ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ କଳାଧନର ଯାଞ୍ଚ କରିବେ SIT

ଆସନ୍ତା ୧୩ ତାରିଖରେ ଦିଲ୍ଲୀରେ ବସିବ କଳାଧନ ସମ୍ପର୍କିତ ଏସଆଇଟି। ଅର୍ଚ୍ଚନା ନାଗଙ୍କ କଳାଧନ ସମ୍ପର୍କରେ ଏସଆଇଟିରେ ରିପୋର୍ଟ ଦାଖଲ କରିବ ଇଡି।

ଅର୍ଚ୍ଚନା ନାଗଙ୍କ କଳାଧନର ଯାଞ୍ଚ କରିବ SIT

ଅର୍ଚ୍ଚନା ନାଗଙ୍କ କଳାଧନର ଯାଞ୍ଚ କରିବ SIT

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

କଟକ: କଳାଧନର ମୂଳ ଦୁଆ ଉପରେ ପାପର ସାମ୍ରାଜ୍ୟ ସ୍ଥାପନ କରିଥିବା ଅର୍ଚ୍ଚନା ନାଗଙ୍କୁ ଚୋଟ ମାରିଛି କଳାଧନ ସମ୍ପର୍କିତ ମାମଲାର ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଗଠିତ ହୋଇଥିବା ଏସଆଇଟି। ଅର୍ଚ୍ଚନା କେତେ ପରିମାଣର କଳା ଧନ ସଂଗ୍ରହ କରିଛନ୍ତି? କେଉଁ ସୁତ୍ରରୁ ଏତେ ପରିମାଣର କଳାଧନ ସଂଗ୍ରହ କଲେ? ସେଗୁଡ଼ିକୁ ସେ କେଉଁ କେଉଁ ସ୍ଥାନରେ ବିନିଯୋଗ କରିଛନ୍ତି? ଅର୍ଚ୍ଚନାଙ୍କ ଏହି କଳା କାରନାମା ସହିତ କେଉଁ କେଉଁମାନେ ଜଡ଼ିତ ଅଛନ୍ତି? ଏହି ସବୁ ପ୍ରସଙ୍ଗରେ ଖୋଳତାଡ ଆରମ୍ଭ କରିଛି ଏସଆଇଟି।

ନ୍ୟୁଜ ୧୮ ଓଡ଼ିଆ ଡିଜିଟାଲକୁ ମିଳିଥିବା ଏକ ଏସକ୍ଲୁସିଭ ସୂଚନା ଅନୁଯାୟୀ କଳାଧନ ମାମଲା ତଦନ୍ତ ପାଇଁ ଗଠିତ ଏସଆଇଟିର ପରବର୍ତ୍ତୀ ବୈଠକ ଆସନ୍ତା ୧୩ ତାରିଖ ଦିନ ଦିଲ୍ଲୀରେ ଅନୁଷ୍ଠିତ ହେବ। ଏହି ବୈଠକରେ ଅର୍ଚ୍ଚନା ନାଗଙ୍କ କଳାଧନ ସମ୍ପର୍କରେ ଇଡି ଏକ ରିପୋର୍ଟ ମଧ୍ୟ ଦାଖଲ କରିବ। ତେବେ ଅର୍ଚ୍ଚନା ନାଗ ବିପୁଳ ପରିମାଣର କଳାଧନ ସଂଗ୍ରହ କରିଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଏହାକୁ ଗୁରୁତର ସହ ନେଇଥିଲେ ଏସଆଇଟି।

ଅର୍ଚ୍ଚନା ନାଗଙ୍କ କଳା ଧନ ସମ୍ପର୍କରେ ତଦନ୍ତ କରି ଏକ ରିପୋର୍ଟ ଦାଖଲ କରିବା ପାଇଁ କିଛି ଦିନ ତଳେ ଏସଆଇଟି ଇଡିକୁ ନିର୍ଦ୍ଦେଶ ଦେଇଥିଲେ। ଏସଆଇଟିଙ୍କ ନିର୍ଦ୍ଦେଶ ପାଇବା ପରେ ଶେଷରେ ଇଡି ଗତକାଲି ଅର୍ଚ୍ଚନା ଓ ତାଙ୍କ ସହଯୋଗୀଙ୍କର ବିଭିନ୍ନ ଠିକଣା ଉପରେ ଏକକାଳୀନ ଚଢ଼ାଉ କରିଥିଲା।

ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ଅର୍ଚ୍ଚନା ନାଗଙ୍କ ବ୍ୟତୀତ ଗତ ଅକ୍ଟୋବର ୨୮ ତାରିଖ ଦିନ ବାଲେଶ୍ବରରୁ ଧରା ପଡ଼ିଥିବା ୧୧ କୋଟି ଟଙ୍କାର ବ୍ରାଉନ ସୁଗାର ମାମଲା ମଧ୍ୟ ଅତି ଗୁରୁତର ସହ ନେଇଛନ୍ତି ଏସଆଇଟି। ନିଶା କାରବାରରେ ବ୍ୟାପକ ପରିମାଣର କଳାଧନ ବିନିଯୋଗ ହେଉଛି। ହେଲେ ସରକାରୀ ସଂସ୍ଥା ଗୁଡ଼ିକର ସତର୍କତା ପରେ ମଧ୍ୟ ଓଡ଼ିଶା ତଥା ଦେଶରେ ନିଶା କାରବାର ଉପରେ ଲଗାମ ଲଗାଯାଇ ପାରୁନାହିଁ। ତେବେ ନିଶା କାରବାର ବିଶେଷ କରି ବାଲେଶ୍ବର ଲିଙ୍କ ମାମଲାରେ ମଧ୍ୟ ନାରକୋଟିକ୍ସ ବିଭାଗକୁ ଏକ ରିପୋର୍ଟ ତଲବ କରିଛନ୍ତି ଏସଆଇଟି।

ଏସଆଇଟିଙ୍କ ଏହି ବୈଠକରେ ଓଡ଼ିଶାର ଏହି ଦୁଇଟି ପ୍ରସଙ୍ଗ ସହିତ କଳାଧନ ସମ୍ପର୍କିତ ଦେଶର ବିଭିନ୍ନ ମାମଲା ସମ୍ପର୍କରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଏହି ବୈଠକରେ ସିବିଆଇ, ଇଡି, ଆୟକର ବିଭାଗ, କଷ୍ଟମ, ସେଣ୍ଟ୍ରାଲ ଏକ୍ସସାଇଜ, ଡାଇରେକ୍ଟ ଟ୍ୟାକ୍ସସେସ୍ ଭଳି ଏକାଧିକ କେନ୍ଦ୍ରୀୟ ସଂସ୍ଥାର ଉଚ୍ଚ ପଦସ୍ଥ ଅଧିକାରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହା ସହିତ ପୂର୍ବ ବୈଠକରେ ଏସଆଇଟିଙ୍କ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶନାମା ନେଇ ବିଭିନ୍ନ ବିଭାଗଗୁଡ଼ିକ ନିଜ ନିଜର ରିପୋର୍ଟ ମଧ୍ୟ ଏସଆଇଟିରେ କରିବେ। ସେହି ରିପୋର୍ଟ ଗୁଡିକୁ ଆଧାର କରି ଆସନ୍ତା କିଛି ଦିନ ମଧ୍ୟରେ ସୁପ୍ରିମକୋର୍ଟରେ ଏସଆଇଟି ନିଜର ପରବର୍ତ୍ତୀ ରିପୋର୍ଟ ଧାଖଲ କରିବେ ବୋଲି ଜଣାପଡ଼ିଛି।
Published by:Lipina Das
First published: