ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ବ୍ରହ୍ମପୁର ବାଳ ସୁଧାର ଗୃହରୁ ଚମ୍ପଟ ମାରିଲେ ୬ ଅନ୍ତେବାସୀ; ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ

ବ୍ରହ୍ମପୁର ବାଳ ସୁଧାର ଗୃହରୁ ଚମ୍ପଟ ମାରିଲେ ୬ ଅନ୍ତେବାସୀ; ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ

ବାଳ ସୁଧାର ଗୃହରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ସହରର ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ଆଗାମୀ ଦିନରେ ବୃଦ୍ଧି କରାଯିବା ସହ ଅଧିକ ସୁରକ୍ଷା କର୍ମୀ ବାଳ ସୁଧାର ଗୃହରେ ନିୟୋଜିତ ରହିବେ ବୋଲି ଏସପି କହିଛନ୍ତି।

ବ୍ରହ୍ମପୁର ବାଳ ସୁଧାର ଗୃହରୁ ଚମ୍ପଟ ମାରିଲେ ୬ ଅନ୍ତେବାସୀ; ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ
ବ୍ରହ୍ମପୁର ବାଳ ସୁଧାର ଗୃହରୁ ଚମ୍ପଟ ମାରିଲେ ୬ ଅନ୍ତେବାସୀ
  • News18 Odia
  • Last Updated: November 23, 2021, 5:33 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବ୍ରହ୍ମପୁର: ସହରର ବାଳ ସୁଧାର ଗୃହରୁ ଛୁ ମାରିଲେ ଛଅ ଜଣ ଅନ୍ତେବାସୀ । ରବିବାର ବିଳମ୍ବିତ ରାତିରେ ଝରକା ତାଡ଼ି ସୁଧାର ଗୃହରୁ ଅନ୍ତେବାସୀମାନେ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଏନେଇ ଲିଖିତ ଅଭିଯୋଗ ପାଇବା ପରେ ବୈଦ୍ୟନାଥପୁର ଥାନା ପୋଲିସ ପ୍ରଥମେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଏହା ପରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ବ୍ରହ୍ମପୁର ଉପ-ଜିଲ୍ଲାପାଳ ମଧ୍ୟ ବାଳ ସୁଧାର ଗୃହରେ ପହଞ୍ଚି ତଦନ୍ତ କରିଥିଲେ ।

ବାଳ ସୁଧାର ଗୃହରେ ସୁରକ୍ଷାକର୍ମୀ ଆବଶ୍ୟକ ଅନୁସାରେ କମ ରହିଛି । ଏହା ବ୍ୟତୀତ ପୂର୍ବ ବର୍ଷ ଯେଉଁ ଅନ୍ତେବାସୀମାନେ ଫେରାର ହୋଇଥିଲେ ଠିକ୍‌ ସେହି ଭଳି ଚଳିତ ବର୍ଷ ମଧ୍ୟ ଅନ୍ତେବାସୀମାନେ ସେହି ଝରକା ରୋଲିଂ ଭାଙ୍ଗି ଚମ୍ପଟ ମାରିଛନ୍ତି । ବର୍ତ୍ତମାନ ସେମାନେ କେଉଁ ସ୍ଥାନକୁ ଯାଇଛନ୍ତି ସେ ନେଇ ତଦନ୍ତ ଜାରି ରହିଥିବା ନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ବ୍ରହ୍ମପୁ ଉପ-ଜିଲ୍ଲାପାଳ କହିଛନ୍ତି ।

ସେପଟେ ବାଳ ସୁଧାର ଗୃହରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ସହରର ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ଆଗାମୀ ଦିନରେ ବୃଦ୍ଧି କରାଯିବା ସହ ଅଧିକ ସୁରକ୍ଷା କର୍ମୀ ବାଳ ସୁଧାର ଗୃହରେ ନିୟୋଜିତ ରହିବେ ବୋଲି ଏସପି କହିଛନ୍ତି।

ବାଳ ସୁଧାର ଗୃହରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ସହରର ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି


ରବିବାର ରାତି ପ୍ରାୟ ୩ଟା ସମୟରେ ବାଳ ସୁଧାର ଗୃହ ମଧ୍ୟରେ ରହିଥିବା ଅନ୍ତେବାସୀଙ୍କ ମଧ୍ୟରୁ ଛଅ ଜଣ ଅନ୍ତେବାସୀ ଝରକା ରୋଲିଂ ତାଡ଼ି ଫେରାର ହୋଇଯାଇଥିଲେ । ଏନେଇ ଆଜି ସୋମବାର ବାଳ ସୁଧାର ଗୃହ ପକ୍ଷରୁ ବୈଦ୍ୟନାଥପୁର ଥାନାରେ ଲିଖିତ ଭାବେ ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇବା ପରେ ବୈଦ୍ୟନାଥପୁର ଥାନା ପୋଲିସ ବାଳ ସୁଧାର ଗୃହରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ରବିବାର ରାତିରେ ନିୟୋଜିତ ଥିବା ସୁରକ୍ଷା କର୍ମୀମାନଙ୍କୁ ଏନେଇ ପୋଳିସ ପଚରାଉଚୁରା କରିସାରିଛି । ବାଳ ସୁଧାର ଗୃହରୁ ଅନ୍ତେବାସୀ ଚମ୍ପଟ ମାରିବା ନେଇ ଶୁଣିବା ପରେ ଗୃହରେ ପହଞ୍ଚିଥିଲେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ।

ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଦ୍ଧ ଷଡ଼ଙ୍ଗୀ କହିଥିଲେ, ‘‘ଦୀର୍ଘ ସମୟ ଧରି ଗୃହରେ ଅନ୍ତେବାସୀ ଓ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବା ସହ ରବିବାରର ଘଟଣା ନେଇ ପଚରାଉଚୁରା କରିଥିଲେ । ବାଳ ସୁଧାର ଗୃହରେ ମୋଟ ୧୭ ଜଣ ସୁରକ୍ଷା କର୍ମୀର ଆବଶ୍ୟକ ରହିଥିବା ବେଳେ ବର୍ତ୍ତମାନ ମାତ୍ର ୪ ଜଣ ସୁରକ୍ଷା କର୍ମୀ କାର୍ଯ୍ୟରତ ଅଛନ୍ତି । ଏଠାରେ ୧୨ଟି ଜିଲ୍ଲାର ୧୦୦ ଜଣ ଅନ୍ତେବାସୀ ରହିବା ନିମନ୍ତେ ବ୍ୟବସ୍ଥା ରହିଥିବା ବେଳେ ୧୧୬ ଜଣ ଅନ୍ତେବାସୀ ରହୁଥିଲେ । ଏହା ଛଡ଼ା ଗତ ବର୍ଷ ସାତ ଜଣ ଅନ୍ତେବାସୀ ଯେଉଁ ଝରକା ରୋଲିଂ ତାଡ଼ି ଫେରାର ହୋଇଯାଇଥିଲେ । ଚଳିତ ବର୍ଷ ମଧ୍ୟ ଛଅ ଜଣ ଅନ୍ତେବାସୀ ପୁଣି ସେଇ ଝରକା ରୋଲିଂ ତାଡ଼ି ଫେରାର ହୋଇଯାଇଛନ୍ତି । ଫେରାର ହୋଇଯାଇଥିବା ଅନ୍ତେବାସୀଙ୍କୁ କିଭଳି ଖୁବ୍ ଶୀଘ୍ର ଧରାଯିବ ସେ ନେଇ କାମ ଆରମ୍ଭ ହୋଇଯାଇଛି ।’’

ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପହଞ୍ଚିବାର କିଛି ସମୟ ପରେ ପହଞ୍ଚିଥିଲେ ବ୍ରହ୍ମପୁର ଉପ-ଜିଲ୍ଲାପାଳ । ସେ ମଧ୍ୟ ବାଳ ସୁଧାର ଗୃହକୁ ଯାଇ ଘଟଣା ନେଇ ତଦନ୍ତ କରିଥିଲେ ।

ସହରର ବାଳ ସୁଧାର ଗୃହରୁ ଛୁ ମାରିଲେ ଛଅ ଜଣ ଅନ୍ତେବାସୀ


ବ୍ରହ୍ମପୁର ଉପଜିଲ୍ଲାପାଳ ଭି.କୀର୍ତ୍ତି ଭାସନ କହିଥିଲେ, ‘‘ଜୟପୁରର ଦୁଅ, ପୁରୀ ଓ ଗଜପତି ଜିଲ୍ଲା ଜଣେ, ଚମାଖଣ୍ଡି ଅଞ୍ଚଳର ଜଣେ ଓ ବ୍ରହ୍ମପୁରର ଜଣେ ଅନ୍ତେବାସୀ ରହିଥିବା ଜଣାପଡ଼ିଛି । ଅନ୍ତେବାସୀମାନଙ୍କୁ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ସହ ରଖାଯାଉଥିଲେ ସୁଦ୍ଧା ସେମାନେ କେଉଁ କାରଣରୁ ଏଠାରୁ ଚମ୍ପଟ ମାରିଛନ୍ତି ସେ ନେଇ ତଦନ୍ତ ଚାଲିଛି ।’’

ଗତ ବର୍ଷ ବାଳ ସୁଧାର ଗୃହରୁ ସାତ ଜଣ ଅନ୍ତେବାସୀ ଚମ୍ପଟ ମାରିଥିଲେ । କିଛି ଦିନର ବ୍ୟବଧାନ ପରେ ଛଅ ଜଣ ଅନ୍ତେବାସୀଙ୍କୁ ଧରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଆଉ ଜଣେ ଅନ୍ତେବାସୀଙ୍କ କୌଣସି ଖୋଜ ଖବର ମିଳିପାରିନାହିଁ । ତେବେ ଯେଉଁମାନେ ବିଭିନ୍ନ ଦୋଷ କରି ବାଳ ସୁଧାର ଗୃହକୁ ଆସୁଛନ୍ତି ସେମାନଙ୍କର ମାନସିକ ଅବସ୍ଥା ପରିବର୍ତ୍ତନ କରିବା ସହିତ ସେମାନଙ୍କୁ ଉତ୍ତମ ଶିକ୍ଷା ଦେବା ନିମନ୍ତେ ଏହି ବାଳ ସୁଧାର ଗୃହର କାର୍ଯ୍ୟ କରୁଛି । କିନ୍ତୁ ସେମାନଙ୍କର ମାନସିକ ଅବସ୍ଥା ପରିବର୍ତ୍ତନ କ୍ଷେତ୍ରରେ ହେଉ ଅଥବା ଉତ୍ତମ ଶିକ୍ଷା ଦେବାରେ କେଉଁଠି କମ୍ ରହିଯାଉଛି । ଯାହାଫଳରେ ଅନ୍ତେବାସୀମାନେ ବାଳ ସୁଧାର ଗୃହରେ ରହିବାକୁ ଅମଙ୍ଗ ହେଉଛନ୍ତି । ବାରମ୍ବାର ଏଭଳି ଅନ୍ତେବାସୀମାନେ ବାଳ ସୁଧାର ଗୃହରୁ ଚମ୍ପଟ ମାରୁଥିବା ଯୋଗୁଁ ଏହାର ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ କରିଛନ୍ତି ସହରର ବୁଦ୍ଧିଜୀବୀ ଶିବ ପାତ୍ର।

ବ୍ରହ୍ମପୁର ଏସପି ପୀନାକ ମିଶ୍ର କହିଥିଲେ, ‘‘ଘଟଣା ସମ୍ପର୍କରେ ଅବଗତ ପରେ ବୈଦ୍ୟନାଥପୁର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ଫେରାର ହୋଇଯାଇଥିବା ଅନ୍ତେବାସୀଙ୍କୁ କିଭଳି ସୁରକ୍ଷିତ ଭାବେ କାବୁ କରିବା ହେଉଛି ପ୍ରଥମ କାମ । ଏହା ପରେ ସେମାନେ କେଉଁ କାରଣ ଯୋଗୁଁ ବାଳ ସୁଧାର ଗୃହରୁ ବାହାରି ଚମ୍ପଟ ମାରିଥିଲେ ସେ ନେଇ ସେମାନଙ୍କ ପଚରାଉଚୁରା କରାଯିବ । ଏହାଛଡ଼ା ବାଳ ସୁଧାର ଗୃହରେ ସୁରକ୍ଷା ବ୍ୟବସ୍ଥା ନେଇ ଯାଞ୍ଚ କରାଯିବା ପରେ ସେଠାରେ କିଛି ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯିବା ସହିତ ଅନ୍ତେବାସୀମାନଙ୍କର କୌଣସି ସମସ୍ୟା ରହୁଛି କି ନାହିଁ ସେ ନେଇ ପଚାରି ବୁଝିବା ସହିତ ତାହାର ସମାଧାନ କରାଯିବ ।’’

ବାରମ୍ବାର ବାଳ ସୁଧାର ଗୃହରୁ ଏଭଳି ଅନ୍ତେବାସୀମାନେ ଚମ୍ପଟ ମାରୁଥିବା ବେଳେ ପରବର୍ତ୍ତୀ ସମୟରେ ଉଭୟ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ କେବଳ ତଦନ୍ତ କରାଯାଉଛି । କିନ୍ତୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ଯୋଗୁଁ ଏଭଳି ବାରମ୍ବାର ଅନ୍ତେବାସୀମାନେ ବାଳ ସୁଧାର ଗୃହରୁ ଫେରାର ହୋଇଯାଉଛନ୍ତି । ତେଣୁ ଏନେଇ କଡ଼ା ପଦକ୍ଷେପ ନେବା ଏବେ ଜରୁରୀ ହୋଇପଡ଼ିଛି।
Published by: Lipina Das
First published: November 23, 2021, 5:32 PM IST