପର୍ଯ୍ୟନ୍ତ ୫୫୫ ମିଟର ରାସ୍ତା ପାଇଁ ୨ କୋଟି ୨୬ ଲକ୍ଷ ୫୯ ହଜାର ୮ ଶହ ଟଙ୍କା, ଗାନ୍ଧୀନଗର ତଳ ରାସ୍ତାର ୫୨୦ ମିଟର ପାଇଁ ୩ କୋଟି ୫ ଲକ୍ଷ ୩୧ ହଜାର ଟଙ୍କା ଏବଂ ଗାନ୍ଧୀନଗର ଉପର ରାସ୍ତା ପାଇଁ ୫୧୦ ମିଟରକୁ ୨ କୋଟି ୧୦ ଲକ୍ଷ ୭୯ ହଜାର ଟଙ୍କାର ବ୍ୟୟ ଅଟକଳ ହୋଇଛି ।

‘‘ସହରର ପ୍ରମୁଖ ବାଣିଜ୍ୟିକ ସ୍ଥଳୀ ଓ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଏହି ସ୍ମାର୍ଟ ରୋଡ଼ କରାଯାଉଛି । ଏହି ସ୍ମାର୍ଟ ରୋଡ଼ ଗୁଡ଼ିକରେ ରାସ୍ତା ପାର୍ଶ୍ବରେ ଚାଲିବା ପାଇଁ ବ୍ୟବସ୍ଥା, ସାଇକେଲ ଟ୍ରାକ ସହ ଆଲୋକୀକରଣର ବ୍ୟବସ୍ଥା କରାଯିବ । ଯାହାଫଳରେ ସହରବାସୀ ଟ୍ରାଫିକ ସମସ୍ୟା ମୁକ୍ତ ହେବା ସହିତ ସହର ଏହି ସ୍ମାର୍ଟ ରୋଡ଼ ପାଇ ଅଧିକ ସ୍ମାର୍ଟ ଦେଖାଯିବ,‘‘ କହିଛନ୍ତି ବି.ଏମ.ସି କମିଶନର ସିଦ୍ଧେଶ୍ବର ବଳିରାମ ବୋନ୍ଦର ।

‘‘ପ୍ରଥମ ୫ଟି ସ୍ମାର୍ଟ ରୋଡ଼ ନିମନ୍ତେ ତିନି ମାସ ଅର୍ଥାତ୍‌ ୯୦ ଦିନର ସମୟ ଧାର୍ଯ୍ୟ କରାଯାଇଥିଲା । ତେବେ ଅବଧି ଶେଷ ହୋଇ ଏକ ମାସ ଅଧିକ ବିତିଯାଇଥିଲେ ସୁଦ୍ଧା ରାସ୍ତା କାମ ଅଧା ହିଁ ଶେଷ ହୋଇନାହିଁ । ୫ଟି ରାସ୍ତା କାମ ମଧ୍ୟରୁ କେଉଁଠି ନିୟମିତ ଭାବେ କାମ ହେଉଛି ତ ଆଉ କେଉଁଠି ରାସ୍ତା ଅଧପାନ୍ତରିଆ ଭାବେ ପଡ଼ି ରହିଛି । କେବଳ ଯେ ଏହି ୧୧ଟି ରାସ୍ତାକୁ ସ୍ମାର୍ଟ କରିଦେଲେ ହେବ ନାହିଁ ବରଂ ସହରର ଅନେକ ରାସ୍ତା ବର୍ତ୍ତମାନ ମଧ୍ୟ ଖାଲଖମାରେ ଭର୍ତ୍ତି ହୋଇ ମରଣାଯନ୍ତା ପାଲଟିଛି। ସେଗୁଡ଼ିକୁ ମଧ୍ୟ ମରାମତି କରାଯିବା ନିମନ୍ତେ ଦାବି ହେଉଛି,‘‘ କହିଛନ୍ତି ବ୍ରହ୍ମପୁର ବାସିନ୍ଦା କାହ୍ନା ପତି ।

‘‘ବ୍ରହ୍ମପୁର ସହର ପାଇଁ ସ୍ମାର୍ଟ ରୋଡ଼ ପ୍ରକଳ୍ପ କରାଯାଉଛି ତାହା ସ୍ବାଗତଯୋଗ୍ୟ । କିନ୍ତୁ ସ୍ମାର୍ଟ ରୋଡ଼ ନାମରେ ରାସ୍ତାର ଗୋଟିଏ ପାର୍ଶ୍ବକୁ ବନ୍ଦ କରାଯାଇ ଅନ୍ୟ ଏକ ପାର୍ଶ୍ବକୁ ଖୋଲାଯାଉଛି । ଯାହାଫଳରେ ପୂର୍ବ ଅପେକ୍ଷା ଟ୍ରାଫିକ ସମସ୍ୟା ବର୍ତ୍ତମାନ ଆହୁରି ବଢ଼ିଯାଇଛି । ତେଣୁ ସ୍ମାର୍ଟ ରୋଡ଼ ପ୍ରକଳ୍ପକୁ ଖୁବଶୀଘ୍ର ଶେଷ କରାଗଲେ ସହରବାସୀ ଉପକୃତ ହେବା ସହିତ ଟ୍ରାଫିକ ସମସ୍ୟାରେ ମଧ୍ୟ ସୁଧାର ଆସିପାରିବ,‘‘ କହିଛନ୍ତି ବ୍ରହ୍ମପୁର ବାସିନ୍ଦା କେ.ଟୁଙ୍ଗୁରୁ ପାତ୍ର ।
Published by:Soumya Das
First published: