News18 Odia Digital
କଟକ: ଓଡ଼ିଶାର ଫେମସ କଣ୍ଠଶିଳ୍ପୀ ହ୍ୟୁମାନ ସାଗର (Human Sagar) ଓ ପତ୍ନୀ ଶ୍ରୀୟା ମିଶ୍ରଙ୍କ ପାରିବାରିକ ବିବାଦ ମାମଲା ବଢ଼ିବାରେ ଲାଗିଛି। ପାରିବାରିକ କଳି ଏବେ ଏକ ବିଚିତ୍ର ପରିସ୍ଥିତି ମଧ୍ୟ ଦେଇ ଗତି କରୁଛି।
ଉଭୟଙ୍କ ମଧ୍ୟରେ ଥିବା ବିବାଦକୁ ଆପୋଷ ଆଲୋଚନା ମାଧ୍ୟମରେ ସମାଧନ ପାଇଁ ପୋଲିସ ଗୁରୁତ୍ବ ଦେଉଥିବା ବେଳେ ଉଭୟ ନିଜ ନିଜ ଯଦିରେ ଅଟଳ ରହିଛନ୍ତି। ଫଳସ୍ବରୂପ ଏହି ପାରିବାରିକ କଳି ଆଗକୁ କେଉଁ ରୂପ ନେବ ତା'ର ଆକଳନ ମଧ୍ୟ କରାଯାଇ ପାରୁନାହିଁ।
ମିଳିଥିବା ସୁଚନା ମୁତାବକ ହ୍ୟୁମାନ ଓ ଶ୍ରୀୟାଙ୍କ ସହ ଉଭୟଙ୍କ ପରିବାର ଲୋକ ମଧ୍ୟରେ ଥିବା ମନୋମାଳିନ ଦୂର କରିବା ପାଇଁ କିଛି ସମ୍ପର୍କୀୟ ଉଦ୍ୟମ ଆରମ୍ଭ କରିଛନ୍ତି। କିନ୍ତୁ ବିଶେଷ କରି ପ୍ରଥମ ଦଫାରେ ଉଭୟଙ୍କ ପରିବାର ଲୋକଙ୍କୁ ଏକାଠି ବସାଇ ହ୍ୟୁମାନ ଓ ଶ୍ରୀୟାଙ୍କ ଦାମ୍ପତ୍ୟ ଜୀବନରେ ଉଠିଥିବା ଝଡକୁ କେମିତି ପ୍ରସମିତ କରି ହେବ ସେ ନେଇ ଚେଷ୍ଟା କରାଯାଉଛି। ଏହି ଉଦ୍ୟମ ଏପର୍ଯ୍ୟନ୍ତ ସଫଳ ହୋଇ ପାରିନାହିଁ।
ସେପଟେ ଆସନ୍ତା ୩୦ ତାରିଖ ଦିନ ଉଭୟ ପତିପତ୍ନୀ କଟକ ମହିଳା ଥାନାରେ ହାଜର ହେବାକୁ ଥିବା ବେଳେ ତା ପୂର୍ବରୁ ଥାନା ବାହାରେ ଏହି ବିଦାଦକୁ ତୁଟାଇବା ଉପରେ ଗୁରୁତ୍ବ ଦିଆଯାଉଛି।
ଏହା ମଧ୍ୟ କୁହାଯାଉଛି କି ସବୁ କିଛି ନିର୍ଭର କରୁଛି ଶ୍ରୀୟାଙ୍କ ନିଷ୍ପତ୍ତି ଉପରେ। କାରଣ ପରିଶେଷରେ ଶ୍ରୀୟାଙ୍କ ମତକୁ ହିଁ ଗ୍ରହଣ କରାଯିବ ବୋଲି ପୋଲିସ ପୂର୍ବରୁ ସ୍ପଷ୍ଟ କରିସାରିଛି। ଶ୍ରୀୟାଙ୍କ ସହିତ ଥିବା ସମସ୍ତ ମନୋମାଳିନ ଦୂର କରିବା ପାଇଁ ହ୍ୟୁମାନ ପ୍ରସ୍ତୁତ ଥିବା ପୂର୍ବରୁ କହି ସାରିଥିବା ବେଳେ ଶ୍ରୀୟା ହିଁ ପୋଲିସ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ସମୟ ନେଇଛନ୍ତି। ତେବେ ୩୦ ତାରିଖରେ ଶ୍ରୀୟା ପୋଲିସ ପାଖରେ ରଖିବାକୁ ଥିବା ନିଜର ମତ କଣ ହେବ? ତାହା ଉପରେ ସସପେନ୍ସ ଜାରି ରହିଛି।
ସେପଟେ ଶ୍ରୀୟା ହ୍ୟୁମାନଙ୍କ ବିରୁଦ୍ଧରେ ଘରୋଇ ହିଂସା, ନିର୍ଯାତନା, ପରକିୟା ପ୍ରୀତି, ଧାର୍ମିକ ଭାବନାକୁ ଆଘାତ ଦେବା ଓ ଯୌତୁକ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ କରିଥିବାରୁ ଶ୍ରୀୟା ଆପୋଷ ବୁଝାମଣା ପାଇଁ ଆଉ ରାଜି ନ ହେଲେ ହ୍ୟୁମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବ ବୋଲି କହିଛି ପୋଲିସ।
ଏପରି ହେଲେ ଶ୍ରୀୟା ହ୍ୟୁମାନଙ୍କ ପାରିବାରିକ କଳି ଅଦାଲତକୁ ଯିବ ଏବଂ ଏହି କଳି ମାମଲାର ରୂପ ନେଇ ଏକ ଲମ୍ବା ଆଇନଗତ ବ୍ୟବସ୍ଥା ମଧ୍ୟ ଦେଇଗତି କରିବ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।