ବ୍ରହ୍ମପୁରରେ ଚାଲିଛି ସିଲ୍କ ସିଟି ଫେଷ୍ଟିଭାଲ; ହକି ବିଶ୍ବକପର ପ୍ରଚାର ପ୍ରସାର ପାଇଁ ଲକ୍ଷ୍ୟ

Silk City Festival: ବିଶ୍ବକପ ହକି ଦ୍ବିତୀୟ ଥର ପାଇଁ ଆୟୋଜନ କରୁଛି ଓଡ଼ିଶା। ତେଣୁ ହକିର ଅଧିକ ପ୍ରଚାର ଓ ପ୍ରସାର କିଭଳି ହୋଇପାରିବ ସେ ନେଇ ସବୁ କ୍ଷେତ୍ରରେ ଗୁରୁତ୍ବ ଦିଆଯାଉଛି।

ବ୍ରହ୍ମପୁରରେ ଚାଲିଛି ସିଲ୍କ ସିଟି ଫେଷ୍ଟିଭାଲ

ବ୍ରହ୍ମପୁରରେ ଚାଲିଛି ସିଲ୍କ ସିଟି ଫେଷ୍ଟିଭାଲ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ବ୍ରହ୍ମପୁର: ବ୍ରହ୍ମପୁରେ ଉଦ୍‌ଘାଟିତ ହୋଇଛି ସିଲ୍କ ସିଟି ଫେଷ୍ଟିଭାଲ (Silk City Festival)। ଏହି ଫେଷ୍ଟିଭାଲକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି ଗୃହ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ତଥା ଚିକିଟି ବିଧାୟିକା ଉଷା ଦେବୀ।

ହକିର ପ୍ରଚାର ପ୍ରସାର ସାଙ୍ଗକୁ ସହରବାସୀଙ୍କୁ ମନୋରଞ୍ଜନର ଖରାକ ଦେବା ନିମନ୍ତେ ଏହି ମହୋତ୍ସବ ଆୟୋଜନ କରାଯାଉଛି। ଦୀର୍ଘ ୫ ଦିନ ଧରି ମହୋତ୍ସବ ହେବାକୁ ଥିବା ବେଳେ ଏଥିରେ ସ୍ଥାନ ପାଇଛି ପଲ୍ଲିଶ୍ରୀ ମେଳା ଓ ପୁସ୍ତକ ମେଳା। ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ମୁଖ୍ୟ ଆକର୍ଷଣ ପାଲଟିଥିଲେ ଓଡ଼ିଆ କଣ୍ଠଶିଳ୍ପୀ ଲିଜା ମିଶ୍ର ଓ ବଲିଉଡ଼ କଣ୍ଠଶିଳ୍ପୀ ବେନି ଦୟାଲ୍‌।

ହକି ବିଶ୍ବକପ (Hockey World Cup) ଦ୍ବିତୀୟ ଥର ପାଇଁ ଆୟୋଜନ କରୁଛି ଓଡ଼ିଶା। ତେଣୁ ହକିର ଅଧିକ ପ୍ରଚାର ଓ ପ୍ରସାର କିଭଳି ହୋଇପାରିବ ସେ ନେଇ ସବୁ କ୍ଷେତ୍ରରେ ଗୁରୁତ୍ବ ଦିଆଯାଉଛି। ଯଦିଓ ଭୁବନେଶ୍ବର ଓ ରାଉରକେଲାରେ ହକି ଆୟୋଜନ ହୋଇଛି ତଥାପି ମଧ୍ୟ ରାଜ୍ୟର ସମସ୍ତ ମହାନଗରରେ କିଭଳି ଭାବେ ଏହାକୁ ସମସ୍ତେ ଉପଭୋଗ କରିପାରିବେ ସେ ନେଇ ବିଭିନ୍ନ ପ୍ରକାରର ମହୋତ୍ସବ ଆୟୋଜନ କରାଯାଇଛି। ସେହି କ୍ରମରେ ବ୍ରହ୍ମପୁର ସହରରେ ମଧ୍ୟ ଶୁକ୍ରବାର ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଛି ସିଲ୍କ ସିଟି ମହୋତ୍ସବ। ଏହି ମହୋତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ।

‘‘କରୋନା ଯୋଗୁଁ କୌଣସି ପ୍ରକାରର ମହୋତ୍ସବ ଗତ ଦୁଇ ବର୍ଷ ହେଲା ସହରରେ ହୋଇପାରୁନଥିଲା। ବର୍ତ୍ତମାନ କଟକଣା ହଟିବା ପରେ ଏଭଳି ମହୋତ୍ସବ ଆୟୋଜନ ହୋଇଛି। ଆଉ ଓଡ଼ିଶା ହକି ବିଶ୍ବକପ ଆୟୋଜନ କରୁଥିବା ଯୋଗୁଁ ଏହା ସମସ୍ତ ଓଡ଼ିଆ ମାନଙ୍କ ପାଇଁ ଗର୍ବର ବିଷୟ। ଏହାକୁ ଦୃଷ୍ଟିରେ ରଖି ଏଭଳି ମହୋତ୍ସବ ଆୟୋଜନ କରାଯିବା ସହିତ ହକିକୁ ନେଇ ଲୋକଙ୍କ ମଧ୍ୟରେ ଅଧିକ ଜ୍ଞାନ ବୃଦ୍ଧି ହେବ ତାହା ହିଁ ମହାତ୍ସବର ପ୍ରକୃତ ଉଦ୍ଦେଶ୍ୟ,’’ କହିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ।

ମହୋତ୍ସବରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ସମେତ ସମ୍ମାନିତ ଅତିଥି ଭାବେ ମହୋତ୍ସବରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା, ମେୟର ସଂଘମିତ୍ରା ଦଳେଇ, ଡ଼େପୁଟି ମେୟର ଇ.ବିବେକ ରେଡ଼ି ଯୋଗ ଦେଇଥିଲେ।

ଗୋପାଳପୁର ବେଳାଭୂମି ମହୋତ୍ସବ ପରେ ସହରବାସୀ ସିଲ୍କ ସିଟି ଫିଷ୍ଟିଭାଲର ମଜା ନେବେ। ସିଲ୍କ ସିଟି ଫେଷ୍ଟିବାଲ ହେବା ଦ୍ବାରା ଗଞ୍ଜାମ ଜିଲ୍ଲାର ଲୋକକଳା ଓ ସଂସ୍କୃତି ସମ୍ପର୍କରେ ପ୍ରଚାର ପ୍ରସାର ହେବା ସହିତ କଳାକାର ମାନେ ନିଜ କଳାକୁ ପ୍ରଦର୍ଶନ କରିବା ନିମନ୍ତେ ଏକ ମଞ୍ଚ ପାଇପାରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏଭଳି ମହୋତ୍ସବ କରାଯାଇଥିବା ବେଳେ ଏହାଦ୍ବାରା କେବଳ ଯେ ହକିର ପ୍ରଚାର ପ୍ରସାର ହେଉଛି ତାହା ନୁହେଁ ବରଂ ଲୋକଙ୍କୁ ମନୋରଞ୍ଜନ ଯୋଗାଇଦେବାରେ ଏହି ମହୋତ୍ସବ କାର୍ଯ୍ୟ କରୁଛି ବୋଲି କହିଛନ୍ତି ବ୍ରହ୍ମପୁର ସାଂସଦ ଓ ମେୟର।

ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ସହରର ବିଭିନ୍ନ ନୃତ୍ୟ ଅନୁଷ୍ଠାନମାନେ ବିଭିନ୍ନ ନୃତ୍ୟ ପରିବେଷଣ କରିଥିଲେ। ଏହାପରେ ରାୟଗଡ଼ାର ପ୍ରସିଦ୍ଧ ଢ଼େମସା ନୃତ୍ୟ ପରିବେଷଣ କରିଥିଲେ ରାୟଗଡ଼ାରୁ ଆସିଥିବା ନୃତ୍ୟ ଦଳ। ପରେ କୋଲକାତାରୁ ଆସିଥିବା ନୃତ୍ୟ ଦଳ କଥକ ନୃତ୍ୟ ପରିବେଷଣ କରିଥିଲେ।

ପ୍ରଥମେ ଲିଜା ମିଶ୍ର ମଞ୍ଚ ଉପରକୁ ଆସି ‘ଦିଲ୍‌ ଚାହାତା ହେ’, ‘ଉଡ଼େ ଦିଲ୍‌ ବେଫିକରେ’, ‘ନସେସି ଚଢ଼ଗାଇ ଓୟେ’, ‘ଘୁଙ୍ଗୁରୁ ଟୁଟ ଗେୟେ’, ‘ବ୍ୟାଙ୍ଗ ବ୍ୟାଙ୍ଗ’ ଭଳି ବହୁ ଗୀତ ଗାଇ ଉପସ୍ଥିତ ଦର୍ଶକମାନଙ୍କୁ ନଚାଇଥିଲେ। ଏହାପରେ ମଞ୍ଚରେ ପହଞ୍ଚିଥିଲେ ବଲିଉଡ଼ କଣ୍ଠଶିଳ୍ପୀ ବେନି ଦୟାଲ। ବେନି ଦୟାଲ ‘ମୁକାବୁଲା’, ‘ବତତମିଜ୍‌ ଦିଲ୍‌’, ‘ଆଦତ୍‌ ସେ ମଜବୁର୍‌’, ‘ଲୋଚା ଏ ଉଲଫତ ହୋଗାୟା’ ଭଳି ଗୋଟିଏ ପରେ ଗୋଟିଏ ହିଟ୍‌ ଗୀତ ଗାଇ ଉପସ୍ଥିତ ଥିବା ଶହ ଶହ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ।

‘‘କିଭଳି ଶାନ୍ତିଶୃଙ୍ଖଳାର ସହିତ ମହୋତ୍ସବ ୫ ଦିନ ଧରି ଆୟୋଜନ ହେବ ସେ ନେଇ ବ୍ରହ୍ମପୁର ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜଣଷ ଅତିରିକ୍ତ ଏସପି, ୬ ଜଣ ଡ଼ିଏସପି, ୧୨ ଜଣ ଇନ୍ସପେକ୍ଟର, ୫୦ ଏସଆଇ ଓ ଏଏସଆଇ, ୭୦ କନେଷ୍ଟବଳଙ୍କ ସମେତ ୧୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ପାର୍କି ଠାରୁ ଆରମ୍ଭ କରି ଟ୍ରାଫିକ ସମସ୍ୟା ସୃଷ୍ଟି ହେବ ନାହିଁ ସେ ନେଇ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଇଛି। ଏହାସହିତ ମହୋତ୍ସବରେ ୪୦ଟି ସିସିଟିଭି କ୍ୟାମେରା ମଧ୍ୟ ଲଗାଯାଇ ଲୋକଙ୍କ ଉପରେ ନଜର ରଖାଯାଉଛି,’’ କହିଛନ୍ତି ବ୍ରହ୍ମପୁର ଏସପି ଶ୍ରବଣା ବିବେକ ଏମ।

ଶନିବାର ସିଲ୍କ ସିଟି ମହୋତ୍ସବର ଦ୍ବିତୀୟ ସନ୍ଧ୍ୟାରେ ବିଲିଉଡ଼ କଣ୍ଠଶିଳ୍ପୀ ନୀତି ମହୋନ, ତେଲୁଗୁ କଣ୍ଠଶିଳ୍ପୀ ଗୀତା ମାଧୁରୀ, କଣ୍ଠଶିଳ୍ପୀ ଋତିରାଜ ମହାନ୍ତି, ସ୍ନିତି ମିଶ୍ର ଓ ମାନୋ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Published by:Lipina Das
First published: