ମାଲକାନଗିରି: ନିତି ଦିନ ଆଦିବାସୀଙ୍କ ପାଇଁ କାମ କରୁଛୁ ବୋଲି କହିହେଉଥିବା ମାଓବାଦୀଙ୍କ ଅସଲ ଚେହେରା ଏବେ ସାମ୍ନାକୁ ଆସିଛି । ସରକାରଙ୍କ ବିରୋଧରେ ସ୍ୱର ଉତ୍ତଳନ କରି ସାଧାରଣ ଲୋକଙ୍କ ସହ ଛିଡା ହେଉଥିବା ମାଓବାଦୀ ଏବେ ସେହି ସାଧାରଣ ଆଦିବାସୀଙ୍କ ଉପରେ ଅତ୍ୟାଚ଼ାର କରୁଛନ୍ତି ବୋଲି ଏକ ସାଙ୍ଘାତିକ ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକରୁ । ଭିଟାମାଟି ଛାଡି ଏବେ ଅନ୍ୟତ୍ର ବାସ କରୁଛନ୍ତି ଦୁଇଟି ଗାଁର ଛଅଟି ପରିବାର।
ଲାଲଗଡରେ ବଢୁଛି ଲାଲବାହିନୀର ଅତ୍ୟାଚାର । ସମାନ୍ତରାଳ ଶାସନ ଭିତରେ ବଳି ପଡୁ଼ଛନ୍ତି ନିରୀହ ଲୋକେ । ମାଓବାଦୀଙ୍କ ନାଲି ଆଖିରେ ଅସହ୍ୟ ସେମାନଙ୍କ ଜୀବନ । ଅତିଷ୍ଠ ହୋଇପଡିଛନ୍ତି ଆଦିବାସୀ । ନକ୍ସାଲମାନଙ୍କ କବଳରୁ ଜୀବନ ବଞ୍ଚାଇବା ଆଶାରେ ଭିଟାମାଟି ଛାଡି ଦେଇଛନ୍ତି ମାଓ ଇଲାକାର ଛଅ ଆଦିବାସୀ ପରିବାର ।
ପିଲାଛୁଆଙ୍କୁ ଧରି ଅନ୍ୟତ୍ର ରହିବାକୁ ନିଷ୍ପତ୍ତି ନେଇଛନ୍ତି ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ତୁଳସୀ ଏବଂ କେରମେଟି ଗାଁର ଛଅଟି ଆଦିବାସୀ ପରିବାର ।
ମୋବାଇଲ୍ ଫୋନ୍ ଧରିଲେ ମାଡ଼ । ବଜାର ଆସିଲେ ପୋଲିସ୍ ଇନଫର୍ମର୍ ଭାବେ ସନ୍ଦେହ କରି ମାଡ଼ । ପେଟ ପାଇଁ ମୁଲ ଲାଗିବାକୁ ଗଲେ ବି ଛାଡୁନାହାନ୍ତି ମାଓବାଦୀ । ବଜାରକୁ ଯାଇ ପୁଲିସକୁ ତଥ୍ୟ ଦେଉଥିବା କହି ଗ୍ରାମବାସୀଙ୍କୁ ମାଡ଼ ମାରୁଛନ୍ତି ମାଓବାଦୀ ।
ସବୁ ଦିନ ମରି ମରି ବଞ୍ଚିବା ଅପେକ୍ଷା ସବୁ ଦିନ ପାଇଁ ନିଜ ଭିଟାମାଟି ଛାଡି ଦେଇଛନ୍ତି ଛଅଟି ପରିବାର । ମାଓ ଇଲାକାରେ ଜୀବନ ଜିଇଁବାକୁ ହେଲେ କେତେ ଯେ କଷ୍ଟ ସହିବାକୁ ହୁଏ ତାହା ଏହି ଛଅଟି ଆଦିବାସୀ ପରିବାରଠାରୁ କିଏ ବା ଅଧିକ ଜାଣିବ?
"ଗାଁରେ ରହୁଥିଲୁ । ହେଲେ କୁଲି କରି ପିଲାଙ୍କ ପାଇଁ ଆଣୁଥିବା ଦାନାରୁ ଅଧା ନେଇଯାଆନ୍ତି ମାଓବାଦୀ । ଆମ ପରିବାର ପଛେ ଉପାସ ରୁହନ୍ତୁ, କିନ୍ତୁ ଚା଼ଉଳ ଓ ପନିପରିବା ନେବେ ନକ୍ସଲ । ନ ଦେଲେ ବଢି଼ବ ମାଓବାଦୀଙ୍କ ଅତ୍ୟାଚାର । ବର୍ଷ ବର୍ଷ ଧରି ଏମିତି ଜୀବନ ଜିଇଁବା କଷ୍ଟକର ହେବାରୁ ଗାଁ ଛାଡି଼ ପଳାଇ ଆସିଛୁ ଆମେ," କହିଛନ୍ତି ତୁଳସୀ ଏବଂ କେରମେଟି ଗାଁର ଆଦିବାସୀ ଯୁବକମାନେ ।
ଗାଁ ଛାଡି ପିଲା ଛୁଆଙ୍କୁ ଧରି ମାଥିଲି ସଦର ନିକଟ ଗାଙ୍ଗରାଜଗୁମ୍ମା ଜଙ୍ଗଲ ପାଖ ଚାଷ ଜମିରେ କୁଡି଼ଆ କରି ଆଶ୍ରୟ ନେଇଛନ୍ତି ଏମାନେ । କିନ୍ତୁ ନା ଖାଇବା ପାଇଁ ଅର୍ଥ ଅଛି, ନା ଚାଷ କରିବାକୁ ଚାଷ ଜମି । ମାଓଗଡ଼ ଛାଡି଼ବା ପରେ ଏଭଳି ଦୁର୍ଦିନରେ ଜୀବନ କାଟୁଛନ୍ତି ଏଇ ଛଅଟି ଆଦିବାସୀ ପରିବାର ।
ମାଥିଲି ବିଡିଓ ଆଶିଷ କୁମାର ଭୋଇ କହିଛନ୍ତି ଏଇ ବିସ୍ଥାପିତ ପରିବାରଗୁଡ଼ିକ ପାଇଁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ପ୍ରଶାସନ ତରଫରୁ ଖୁବ୍ ଶୀଘ୍ର ଦିଆଯିବ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।