News 18 Odia Digital
ଭୁବନେଶ୍ୱର; ବଦଳିବ ଶିଖରଚଣ୍ଡୀ ମନ୍ଦିରର ରୂପ । ଖୁବ ଆକର୍ଷଣୀୟ ଢଙ୍ଗରେ ମନ୍ଦିରର ହେବ ନବକଳେବର । ପାରିପାର୍ଶ୍ୱିକ ଅଞ୍ଚଳରେ ମଧ୍ୟ ଉନ୍ନୟନ କରାଯାଇ ଏହାକୁ ଭୁବନେଶ୍ୱର ସହରର ଅନ୍ୟତମ ଆକର୍ଷଣ କେନ୍ଦ୍ର ଭାବରେ ବିକଶିତ କରାଯିବ । ୫୩.୬୪ ଏକର ଅଞ୍ଚଳରେ ଏହି ଉନ୍ନତି କାର୍ଯ୍ୟ କରାଯିବ । ଏଥିପାଇଁ ୨୫ କୋଟି ଟଙ୍କା ଖର୍ଚ୍ଚ କରାଯିବ ।
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଏହି ମାଷ୍ଟରପ୍ଲାନକୁ ଅନୁମୋଦନ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଗତ କିଛି ଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଶିଖରଚଣ୍ଡୀ ମନ୍ଦିର ପରିଦର୍ଶନ କରି ଏହାର ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଉନ୍ନୟନ ଯୋଜନାକୁ ପରିବେଶ ଉପଯୋଗୀ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ଆଜି ସଂଧ୍ୟାରେ ଅନୁଷ୍ଠିତ ଏକ ବୈଠକରେ ବିଡିଏର ଉପାଧ୍ୟକ୍ଷ ଶ୍ରୀ ବଳବନ୍ତ ସିଂହ ଏଥିପାଇଁ ପ୍ରସ୍ତୁତ ମାଷ୍ଟରପ୍ଲାନ ସଂପର୍କରେ ଏକ ଉପସ୍ଥାପନା ରଖିଥିଲେ । ଏହି ଯୋଜନା ଅନୁଯାୟୀ ମନ୍ଦିର ଓ ଏହାର ଆଖପାଖ ଅଞ୍ଚଳର ୫୩.୬୪ ଏକର ଜମିରେ ବିକାଶ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯିବ । ବିଡିଏ ଏହି ଉନ୍ନୟନ କାର୍ଯ୍ୟ କରିବା ସହିତ ଆଗକୁ ମଧ୍ୟ ଏହି ଅଞ୍ଚଳର ପରିଚାଳନା ଦାୟିତ୍ବ ଗ୍ରହଣ କରିବ।
ମାଷ୍ଟରପ୍ଲାନ ଅନୁଯାୟୀ ସମୁଦାୟ ଅଞ୍ଚଳକୁ ୪ଟି ଜୋନ୍ରେ ବିଭକ୍ତ କରାଯାଇଛି । ଜୋନ୍-୧ରେ ପାର୍କିଂ, ସାଧାରଣ ଲୋକଙ୍କ କ୍ରୀଡା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ସ୍ଥାନର ଉନ୍ନତିକରଣ ଓ ଅନ୍ୟାନ୍ୟ ସୁବିଧାର ବିକାଶ କରାଯିବ। ଜୋନ୍-୨ରେ ଭିୟୁ ପଏଣ୍ଟ ଓ ଟ୍ରେକିଂ ରୁଟ ରହିବ। ଜୋନ-୩ ଓ ୪ରେ ମନୋରଞ୍ଜନ ମୂଳକ କାର୍ଯ୍ୟପାଇଁ ଭିତ୍ତିଭୂମି, କମ୍ୟୁନିଟି ସେଣ୍ଟର, ମୁଖ୍ୟ ମନ୍ଦିରର ଉନ୍ନତିକରଣ, ଦୋକାନ ଗୃହ ଓ ଅନ୍ୟାନ୍ୟ ସୁବିଧାର ବ୍ୟବସ୍ଥା କରାଯିବ।
ମୁଖ୍ୟମନ୍ତ୍ରୀଙ୍କ ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଏହି ବୈଠକ ପରିଚାଳନା କରିଥିଲେ ।
ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ ରାଉତ, ଶିଖରଚଣ୍ଡୀ ଆଞ୍ଚଳିକ ସେବା ସଂଘର ସଭାପତି ଶ୍ରୀ କ୍ଷୀତିଶ ତ୍ରିପାଠୀ ଓ ମନ୍ଦିର ପୂଜକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି କହିଥିଲେ ଯେ, ଶିଖରଚଣ୍ଡୀ ମନ୍ଦିରର ଉନ୍ନୟନ ସ୍ଥାନୀୟ ଜନତାଙ୍କର ବହୁ ଦିନର ଆଶା ଥିଲା । ଆଜି ମୁଖ୍ୟମନ୍ତ୍ରୀ ତାକୁ ପୂରଣ କରିଛନ୍ତି। ଏଥିପାଇଁ ସେମାନେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଥିଲେ। ବୈଠକରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ଶ୍ରୀ ପି.କେ. ଜେନା ଏବଂ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଓ ପ୍ରମୁଖ ସଚିବ ମାନେ ଯୋଗ ଦେଇଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।