ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଶ୍ରୀମନ୍ଦିରରେ ରୂପା ଛାଉଣି: ଜଣେ ଦାତାଙ୍କ ପକ୍ଷରୁ ୧.୨ ଟନ୍ ରୂପା ଆସିଛି; ଲାଗିବ ମୋ’ଟ ୨ ଟନ୍ ରୂପା

ଶ୍ରୀମନ୍ଦିରରେ ରୂପା ଛାଉଣି: ଜଣେ ଦାତାଙ୍କ ପକ୍ଷରୁ ୧.୨ ଟନ୍ ରୂପା ଆସିଛି; ଲାଗିବ ମୋ’ଟ ୨ ଟନ୍ ରୂପା

ମହାପ୍ରଭୁ ରତ୍ନବେଦୀକୁ ଫେରିବା ପୂର୍ବରୁ ସମ୍ପୂର୍ଣ୍ଣ ହେବ ଶ୍ରୀମନ୍ଦିରର ମୁଖ୍ୟ ତିନି ଦ୍ୱାରର ରୂପା ଛାଉଣି କାର୍ଯ୍ୟ । ଶ୍ରୀମନ୍ଦିରରେ ନାଭିକଟା ମଣ୍ଡପ ନିକଟରେ ଚାଲିଛି ରୂପା ଦ୍ୱାର କାର୍ଯ୍ୟ । ବେହରଣ ଦ୍ଵାରର ପୁରୁଣା କବାଟକୁ କାଢ଼ି ମ୍ୟୁଜିଅମରେ ରଖାଯାଇଛି ।

ଶ୍ରୀମନ୍ଦିରରେ ରୂପା ଛାଉଣି: ଜଣେ ଦାତାଙ୍କ ପକ୍ଷରୁ ୧.୨ ଟନ୍ ରୂପା ଆସିଛି; ଲାଗିବ ମୋ’ଟ ୨ ଟନ୍ ରୂପା
ଶ୍ରୀମନ୍ଦିରର (ଫଟୋରେ) ଆଠଟି ଦ୍ୱାର ପାଇଁ ମୋ’ଟ ପ୍ରାୟ ଦୁଇ ଟନ୍ ଓଜନର ରୂପା ଲାଗିବ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ରଥ ଯାତ୍ରା ସରିବା ପରେ ରୂପା ଦ୍ୱାରରେ ଝଲସିବ ଶ୍ରୀମନ୍ଦିର । ମହାପ୍ରଭୁ ରତ୍ନବେଦୀକୁ ଫେରିବା ପୂର୍ବରୁ ସମ୍ପୂର୍ଣ୍ଣ ହେବ ମୁଖ୍ୟ ତିନି ଦ୍ୱାରର ରୂପାଛାଉଣି କାର୍ଯ୍ୟ । ଏଥି ପାଇଁ କାର୍ଯ୍ୟ ଜୋରସୋର୍‌ ଚାଲିଛି । ଭାରତୀୟ ପ୍ରତ୍ନତତ୍ତ୍ୱ ସଂସ୍ଥା (ଏ.ଏସ୍‌.ଆଇ.) ବି ଶ୍ରୀମନ୍ଦିରରେ ଯାଞ୍ଚ ଆରମ୍ଭ କରିଛି । ବଜ୍ରପାତରୁ ଶ୍ରୀମନ୍ଦିରକୁ ରକ୍ଷା କରିବା ପାଇଁ ନୀଳଚକ୍ରରେ ଲାଗିଥିବା ଆର୍ଥିଙ୍ଗ୍‌ ବ୍ୟବସ୍ଥାର ଯାଞ୍ଚ କରିବା ପାଇଁ ଆର୍ଥିଙ୍ଗ୍‌ ବିଶେଷଜ୍ଞ ବି ଆସି ଅନୁଧ୍ୟାନ କରିଛନ୍ତି ।

ଭାରା ବନ୍ଧାଯାଇଥିବା ଗର୍ଭଗୃହ, ନାଟମଣ୍ଡପ ଓ ଭୋଗ ମଣ୍ଡପରେ ସ୍ୱତନ୍ତ୍ର ବିଶେଷଜ୍ଞଙ୍କ ଦ୍ୱାରା ଯାଞ୍ଚ ପ୍ରକ୍ରିୟା କରାଯାଉଛି । ବେହରଣ ଦ୍ୱାରକୁ ଖୋଲାଯାଇ ସେହି ଦ୍ୱାରବନ୍ଧରେ ଷ୍ଟେନଲେସ୍‌ ଷ୍ଟିଲର ଫ୍ରେମ୍‌ ସ୍ଥାପନ କରିବା ପରେ ସେଥିରେ ବର୍ମାଟିକ୍‌ କାଠରେ ତିଆରି ହୋଇଥିବା ଦ୍ୱାରକୁ ସଂଯୋଗ କରାଯାଇଛି । ଏବେ ତା’ ଉପରେ ରୂପା ଛାଉଣୀ କାର୍ଯ୍ୟ କରାଯିବା ନେଇ ପ୍ରସ୍ତୁତି ଚାଲିଛି । ଶ୍ରୀମନ୍ଦିରେ ଭିତରେ ମୁମ୍ବାଇର ସେନ୍ସ ଜିଓମାଟିକ୍ସ ଲିମିଟେଡ଼ର ଛଅ-ଜଣିଆ ଟିମ ଦ୍ୱାରା ଲେଜର୍‌ ସ୍କାନିଂ ବି କରାଯାଉଛି । ତା’ର ଡକ୍ୟୁମେଣ୍ଟେସନକୁ କେବଳ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯିବ ।

ଏହା ବି ପଢ଼ନ୍ତୁ | କରୋନା ସଂକ୍ରମଣର ତୃତୀୟ ଲହର ବିଶ୍ବର କେତେକ ଦେଶରେ ଆରମ୍ଭ ହୋଇଗଲାଣି: ଡଃ ପଲ୍

‘‘ଶ୍ରୀମନ୍ଦିରରେ ନାଭିକଟା ମଣ୍ଡପ ନିକଟରେ ଚାଲିଛି ରୂପା ଦ୍ୱାର କାର୍ଯ୍ୟ । ବେହରଣ ଦ୍ଵାରର ପୁରୁଣା କବାଟକୁ  କଢ଼ା ଯାଇ ତାକୁ ମ୍ୟୁଜିଅମରେ ରଖାଯାଇଛି । ସେହି ଦ୍ୱାର ବନ୍ଧରେ ଷ୍ଟେନଲେସ୍‌ ଷ୍ଟିଲ୍‌ ଫ୍ରେମ୍‌ ଲଗାଯାଇ ସେଥିରେ ବର୍ମାଟିକ୍‌ କାଠରେ ତିଆରି ଦ୍ଵାରକୁ ଲଗାଯାଇଛି । ତା’ ଉପରେ ରୂପା ଛାଉଣୀ କରାଯିବ । କାଠ କବାଟ ମନ୍ଦିର ଭିତରକୁ ଦକ୍ଷିଣ ଦ୍ୱାର ଦେଇ ନିଆଯାଇଥିଲା । ଦ୍ୱାର ଲଗାଯିବା ପୂର୍ବରୁ ଏହାକୁ ଷ୍ଟିଲ ଫ୍ରେମରେ କବାଟ ସାଇଜର ପ୍ଲାଇ ଦେଇ ପରୀକ୍ଷାମୂଳକ ଭାବେ ଲଗାଯାଇ ଦ୍ଵାରକୁ ଖୋଲିବ ଓ ବନ୍ଦ ପ୍ରକ୍ରିୟା କରାଯିବ । ସେଥିରେ ସଫଳ ହେବା ପରେ ପ୍ଲାଇ ଖୋଲାଯାଇ ସ୍ଥାୟୀ ଭାବେ କାଠ କବାଟ ଲଗାଯିବ,’’ କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା ।

ଶ୍ରୀମନ୍ଦିର ପ୍ରଶାସକ କ୍ରିଶନ୍ କୁମାର ରୂପା ଛାଉଣି କାର୍ଯ୍ୟ ବିଷୟରେ କଥାବାର୍ତ୍ତା କରୁଛନ୍ତି ।


ସେ ଆହୁରି କହିଛନ୍ତି ଯେ ଜଣେ ଦାତାଙ୍କ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧.୨ ଟନ୍ ରୂପା ପହଞ୍ଚି ସାରିଛି । ‘‘ଆଠଟି ଦ୍ୱାର ପାଇଁ ମୋ’ଟ ପ୍ରାୟ ଦୁଇ ଟନ୍‌ ଓଜନର ରୂପା ଲାଗିବ। ବର୍ମାଟିକ କାଠରେ ଆଠଟି ଦ୍ୱାର ନିର୍ମାଣ କରାଯାଇଛି। ତା’ ଉପରେ ଷ୍ଟିଲ୍‌ ଫ୍ରେମ୍‌ ଲାଗିବା ପରେ ଉତ୍କଳୀୟ ଶୈଳୀ ଡିଜାଇନରେ ପ୍ରସ୍ତୁତ ରୂପା ଚଦର ଲଗାଯିବ । ପ୍ରତି କବାଟର ଓଜନ ଦୁଇ ଟନ୍ ଲେଖାଏଁ କରି ଚାରି ଟନ୍‌ ରହିଛି । ଏଥି ପାଇଁ ଏ.ଏସ୍‌.ଆଇ.ର  ବୈଷୟିକ ଟିମ୍‌ ଓ ରୂପା ଛାଉଣୀ ପାଇଁ ମୁମ୍ବାଇରୁ ଏକ ସ୍ୱତନ୍ତ୍ର ଟିମ୍‌ ଆସିଛି । ଏହି କାର୍ଯ୍ୟର ସମୀକ୍ଷା କରିବା ପାଇଁ  ସେବାୟତ ପ୍ରତିନିଧିଙ୍କୁ ନେଇ ଗଠିତ ଏକ କମିଟି ଓ ଶ୍ରୀମନ୍ଦିର ବୈଷୟିକ କାର୍ଯନିର୍ବାହୀ ଅଧିକାରୀଙ୍କ ଉପସ୍ଥିତିରେ କାର୍ଯ୍ୟ ଜାରି ରହିଛି,’’ କହିଛନ୍ତି ଜେନା ।

ଏହା ବି ପଢ଼ନ୍ତୁ | ରାଜନୀତିରୁ ପଛକୁ ହଟିଲେ ଦକ୍ଷିଣର ସୁପରଷ୍ଟାର୍ ରଜନୀକାନ୍ତ; ନିଜ ପାର୍ଟିକୁ ନିଜେ ଭଙ୍ଗ କଲେ

ଭୋଗ ମଣ୍ଡପ, ଜଗମୋହନ ଓ ନାଟ ମଣ୍ଡପର ଲେଜର୍‌ ସ୍କାନିଂ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁମତି ମିଳିବା ପରେ ଶ୍ରୀଗୁଣ୍ଡିଚା ଯାତ୍ରା ପର ଦିନଠାରୁ ଏ.ଏସ୍‌.ଆଇ. ପକ୍ଷରୁ ଲେଜର୍‌ ସ୍କାନିଂ ଆରମ୍ଭ କରାଯାଇଛି । ହେଲେ ଗର୍ଭଗୃହର ଲେଜର୍‌ ସ୍କାନିଂ ପାଇଁ ଅନୁମତି ଦିଆଯାଇନାହିଁ । ଏ.ଏସ୍‌.ଆଇ. ପକ୍ଷରୁ ଗର୍ଭଗୃହ ଯାଞ୍ଚ ହେଉଥିବା ବେଳେ ନାଟ ମଣ୍ଡପ, ଜଗମୋହନ ଓ ଭୋଗମଣ୍ଡପ ଆଦିକୁ ମୁମ୍ବାଇର ସେନ୍ସ ଜିଓମାଟିକ୍ସ ଲିମିଟେଡ଼ର ଛଅ-ଜଣିଆ ଟିମ୍‌ ଦ୍ୱାରା ଲେଜର ସ୍କାନିଂ କରାଯାଉଛି ।

ଏହା ବି ପଢ଼ନ୍ତୁ | ଉତ୍ତର ପ୍ରଦେଶରେ ନୂଆ ଜନସଂଖ୍ୟା ନୀତି: ୨ରୁ ଅଧିକ ପିଲା ଥିଲେ ମିଳିବନି କୌଣସି ସରକାରୀ ସୁବିଧା

‘‘ଲେଜର୍‌ ସ୍କାନିଂର ଡକ୍ୟୁମେଣ୍ଟେସନକୁ କେବଳ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯିବ । ଯେଭଳି ଏହାର ତଥ୍ୟ ସାର୍ବଜନୀନ ନ ହୁଏ ସେଥି ପ୍ରତି ଶ୍ରୀମନ୍ଦିର ପ୍ରଶାସନ ସ୍ୱତନ୍ତ୍ର ଗୁରୁତ୍ୱ ଦେଉଛି । ସବୁ କାର୍ଯ୍ୟ ଜୁଲାଇ ୨୨ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କାରଣ ଜୁଲାଇ ୨୩ରେ ନିଳାଦ୍ରି ବିଜେ ଅଛି । ମହାପ୍ରଭୁ ଘୋଷ ଯାତ୍ରା ଶେଷ କରି ରତ୍ନବେଦୀରେ ବିରାଜମାନ କରିବେ । ତେଣୁ ସେହି ସମୟରେ ସେଠାରେ କାର୍ଯ୍ୟ ଚାଲିଲେ ନୀତି ପ୍ରଭାବିତ ହେବ । ସେ ଦୃଷ୍ଟିରୁ ତ୍ୱରିତ ବେଗରେ କାର୍ଯ୍ୟ କରାଯାଉଛି,’’ କହିଛନ୍ତି ଶ୍ରୀମନ୍ଦିର ସେବାୟତ କମିଟି ସଦସ୍ୟ ମାଧବ ପୁଜାପଣ୍ଡା ।

ଏହା ବି ପଢ଼ନ୍ତୁ | ଇଏ ବିଶ୍ୱର ସବୁଠୁ କଞ୍ଜୁସ୍ ମହିଳା; ସାବୁନ୍ ବଞ୍ଚାଇବାକୁ ୱାଶିଂ ମେସିନରେ ଲୁଗା ସହ ଥାଳି ଜୋତା ଧୁଅନ୍ତି

ଶ୍ରୀମନ୍ଦିର ବୈଷୟିକ କୋର୍‌ କମିଟିର ଯନ୍ତ୍ରୀ ଏନ୍‌.ସି. ପାଲ୍‌ କହିଛନ୍ତି ଯେ ଶ୍ରୀମନ୍ଦିରର ଗର୍ଭ ଗୃହର ରୁଟିନ୍‌ ଚେକଅପ୍‌ କାର୍ଯ୍ୟ ବି ଆରମ୍ଭ ହୋଇଛି । ‘‘ପ୍ରତି ବର୍ଷ ରଥ ଯାତ୍ରା ସମୟରେ ମହାପ୍ରଭୁ ରତ୍ନ ବେଦୀରେ ନ ଥିବା ଯୋଗୁଁ ଗର୍ଭଗୃହ ଯାଞ୍ଚ ପ୍ରକ୍ରିୟା କରାଯାଇଥାଏ । ସେହି ଅନୁସାରେ ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ ବି ଆରମ୍ଭ ହୋଇଛି  । ବୁଧବାର ଦିନ ଶ୍ରୀମନ୍ଦିର ଯାଞ୍ଚ କରିବା ପାଇଁ ପହଞ୍ଚିଛନ୍ତି ବୈଷୟିକ କମିଟିର ସ୍ୱତନ୍ତ୍ର ଟିମ୍‌ । ଏହି ଟିମ୍‌ ଗର୍ଭ ଗୃହ ଓ ନାଟ ମଣ୍ଡପ ସ୍ଥିତି ଦେଖିବା ସହ ଶ୍ରୀମନ୍ଦିର ଭିତରର ପୂରା ସ୍ଥିତି ଯାଞ୍ଚ କରୁଛନ୍ତି  । ବେହେରଣ ଦ୍ୱାର ଖୋଲି ଏହାର ନିର୍ମାଣ କାର୍ଯ୍ୟର ଅଗ୍ରଗତି ଓ ଅନ୍ୟ ଦ୍ୱାରଗୁଡି଼କର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରାଯାଉଛି ।  ଶ୍ରୀମନ୍ଦିରରେ ଥିବା ଆର୍ଥିଙ୍ଗ ସିଷ୍ଟମର ସ୍ଥିତି ଦେଖିବା ସହ ରୁଟିନ ଯାଞ୍ଚ ପ୍ରକ୍ରିୟା ବି ଜାରି ରହିଛି । ଏଥିରେ ପୁର୍ତ୍ତ ବିଭାଗର ଚିଫ୍‌ ଇଞ୍ଜିନିୟରିଂ ଡିଜାଇନ ଟିମ୍‌, ଏ.ଏସ୍.ଆଇ.ର ଅଧିକାରୀ ଓ ଶ୍ରୀମନ୍ଦିର ବୈଷୟିକ କୋର୍‌ କମିଟି ସଦସ୍ୟ ସାମିଲ୍‌ ଅଛନ୍ତି,’’ କହିଛନ୍ତି ପାଲ୍‌ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଯୁବତୀ ରାସ୍ତାରେ କାନ୍ଦି କହୁଥିଲେସୋନା ବାବୁ, ସୋନା ବାବୁ…;’ ପ୍ରେମିକ ଆଉ କାହାକୁ ବାହା ହେଉଥିଲା

ବଜ୍ରପାତରୁ ଶ୍ରୀମନ୍ଦିରକୁ ରକ୍ଷା କରିବା ପାଇଁ ନୀଳଚକ୍ରରେ ଲାଗିଥିବା ଆର୍ଥିଙ୍ଗ୍‌ ବ୍ୟବସ୍ଥା ବା ଆର୍ଥ କଣ୍ଟକ୍ଟର ଠିକ୍‌ ଭାବେ କାର୍ଯ୍ୟ କରୁଛି କି ନାହିଁ ତା’ର ମଧ୍ୟ ଯାଞ୍ଚ କରିବା ପାଇଁ ଆର୍ଥିଂଙ୍ଗ୍‌ ବିଶେଷଜ୍ଞ ଆସି ଅନୁଧ୍ୟାନ କରିଛନ୍ତି  । ‘‘ଆର୍ଥିଙ୍ଗ୍‌ ବିଶେଷଜ୍ଞ ଶ୍ରୀମନ୍ଦିରରେ ଥିବା ଆର୍ଥିଙ୍ଗ୍‌ ସିଷ୍ଟମର ସ୍ଥିତି ଦେଖିବା ସହ ରୁଟିନ୍‌ ଯାଞ୍ଚ ପ୍ରକ୍ରିୟା ଜାରି ରଖିଛନ୍ତି । ଐତିହ୍ୟ କିର୍ତ୍ତୀରାଜିରେ ଆର୍ଥିଙ୍ଗ୍‌ କଣ୍ଡକ୍ଟର୍‌ ଲଗାଗଲେ ତାହା ବଜ୍ରପାତକୁ ମନ୍ଦିର ଉପରେ ପଡି଼ବାକୁ ନ ଦେଇ ଆର୍ଥରେ, ଅର୍ଥାତ ମାଟିରେ, ଛାଡି଼ଦିଏ  । ସେହି ବ୍ୟବସ୍ଥାକୁ ନେଇ ନୀଳଚକ୍ରରେ ୧୧ଟି ଆର୍ଥିଙ୍ଗ କଣ୍ଡକ୍ଟର୍‌ ଲଗାଯାଇଥିବା ବେଳେ ତା’ର କାର୍ଯ୍ୟ ସଠିକ୍‌ ଭାବେ ହେଉଛି କି ନାହିଁ ତା’ର ମଧ୍ୟ ଯାଞ୍ଚ କରାଯାଉଛି,’’ କହିଛନ୍ତି ଆର୍ଥିଙ୍ଗ୍‌ ଏକ୍ସପର୍ଟ ପ୍ରଶାନ୍ତ ଚୌଧୁରୀ ।



ନିଳାଦ୍ରି ବିଜେ ପୂର୍ବରୁ ଶ୍ରୀମନ୍ଦିର ଭିତରେ ଚାଲିଥିବା ରୂପା ଦ୍ୱାର ଓ ଗର୍ଭଗୃହ ଯାଞ୍ଚ କାର୍ଯ୍ୟ ସରିଯିବ । ଏ ନେଇ ସେବାୟତ, ଏ.ଏସ୍‌.ଆଇ. କର୍ମକର୍ତ୍ତା ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ଉତ୍ତମ ସମନ୍ୱୟରେ କାର୍ୟ୍ୟର ଅନୁଧ୍ୟାନ କରାଯାଉଛି ।
Published by: Anand ST Das
First published: July 14, 2021, 11:38 PM IST