News18 Odia Digital
କଟକ: ବର୍ଷକ ତଳେ ଅର୍ଥାତ ୨୦୨୧ ଏପ୍ରିଲ ମାସରେ ଆରମ୍ଭ ହୋଇଥିବା ସିଲଭର ସିଟି ବୋଟ କ୍ଲବର ବଦଳୁଛି ରୂପରେଖ। ମହାନଦୀର ବିସ୍ତୀର୍ଣ୍ଣ ଜଳରାଶିରେ ନୌବିହାର ମଜା ପାଇଁ ଆରମ୍ଭ ହୋଇଥିଲା ଏହି ବୋଟ କ୍ଲବ। ୨ କୋଟି ଟଙ୍କା ବ୍ୟୟବରାଦରେ ଆରମ୍ଭ ହୋଇଥିବା ଏହି ବୋଟ କ୍ଲବରେ ସାମିଲ ହୋଇଥିଲା ଜେଟ୍ ସ୍କି, ସ୍ପିଡ୍ ବୋଟ, କ୍ରୁଜ୍ ବୋଟ, ୱାଟର ସ୍କୁଟର ଭଳି ଅନେକ ପ୍ରକାର ନୌବିହାର କାର୍ଯ୍ୟକ୍ରମ। ମଜା ଉଠାଉଛନ୍ତି ହଜାର ହଜାର ପର୍ଯ୍ୟଟକ। ଏପ୍ରିଲ ୧୩ ତାରିଖରେ ଏହି କ୍ଲବକୁ ପୂରିଛି ବର୍ଷେ।
"ଆମେ କଟକକୁ ଏକ ପର୍ଯ୍ୟଟନର ହବ ଭାବରେ ପରିଚିତ କରିବାକୁ ଲକ୍ଷ୍ୟ ରଖି ଏହାର ପରିକଳ୍ପନା କରିଥିଲୁ। ତେବେ ଗତ ବର୍ଷକ ମଧ୍ୟରେ ଏଠାକୁ ୧ ଲକ୍ଷ ୨୦ ହଜାର ପର୍ଯ୍ୟଟକ ଆସିଥିବା ବେଳେ। ପାଖାପାଖି ୪୭ ଲକ୍ଷ ଟଙ୍କାର ବ୍ୟବସାୟ ମଧ୍ୟ କରିଛି ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ। ଏବେ ଏହାର ଅଧିକ ସୌନ୍ଦର୍ଯ୍ୟ କରଣ ପାଇଁ ରାଜ୍ୟ ସରକାର ୧୦ କୋଟି ଟଙ୍କା ସହାୟତା ଯୋଗାଇ ଦେଇଛନ୍ତି। ଆଗକୁ ମୁକ୍ତାକାଶ ରଙ୍ଗମଞ୍ଚ, ବଡ ଫ୍ଲୋଟି ରେଷ୍ଟୁରାଣ୍ଟ ଓ ପାଣିରେ ଚାଲିବାର ଅନୁଭୂତି ଭଳି ଅତ୍ୟାଧୁନିକ ବ୍ୟବସ୍ଥାର ମଜା ଯେପରି ନେଇପାରିବେ ପର୍ଯ୍ୟଟକ ସେ ସବୁର ବ୍ୟବସ୍ଥା କରାଯାଉଛି,’’ କହିଛନ୍ତି ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଅଧକ୍ଷା ଶ୍ରୀମୟୀ ମିଶ୍ର।
ପର୍ଯ୍ୟଟକ ଅଶୋକ କୁମାର ପୃଷ୍ଟି କହିଛନ୍ତି ଯେ ଖରଦିନିଆ ସନ୍ଧ୍ୟାରେ ହାଲକା ପବନ ସାଙ୍ଗକୁ ଝିଲମିଲ ଆଲୋକ ମାଲାରେ ବୋଟ କ୍ଲବର ପରିସରରେ ଭିଡ଼ ଜମୁଛି। ଯାହାକୁ ଆମେ ବେଶ୍ ପସନ୍ଦ କରୁଛୁ । ବୋଟ କ୍ଲବର ପରିସର ଅତି ସୁନ୍ଦର ହୋଇଥିବା ବେଳେ, ରିଙ୍ଗ ରୋଡ଼ରୁ କ୍ଲବକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଛି। ରାସ୍ତାରେ ବଡ଼ବଡ଼ ଗାଢ଼ ସାଙ୍ଗକୁ, ଅଲୋକୀକରଣର ବ୍ୟବସ୍ଥା ନ ଥିବାରୁ ଯାତାୟାତରେ ଅନେକ ସମସ୍ୟା ସୃଷ୍ଟି ହୋଇଛି। ଯାହାକୁ ଆଉ କିଛି ପର୍ଯ୍ୟଟକ ନା ପସନ୍ଦ କରିଛନ୍ତି।
ତେବେ ଖୁବ୍ ଶୀଘ୍ର ଏହାର ପାରିପାର୍ଶ୍ବିକ ସ୍ଥିତିର ଉନ୍ନତିକରଣ ସହ ଭିତ୍ତିଭୂମିର ବିକାଶ କରାଯିବା ନେଇ କହିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ।
ଗୁରୁବାର ବୋଟ କ୍ଲବ ତାହାର ଏକ ବର୍ଷ ପୂର୍ତ୍ତି ଓ ଓଡ଼ିଆ ନୂଆ ବର୍ଷ ପାଳନ କରିଥିଲା ବେଳେ କଟକକୁ ପର୍ଯ୍ୟଟନ ହବ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଥିଲା । ଆଗକୁ ବାହାର ରାଜ୍ୟର ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା ରଖିଛି ଓଟିଡ଼ିସି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।